ଲକଡାଉନ୍‌ର ସବୁ ନିୟମ ମାନି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି

ତିନି ରଥର ଦୁଇଟି ଲେଖାଏଁ ଚକ ଓ ନାହାକା ଅଖ ନିର୍ମାଣ କରି ଶ୍ରୀକ୍ଷେତ୍ରେ ଭଉଁରୀ ତିଥିରେ ଅର୍ଥାତ ମେ ୧୫ରେ ଚକ ଅଖ ସଂଯୋଗ ନୀତି କରାଯିବ । ସେ ନେଇ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାମ ।

ଲକଡାଉନ୍‌ର ସବୁ ନିୟମ ମାନି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି
୨୦୦ରୁ ଉର୍ଦ୍ଧ ସେବାୟତ ରଥ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ରଥ ନିର୍ମାଣକୁ ନେଇ ଦେଖାଦେଇଥିବା ସବୁ ଆଶଙ୍କାରେ ଯବନିକା ପଡ଼ିବା ପରେ ରଥ ଖଳାରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ଆବଶ୍ୟକତାରୁ କମ୍ ସଂଖ୍ୟାରେ‌ ମହାରଣା, ଭୋଇ ଓ ରୂପକାର ସେବକଙ୍କୁ ନେଇ ନିର୍ମାଣ କାମ କରାଯାଉଛି । କରୋନା ଲକଡାଉନର ଗାଇଡଲାଇନ୍ସ ପାଳନ କରାଯାଇ ସମ୍ପୂର୍ଣ ରଥଖଳାକୁ ବ୍ୟାରିକେଡ୍‌ ଓ କନା ଦ୍ୱାରା ଆଚ୍ଛାଦିତ କରି ସିଲ୍‌ କରାଯାଇଛି ।

ପ୍ରାରମ୍ଭିକ ପର୍ଯ୍ୟାୟରେ ତିନି ରଥର ଦୁଇଟି ଲେଖାଏଁ ଚକ ଓ ନାହାକା ଅଖ ନିର୍ମାଣ କରି ଶ୍ରୀକ୍ଷେତ୍ରେ ଭଉଁରୀ ତିଥିରେ ଅର୍ଥାତ ମେ ୧୫ରେ ଚକ ଅଖ ସଂଯୋଗ ନୀତି କରାଯିବ । ସେ ନେଇ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାମ । ରୂପକାର ସେବକମାନେ ଅକ୍ଷୟ ତୃତୀୟା ଦିନ ଶ୍ରୀମନ୍ଦିରରେ ଅନୁକୁଳ ହୋଇଥିବା କାଠକୁ ରଥଖଳାରେ ଗୁଜ ଅନୁକୁଳ କରି ନୃସିଂହଙ୍କ ପ୍ରତିଛବି ଖୋଦେଇ କରିଛନ୍ତି । ରଥର ଚକ ପାଇଁ ତୁମ୍ଭରେ ଅର ସଂଯୋଗ ପରେ ପହି ଲଗାଯିବା ପାଇଁ ସିଙ୍ଗଡା ବାଡ଼ିଆ ନୀତିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଅଫିସରମାନଙ୍କକ ଆଗରେ ଖୋଳା ଯାଇଛି ଜନ୍ତାଗାଡ଼ ।

ରଥ ନିର୍ମାଣ ପାଇଁ ମରଚିକୋଟ ଛକରୁ ଶ୍ରୀନଅର ପର୍ଯ୍ୟନ୍ତ ୨୦୦ ମିଟର ବ୍ୟାରିକେଡ କରାଯାଇ ନିଷିଦ୍ଧାଞ୍ଚଳ କରାଯାଇଛି । ରଥଖଳା ଅଞ୍ଚଳକୁ କରାଯାଇଛି ନୋ-ଏଣ୍ଟ୍ରି ଜୋନ । ରଥଖଳା ଭିତରକୁ ଗଣମାଧ୍ୟମ ପ୍ରବେଶ ଉପରେ ଲାଗିଛି କଟକଣା । ଦୈନିନ୍ଦିନ ରଥଖଳାରେ ସ୍ୱାସ୍ଥ୍ୟ କର୍ମୀଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ସହ କରୋନାକୁ ନେଇ ସଚେତନତା ଆରମ୍ଭ ହୋଇଛି ।

ସମ୍ପୂର୍ଣ ରଥଖଳାକୁ ବ୍ୟାରିକେଡ୍ ଓ କନା ଦ୍ୱାରା ଆଚ୍ଛାଦିତ କରି ସିଲ୍ କରାଯାଇଛି ।


ଏହା ବି ପଢ଼ନ୍ତୁ: ଅମିତ ଶାହା କହିଲେ ସେ ପୂରା ସୁସ୍ଥ ଅଛନ୍ତି; ଗୁଜବ ପ୍ରଚାର ପାଇଁ ୪ ଜଣଙ୍କୁ ଅଟକ ରଖାଗଲା

‘‘କାଳିଆର ଲୀଳା ଅପରମ୍ପାର । ରଥ ନିର୍ମାଣ ହେବା ନେଇ ଦେଖାଦେଇଥିବା ଅନିଶ୍ଚିତତା ଦୁର ହୋଇଛି  । ରଥ ଖଳାରେ ଆମେ ତିନି ମହାରଣା ମହାର୍ଦ୍ଧ ଅର୍ପଣ ଓ ନଡ଼ିଆ ବାଡ଼େଇ ତୁମ୍ଭ ଅନୁକୁଳ କରିବା ପରେ ରଥ ନିର୍ମାଣ ଆରମ୍ଭ ହୋଇଛି  । ତିନି ରଥ ପାଇଁ ୪୨ଟି ତୁମ୍ଭ ନିର୍ମାଣ ହେବାକୁ ଥିବା ବେଳେ ଚଳିତ ମାସ ୧୫ ତାରିଖରେ ଶ୍ରୀକ୍ଷେତ୍ରେ ଉଉଁରୀ ଦିନ ତିନି ରଥର ଦୁଇଟି ଲେଖାଏଁ ଚକ ଓ ଗୋଟିଏ ଲେଖାଏଁ ଅଖ ଡେରା ଯିବ । କରୋନା ମହାମାରୀକୁ ନେଇ ବର୍ତ୍ତମାନ ଅଳ୍ପ ସଂଖ୍ୟକ ମହାରଣା ଓ ଭୋଇ ସେବକଙ୍କୁ ନେଇ କାର୍ଯ୍ୟ କରାଯାଇଛି । ରଥ ନିର୍ମାଣ କାର୍ଯ୍ୟ ଠିକ୍‌ ଭାବରେ ଚାଲିଛି,’’ କହିଛନ୍ତି ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାପାତ୍ର  ।

ଏହା ବି ପଢ଼ନ୍ତୁ: ମୋଟା ଲୋକଙ୍କୁ କରୋନା ଭାଇରସ୍ ସଂକ୍ରମଣର ସମ୍ଭାବନା ଅଧିକ ଅଛି: ବୈଜ୍ଞାନିକ

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର କହିଛନ୍ତି ଯେ ରଥ ନିର୍ମାଣ ସେବାୟତଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯିବା ସହ ସେମାନଙ୍କୁ କରୋନା ସଚେତନତା ସହ ହାତ ଧୋଇବା ଓ ମାସ୍କ ପିନ୍ଧିବା ଉପରେ ପରାମର୍ଶ ଦିଆଯାଇଛି । ‘‘ରଥଖଳାରେ ପ୍ରବେଶ କରିବା ମାତ୍ରେ ଶ୍ରୀମନ୍ଦିର ପ୍ରଶାସନିକ କର୍ମଚାରୀ ରଥ ନିର୍ମାଣରେ ନିୟୋଜିତ ସେବାୟତଙ୍କୁ ହ୍ୟାଣ୍ଡ ସାନିଟାଇଜର ଓ ପାନୀୟ ଜଳ ଯୋଗାଣ ସହ ସେମାନଙ୍କୁ ଖାଦ୍ୟପେୟର ବ୍ୟବସ୍ଥା କରୁଛନ୍ତି । ରଥ ନିର୍ମାଣର କାର୍ଯ୍ୟକୁ  ତ୍ୱରାନ୍ୱିତ କରାଯିବ ।  କରୋନାକୁ ନେଇ ୧୫୦ରୁ ଉର୍ଦ୍ଧ ବିଶ୍ୱକର୍ମାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି,’’ ସେ କହିଛନ୍ତି ।

ରଥ କାମରେ ନିୟୋଜିତ ୨୦୬ ଜଣ ସେବକଙ୍କୁ ତିନୋଟି ଭକ୍ତ ନିବାସରେ ରଖାଯିବ । ଟାଉନ ଥାନା ପାଖ ନିଳାଦ୍ରୀ ଭକ୍ତ ନିବାସରେ ୧୦୧ ଜଣ, ଗୁଣ୍ଡିଚା ମନ୍ଦିର ନିକଟ ଭକ୍ତ ନିବାସରେ ୭୦ ଜଣ ଓ ନୀଳାଚଳ ଭକ୍ତ ନିବାସରେ ୪୫ ଜଣ ରହିବାର ବ୍ୟବସ୍ଥା ହୋଇଛି ବୋଲି କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଉନ୍ନୟନ ପ୍ରଶାସକ ଅଜୟ ଜେନା  ।

ଏହା ବି ପଢ଼ନ୍ତୁ: CBSEର ଦଶମ ଓ ଦ୍ୱାଦଶ ଶ୍ରେଣୀର ବାକି ପରୀକ୍ଷା ଜୁଲାଇ ୧ରୁ ୧୫ ତାରିଖ ମଧ୍ୟରେ ହେବ

‘‘ମହାପ୍ରଭୁଙ୍କର ଇଚ୍ଛାରେ ହିଁ ରଥ ନିର୍ମାଣ ଆରମ୍ଭ ହୋଇଛି  । ପ୍ରଶାସନ ପକ୍ଷରୁ କରୋନାକୁ ନେଇ ପାଳନ କରାଯାଉଥିବା ଗାଇଡଲାଇନ୍ସ ସ୍ୱାଗତଯୋଗ୍ୟ । ଦଇତାପତି ନିଯୋଗରେ ମଧ୍ୟ ଏ ନେଇ ଆଲୋଚନା କରାଯାଇଛି  । ସ୍ନାନ ପୂର୍ଣିମାରେ କିଭଳି କମ୍‌ ସଂଖ୍ୟକ ସେବାୟତଙ୍କୁ ନେଇ କାର୍ଯ୍ୟ କରାଯିବ ତା ଉପରେ ଗୁରୁତ୍ୱ ଦିଆଯାଇଛି । ଯେଉଁ ସେବାୟତମାନେ ରଥଯାତ୍ରା ସହ ସମ୍ପୃକ୍ତ ରହିବେ ସେମାନଙ୍କର ମଧ୍ୟ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯିବା ଉଚିତ। ଆବଶ୍ୟକ ହେଲେ ରଥ ପୂର୍ବରୁ ସେମାନେ ସଙ୍ଗରୋଧ ହୋଇ ରହିବେ,’’ କହିଛନ୍ତି ଦଇତାପତି ନିଯୋଗର ସଭାପତି ରବିନ୍ଦ୍ର ଦାସ ମହାପାତ୍ର ।

ରଥ ଖଳାରେ କିଭଳି ମହାରଣାମାନେ ସୁରକ୍ଷିତ ଭାବେ କାମ କରିବେ ତା’ ଉପରେ ଗୁରୁତ୍ୱ ଦିଆଯାଇଛି । ଉନ୍ନୟନ କମିଶନର ତଥା ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁରେଶ ମହାପାତ୍ର ଓ ଇାଇଭ୍‌-ଟି ସଚିବ ଭି.କେ. ପାଣ୍ଡିଆନ ରଥଖଳାକୁ ଯାଇ ରଥ ନିର୍ମାଣର ଅନୁଧ୍ୟାନ କରିଛନ୍ତି ।

ଏହା ବି ପଢ଼ନ୍ତୁ: କରୋନା ସମୟରେ ରାଜନୀତି: ପଶ୍ଚିମ ବଙ୍ଗ ରାଜ୍ୟପାଳଙ୍କ ଉପରେ ବର୍ଷିଲେ ମମତା ବାନାର୍ଜୀ
First published: May 10, 2020, 11:49 PM IST
corona virus btn
corona virus btn
Loading