ଆଶା କର୍ମୀଙ୍କ ପାଇଁ ମୋବାଇଲ୍ ଫୋନ୍ କିଣାରେ ରାଜ୍ୟ ସରକାର ଘୋର୍ ଦୁର୍ନୀତି କରିଛନ୍ତି: କଂଗ୍ରେସ୍

ଯେଉଁ ସ୍ପେଶିଫିକେସନର ଫୋନ୍ କିଣିବାକୁ କେନ୍ଦ୍ର ସରକାର କହିଥିଲେ ତାହା ନ କିଣି ରାଜ୍ୟ ସରକାର ଅଲଗା ସ୍ପେସିଫିକେସନର ଓ ଅଳ୍ପ ଦାମର ଫୋନ୍ ଅଧିକ ଦାମରେ କିଣିଛନ୍ତି ବୋଲି କହିଛି କଂଗ୍ରେସ । ବିଜେଡି ଏହି ଅଭିଯୋଗ ନିରାଧାର ବୋଲି କହିଛି ।

ଆଶା କର୍ମୀଙ୍କ ପାଇଁ ମୋବାଇଲ୍ ଫୋନ୍ କିଣାରେ ରାଜ୍ୟ ସରକାର ଘୋର୍ ଦୁର୍ନୀତି କରିଛନ୍ତି: କଂଗ୍ରେସ୍
ମୋବାଇଲ୍ ଫୋନ୍ କିଣାରେ ଦୁର୍ନୀତି ବିଷୟରେ କହୁଛନ୍ତି କଂଗ୍ରେସ ନେତାମାନେ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ମାସ୍କ ଓ ପିପିଇ କିଟ୍ ପରେ ଏବେ ରାଜ୍ୟରେ ମୋବାଇଲ୍‌ ଫୋନ୍‌ କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି କଂଗ୍ରେସ । ଆଶା କର୍ମୀଙ୍କ ପାଇଁ କେନ୍ଦ୍ର ସରକାର ଦେଇଥିବା ସ୍ପେସିଫିକେସନକୁ ବଦଳାଇ ରାଜ୍ୟ ସରକାର ମୋବାଇଲ୍‌ ଫୋନ୍‌ କିଣିଛନ୍ତି ବୋଲି ଦଳ ‘‘ତଥ୍ୟ’’ ସହ ଅଭିଯୋଗ କରିଛି ।

ଆଶା କର୍ମୀଙ୍କୁ ମୋବାଇଲ୍‌ ଫୋନ୍‌ କିଣି ଦେବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ । ଆଶା କର୍ମୀଙ୍କ ପାଖରେ ମୋବାଇଲ୍‌ ଫୋନ୍‌ ରହିଲେ ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା ସରକାରଙ୍କୁ ସହଜରେ ମିଳିପାରିବ ବୋଲି କୁହାଯାଇଥିଲା। କିନ୍ତୁ ଯେଉଁ ସ୍ପେସିଫିକେସନକୁ ନେଇ ମୋବାଇଲ କିଣିବାକୁ କୁହାଯାଇଥିଲା ତାହା ନ କରି ରାଜ୍ୟ ସରକାର ଅଲଗା ସ୍ପେସିଫିକେସନର ମୋବାଇଲ କିଣିବା ସହ ଅଳ୍ପ ଦାମର ମୋବାଇଲକୁ ଅଧିକ ଦାମରେ କିଣାଯାଇଥିବା ଦେଖାଇଛନ୍ତି ବୋଲି କହିଛି କଂଗ୍ରେସ । ଏକ ସାମ୍ବାଦିକ ସମ୍ମିଳନୀରେ  ଏ ଭଳି ଗୁରୁତର ଅଭିଯୋଗ କରିଛି କଂଗ୍ରେସ ।

ମାସ୍କ ଓ ପିପିଇ କିଟ କିଣା ଦୁର୍ନୀତିକୁ ନେଇ ତୁମ୍ବିତୋଫାନ ଏବେ ବି କମି ନ ଥିବା ବେଳେ କଂଗ୍ରେସର ଏହି ନୂଆ ଅଭିଯୋଗ ରାଜ୍ୟ ରାଜନୀତିରେ ଆଣିଛି ଆଲୋଡ଼ନ । ହେଲେ କେବଳ ନିଜର ରାଜନୈତିକ ସ୍ଥିତି ସୁଧାରିବା ପାଇଁ କଂଗ୍ରେସ ଏପରି ଅଭିଯୋଗ କରୁଛି ଓ ସେଥିରେ ସତ୍ୟତା ନାହିଁ ବୋଲି ବିଜେଡି କହିଛି ।

ବିଜେଡି ନେତା ଅମର ଶତପଥୀ


‘‘ଯେଉଁ ସ୍ପେଶିଫିକେସନକୁ ଆଧାର କରି ଆଶା କର୍ମୀ ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା ସରକାରଙ୍କୁ ସୂଚନା ଦେଇପାରିବେ ବୋଲି କୁହାଯାଇଥିଲା ଓ ଯେଉଁ ସ୍ପେସିଫିକେସନକୁ ନେଇ ମୋବାଇଲ କିଣିବାକୁ କୁହାଯାଇଥିଲା, ତାହା ନ କରି ରାଜ୍ୟ ସରକାର ଅଲଗା ସ୍ପେସିଫିକେସନର ମୋବାଇଲ କିଣିବା ସହ ଅଳ୍ପ ଦାମର ମୋବାଇଲକୁ ଅଧିକ ଦାମରେ କିଣିଛନ୍ତି । ମୋବାଇଲର ସ୍ପେସିଫିକେସନରେ ଏଣ୍ଡ୍ରଏଡ଼ ୬.୦ର ମୋବାଇଲ କିଣିବାପାଇଁ ଧାର୍ଯ୍ୟ କରାଯାଇଥିଲା । ହେଲେ ରାଜ୍ୟ ସରକାର ସାମସଙ୍ଗ ଗାଲାକ୍ସିର A10S ମଡେଲର ୧୦,୯୫୦ଟି ଫୋନ୍‌ କିଣିବା ପାଇଁ ଗୁରୁଗ୍ରାମର ଏକ ନିର୍ଦିଷ୍ଟ କମ୍ପାନୀକୁ ଅର୍ଡର ଦେଲେ । ଏହି ଫୋନ୍‌ ପ୍ରତିଟିର  ଦାମ୍‌ ୧୦,୯୯୯ ଟଙ୍କା । ଯେଉଁ ମୋବାଇଲ କିଣା ଗଲା ତା’ର ବଜାର ମୂଲ୍ୟ ୮,୯୯୯ ଟଙ୍କା, କିନ୍ତୁ ସରକାର ୧୦,୯୫୦ ଟଙ୍କାରେ କିଣିଲେ,’’ କହିଛନ୍ତି କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ।

କଂଗ୍ରେସ ଆହୁରି ଅଭିଯୋଗ କରିଛି ଯେ କେନ୍ଦ୍ର ସରକାରଙ୍କ ସ୍ପେସିଫିକେସନ ବଦଳାଇ ରାଜ୍ୟ ସରକାର ୬.୨ ଇଞ୍ଚ ସ୍କ୍ରିନ, ୩୨ ଜିବି, ୪,୦୦୦mah ବ୍ୟାଟେରୀର ମୋବାଇଲ ଫୋନ୍‌ କିଣିଛନ୍ତି । କେବଳ ସାମସଙ୍ଗକୁ ଏହି ଅର୍ଡ଼ର ଦେବାକୁ ଏଭଳି ପରିବର୍ତ୍ତନ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ଦାସ ।

ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘Dil Bechara’ର ଟ୍ରେଲର୍ ଆସିଗଲା, ଦେଖନ୍ତୁ

କଂଗ୍ରେସର ଏହି ଅଭିଯୋଗ ଉପରେ ଜବାବ ରଖି ବିଜେଡି ନେତା ଅମର ଶତପଥୀ କହିଛନ୍ତି: ‘‘ଯେଉଁ ଦଳ ଲୋକଙ୍କ ପାଖରେ ନାହିଁ ସେମାନଙ୍କ ସମ୍ପର୍କରେ କ’ଣ ମତାମତ ଦେବି? କେବଳ ରାଜନୈତିକ ସ୍ଥିତି ସୁଧାରିବା ପାଇଁ ସେମାନେ ଏ ପରି ମନ୍ତବ୍ୟ ଦେଉଛନ୍ତି । ଏ ଭଳି ଦୁଃସ୍ଥିତିରେ ସରକାରଙ୍କୁ ସାହାଯ୍ୟ କରୁନାହାନ୍ତି, ବରଂ ମନୋବଳ ଭାଙ୍ଗୁଛନ୍ତି । Sହି ଅଭିଯୋଗର କୌଣସି ସତ୍ୟତା ନାହିଁ ।’’

ଏହା ବି ପଢ଼ନ୍ତୁ: ଯାଜପୁରରେ ଶିକ୍ଷୟତ୍ରୀଙ୍କୁ ଗୋଡ଼େଇ ଗୋଡ଼େଇ ହାଣି ହତ୍ୟା କଲେ ଦୁର୍ବୃତ୍ତ; ସ୍ବାମୀ ଓ ଝିଅକୁ ବି ହାଣିଲେ

ଗୋଟିଏ ପଟେ ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣ ବଢ଼ି ଚାଲିଥିବା ବେଳେ କରୋନା ଜନିତ ସାମଗ୍ରୀ କିଣାକୁ ନେଇ ଆସୁଥିବା ଅଭିଯୋଗ ସରକାରଙ୍କୁ ଅଡୁଆରେ ପକାଇଛି ।
Published by: Anand Shankar Thankur Das
First published: July 6, 2020, 11:48 PM IST
corona virus btn
corona virus btn
Loading