ପ୍ରବାସୀ ଶ୍ରମିକଙ୍କ ଟ୍ରେନ୍ ଯାତ୍ରା ଖର୍ଚ୍ଚ ବହନ କରିବ କଂଗ୍ରେସ; ଏହାକୁ ନେଇ ବିବାଦ ଆରମ୍ଭ

ରେଳବାଇ ପ୍ରବାସୀ ଶ୍ରମିକଙ୍କ ନିକଟରୁ ଭଡ଼ା ନେଉଥିବାରୁ କଂଗ୍ରେସ ନେତା ରାହୁଳ ଗାନ୍ଧି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ । ହେଲେ କଂଗ୍ରେସର ଯାତ୍ରା ଖର୍ଚ୍ଚ ବହନ କରିବା ଘୋଷଣା ପରେ ଏହି ପଦକ୍ଷେପର ଔଚିତ୍ୟକୁ ନେଇ ପ୍ରଶ୍ନ ଉଠିଛି ।

ପ୍ରବାସୀ ଶ୍ରମିକଙ୍କ ଟ୍ରେନ୍ ଯାତ୍ରା ଖର୍ଚ୍ଚ ବହନ କରିବ କଂଗ୍ରେସ; ଏହାକୁ ନେଇ ବିବାଦ ଆରମ୍ଭ
କଂଗ୍ରେସ୍ ଅଧ୍ୟକ୍ଷ ସୋନିଆ ଗାନ୍ଧି ଓ ରାହୁଳ ଗାନ୍ଧି
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ କରିବା ପାଇଁ କଂଗ୍ରେସ ଦଳ ଆଗେଇ ଆସିଛି । ଦେଶର ବିଭିନ୍ନ ରାଜ୍ୟକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ଗସ୍ତ ଖର୍ଚ୍ଚ ବହନ କରିବ କଂଗ୍ରେସ । ଏ ନେଇ ଦଳର ସଭାପତି ସୋନିଆ ଗାନ୍ଧିଙ୍କ ନିର୍ଦ୍ଦେଶ ପରେ ସବୁ ରାଜ୍ୟର କଂଗ୍ରେସ କମିଟିକୁ ଚିଠି ଲେଖିଛନ୍ତି ଦଳର କୋଷାଧ୍ୟକ୍ଷ ଅହମ୍ମଦ ପଟେଲ ।

ଏ.ଆଇ.ସି.ସି. ଶ୍ରମିକମାନଙ୍କ ସମସ୍ତ ଗସ୍ତ ଖର୍ଚ୍ଚ ବହନ କରିବ । ଯେଉଁଠି ଶ୍ରମିକଙ୍କୁ ସହାୟତା ଲୋଡା ସେଠାରେ ସେମାନଙ୍କୁ ସହଯୋଗ କରିବେ କଂଗ୍ରେସ କର୍ମୀ । ଦେଶର ବିଭିନ୍ନ ରାଜ୍ୟରୁ ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ସ୍ବତନ୍ତ୍ର ଟ୍ରେନ ଯୋଗେ ଫେରିବାରେ ଲାଗିଛନ୍ତି । ଆଉ ନିଜ ଖର୍ଚ୍ଚରେ ଶ୍ରମିକମାନେ ଘରକୁ ଫେରୁଛନ୍ତି ।

ପୂର୍ବରୁ ରେଳବାଇ ପ୍ରବାସୀ ଶ୍ରମିକଙ୍କ ନିକଟରୁ ଭଡ଼ା ନେଉଥିବାରୁ କଂଗ୍ରେସ ନେତା ରାହୁଳ ଗାନ୍ଧି କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ । ଗୋଟିଏ ପଟେ ରେଳବାଇ ପିଏମ୍ କେୟାରର୍ସକୁ କୋଟି କୋଟି ଟଙ୍କା ପ୍ରଦାନ କରୁଥିବା ବେଳେ ଶ୍ରମିକଙ୍କ ନିକଟରୁ ଭଡ଼ା ଆଦାୟ କରୁଥିବା ଅଭିଯୋଗ କରିଥିଲେ ରାହୁଳ ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଂଯୁକ୍ତ ସଚିବ ଲଭ୍ ଅଗ୍ରୱାଲ୍


ଦେଶର ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶ୍ରମିକମାନେ ଏବେ ନିଜ ନିଜ ରାଜ୍ୟକୁ ଫେରିବା ପାଇଁ ବ୍ୟାକୁଳ । କେତେକ ଫେରି ସାରିଥିବା ବେଳେ ଆଉ କେତେକ ଅପେକ୍ଷା କରି ରହିଛନ୍ତି । ଠିକ୍ ଏହି ସମୟରେ ରେଳ ଟିକଟକୁ ନେଇ ସୃଷ୍ଟି ହୋଇଛି ବିବାଦ । ତେବେ କେନ୍ଦ୍ର ସରକାର ସ୍ପଷ୍ଟ କରିଦେଇଛନ୍ତି ଯେ ଦେଶରେ ଏବେ ଲକଡାଉନ୍ ଯୋଗୁଁ ଟ୍ରେନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଯେଉଁ କେତୋଟି ଟ୍ରେନ ଚାଲୁଛି, ତାହା ବିଭିନ୍ନ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ କେବଳ ପ୍ରବାସୀ ଶ୍ରମିକଙ୍କୁ ନେବା ପାଇଁ ଚାଲୁଛି । ତେଣୁ ଏଭଳି ସ୍ଥିତିରେ ରେଳବାଇ ପ୍ରବାସୀ ଶ୍ରମିକଙ୍କଠାରୁ ଭଡ଼ା ଆଦାୟ କରିବା ଅଭିଯୋଗ ଠିକ୍ ନୁହେଁ ।

ଯେଉଁ ପ୍ରବାସୀ ଶ୍ରମିକ ରେଳଭଡ଼ା ଦେଇ ଆସୁଛନ୍ତି, ସେମାନଙ୍କ ଖର୍ଚ୍ଚ କଂଗ୍ରେସ ବହନ କରିବ ବୋଲି ଘୋଷଣା କରିବା ପରେ ଏହି ବିବାଦ ଅଧିକ ତେଜିଛି । କରୋନାକୁ ନେଇ ଦେଶର ବର୍ତ୍ତମାନର ସ୍ଥିତି ଦେଖି୍ବାକୁ ଗଲେ କାହାରିକୁ ମାଗଣା ଟିକଟ ଦିଆଯିବା ଉଚିତ ନୁହେଁ । କାରଣ ମାଗଣା ଟିକଟ କଥା ଶୁଣିବା ମାତ୍ରେ ଅଧିକରୁ ଅଧିକ ଲୋକ ନିଜ ନିଜ ଗାଁକୁ ଫେରିବାକୁ ଚାହିଁବେ । ଏହା ଦ୍ବାରା କରୋନା ଭାଇରସ୍ ଗାଁରେ ପହଞ୍ଚିବା ସହଜ ହେବ । ପ୍ରବାସୀମାନେ ନିଜ ନିଜ ଗାଁକୁ ଫେରିଯିବା ଦ୍ବାରା କାହାରି ଫାଇଦା ହେବନି । ନା ପ୍ରବାସୀଙ୍କର ନା ସେମାନଙ୍କ ପରିବାରର ନା ଦେଶର, କାହାରି ବି କିଛି ଲାଭ ହେବନି । ବରଂ ପ୍ରବାସୀମାନେ ଗାଁରେ ପହଞ୍ଚିବା ଦ୍ବାରା ଲକଡାଉନ ବେଳେ ଦେଶକୁ ଯେଉଁ ଫାଇଦା ମିଳିଛି ତାହା ବି ଆମେ ହରାଇପାରୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଂଯୁକ୍ତ ସଚିବ ଲଭ୍‌ ଅଗ୍ରୱାଲ୍‌ ।

ମାଗଣା ଟିକଟରେ ରେଳଯାତ୍ରା ହେଉଛି ବୋଲି ଯେବେ ପ୍ରଚାରିତ ହୋଇଯିବ, ସବୁ ଷ୍ଚେସନରେ ଭିଡ଼ ଏତେ ହେବ ଯେ ଦଳାଚକଟା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ ବୋଲି ସେ କହିଛନ୍ତି । ଲକଡାଉନ୍ ବେଳେ ସରକାର ପ୍ରତି ପରିବାରକୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୧୩ ହଜାର ଟଙ୍କା ଲେଖାଏଁ ଦେଉଛନ୍ତି । ଟ୍ରେନ ଟିକଟ ପାଇଁ ଆଉ ୫୦୦ ଟଙ୍କା ଦେବା ସରକାରଙ୍କ ପାଇଁ କିଛି ବଡ଼ କଥା ନୁହେଁ । ବଡ଼ କଥା ହେଉଛି, ଲୋକେ ଟ୍ରେନରେ ଯାତ୍ରା ନ କରନ୍ତୁ, ନିଜ ଗାଁକୁ ନ ଫେରନ୍ତୁ, ଏହା ସରକାର ଚାହାନ୍ତି । ଥରେ ଭାବନ୍ତୁ ତ, ଲକ୍ ଡାଉନ୍ ପରେ ଯେତେବେଳେ ସବୁ ସ୍ବାଭାବିକ ହେବ, ସେତେବେଳେ ଶ୍ରମିକଙ୍କ ବିନା ଶିଳ୍ପ କାର୍ଯ୍ୟ ଆରମ୍ଭ ହେବ କେମିତି? ଗାଁରେ ଥିବା ଶ୍ରମିକ ପୁଣି ଫେରିବ କେମିତି? ଯେତେବେଳେ କରୋନା ଭାଇରସ୍ ଗାଁରେ ପହଞ୍ଚିବ, ସେତେବେଳେ ଅବସ୍ଥା କଣ ହେବ, କେହି ଚିନ୍ତା କରିଛନ୍ତି? ତେଣୁ ଫ୍ରି ଟିକଟକୁ ନେଇ ବର୍ତ୍ତମାନ ସ୍ଥିତିରେ ବିବାଦ ସୃଷ୍ଟି କରିବା ଠିକ୍ ନୁହେଁ ବୋଲି କହିଛନ୍ତି ଅଗ୍ରୱାଲ । ନା ଏହା ପ୍ରବାସୀଙ୍କ ହିତ ପାଇଁ ନା ଏହା ଦେଶର ହିତ ପାଇଁ । ତେଣୁ ଏଭଳି ପ୍ରସଙ୍ଗକୁ ନେଇ ବର୍ତ୍ତମାନର ସ୍ଥିତିରେ ଆଲୋଚନା ଓ ପର୍ଯ୍ୟାଲୋଚନା ଠିକ୍ ନୁହେଁ ବୋଲି ସେ କହିଛନ୍ତି ।
First published: May 4, 2020, 10:49 PM IST
corona virus btn
corona virus btn
Loading