News18 Odia Digital
ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନାଙ୍କ ପୁଅ ତଥା ରାଜ୍ୟ ଯୁବ କଂଗ୍ରେସର ପୂର୍ବତନ ସଭାପତି ସଂଗ୍ରାମ କେଶରୀ ଜେନାଙ୍କର ଦେହାନ୍ତ ହୋଇଯାଇଛି । ସେ କୋଭିଡ୍ ପରବର୍ତ୍ତୀ ସଂକ୍ରମଣର ଶିକାର ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗୁରୁବାର ସକାଳେ ତାଙ୍କର ମୃତ୍ୟୁ ହୋଇଛି ।
ବାପି ନାମରେ ଦଳ ମଧ୍ୟରେ ଲୋକପ୍ରିୟ ଥିବା ସଂଗ୍ରାମଙ୍କୁ ମୃତ୍ୟୁ ବେଳକୁ ମାତ୍ର ୪୩ ବର୍ଷ ହୋଇଥିଲା । ତାଙ୍କ ଦେହାନ୍ତ ଖବର ରାଜ୍ୟ କଂଗ୍ରେସ ମହଲରେ ଦୁଃଖର ଛାୟା ଖେଳାଇ ଦେଇଛି । ଖବର ମିଳିବା ପରେ ତାଙ୍କ ବାସଭବନରେ କଂଗ୍ରେସ ନେତାମାନଙ୍କ ଭିଡ଼ ଜମିଛି । ଅନେକ କଂଗ୍ରେସ ନେତା ସଂଗ୍ରାମଙ୍କୁ ଲୁଲୁ ମହାପାତ୍ରଙ୍କ ପରେ ରାଜ୍ୟର ଦ୍ୱିତୀୟ ସର୍ବାଧିକ ଜନ ସମ୍ପର୍କ ହାସଲ କରିଥିବା ଯୁବ ନେତା ଭାବେ ବର୍ଣ୍ଣନା କରୁଥିବା ଶୁଣାଯାଇଛି । ୨୦୧୪ ସାଧାରଣ ନିର୍ବାଚନରେ ଭଦ୍ରକ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ଲଢ଼ି ପରାସ୍ତ ହୋଇଥିଲେ ସଂଗ୍ରାମ ଜେନା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଭିଡିଓ | ଯେବେ ଅଳିଆ ଗୋଟାଉଥିବା ମହିଳା ଇଂରାଜୀ କହିବା ଆରମ୍ଭ କଲେ, ବଡ଼ ସତ ସାମନାକୁ ଆସିଲା
ତାଙ୍କ ପରିବାର ସୂତ୍ରରୁ ଜଣା ପଡ଼ିଛି ଯେ ସଂଗ୍ରାମ ଦୁଇ ମାସ ତଳେ କରୋନା ଭାଇରସ୍ ସଂକ୍ରମଣରେ ଆକ୍ରାନ୍ତ ହୋଇଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକମୋ ଚିକିତ୍ସା ପାଇଁ ହାଇଦ୍ରାବାଦକୁ ଏୟାର୍ ଲିଫ୍ଟ କରାଯାଇଥିଲା । ହାଇଦ୍ରାବାଦରେ ୮୦ରୁ ଅଧିକ ଦିନ ସଂଗ୍ରାମଙ୍କ ଚିକିତ୍ସା ଚାଲିଥିଲା । ଏହା ପରେ ସେ ଭୁବନେଶ୍ବର ଫେରିଥିଲେ । କିନ୍ତୁ ଫୁସଫୁସରେ ବାକି ଥିବା ସଂକ୍ରମଣରୁ ସଂଗ୍ରାମ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରି ନ ଥିଲେ । ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଥିଲେ ବୋଲି କହିଛନ୍ତି ତାଙ୍କ ସାନ ଭାଇ ମନୋଜ ଜେନା।

୨୦୧୪ ନିର୍ବାଚନ ପାଇଁ ଭଦ୍ରକରେ ନାମାଙ୍କନ କରୁଥିବା ବେଳେ ସଂଗ୍ରାମ ଜେନା
ଏହା ବି ପଢ଼ନ୍ତୁ | କଶ୍ମୀରରେ ଆଉ ଜଣେ BJP ନେତାଙ୍କୁ ହତ୍ୟା କଲେ ଆତଙ୍କବାଦୀମାନେ; ସପ୍ତାହକରେ ଏହା ଦ୍ୱିତୀୟ ହତ୍ୟା
‘‘ଆମେ ସବୁ ଯୁବ ନେତା ସଂଗ୍ରାମଙ୍କ ବିୟୋଗରେ ଭୀଷଣ ମର୍ମାହତ । ସେ କିମ୍ସ ହସପିଟାଲରେ ଭର୍ତ୍ତି ହେବା ପରେ ଆମେ ସମସ୍ତେ ଆଶା କରିଥିଲୁ ସେ ଭଲ ହୋଇ ଫେରିବେ । ତାଙ୍କ ସ୍ଥିତିରେ ସୁଧାର ବି ଆସୁଥିଲା । ହେଲେ ସେ ଚାଲିଗଲେ । ଓଡ଼ିଶା ଯୁବ କଂଗ୍ରେସର ସଭାପତି ହିସାବରେ ସଂଗ୍ରାମ ଯେମିତି ନେଟୱର୍କିଂ କରିଥିଲେ ତାହା ତାଙ୍କୁ ଜଣେ ପ୍ରବୀଣ ସଙ୍ଗଠକ ଭାବେ ପରିଚିତ କରାଇଥିଲା । ତାଙ୍କ ପରି ସଙ୍ଗଠକ ଖୁବ୍ କମ୍ ମିଳନ୍ତି,’’ କହିଛନ୍ତି କଟକକ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ।
ଏହା ବି ପଢ଼ନ୍ତୁ | ରୁଷିଆର AK-47 ରାଇଫଲ୍ ଛାଡ଼ି ତାଲିବାନ୍ ଏବେ ଆମେରିକା-ନିର୍ମିତ ବନ୍ଧୁକ ବ୍ୟବହାର କରୁଛି
ସଂଗ୍ରାମ ଜେନାଙ୍କ ବିୟୋଗରେ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସଂଗ୍ରାମଙ୍କୁ ଜଣେ ‘‘ଉଦୀୟମାନ ଓ ପ୍ରତିଭାବାନ ନେତା’’ ଭାବେ ବର୍ଣ୍ଣନା କରି ସେ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।
ମୂଳତଃ କେନ୍ଦୁଝର ଜିଲ୍ଲାର ବାସିନ୍ଦା ସଂଗ୍ରାମ କେଶରୀ ଜେନା ଉତ୍କଳ ବିଶ୍ୱବିଦ୍ୟାଳୟରୁ ପବ୍ଲିକ୍ ଆଡମିନିଷ୍ଟ୍ରେସନରେ ୧୯୯୯ରେ ସ୍ନାତକୋତ୍ତର ଡିଗ୍ରୀ ଲାଭ କରିବା ପରେ ୨୦୦୨ରେ ଆଇନରେ ସ୍ନାତକ ଡିଗ୍ରୀ ଲାଭ କରିଥିଲେ । ତା’ ପରେ ନିଜ ପିତା ଜୟଦେବ ଜେନାଙ୍କ ପଦ ଚିହ୍ନରେ ପାଦ ଦେଇ ସେ ରାଜନୀତିରେ ପ୍ରବେଶ କରିଥିଲେ ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।