ଆଜି ଠାରୁ ଖୋଲିବ ଭୁବନେଶ୍ୱରର ସବୁ ସିନେମା ହଲ୍; ସୁରକ୍ଷାର ସବୁ ବ୍ୟବସ୍ଥା ହୋଇଛି
ପ୍ରତି ଫିଲ୍ମ ଶୋ’ ପରେ ଅଡ଼ିଟୋରିୟମକୁ ସାନିଟାଇଜ କରାଯିବ। ହଲଗୁଡ଼ିକରେ ଇ-ଟିକେଟ ବ୍ୟବସ୍ଥା କରାଯାଇଛି । ବକ୍ସ ଅଫିସରେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ରହିଛି । କାଗଜ ଟିକେଟ୍ ବା ଅଫଲାଇନ୍ ଟିକେଟକୁ ବାତିଲ୍ କରାଯାଇଛି ।

ଆଇନକ୍ସରେ ଦୈନିକ ୧୨ଟି ଶୋ’ ପ୍ରଦର୍ଶିତ ହେବ ।
- News18 Odia
- Last Updated: January 8, 2021, 12:07 AM IST
ଭୁବନେଶ୍ୱର: କରୋନା ମହାମାରୀ କାରଣରୁ ଦୀର୍ଘ ନଅ ମାସ ବନ୍ଦ ରହିବା ପରେ ଶୁକ୍ରବାର ଠାରୁ ଖୋଲିବାକୁ ଯାଉଛନ୍ତି ରାଜଧାନୀ ଭୁବନେଶ୍ୱରର ସବୁ ସିନେମା ହଲ୍ । କୋଭିଡ କଟକଣା ମାନି ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଖୋଲୁଛନ୍ତି ହଲଗୁଡ଼ିକ । ଦର୍ଶକମାନଙ୍କର ସୁରକ୍ଷା ପାଇଁ ସବୁ ବ୍ୟବସ୍ଥା ହେଉଥିବା କହିଛନ୍ତି ହଲ୍ ମାଲିକମାନେ ।
ଲକ୍ଷାଧିକ ଟଙ୍କାର କ୍ଷତି ସହିବା ପରେ ପୁଣି ଥରେ ଅଣ୍ଟା ସଳଖିବାକୁ ପ୍ରସ୍ତୁତ ହେଉଥିବା ସିନେମା ହଲ ମାଲିକମାନେ ହଲ୍ ପରିସରକୁ ସାନିଟାଇଜ କରିବା ଉପରେ ଧ୍ୟାନ ଦେଇଛନ୍ତି । ଅଡିଟୋରିୟମ ଭିତରେ ଥିବା ପ୍ରତି ସିଟ୍ ଓ ଫ୍ଲୋରକୁ ସାନିଟାଇଜ କରାଯାଇଛି । ହଲରେ ଥିବା ସିଟ କ୍ଷମତାର ୫୦ ପ୍ରତିଶତ ଦର୍ଶକ ବସିବା ପାଇଁ ବ୍ୟବସ୍ଥା କରାଯାଇଛି । ଗୋଟିଏ ସିଟ୍ ଛାଡ଼ିକି ବସିବା ପାଇଁ ବ୍ୟବସ୍ଥା କରାଯାଇଛି ।
ଏହା ବି ପଢ଼ନ୍ତୁ | ‘ମୋତେ ଗୁପ୍ତଚରମାନେ ବିଷ ଦେଇ ମାରିଦେବାକୁ ଚେଷ୍ଟା କରିଥିଲେ,’ କହିଲେ ISROର ବରିଷ୍ଠ ଓଡ଼ିଆ ବୈଜ୍ଞାନିକ

ଅଡ଼ିଟୋରିୟମ ଭିତରେ ସାନିଟାଇଜେସନ୍ ଚାଲିଛି ।
ପ୍ରତି ଫିଲ୍ମ ଶୋ’ ପରେ ଅଡ଼ିଟୋରିୟମକୁ ସାନିଟାଇଜ କରାଯିବ। ସବୁ ଠୁ ବଡ଼ କଥା ହେଲା ହଲଗୁଡ଼ିକରେ ଇ-ଟିକେଟ ବ୍ୟବସ୍ଥା କରାଯାଇଛି । ବକ୍ସ ଅଫିସରେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ରହିଛି । ପେପର ଟିକେଟ ବା ଅଫଲାଇନ ଟିକେଟକୁ ବାତିଲ କରାଯାଇଛି ।
ଏହା ବି ପଢ଼ନ୍ତୁ | ରାଞ୍ଚିରେ ଯୁବତୀର ମୁଣ୍ଡକଟା ଉଲଗ୍ନ ଶବ ମିଳିଲା; ଗୁପ୍ତାଙ୍ଗରେ ଗଭୀର କ୍ଷତ; ପୋଲିସ ତଦନ୍ତ ଜାରି; ପୋଲିସ ପୁରସ୍କାର ଘୋଷଣା କଲା
‘‘ଗତ ନଅ ମାସରେ ଆମର ୬୦ ଲକ୍ଷରୁ ୭୦ ଲକ୍ଷ ଟଙ୍କାର କ୍ଷତି ହୋଇଛି। ଏତେ ଶୀଘ୍ର ଏହି କ୍ଷତି ଭରଣ ହେବନି। ହଲ୍ ଖୋଲିବା ଜରୁରୀ ଥିଲା । ତେଣୁ ଖୋଲୁଛୁ । କ୍ଷତି ଭରଣ ହେବାକୁ ସମୟ ଲାଗିବ। କୌଣସି ବଡ଼ ବଲିଉଡ ମୁଭି ରିଲିଜ ନ ହେବା ଯାଏ ବ୍ୟବସାୟ ଭଲ ହେବନି ବୋଲି ଆଶଙ୍କା କରୁଛୁ,’’ କହିଛନ୍ତି କେଶରୀ ହଲ୍ ମାଲିକ ଭାରତ ଚନ୍ଦ୍ର ଭଞ୍ଜଦେଓ ।
ମହାରାଜା ହଲର ମ୍ୟାନେଜର ଲିଙ୍ଗରାଜ ପଣ୍ଡା କହିଛନ୍ତି, ‘‘ସରକାର ହଲ୍ ଖୋଲିବାକୁ ଅନୁମତି ଦେଇଛନ୍ତି ଏହା ଖୁସିର କଥା । ନଅ ମାସ ହେଲା ବହୁତ କ୍ଷତି ସହିଲୁଣି । ଆଶା କରୁଛୁ ଜଲଦି କିଛି ଭଲ ମୁଭି ରିଲିଜ ହେବ ଓ ଆମ ବ୍ୟବସାୟ ପୂର୍ବ ସ୍ଥିତିକୁ ଫେରିବା ଆରମ୍ଭ କରିବ ।’’
ଏହା ବି ପଢ଼ନ୍ତୁ | କୁଆଡ଼େ ନିଖୋଜ ହୋଇଗଲେ ଚୀନ୍ର ଅନ୍ୟତମ ଧନୀ ବ୍ୟକ୍ତି ଓ ଆଲିବାବାର ମାଲିକ ଜ୍ୟାକ୍ ମା?
ପ୍ରଥମ ଦିନରେ ବିଭିନ୍ନ ସିନେମା ହଲରେ ପ୍ରଦର୍ଶିତ ହେବାକୁ ଥିବା ଫିଲ୍ମଗୁଡ଼ିକ ମଧ୍ୟରେ ଅଛନ୍ତି ‘ୱଣ୍ଡର୍ ୱୁମନ୍’ (Wonder Woman), ‘ସୁରଜ୍ ପେ ମଙ୍ଗଲ୍ ଭାରି’ ଓ ‘ଇନ୍ଦୁ କି ଜୱାନୀ’ । ହେଲେ ଏଥିରେ ପରିବର୍ତ୍ତନ ସମ୍ଭବ ଥିବାରୁ ଦର୍ଶକମାନେ ଇନକ୍ୱାରୀ କରିବା ପରେ ସିନେମା ଦେଖିବାକୁ ଯିବା ଉଚିତ ବୋଲି କହିଛନ୍ତି ହଲ୍ ପ୍ରବନ୍ଧକମାନେ ।
ଆଇନକ୍ସରେ ଦୈନିକ ୧୨ଟି ଶୋ’ ପ୍ରଦର୍ଶିତ ହେବାକୁ ଥିବା ବେଳେ କେଶରୀ ହଲରେ ଦିନକୁ ପାଞ୍ଚଟି ଶୋ’ ପ୍ରଦର୍ଶିତ ହେବ । ଶ୍ରୀୟା ସିନେ କମ୍ପ୍ଲେକ୍ସରେ ଦିନକୁ ଚାରିରୁ ପାଞ୍ଚଟି ଶୋ’ ପ୍ରଦର୍ଶିତ ହେବ। ପ୍ରତି ଶୋ’ ପରେ ହଲକୁ ସାନିଟାଇଜ କରାଯିବ । ତେଣୁ ପୂର୍ବରୁ ୧୫ ମିନିଟ ଗ୍ୟାପରେ ଶୋ’ ଚାଲୁଥିବା ବେଳେ ବର୍ତମାନ ୩୦ରୁ ୩୫ ମିନିଟ ଗ୍ୟାପ୍ ରହିବ ।
ଦେଖନ୍ତୁ ଫଟୋ | ‘କୁଛ୍ କୁଛ୍ ହୋତା ହୈ’ ଫିଲ୍ମର ସେହି ବଚ୍ଚା ସର୍ଦ୍ଦାର୍ ବଡ଼ ହେଲେ; ଗର୍ଲଫ୍ରେଣ୍ଡକୁ ବାହା ହେଲେ - PHOTOS
ପ୍ରଥମ ସପ୍ତାହରେ ଦର୍ଶକଙ୍କ ଆଗମନ ଦେଖି ଆସନ୍ତା ସପ୍ତାହରୁ କିଛିଟା ପରିବର୍ତ୍ତନ କରାଯିବ ବୋଲି ହଲ୍ ମାଲିକମାନେ କହିଛନ୍ତି । ସିନେମା ହଲ୍ ଖୋଲିବା ନେଇ ଉତ୍ସାହିତ ଅଛନ୍ତି ଦର୍ଶକମାନେ ।
‘‘ଟିଭି ଓ ମୋବାଇଲ ଫୋନ୍ ଠାରୁ ଥିଏଟରରେ ମୁଭି ଦେଖିବାର ମଜା ଅଲଗା । ଆକ୍ସନ ହେଉ କି ଥ୍ରୀଲର୍, ବଡ଼ ପରଦାରେ ସିନେମା ଦେଖିବାକୁ ଖୁବ ଭଲ ଲାଗେ । ନଅ ମାସ ପରେ ପୁଣି ଥରେ ସେହି ସୁଯୋଗ ଆସିଛି । ମୁଁ ତ ପ୍ରଥମ ଦିନ ପାଇଁ ଟିକେଟ ବୁକ୍ କରି ସାରିଛି,’’ କହିଛନ୍ତି ଛାତ୍ରୀ ଝରଣା ସାହୁ ।