ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ବିଳମ୍ବରେ ଆସିପାରେ ପିଲାମାନଙ୍କ କରୋନା ଟିକା; ବଢ଼ିପାରେ ସଂକ୍ରମଣ: ବିଶେଷଜ୍ଞ

ବିଳମ୍ବରେ ଆସିପାରେ ପିଲାମାନଙ୍କ କରୋନା ଟିକା; ବଢ଼ିପାରେ ସଂକ୍ରମଣ: ବିଶେଷଜ୍ଞ

୧୨ରୁ ୧୮ ବର୍ଷ ପିଲାଙ୍କ ପାଇଁ କୋଭିଡ଼ ଟିକା ମିଳିବାରେ ବିଳମ୍ବ ହେବ। ଏନେଇ ବିଭିନ୍ନ ତଥ୍ଯ ଡ଼ିସିଜିଆଇ ପାଖରେ ଦାଖଲ ହୋଇସାରିଥିଲେ ମଧ୍ଯ ବିଭିନ୍ନ କାରଣରୁ ଏହି ରିପୋର୍ଟ ରିଲିଜ ଉପରେ ମୋହର ମାରି ନାହିଁ ଡ଼ିସିଜିଆଇ ।

ବିଳମ୍ବରେ ଆସିପାରେ ପିଲାମାନଙ୍କ କରୋନା ଟିକା; ବଢ଼ିପାରେ ସଂକ୍ରମଣ: ବିଶେଷଜ୍ଞ
ପିଲାମାନଙ୍କ କରୋନା ଟିକା ବିଳମ୍ବରେ ଆସିପାରେ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 14, 2021, 6:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ୧୨ରୁ ୧୮ ବର୍ଷ ପିଲାଙ୍କ ପାଇଁ କୋଭିଡ଼ ଟିକା ମିଳିବାରେ ବିଳମ୍ବ ହେବ। ଯଦିଓ ଏହାର ତଥ୍ୟ ଓ ବିସ୍ତୃତ ରିପୋର୍ଟ ସବ୍‌ଜେକ୍ଟ ଏକ୍ସପର୍ଟ କମିଟି ବା ଏସଇସି ଡ଼୍ରଗ୍ କଂଟ୍ରୋଲ ଜେନେରାଲ ଅଫ ଇଣ୍ଡିଆ ବା ଡ଼ିସିଜିଆଇ ପାଖରେ ଦାଖଲ କରି ସାରିଛି ବିଭିନ୍ନ କାରଣରୁ ଏହି ରିପୋର୍ଟ ରିଲିଜ ଉପରେ ମୋହର ମାରି ନାହିଁ ଡ଼ିସିଜିଆଇ । ଏହି ସୂଚନା ଦେଇଛନ୍ତି ସମ୍ କୋଭିଡ଼ କୋଭ୍ୟାକ୍ସିନ ସେଣ୍ଟରର ଚିପ୍ ଇନ୍‌ଭେଷ୍ଟିଗେଟର ଡ଼. ଇପାରୀ ଭେଙ୍କେଟରାଓ ।

ନ୍ୟୁଜ ୧୮କୁ ସୂଚନା ଦେଇ ଡ଼.ଭେଙ୍କେଟରାଓ କହିଛନ୍ତି, କେନ୍ଦ୍ରୀୟ ଗାଇଡ଼ଲାଇନ୍ ଅନୁସାରେ ପ୍ରାୟ ବର୍ଷକ ତଳୁ ଆରମ୍ଭ ହୋଇଥିଲା ଏହି ୧୨ରୁ ୧୮ ବର୍ଷ ପିଲାଙ୍କ ପାଇଁ ଟୀକା ପ୍ରସ୍ତୁତି ଉଦ୍ୟମ। ଦେଶର ପ୍ରାୟ ୧୫ ଶହରୁ ଅଧିକ ଗବେଷଣାଗାରରେ ଆରମ୍ଭ ହୋଇଥିବା ପରୀକ୍ଷଣ ଓ ଶେଷ ପର୍ଯ୍ୟାୟ ହ୍ୟୁମ୍ୟାନ ଟ୍ରାଏଲ ସଂଖ୍ୟାଧିକ ଲୋକଙ୍କ ଉପରେ ଅନୁଶୀଳନ କରାଯାଇଥିଲା । ସମସ୍ତ ରିପୋର୍ଟକୁ ମିଶାଇ ଚୂଡ଼ାନ୍ତ ରିପୋର୍ଟ ସବ୍‌ଜେକ୍ଟ ଏକ୍ସପର୍ଟ କମିଟି ପାଖରେ ଦାଖଲ କରାଯାଇ ସାରିଛି । ଆଶ୍ୱସ୍ତିର କଥା ହେଲା, ସମସ୍ତ ରିପୋର୍ଟକୁ ବିସ୍ତୃତ ତନଖିବା ପରେ ଏକ୍ସପର୍ଟ କମିଟି ମଧ୍ୟ ଏହାକୁ ସବୁଜ ସଙ୍କେତ ଦେଇ ସାରିଛନ୍ତି । କିନ୍ତୁ କଥା ଅଟକିଛି ଡ଼ିସିଜିଆଇ ପାଖରେ । ଅର୍ଥାତ ସବ୍‌ଜେକ୍ଟ କମିଟି ଦେଇଥିବା ରିପୋର୍ଟରେ ପୁନଃ ଅନୁଶୀଳନ ଆବଶ୍ୟକ ବୋଲି ମନେ କରୁଛନ୍ତି ଡ଼ିସିଜିଆଇ କର୍ତୃପକ୍ଷ ।

ଯଦି ବାସ୍ତବରେ ରିପୋର୍ଟରେ କିଛି ତ୍ରୁଟି ବିଚ୍ୟୁତି ଥାଏ ତାହାହେଲେ ୧୨ରୁ ୧୮ ବର୍ଷ ପିଲାଙ୍କ ପାଇଁ ଏହି ଟିକା ମିଳିବାରେ ନିଶ୍ଚିତ ବିଳମ୍ବ ହେବ ।

ଡ଼. ଭେଙ୍କେଟରାଓଙ୍କ ସୂଚନା ଅନୁସାରେ, ଦେଶର ବିଭିନ୍ନ ସ୍ଥାନରେ କୋଭିଡ଼ ସଂକ୍ରମଣ ସଂଖ୍ୟା କମିଥିଲେ ବି ଏହା ସମ୍ପୂର୍ଣ୍ଣ  ଭାବେ ପ୍ରଭାବହୀନ ହୋଇଛି ବୋଲି କହିବା ଠିକ୍ ହେବ ନାହିଁ । କାରଣ ଏବେ ବି ଦେଶର ବିଭିନ୍ନ ସ୍ଥାନରେ କୋଭିଡ଼ ସଂକ୍ରମଣ ଭିନ୍ନ ଭିନ୍ନ ସମୟରେ ମୁଣ୍ଡ ଟେକୁଛି । ଏହାର କାରଣ ହେଲା, ଏବେ ବି ଅନେକ ସ୍ଥାନରେ ରୂପ ବଦଳାଇ କୋଭିଡ଼ ଭୂତାଣୁ ଅଧିକ ସଂକ୍ରମଣ ଭିଆଇବାରେ ସମର୍ଥ ହେଉଛି । ଏହି କାରଣରୁ ଯଦି ୧୨ରୁ ୧୮ ବର୍ଷ ପିଲାଙ୍କ ପାଇଁ ଶୀଘ୍ର କୋଭିଡ଼ ଟିକା ବଜାରରେ ଉପଲବ୍ଧ ନ ହୁଏ, ତେବେ ଏହା ସଂକ୍ରମଣକୁ ତ୍ୱରାନ୍ୱିତ କରିବା ଆଶଙ୍କା ରହିଛି ।

ସେ ଆହୁରି କହିଛନ୍ତି ଯେ, ଦେଶର ଏବେ ୭୦ ପ୍ରତିଶତ ଲୋକଙ୍କୁ ଟିକାକରଣ କରାଯାଇ ସାରିଛି । ଯାହା ଭିତରେ ଉଭୟ ସିଙ୍ଗଲ ଓ ଡ଼ବଲ ଡ଼ୋଜ ନେଇଥିବା ବ୍ୟକ୍ତି ରହିଛନ୍ତି । ଅନୁଶୀଳନରୁ ଦେଖାଦେଇଛି ଡ଼ବଲ ଡ଼ୋଜ ଟିକା ନେଇଥିବା ବ୍ୟକ୍ତିମାନେ କୋଭିଡ଼ ସଂକ୍ରମିତ ହେଉଥିଲେ ବି ସେମାନଙ୍କ ଉପରେ ଭୂତାଣୁର ପ୍ରଭାବ ମାରାତ୍ମକ ହେବନାହିଁ । ଏପରି କି ସିଙ୍ଗଲ ଡ଼ୋଜ ଟିକା ନେଇଥିବା ଲୋକମାନେ କୋଭିଡ଼ ସଂକ୍ରମିତ ହେଲେ ବି ସେମାନଙ୍କ ଉପରେ ପ୍ରଭାବ କମ୍ ରହୁଛି । ଅତଏବ ଦେଶରେ ଟିକା ନେଇ ପାରି ନଥିବା ୩୦ ପ୍ରତିଶତ ହେଉଛନ୍ତି ୧୮ରୁ କମ ବୟସର ପିଲାମାନେ । ଅର୍ଥାତ୍ ଏହି ପିଲାମାନେ କୋଭିଡ଼ ଟୀକା ନ ନେବା ପର୍ଯ୍ୟନ୍ତ କୋଭିଡ଼ ଉପରେ ସମ୍ପୂର୍ଣ୍ଣ ଭାବେ କାବୁ ମିଳି ପାରିବ ନାହିଁ । ଏହି କାରଣରୁ କେନ୍ଦ୍ର ସରକାର ୧୮ ବର୍ଷରୁ କମ୍ ସବୁ ପିଲାଙ୍କୁ ଟୀକାକରଣ ଉପରେ ଗୁରୁତ୍ୱାରୋପ କରୁଛନ୍ତି । ଏଭଳି ସମୟରେ ସବ୍‌ଜେକ୍ଟ କମିିଟି ରିପୋର୍ଟକୁ ଡ଼ିସିଜିଆଇ ଅନୁମତି ନ ଦେବା ଏକ ବଡ଼ ସମସ୍ୟାକୁ ଆମନ୍ତ୍ରଣ କରୁଛି ।

ଏକ୍ସପର୍ଟଙ୍କ ସୂଚନା ଅନୁସାରେ, ଅଧିକାଂଶ ଗବେଷଣାରେ ସବ୍‌ଜେକ୍ଟ କମିଟି ରିପୋର୍ଟ ହିଁ ବିସ୍ତୃତ ଓ ଚୂଡ଼ାନ୍ତ ହୋଇଥାଏ । ସବୁ ଦିଗରୁ ତର୍ଜମା ହୋଇଥିବା ଏହି ରିପୋର୍ଟକୁ ଡ଼ିସିଜିଆଇ ନିତିଗତ ଭାବେ ଅନୁମୋଦନ କରିଥାନ୍ତି । ପୂର୍ବରୁ ଏକାଧିକ ଟୀକା ଗବେଷଣାରେ ସମାନ ନୀତି ଅନୁଶୀଳନ କରୁଥିବା ବେଳେ ଏବେ ୧୮ ବର୍ଷରୁ କମ ପିଲାଙ୍କ ପାଇଁ କୋଭିଡ଼ ଟୀକାକୁ ଚୂଡ଼ାନ୍ତ ଅନୁମୋଦନ ନ ଦେବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ତେବେ ୧୮ବର୍ଷରୁ କମ୍ ପିଲାଙ୍କ ପାଇଁ  ଡ଼୍ରପ୍ ଆକାରରେ କୋଭିଡ଼ ଟୀକା ତିଆରି ପାଇଁ ଉଦ୍ୟମ ହୋଇଥିବାରୁ ହୁଏତ ଏଭଳି ସମସ୍ୟା ଉପୁଜୁଛି।

ଏନେଇ ଜୀବବିଜ୍ଞାନ ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକ ସନ୍ଦୀପ ମିଶ୍ର କହିଛନ୍ତି," ନିର୍ଦ୍ଦିଷ୍ଟ ଭାବେ କିଛି ଠୋସ୍ କାରଣ ଥିବାରୁ ହୁଏତ୍ ୧୨ରୁ ୧୮ ବର୍ଷ ପିଲାଙ୍କ ପାଇଁ ହ୍ୟୁମାନ ଟ୍ରାଏଲ ସରିଥିବା ଟିକାକୁ ଅନୁମତି ଦେଇନାହାନ୍ତି ଡ଼ିସିଜିଆଇ । ହୁଏତ୍ ଡ଼୍ରପ୍ ଆକାରରେ ଏଭଳି ଟିକା ପ୍ରସ୍ତୁତ ହେଉଥିବାରୁ ଏହାକୁ ପୂର୍ଣ୍ଣାଙ୍ଗ ସ୍ୱୀକୃତି ଦେବାକୁ ସମୟ ସାପେକ୍ଷ ହୋଇଥାଇ ପାରେ । ଖୁବ୍‌ଶୀଘ୍ର ଏଥିରେ ସ୍ପଷ୍ଟତା ଅସିବ ବୋଲି ଆଶା ରହିଛି"।
Published by: Soumya Das
First published: November 14, 2021, 6:23 PM IST