ରାଜ୍ୟ ସରକାରଙ୍କୁ କେନ୍ଦ୍ରର ଆଦେଶ: ଲକଡାଉନ ପାଳନ କରାଅ, ଲୋକଙ୍କ ଘରଭଡ଼ା ଆଦାୟ ରୋକ

ଲକଡାଉନ୍ ଉଲ୍ଲଙ୍ଘନ କରି ଯାତ୍ରା କରୁଥିବା ଲୋକଙ୍କୁ ସରକାରୀ କ୍ୱାରାଣ୍ଟାଇନ୍ ସ୍ଥାନରେ ସର୍ବନିମ୍ନ ୧୪ ଦିନ ରଖିବାକୁ କେନ୍ଦ୍ର ଆଦେଶ ଦେଇଛି । ଏହି ସବୁ ଆଦେଶ ପାଳନ କରିବାରେ ଜିଲ୍ଲାପାଳ ଓ ପୋଲିସ ଅଧୀକ୍ଷକ ବ୍ୟକ୍ତିଗତ ଭାବେ ଦାୟୀ ରହିବେ ।

ରାଜ୍ୟ ସରକାରଙ୍କୁ କେନ୍ଦ୍ରର ଆଦେଶ: ଲକଡାଉନ ପାଳନ କରାଅ, ଲୋକଙ୍କ ଘରଭଡ଼ା ଆଦାୟ ରୋକ
ଗାଜିଆବାଦରେ ପ୍ରବାସୀ ଶ୍ରମିକ ମାନଙ୍କ ଭିଡ଼ ବେଳେ ଏକ ଶିଶୁକୁ ଜଣେ ମହିଳାକୁ ଦେଉଛନ୍ତି ଜଣେ ବ୍ୟକ୍ତି । (ରୟଟର୍ସ)
  • News18 Odia
  • Last Updated: March 29, 2020, 6:09 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କରୋନା ଭାଇରସ୍ କାରଣରୁ ସାରା ଦେଶରେ ଲାଗୁ ହୋଇଥିବା ଲକଡାଉନ୍ ଯୋଗୁଁ ପ୍ରବାସୀ ଶ୍ରମିକମାନଙ୍କ ମଧ୍ୟରେ ଅନିଶ୍ଚିତତା ବାତାବରଣ ସୃଷ୍ଟି ହୋଇଛି । ରାଜଧାନୀ ଦିଲ୍ଲୀ ପରି ବଡ଼ ସହର ଓ ତା’ ଆଖପାଖରେ କାମ କରୁଥିବା ଶ୍ରମିକମାନେ ଦୂରଦୂରାନ୍ତ ରାଜ୍ୟରେ ଥିବା ନିଜ ଗାଁକୁ ଫେରିବାକୁ ଚେଷ୍ଟା କରୁଥିବା ଦେଖାଯାଉଛି । ଏହି ପ୍ରବାସୀ ଶ୍ରମିକଙ୍କ ଗତିବିଧିକୁ ରୋକିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ରାଜ୍ୟ ଓ ଜିଲ୍ଲାର ସୀମାକୁ ଭଲ କରି ସିଲ୍ କରିବାକୁ ଆଦେଶ ଦେଇଛନ୍ତି ।

ରାଜ୍ୟମାନଙ୍କ ମୁଖ୍ୟ ସଚିବ ତଥା ପୋଲିସ ମହାନିର୍ଦ୍ଦେଶକମାନଙ୍କ ସହ ଭିଡିଓ କନଫରେନ୍ସରେ କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବା ଓ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ସେମାନଙ୍କୁ କୌଣସି ସହରରେ ବା ରାଜପଥରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ରୂପେ ବନ୍ଦ ରଖିବାକୁ କହିଛନ୍ତି । ଲକଡାଉନକୁ ସମ୍ପୂର୍ଣ୍ଣ ରୂପେ ପାଳନ କରାଇବାକୁ ସେମାନଙ୍କୁ କୁହାଯାଇଛି ।

‘‘ଦେଶର କେତେକ ସ୍ଥାନରେ ପ୍ରବାସୀ ଶ୍ରମିକମାନଙ୍କ ଯାତ୍ରା ଜାରି ରହିଛି । ଏଭଳି ପରିସ୍ଥିତିରେ ରାଜ୍ୟ ତଥା ଜିଲ୍ଲା ସୀମାକୁ ସିଲ୍ କରାଯିବା ଉଚିତ,’’ କେନ୍ଦ୍ର ସରକାରଙ୍କ ଜଣେ ଉଚ୍ଚପଦସ୍ଥ ଅଧିକାରୀ କହିଛନ୍ତି । ଏ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି ବୋଲି ସେ କହିଛନ୍ତି । ‘‘ସହର ଭିତରେ ବା ରାଜପଥରେ ଲୋକଙ୍କ ଗତିବିଧି ଯେପରି ନ ହୁଏ ତାହା ସୁନିଶ୍ଚିତ କରିବା ପାଇଁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ସାମଗ୍ରୀ ପରିବହନ ପାଇଁ ଅନୁମତି ଦିଆଯିବା ଉଚିତ୍,’’ ସେ କହିଛନ୍ତି ।

ଏହି ନିର୍ଦ୍ଦେଶ ପାଳନ କରିବାରେ ଜିଲ୍ଲାପାଳ (ଜିଲ୍ଲା ମାଜିଷ୍ଟ୍ରେଟ) ଓ ପୋଲିସ ଅଧୀକ୍ଷକ ବ୍ୟକ୍ତିଗତ ଭାବେ ଦାୟୀ ରହିବେ ବୋଲି ଅଧିକାରୀ ଜଣକ କହିଛନ୍ତି । କେନ୍ଦ୍ର ସରକାର ଆହୁରି କହିଛନ୍ତି ଯେ ଲକଡାଉନ୍‌ ସମୟରେ ଗରିବ ଓ ଅଭାବୀ ଲୋକ ତଥା ଦୈନିକ ଶ୍ରମିକମାନଙ୍କୁ ଖାଦ୍ୟ ଓ ଆଶ୍ରୟ ଯୋଗାଇଦେବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯିବ ।

ନିଜ କୁନି ଝିଅକୁ କାନ୍ଧରେ ବସେଇ ଶହ ଶହ କିଲୋମିଟର୍ ଦୂରରେ ଥିବା ନିଜ ଗାଆଁ ଆଡ଼େ
ଦିଲ୍ଲୀରୁ ଚାଲିଛି ଜଣେ ପ୍ରବାସୀ ଶ୍ରମିକ ।


ଯେଉଁମାନେ ଲକଡାଉନ୍ ଉଲ୍ଲଙ୍ଘନ କରିଛନ୍ତି ଓ ଲକଡାଉନ୍ ସମୟରେ ଯାତ୍ରା କରିଛନ୍ତି ସେମାନଙ୍କୁ ସରକାରୀ କ୍ୱାରାଣ୍ଟାଇନ୍‌ ସ୍ଥାନଗୁଡ଼ିକରେ ସର୍ବନିମ୍ନ ୧୪ ଦିନ କ୍ୱାରାଣ୍ଟାଇନରେ ରଖାଯିବ ବୋଲି ସରକାର ଏକ ବିବୃତ୍ତିରେ କହିଛନ୍ତି ।

‘‘ଦେଖାଯାଇଛି ଯେ ମୋଟାମୋଟି ଭାବେ ସମସ୍ତ ରାଜ୍ୟ ଓ ୟୁ.ଟି.ରେ ଲକଡାଉନ୍ ଗାଇଡଲାଇନ୍‌ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ ହୋଇଛି । ଜରୁରୀ ସାମଗ୍ରୀ ଆଗମନ ଓ ବିତରଣ ବ୍ୟବସ୍ଥା ମଧ୍ୟ କରାଯାଇଛି । ଚବିଶି ଘଣ୍ଟା ସ୍ଥିତି ଉପରେ ନଜର ରଖାଯାଉଛି ଓ ଆବଶ୍ୟକ ପଦକ୍ଷେପ ନିଆଯାଉଛି,’’ ଏହି ବିବୃତିରେ କୁହାଯାଇଛି ।

ଏଥି ପାଇଁ ରାଜ୍ୟମାନେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (SDRF)ର ପାଣ୍ଠି ବ୍ୟବହାର କରନ୍ତୁ ବୋଲି କେନ୍ଦ୍ର ସରକାର ଶନିବାର ନିର୍ଦ୍ଦେଶ ଜାରି କରିଥିଲେ । ରାଜ୍ୟଗୁଡିକ ପାଖରେ ଏଥି ପାଇଁ ପର୍ଯ୍ୟାପ୍ତ ପାଣ୍ଠି ଉପଲବ୍ଧ ଅଛି ବୋଲି ଏଥିରେ କୁହାଯାଇଛି ।

ପୋଲିସ୍ କର୍ମୀମାନେ ଶ୍ରମିକମାନଙ୍କ ଭିଡ଼କୁ ନିୟନ୍ତ୍ରିତ କରି ସେମାନଙ୍କୁ ଧାଡ଼ି କରି ଠିଆ କରେଇଛନ୍ତି । ଦିଲ୍ଲୀର ଛବି ।


ଲକଡାଉନ୍ ସମୟରେ ଶ୍ରମିକମାନଙ୍କୁ ସେମାନଙ୍କ କାର୍ଯ୍ୟକ୍ଷେତ୍ରରେ ବେତନ ଯେମିତି ଠିକ୍ ସମୟରେ ମିଳିବ ତାହା ନିଶ୍ଚିତ କରିବାକୁ ମଧ୍ୟ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି । ଏହି ଅବଧିରେ ଶ୍ରମିକମାନଙ୍କ ଠାରୁ ଘର ଭଡା ଆଦାୟ କରାଯିବା ଉଚିତ୍ ନୁହେଁ ବୋଲି ସରକାର କହିଛନ୍ତି । ଯେଉଁମାନେ ଶ୍ରମିକ ଓ ଛାତ୍ରମାନଙ୍କୁ ଘର ଖାଲି କରିବାକୁ କହୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ଏହି ସରକାରୀ ବିବୃତ୍ତିରେ କୁହାଯାଇଛି ।

ରାଜ୍ୟ ସରକାରମାନଙ୍କୁ କ୍ୱାରେଣ୍ଟାଇନ ସମୟରେ ଏଭଳି ବ୍ୟକ୍ତିଙ୍କ ମନିଟରିଂ ଉପରେ ବିସ୍ତୃତ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ରାଜ୍ୟଙ୍କୁ କୁହାଯାଇଛି ଯେ କରୋନା ଭାଇରସର ବିସ୍ତାରକୁ ରୋକିବା ପାଇଁ ତିନି ସପ୍ତାହ କଠୋର ଲକଡାଉନ ଜରୁରୀ । ଏହା ସମସ୍ତଙ୍କ ହିତରେ ଅଛି ବୋଲି ବିବୃତ୍ତିରେ କୁହାଯାଇଛି ।
First published: March 29, 2020, 6:09 PM IST
corona virus btn
corona virus btn
Loading