କରୋନା: ଦେଶର ୮୦ କୋଟି ଲୋକଙ୍କୁ ଶସ୍ତା ଦରରେ ଖାଦ୍ୟ ଶସ୍ୟ ଯୋଗାଇବେ କେନ୍ଦ୍ର ସରକାର

ପ୍ରତି କିଲୋ ୨୭ ଟଙ୍କା ମୂଲ୍ୟର ଗହମକୁ ମାତ୍ର ୨ ଟଙ୍କା ପ୍ରତି କିଲୋ ଦରରେ ଓ ୩୭ ଟଙ୍କା ପ୍ରତି କିଲୋ ମୂଲ୍ୟର ଚାଉଳକୁ ମାତ୍ର ୩ ଟଙ୍କା ପ୍ରତି କିଲୋ ଦରରେ ଆଗାମୀ ତିନି ମାସ ପାଇଁ ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି ।

କରୋନା: ଦେଶର ୮୦ କୋଟି ଲୋକଙ୍କୁ ଶସ୍ତା ଦରରେ ଖାଦ୍ୟ ଶସ୍ୟ ଯୋଗାଇବେ କେନ୍ଦ୍ର ସରକାର
କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର
  • News18 Odia
  • Last Updated: March 25, 2020, 5:12 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କରୋନା ଭାଇରସର ସ୍ଥିତି ଉପରେ ଆଲୋଚନା ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଦେଶର ୮୦ କୋଟି ଲୋକଙ୍କୁ ଶସ୍ତା ଦରରେ ଖାଦ୍ୟ ଶସ୍ୟ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି ।

କ୍ୟାବିନେଟ ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସରକାର କିଲୋ ପିଛା ୨୭ ଟଙ୍କା ମୂଲ୍ୟର ଗହମକୁ ୮୦ କୋଟି ଲୋକଙ୍କୁ ମାତ୍ର ୨ ଟଙ୍କା ପ୍ରତି କିଲୋ ଦରରେ ଓ ୩୭ ଟଙ୍କା ପ୍ରତି କିଲୋ ମୂଲ୍ୟର ଚାଉଳକୁ ୩ ଟଙ୍କା ପ୍ରତି କିଲୋ ଦରରେ ମୁଣ୍ଡ ପିଛା ୭ କେଜି ଗହମ ଓ ଚାଉଳ ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାରମାନଙ୍କୁ ଆଗାମୀ ତିନି ମାସ ପାଇଁ ଅଗ୍ରୀମ ସାମଗ୍ରୀ କିଣି ରଖିବାକୁ କୁହାଯାଇଛି ।

ଜାଭଡ଼େକର କହିଛନ୍ତି ଯେ ସରକାର ପି.ଡି.ଏସ୍‌. ମାଧ୍ୟମରେ ଦେଶର ୮୦ କୋଟି ଲୋକଙ୍କୁ ସାହାଯ୍ୟ କରିବେ । ‘‘କୌଣସି ଗୁରୁତ୍ୱପୂର୍ଣ୍ଣ ଦ୍ରବ୍ୟର ଅଭାବ ରହିବ ନାହିଁ । ରାଜ୍ୟ ସରକାରମାନେ ମଧ୍ୟ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ଜୀବନ ବଞ୍ଚାଇବା ପାଇଁ ଲକଡାଉନର ଆବଶ୍ୟକତା ରହିଛି । ତିନି ମାସର ରାସନ ଦିଆଯିବ । ତେଣୁ ଲୋକଙ୍କୁ ଜରୁରୀ ଜିନିଷ ମିଳି ଚାଲିବ । ଗୁଜବରୁ ଦୂରେଇ ରହିବା ଆବଶ୍ୟକ,’’ ସେ କହିଛନ୍ତି ।

ଏହା ପୂର୍ବରୁ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାସୱାନ କହିଥିଲେ ଯେ ଦେଶର ୭୫ କୋଟି ପି.ଡି.ଏସ୍‌. ହିତାଧିକାରୀ ଏକ ସମୟରେ ଛଅ ମାସର ରାସନ ନେଇପାରିବେ । କରୋନା ଭୂତାଣୁର ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଥିଲେ । ସରକାରଙ୍କ ପାଖରେ ୪୩୫ ଲକ୍ଷ ଟନ୍ ଅତିରିକ୍ତ ଶସ୍ୟ ମହଜୁଦ ଅଛି, ଯେଉଁଥିରେ ୨୭୨.୧୯ ଲକ୍ଷ ଟନ୍ ଚାଉଳ ଓ ୧୬୨.୭୯ ଲକ୍ଷ ଟନ୍ ଗହମ ସାମିଲ ଅଛି ।

ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି


ସରକାର ପିଡିଏସ୍ ସିଷ୍ଟମ ଅଧୀନରେ ଦେଶରେ ଥିବା ପାଞ୍ଚ ଲକ୍ଷ ରାସନ ଦୋକାନ ମାଧ୍ୟମରେ ହିତାଧିକାରୀଙ୍କୁ ପ୍ରତି ମାସ ୫ କିଲୋଗ୍ରାମ ସବସିଡିଯୁକ୍ତ ଖାଦ୍ୟ ଶସ୍ୟ ଯୋଗାଇ ଦିଅନ୍ତି । ସରକାର ଏଥିପାଇଁ ବାର୍ଷିକ ୧.୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ଖାଦ୍ୟ ଶସ୍ୟ ରାସନ ଦୋକାନ ମାଧ୍ୟମରେ ସବସିଡିଯୁକ୍ତ ଦରରେ ଉପଲବ୍ଧ ହେଉଛି । ଏହି ବ୍ୟବସ୍ଥାରେ ଚାଉଳ କିଲୋ ପିଛା ୩ ଟଙ୍କା, ଗହମ କିଲୋ ପିଛା ୨ ଟଙ୍କା ଓ ଅନ୍ୟ ଶସ୍ୟ କିଲୋ ପିଛା ୧ ଟଙ୍କାରେ ବିକ୍ରି ହୁଏ ।

ବିଶେଷଜ୍ଞମାନଙ୍କ କହିବା ଅନୁସାରେ କରୋନା ଭୂତାଣୁର ବଢ଼ୁଥିବା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ କରାଯାଇଥିବା ଏହି ଲକଡାଉନ୍ ଯୋଗୁଁ ଦେଶର ଅର୍ଥ ବ୍ୟବସ୍ଥାକୁ ୧୨୦ ବିଲିୟନ ଡଲାର (ପ୍ରାୟ ୯ ଲକ୍ଷ କୋଟି ଟଙ୍କା) କ୍ଷତି ହୋଇପାରେ । ଏହା ଭାରତର ମୋଟ ଘରୋଇ ଉତ୍ପାଦ (ଜି.ଡି.ପି.) ର ଚାରି ପ୍ରତିଶତ ସହିତ ସମାନ । ରିଲିଫ ପ୍ୟାକେଜର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ସେମାନେ ଅର୍ଥନୈତିକ ଅଭିବୃଦ୍ଧି ହାର କମିବ ବୋଲି ମଧ୍ୟ କହିଛନ୍ତି । ଆର୍ଥିକ ବିଶ୍ଳେଷକମାନେ ପୂର୍ବାନୁମାନ କରିଛନ୍ତି ଯେ ରିଜର୍ଭ ବ୍ୟାଙ୍କ ନୀତିଗତ ସୁଧ ହାରରେ ବଡ଼ ହ୍ରାସ କରିବ ।

କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ତିନି ସପ୍ତାହ ଲକଡାଉନ୍‌ ଘୋଷଣା କରିଛନ୍ତି । ଗବେଷଣା ଓ ପରାମର୍ଶ କମ୍ପାନୀ ବାରକଲେସ୍ କହିଛି ଯେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଦେଶର ଅଭିବୃଦ୍ଧି ହାର ୧.୭ ପ୍ରତିଶତ କମି ୩.୫ ପ୍ରତିଶତ ରହିପାରେ ।
First published: March 25, 2020, 5:12 PM IST