News18 Odia Digital
ନୂଆ ଦିଲ୍ଲୀ: କରୋନା ଭାଇରସ୍ ସଙ୍କଟ ଓ ଲକଡାଉନ୍ ଯୋଗୁଁ ଦେଶରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସି.ବି.ଏସ୍.ଇ.) ସହ ଜଡିତ ବିଦ୍ୟାଳୟଗୁଡ଼ିକର ଦଶମ ଓ ଦ୍ୱାଦଶ ଶ୍ରେଣୀର ଯେଉଁ ବିଷୟର ପରୀକ୍ଷାଗୁଡ଼ିକ ସମ୍ପନ୍ନ ହୋଇ ପାରି ନ ଥିଲା ସେଗୁଡ଼ିକ ଜୁଲାଇ ମାସର ପ୍ରଥମାର୍ଦ୍ଧରେ ଅନୁଷ୍ଠିତ ହେବ । ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ଏହି ସୂଚନା ଦେଇଛନ୍ତି ।
‘‘ଛାତ୍ରଛାତ୍ରୀମାନେ ବାକି ଥିବା ପରୀକ୍ଷାଗୁଡ଼ିକର ତାରିଖ ପାଇଁ ଧୈର୍ଯ୍ୟର ସହିତ ଅପେକ୍ଷା କରିଛନ୍ତି । ଆଜି ନିଷ୍ପତ୍ତି ନିଆଗଲା ଯେ ଜୁଲାଇ ୧ ରୁ ୧୫ ମଧ୍ୟରେ ଏହି ପରୀକ୍ଷାଗୁଡ଼ିକର ଆୟୋଜନ କରାଯିବ,’’ କହିଛନ୍ତି ପୋଖରିଆଲ୍ । ସି.ବି.ଏସ୍.ଇ. ପରୀକ୍ଷାର ବିସ୍ତୃତ କାର୍ଯ୍ୟସୂଚୀ ଖୁବ୍ ଶୀଘ୍ର ଘୋଷଣା କରିବ ବୋଲି ସେ କହିଛନ୍ତି ।
କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଅନ୍ୟତମ ପଦକ୍ଷେପ ଭାବରେ କେନ୍ଦ୍ର ସରକାର ମାର୍ଚ୍ଚ ୧୬ ତାରିଖରେ ଦେଶବ୍ୟାପୀ ବିଶ୍ୱବିଦ୍ୟାଳୟ ଓ ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିବାକୁ ଘୋଷଣା କରିଥିଲେ ଓ ପରୀକ୍ଷାଗୁଡ଼ିକୁ ସ୍ଥଗିତ ରଖିଥିଲେ । ପରେ ମାର୍ଚ୍ଚ ୨୪ରେ ଦେଶବ୍ୟାପୀ ଲକଡାଉନ୍ ଘୋଷଣା କରାଯାଇଥିଲା, ଯାହାକୁ ବର୍ତ୍ତମାନ ମେ ୧୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କ
ଗତ ମେ ୫ରେ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ନେଇ ତାରିଖ ଧାର୍ଯ୍ୟ ହୋଇଥିଲା । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କ କହିଥିଲେ ଯେ ଜୁଲାଇ ମାସ ୧୮ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ହେବ ସର୍ବଭାରତୀୟ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ଜେଇଇ ମେନ (JEE Main) । ଜୁଲାଇ ୨୬ରେ ହେବ ମେଡିକାଲ ପ୍ରବେଶିକା ନିଟ୍ (NEET) । ଅଗଷ୍ଟ ମାସରେ ଜେଇଇ ଆଡ଼ଭାନ୍ସଡ଼ (JEE Advanced) ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ।
ପୂର୍ବରୁ ଏପ୍ରିଲ ୭ ତାରିଖରୁ ୧୧ ତାରିଖ ଜେଇଇ ମେନ୍ ଓ ମେ ୩ ତାରିଖରେ ନିଟ୍ ପରୀକ୍ଷା କରିବାକୁ ତାରିଖ ଧାର୍ଯ୍ୟ ହୋଇଥିଲା । କିନ୍ତୁ ମହାମାରୀ କରୋନା ଯୋଗୁଁ ତାହା ବାତିଲ କରାଯାଇଥିଲା । ଏହାକୁ ନେଇ ସାରା ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଆଶା ଆଶଙ୍କାରେ ରହିଥିଲେ ।
Published by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।