କରୋନା ଓ ପରୀକ୍ଷା: BPUTର ଫାଇନାଲ ପରୀକ୍ଷା ତାରିଖକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀମାନେ

ସାରା ଦେଶରେ କରୋନା ଭାଇରସ କାରଣରୁ ସ୍କୁଲ, କଲେଜ ସମେତ ସବୁ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖି ପରୀକ୍ଷା ମାସକ ପାଇଁ ସ୍ଥିଗିତ କରାଯାଇଥିବା ବେଳେ ଆସନ୍ତା ୨୫ ତାରିଖରୁ ଆରମ୍ଭ ହେଉଥିବା ବିପିୟୁଟି ଶେଷ ସେମିଷ୍ଟାର ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଚିନ୍ତିତ ।

କରୋନା ଓ ପରୀକ୍ଷା: BPUTର ଫାଇନାଲ ପରୀକ୍ଷା ତାରିଖକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀମାନେ
ବିଜୁ ପଟ୍ଟନାୟକ ୟନିଭରସିଟି ଅଫ୍‌ ଟେକ୍ନୋଲୋଜି (ବି.ପି.ୟୁ.ଟି.)
  • News18 Odia
  • Last Updated: March 19, 2020, 12:34 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: କରୋନା ଭାଇରସକୁ ନେଇ ବର୍ତ୍ତମାନ ଚାଲିଥିବା ସତର୍କତାମଳକ ପଦକ୍ଷେପଗୁଡ଼ିକ ସତ୍ତ୍ୱେ ସପ୍ତାହକ ପରେ, ଅର୍ଥାତ ମାର୍ଚ୍ଚ ୨୫ ତାରିଖରୁ, ଆରମ୍ଭ ହେବାକୁ ଥିବା ବିଜୁ ପଟ୍ଟନାୟକ ୟନିଭରସିଟି ଅଫ୍‌ ଟେକ୍ନୋଲୋଜି (ବି.ପି.ୟୁ.ଟି.)ର ଅଷ୍ଟମ ଅର୍ଥାତ୍ ଶେଷ ସେମିଷ୍ଟାର ପରୀକ୍ଷାକୁ ନେଇ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି ।

ବିପିୟୁଟି ଅଧୀନସ୍ଥ ସମସ୍ତ ବୈଷୟିକ ଶିକ୍ଷାର ଫାଇନାଲ ବା ଶେଷ ସେମିଷ୍ଟାର ମାର୍ଚ୍ଚ ୨୫ ରୁ ଆରମ୍ଭ ହୋଇ ଏପ୍ରିଲ୍ ୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପୂର୍ବରୁ ଦିନ ଧ୍ୟାର୍ଯ୍ୟ ହୋଇଛି । କରୋନା ଭାଇରସ କବଳରୁ ସୁରକ୍ଷିତ ରହିବା ପାଇଁ ଜନ ଗହଳି ଠାରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପରାମର୍ଶକୁ ଅବଲମ୍ବନ କରି ସୁରକ୍ଷିତ ରହିବାକୁ ଇଚ୍ଛୁକ ଛାତ୍ରଛାତ୍ରୀମାନେ ଏବେ ଠାରୁ ଚିନ୍ତିତ ହେଉଥିବା ଦେଖିବାକୁ ମିଳିଛି । ପରୀକ୍ଷା ବା ସିଲାବସକୁ ନେଇ ନୁହେଁ, ବରଂ କୋରୋନା ଭାଇରସ୍ ଯୋଗୁଁ ଏ ଚିନ୍ତା ।

ସାରା ରାଜ୍ୟରେ ଛାତ୍ରଛାତ୍ରୀଙ୍କ ସମେତ ସବୁ ବର୍ଗର ଲୋକେ ଏବେ କରୋନା ଭାଇରସ୍‌ ବା କୋଭିଡ୍ ୧୯କୁ ନେଇ ଭୟଭୀତ ଅଛନ୍ତି । କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଗୋଟିଏ ପଟେ ସାରା ରାଜ୍ୟର ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟଗୁଡ଼ିକୁ ବନ୍ଦ କରାଯାଇଛି ଓ ପରୀକ୍ଷାକୁ ବି ସ୍ଥଗିତ ରଖାଯାଇଛି । ହେଲେ ଏ ଭଳି ସ୍ଥିତିରେ ବିପିୟୁଟି ପରୀକ୍ଷାକୁ କିଛି ଦିନ ପାଇଁ ବାତିଲ୍‌ ନ କରି ପୂର୍ବ-ନିର୍ଦ୍ଧାରିତ ତାରିଖରେ କରେଇବାକୁ ଯାଉଥିବାରୁ ଏହି ନିଷ୍ପତ୍ତିକୁ ପ୍ରଶ୍ନ କରିଛନ୍ତି ଛାତ୍ରଛାତ୍ରୀ ମାନେ । ତେବେ ସୋସିଆଲ ମିଡ଼ିଆରେ ବିପିୟୁଟିର ଅନେକ ଛାତ୍ରଛାତ୍ରୀ ଏ ନେଇ ବିଭିନ୍ନ ପ୍ରକାର ପୋଷ୍ଟ କରିଥିବା ଦେଖା ଯାଇଛି ।

‘‘Odisha govt want to kill us,’’ (ଓଡ଼ିଶା ସରକାର ଆମକୁ ମାରିଦେବାକୁ ଚାହୁଁଛନ୍ତି) ବୋଲି ସୈାମ୍ୟପ୍ରକାଶ ମିଶ୍ର ନାମକ ଜଣେ ଛାତ୍ର ଟ୍ୱିଟ୍ କରି କହିଛନ୍ତି । ‘‘ଆମେ କଣ ସଂକ୍ରମିତ ହେବୁ ନାହିଁ? କିଏ ଦାୟୀ ହେବ?’’ ସେ ଏହି ଟ୍ୱିଟରେ ପଚାରିଛନ୍ତି । ସେମିତି ଡି. ଶୈଳଜା ଶଙ୍କର ନାମକ ଆଉ ଜଣେ ଛାତ୍ର ସେହି କଥା ଲେଖି ଟ୍ୱିଟ୍‌ କରିଛନ୍ତି ଓ ଚିନ୍ତା ବ୍ୟକ୍ତ କରିଛନ୍ତି । ‘‘ବିପିୟୁଟି କେମିତି ଅଷ୍ଟମ ସେମିଷ୍ଟାର୍‌ ପରୀକ୍ଷା ୨୫ ମାର୍ଚ୍ଚରୁ ୮ ଏପ୍ରିଲ୍‌ ମଧ୍ୟରେ ଧ୍ୟାର୍ଯ୍ୟ କରିଛି?’’ ସେ ଲେଖିଛନ୍ତି । ଛାତ୍ର ଜଣକ ନିଜ ଟ୍ୱିଟରେ ପ୍ରଧାନ ମନ୍ତ୍ରୀ ଓ ଓଡ଼ିଶାର ମୁଖ୍ୟ ମନ୍ତ୍ରୀଙ୍କୁ ବି ଟ୍ୟାଗ୍‌ କରିଛନ୍ତି ।

ପରୀକ୍ଷା ତାରିଖ ବିଷୟରେ ଜଣେ ଛାତ୍ରଙ୍କ ଟ୍ୱିଟ୍‌


ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଥିବା ଓ ପରୀକ୍ଷା ବାତିଲ୍ ହୋଇଥିବା ବେଳେ ବିପିୟୁଟି କେମିତି ପରୀକ୍ଷା କରେଇବାକୁ ଯାଉଛି ବୋଲି ଏହି ବିଶ୍ୱବିଦ୍ୟାଳୟର ଅନେକ ଛାତ୍ର ଚିନ୍ତା ପ୍ରକଟ କରିଛନ୍ତି । ଶିକ୍ଷକମାନେ ବି ସମାନ ମାତ୍ରାରେ ଚିନ୍ତିତ ଅଛନ୍ତି, ହେଲେ ସେମାନେ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ବିରୋଧରେ ମୁହଁ ଖୋଲିବାକୁ ଚାହୁଁ ନ ଥିବା ଜଣା ପଡ଼ିଛି ।

ଚଳିତ ବର୍ଷ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଫାଇନାଲ୍ ସେମିଷ୍ଟାରକୁ ସମୟରେ ଶେଷ କରିବା ଓ ଫଳ ପ୍ରକାଶ କରିବା ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ନିର୍ଦେଶ ଜାରି କରିଥିଲା । ସଠିକ୍ ସମୟରେ ପରୀକ୍ଷା କରି ଫଳ ପ୍ରକାଶ କଲେ ହିଁ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ଶିକ୍ଷାନୁଷ୍ଠାନରେ ପଢ଼ିବା ପାଇଁ ସୁବିଧାରେ ଆବେଦନ କରି ପାରିବେ ବୋଲି ଏଭଳି ନିଷ୍ପତ୍ତି ଉଚ୍ଚ ଶିକ୍ଷା ବିଭାଗ ନେଇଥିଲା ।

ଆଉ ଜଣେ ଛାତ୍ରଙ୍କ ଟ୍ୱିଟ୍‌


‘‘ଉଚ୍ଚ ଶିକ୍ଷା ବିଭାଗର ପରୀକ୍ଷା ଠିକ୍‌ ସମୟରେ କରାଇବା ପାଇଁ ଥିବା ନିର୍ଦ୍ଦେଶ ଅନୁସାରେ ପୂର୍ବରୁ ନିର୍ଦ୍ଧାରିତ ତାରିଖରେ ବିପିୟୁଟି ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି । ତେବେ କରୋନା ଭାଇରସ୍‌ କାରଣରୁ ବର୍ତ୍ତମାନ ବିପିୟୁଟିର ଅନ୍ୟ ସମସ୍ତ ପରୀକ୍ଷା ସାଙ୍ଗକୁ କ୍ଲାସ୍ ବାତିଲ୍ ରହିଛି ଓ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ମଧ୍ୟ ନ ଆସିବାକୁ କୁହାଯାଇଛି,’’ ନିଜ ନାମ ଗୋପନ ରଖିବାକୁ ଅନୁରୋଧ କରି କହିଛନ୍ତି ବିପିୟୁଟିର ଜଣେ ବରିଷ୍ଠ ଅଧିକାରୀ । ଏ ସଂକ୍ରାନ୍ତରେ ମିଡ଼ିଆକୁ କହିବା ପାଇଁ ବିପିୟୁଟିର ଅଧିକୃତ ଅଧିକାରୀଙ୍କ ଉତ୍ତର ମିଳିପାରି ନାହିଁ ।

ପରୀକ୍ଷା ସମୟରେ ସମସ୍ତ ପରୀକ୍ଷା କେନ୍ଦ୍ରରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ଅବଲମ୍ବନ କରାଯିବ ବୋଲି ଗାଇଡ୍ ଲାଇନ୍ ମଧ୍ୟ ଜାରି ହୋଇଛି  । ଟେବୁଲ୍, ଚେୟାର ଓ କାନ୍ଥବାଡ଼ ସହ ସବୁ ଜିନିଷକୁ ସାନିଟାଇଜ୍ କରାଯିବ ଓ ଛାତ୍ରଛାତ୍ରୀଙ୍କ ବସିବା ବ୍ୟବଧାନ ଉପରେ ଗୁରୁତ୍ବ ଦେବା ସହ ଉଭୟ ପରୀକ୍ଷାର୍ଥୀ ଓ ନୀରିକ୍ଷକଙ୍କ ସାନିଟାଇଜର୍ ବ୍ୟବହାର କରିବା ଉପରେ ମଧ୍ୟ ଗୁରୁତ୍ବ ଦିଆଯିବ ବୋଲି ଗାଇଡ୍ ଲାଇନ୍ ଉଲ୍ଲେଖ ରହିଛି ।
First published: March 19, 2020, 12:34 AM IST
corona virus btn
corona virus btn
Loading