କରୋନା ଆଣିଛି ମାନ୍ଦାବସ୍ଥା; ରାଜ୍ୟରେ ଉଭୟ ଶ୍ରମିକ ଓ ଶିଳ୍ପଦ୍ୟୋଗୀ କଠିନ ସମୟ ଦେଇ ଗତି କରୁଛନ୍ତି

କେଉଁଠି କରୋନା କାରଣରୁ ଚାରି ମାସ ତଳେ ଘରକୁ ଯାଇଥିବା କର୍ମଚାରୀ କାମକୁ ଫେରୁନାହାନ୍ତି ତ ଆଉ କେଉଁଠି ନାହିଁ କଞ୍ଚାମାଲ । ସରକାରୀ ନିଷ୍ପତ୍ତି ଓ ପ୍ରୋତ୍ସାହନ ପରେ ବି ସୁଧୁରିପାରୁନି ରାଜ୍ୟରେ ଶିଳ୍ପ ଉଦ୍ୟୋଗର ସ୍ଥିତି।

କରୋନା ଆଣିଛି ମାନ୍ଦାବସ୍ଥା; ରାଜ୍ୟରେ ଉଭୟ ଶ୍ରମିକ ଓ ଶିଳ୍ପଦ୍ୟୋଗୀ କଠିନ ସମୟ ଦେଇ ଗତି କରୁଛନ୍ତି
ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ୍ ଏରିଆରେ ଥିବା ଏକ ଫ୍ୟାକ୍ଟ୍ରିର ଦୃଶ୍ୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 odia Digital

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ପୂର୍ବ ଅପେକ୍ଷା  ଅଧିକ କାୟା ବିସ୍ତାର କରିଚାଲିଥିବା ବେଳେ ଜୀବନ ସହିତ ଜୀବିକାକୁ ନେଇ ଉଠିଛି ପ୍ରଶ୍ନ । ଦେଶରେ ଅନଲକ୍ ୧ ପରେ ଅନଲକ୍‌ ୨ ଲାଗୁ ହେବା ସତ୍ତ୍ୱେ ପୂର୍ଣ୍ଣ ଭାବେ ଅଣ୍ଟା ସଳଖିବାକୁ ସମର୍ଥ ହୋଇପାରୁନାହାଁନ୍ତି ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନ। ଉଭୟ ଶ୍ରମିକ ଓ ଶିଳ୍ପଦ୍ୟୋଗୀ ହତାଶ ହୋଇପଡ଼ିଛନ୍ତି । ୟୁସିସିଆଇ କହିଛି ବ୍ୟବସାୟୀଙ୍କ ପାଇଁ ସ୍ଥିତି ସ୍ୱାଭାବିକ ହେବାକୁ ଆହୁରି ଚାରି ମାସରୁ ଅଧିକ ସମୟ ଲାଗିବ ।

ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ଏକ ଘରୋଇ କମ୍ପାନୀରେ କାମ କରୁଥିବା ମୟୁରଭଞ୍ଜର ମୂଳ ବାସିନ୍ଦା ରବୀନ୍ଦ୍ର କୁମାର କହିଛନ୍ତି ଯେ ଲକଡାଉନ କାରଣରୁ ପ୍ରଭାବିତ ହୋଇଛି ତାଙ୍କ ଜୀବିକା । ‘‘ଗତ ଚାରି ମାସ ହେଲା ମୁଁ ଖୁବ କଷ୍ଟରେ ଅଛି । ଠିକ୍‌ ସମୟରେ ଦରମା ପାଉନି । ପୂରା ଦରମା ବି ପାଉନି । ଏବେ ବାରମ୍ବାର ଲକଡାଉନ ଓ ସଟଡାଉନ କାରଣରୁ ଦିନକୁ ଦିନ ବଞ୍ଚିବା ଦୁର୍ବିସହ ହେଉଛି । କେବେ ସବୁ ଠିକ ହେବ ଏ ନେଇ  ମୁଁ ଅନିଶ୍ଚିତତା ଭିତରେ ଅଛି ।’’

ଅନ୍ୟଜଣେ ଶ୍ରମଜୀବୀ ସତ୍ୟନାରାୟଣ କହିଛନ୍ତି, ‘‘ମୁଁ ଭାବି ନଥିଲି ମୋ’ ଅବସ୍ଥା ଏମିତି ହୋଇଯିବ। ଅନେକ କିଛି ମୋ’ର ପରିବାର ପାଇଁ କରିବି ବୋଲି ଭାବିଥିଲି । କରୋନା ସବୁ ସାରିଦେଲା ।’’

ଶିଳ୍ପଦ୍ୟୋଗୀମାନେ ବି ସ୍ଥିତି ସୁଧୁରିବା ନେଇ ଅନ୍ଧାରରେ ଅଛନ୍ତି । ‘‘ମୁଁ ବଡ଼ ଅସୁବିଧା ଭିତରେ ସମୟ କାଟୁଛି । ଗଲା ଚାରି ମାସ ହେଲା ବେପାର ଠପ୍‌ । ଭାବିଥିଲି ମେ ମାସରେ ସବୁ ସ୍ୱାଭାବିକ ହୋଇଯିବ। ହେଲେ ଲାଗୁନି ଶୀଘ୍ର ଏ ସ୍ଥିତିରେ ସୁଧାର ଆସିବ । କର୍ମଚାରୀ ମିଳୁନାହାନ୍ତି। କଞ୍ଚା ମାଲର ବି ଅଭାବ। କର୍ମଚାରୀଙ୍କୁ ଦରମା ଦେବାକୁ ଅର୍ଥ ନାହିଁ,’’ କହିଛନ୍ତି ଶିଳ୍ପଦ୍ୟୋଗୀ ବଂଶୀଧର ବାରିକ ।

କେବଳ ଭୁବନେଶ୍ବର ମଞ୍ଚେଶ୍ୱର ଶିଳ୍ପାଞ୍ଚଳର ଏ କାହାଣୀ ନୁହେଁ,  ରାଜ୍ୟରେ ଥିବା ଅଧିକାଂଶ ଶିଳ୍ପ ଉଦ୍ୟୋଗରେ ଏଭଳି ଅବସ୍ଥା । କେଉଁଠି କରୋନା କାରଣରୁ ଚାରି ମାସ ତଳେ ଘରକୁ ଯାଇଥିବା କର୍ମଚାରୀ କାମକୁ ଫେରୁନାହାନ୍ତି ତ ଆଉ କେଉଁଠି ନାହିଁ କଞ୍ଚାମାଲ। ସରକାରୀ ନିଷ୍ପତ୍ତି ଓ ପ୍ରୋତ୍ସାହନ ପରେ ବି ସୁଧୁରିପାରୁନି ଶିଳ୍ପ ଉଦ୍ୟୋଗର ସ୍ଥିତି। ଏଭଳି ସ୍ଥିତିରେ ଶ୍ରମଜୀବୀଙ୍କୁ କାମ ଯୋଗାଇବା ତଥା ଉପଯୁକ୍ତ ବେତନ ଦାବିକରି ରାଜରାସ୍ତାକୁ ଓହ୍ଲାଇଛି ଅଗ୍ରଣୀ ଶ୍ରମିକ ସଂଗଠନ ଟିୟୁସିଆଇ ।

ଟିୟୁସିଆଇର ଉପ-ସଭାପତି ରାଜେନ୍ଦ୍ର କୁମାର ବାରିକ କହିଛନ୍ତି, ‘‘କରୋନା ବାହାନାରେ ଚାଲିଛି ଶ୍ରମିକ ମାରଣ ନୀତି। କର୍ମଚାରୀଙ୍କୁ କାମ ମିଳୁନି। ବେଧଡ଼କ କରୋନା ବାହାନାରେ ଛଟେଇ ଚାଲିଛି। ଏସବୁ ତୁରନ୍ତ ବନ୍ଦ ହେବା ଦରକାର ।’’ ପ୍ରତିବାଦରେ ଆସନ୍ତା ଜୁଲାଇ ୩ର ଭାରତ ବନ୍ଦ ଡାକରାକୁ ସମର୍ଥନ କରିଛି ସଙ୍ଗଠନ ।

ୟୁସିସିଆଇ ସଭାପତି ରମେଶ ମହାପାତ୍ର କହିଛନ୍ତି, ‘‘ରାଜ୍ୟରେ କରୋନା ପ୍ରଭାବିତ ପ୍ରାୟ ୧୪ ଲକ୍ଷରୁ ଅଧିକ ଶିଳ୍ପ ପ୍ରତିଷ୍ଠାନକୁ ସ୍ୱାଭାବିକ ହେବାକୁ ଲାଗିବ ଆହୁରି ଚାରି ମାସରୁ ଅଧିକ ସମୟ । ସେ ପର୍ଯ୍ୟନ୍ତ ସ୍ଥିତି ଅସମ୍ଭାଳ ହୋଇଯିବା । ତେଣୁ ସରକାର ଶକ୍ତ ପଦକ୍ଷେପ ନେବା ଜରୁରୀ ।’’
First published: June 30, 2020, 7:56 PM IST
corona virus btn
corona virus btn
Loading