ଏ ବର୍ଷ ବୋଲବମ୍ ଯାତ୍ରା ସମ୍ପୂର୍ଣ୍ଣ ବନ୍ଦ; କରୋନା ସଙ୍କଟ ପାଇଁ ନିଷେଧାଦେଶ ଜାରି କଲେ ସରକାର

କୌଣସି ଭକ୍ତ ଜଳ ସଂଗ୍ରହ କରିପାରିବେନି କିମ୍ବା ଚାଲି ଚାଲି କୌଣସି ଶୈବ ପୀଠରେ ଜଳଲାଗି କରିପାରିବେ ନାହିଁ। ଏହାର ଅନୁଧ୍ୟାନ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସକୁ ନିର୍ଦେଶ ଦିଆଯାଇଛି ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।

ଏ ବର୍ଷ ବୋଲବମ୍ ଯାତ୍ରା ସମ୍ପୂର୍ଣ୍ଣ ବନ୍ଦ; କରୋନା ସଙ୍କଟ ପାଇଁ ନିଷେଧାଦେଶ ଜାରି କଲେ ସରକାର
ଆସନ୍ତା ସୋମବାର ଶ୍ରାବଣ ମାସର ପ୍ରଥମ ସୋମବାର ପଡୁଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଭୟାବହ ହେଉଥିବା କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ଥର ବୋଲବମ୍‌ ଯାତ୍ରା ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଆସନ୍ତା ସୋମବାର ଶ୍ରାବଣ ମାସର ପ୍ରଥମ ସୋମବାର ପଡୁଥିବା ବେଳେ ଆଜି ବୋଲବମ୍‌ ଯାତ୍ରା ଏ ବର୍ଷ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର । ସ୍ୱତନ୍ତ୍ର ରିଲିଫ କମିଶନର ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି ।

‘‘କରୋନା ମହାମାରୀ ଆମ ସାମନାରେ ଆଣିଥିବା ଜନ ସ୍ୱାସ୍ଥ୍ୟ ଚ୍ୟାଲେଞ୍ଜ ଦୃଷ୍ଟିରୁ ଚଳିତ ବର୍ଷ ବୋଲବମ ଯାତ୍ରାକୁ ବନ୍ଦ କରାଯାଇଛି । କୌଣସି ଭକ୍ତ ଜଳ ସଂଗ୍ରହ କରିପାରିବେନି କିମ୍ବା ଚାଲି ଚାଲି କୌଣସି ଶୈବ ପୀଠରେ ଜଳ ଲାଗି କରିପାରିବେ ନାହିଁ । ଏହାର ଅନୁଧ୍ୟାନ ପାଇଁ ଜିଲା ପ୍ରଶାସନ ଓ ପୋଲିସକୁ ନିର୍ଦେଶ ଦିଆଯାଇଛି,’’ କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।

ଏହି ନିର୍ଦ୍ଦେଶର ଆନୁପାଳନ ପାଇଁ ରାଜ୍ୟବାସୀଙ୍କ ସହଯୋଗ ଲୋଡ଼ିଛନ୍ତି ସରକାର । ସାଢ଼େ ତିନି ମାସ ଧରି ଲୋକେ ଯେପରି ସରକାରଙ୍କ ନିୟମକୁ ମାନିଛନ୍ତି, ସେହି ଭଳି ଏହି ନିର୍ଦ୍ଦେଶ ପାଳନ କରିବା ପାଇଁ ସହଯୋଗର ଆବଶ୍ୟକତା ଅଛି ବୋଲି କହିଛନ୍ତି ଜେନା ।

ଶ୍ରାବଣ ମାସ ଆରମ୍ଭ ହେଉଥିବାରୁ ସୋମବାର ଦିନ ବିଭିନ୍ନ ଶୈବପୀଠରେ ଗହଳି ଲାଗିବାର ସମ୍ଭାବନା ଥିଲା । ସାଧାରଣତଃ ଶନିବାର ଠାରୁ କାଉଡ଼ିଆମାନେ ବିଭିନ୍ନ ସ୍ଥାନରୁ ଜଳ ସଂଗ୍ରହ କରିଥାନ୍ତି ଓ ବିଭିନ୍ନ ଶୈବ ପୀଠରେ ଜଳଲାଗି କରିଥାନ୍ତି । ପୂର୍ବ ବର୍ଷମାନଙ୍କରେ ଏହି ସମୟରେ ଅନେକ ଗହଳି ଲାଗିରହୁଥିବାରୁ ଚଳିତ ବର୍ଷ  ଭିଡ଼ ଆଶଙ୍କା ଦେଖି ସରକାର ବୋଲବମକୁ ସମ୍ପୂର୍ଣ୍ଣ ବ୍ୟାନ୍‌ କରିଛନ୍ତି ।

ବୋଲବମ୍ ବ୍ୟାନ୍ ବିଷୟରେ କହୁଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।


କଣ୍ଟେନମେଣ୍ଟ ଜୋନରେ ଜୁଲାଇ ୩୧ ତାରିଖ ଯାଏ ଲକଡାଉନ ଘୋଷଣା କରାଯାଇଛି । କଣ୍ଟେନମେଣ୍ଟ ଜୋନ ବାହାରେ ବି ରାଜ୍ୟ ସରକାର କଟକଣା ଲଗାଇପାରିବେ ବୋଲି କେନ୍ଦ୍ର ସରକାରଙ୍କ ନିୟମାବଳୀ ରହିଛି । ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ମନ୍ଦିର ଓ ଧର୍ମାନୁଷ୍ଠାନ ଜନସାଧାରଣଙ୍କ ଲାଗି ବନ୍ଦ ରହିବା ନେଇ ଜୁନ ୩୦ ତାରିଖରେ ରାଜ୍ୟ ସରକାର ନିୟମାବଳୀ ଜାରି କରିଛନ୍ତି । ରାଜନୈତିକ ଓ ସାମାଜିକ କାର୍ଯ୍ୟକ୍ରମ ବି ବନ୍ଦ କରାଯାଇଛି ।

ଆଜି ଗୋଟିଏ ଦିନରେ ଦ୍ୱିତୀୟ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୁଇ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦୦ ଡେଇଁ ଥିବା ବେଳେ ଚାରି ଦିନରେ ୧,୫୦୦ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ସେଇଥି ପାଇଁ ଦିନକୁ ଦିନ କଠୋର ହେଉଛନ୍ତି ସରକାର ।

ଗଞ୍ଜାମ ଜିଲ୍ଲାରେ ସୃଷ୍ଟି ହୋଇଥିବା ଭୟାବହ ସ୍ଥିତିକୁ ଦେଖି କୋଭିଡ ପରିଚାଳନା ପାଇଁ ଦୁଇ ଜଣ ଆଇଏଏସ ଓ ଛଅ ଜଣ ଓଏଏସ ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦେଇଛନ୍ତି ସରକାର । ପୂର୍ତ୍ତ ବିଭାଗର ଡେପୁଟି ସେକ୍ରେଟାରୀ ପାରୁଲ ପଟୱାରୀଙ୍କୁ ଛତ୍ରପୁର ସବ୍‌-ଡିଭିଜନର ସ୍ପେଶାଲ ଏଡିଏମ ଦାଇତ୍ୱ ଦିଆଯାଇଥିବା ବେଳେ ପୁରୀ ପିଡ଼ି ଡିଆରଡିଏ ଦାୟିତ୍ୱରେ ଥିବା ବିଶାଳ ସିଂକୁ ଭଞ୍ଜନଗର ସବ୍‌-ଡିଭିଜନର ସ୍ପେସାଲ ଏଡିଏମ ଦାୟିତ୍ୱ ଦିଆଯାଇଛି । ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ପାଇଁ ଛଅ ଜଣ ଓଏଏସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ।
First published: July 4, 2020, 9:02 PM IST
corona virus btn
corona virus btn
Loading