ଲକ୍‌ଡାଉନ୍‌ରେ ଟିକେ ଆରାମ: ଭୁବନେଶ୍ୱରରେ BMC ଆରମ୍ଭ କଲା ମୋବାଇଲ୍ ପରିବା ଭ୍ୟାନ୍ ସେବା

ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ନେଇ ଦେଖାଦେଉଥିବା ସମସ୍ୟାରୁ ମୁକ୍ତି ପାଇଁ ବିଏମସି ପକ୍ଷରୁ ଏହି ସେବା ଆରମ୍ଭ ହୋଇଛି । ଲକଡାଉନ୍ ସମୟରେ ଲଗାତର ପରିବା ଯୋଗାଇବା ପାଇଁ କିଛି ସ୍ଥାନୀୟ ପରିବା ବ୍ୟବସାୟୀଙ୍କ ସହ ବିଏମସି ପକ୍ଷରୁ ଆଲୋଚନା ହୋଇଛି ।

ଲକ୍‌ଡାଉନ୍‌ରେ ଟିକେ ଆରାମ: ଭୁବନେଶ୍ୱରରେ BMC ଆରମ୍ଭ କଲା ମୋବାଇଲ୍ ପରିବା ଭ୍ୟାନ୍ ସେବା
ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ୱର ନର୍ଥ ଜୋନରେ ଏହି ସେବା ଆରମ୍ଭ ହୋଇଛି।
  • News18 Odia
  • Last Updated: March 31, 2020, 9:33 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କୋଭିଡ-୧୯ ପାଇଁ ସବୁଠି ଲକଡ଼ାଉନ୍‌ ଜାରି ଥିବା ଯୋଗୁଁ ଘରୁ ବାହାରିବା ଉପରେ କଟକଣା ଲାଗିଛି ଓ ହାଟ ବଜ଼ାର ଗଲେ ସଂକ୍ରମଣର ଭୟ ରହିଛି । ଏଭଳି ସ୍ଥିତିରେ ଲୋକଙ୍କ ପାଖରେ ପରିବା ପହଞ୍ଚାଇବା ପାଇଁ ବି.ଏମ୍‌.ସି. ଭୁବନେଶ୍ୱରରେ ମୋବାଇଲ୍‌ ଭେଜିଟେବଲ୍‌ ଭ୍ୟାନ୍‌ ସେବା ଆରମ୍ଭ କରିଛି । କେତେକ ଅଞ୍ଚଳରେ ଲୋକଙ୍କୁ ଆଉ ପରିବା କିଣିବାକୁ ବାହାରକୁ ଯିବାକୁ ପଡ଼ୁନାହିଁ । ଗୋଟିଏ କଲ୍‌ କଲେ ଘରେ ପହଞ୍ଚିଯାଉଛି ପରିବା ।

ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ୱର ନର୍ଥ ଜୋନରେ ଏହି ସେବା ଆରମ୍ଭ ହୋଇଛି। ଘରକୁ ଘର ବୁଲି ପରିବା ଯୋଗାଉଛନ୍ତି ଭେଣ୍ଡରମାନେ । ଶୈଳଶ୍ରୀ ବିହାର ବାସିନ୍ଦା ସୁପ୍ରସନ୍ନ ମହାନ୍ତି କହିଛନ୍ତି ଯେ ସେ ଭେଣ୍ଡରକୁ କଲ୍‌ କରି ପରିବା ଅର୍ଡ଼ର୍‌ କରିବାରୁ ଖୁବ୍‌ ଶୀଘ୍ର ତାଙ୍କ ଘରେ ପରିବା ପହଞ୍ଚିଗଲା, ଯାହା ତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିର କାରଣ ଥିଲା ।

‘‘କରୋନା ଭାଇରସ୍‌ ଭୟରେ ଘରୁ ବହାରିବାକୁ ଇଛା ନାହିଁ। ହେଲେ ରୋଷେଇ ପାଇଁ ପରିବା ଆବଶ୍ୟକ । ଏଭଳି ସ୍ଥିତିରେ ବିଏମସିର ଏହି ପଦକ୍ଷେପ ବେଶ୍‌ ସ୍ୱାଗତଯୋଗ୍ୟ,’’ କହିଛନ୍ତି ମହାନ୍ତି ।

ଗୋଟିଏ କଲ୍ କଲେ ଲୋକଙ୍କ ଘରେ ପହଞ୍ଚିଯାଉଛି ପରିବା ।


ଫେଜ୍‌ ୬ ବାସିନ୍ଦା ସାଗରିକା ମହାନ୍ତି କହିଛନ୍ତି ପୂର୍ବରୁ ତାଙ୍କ ସ୍ୱାମୀ ବାହାରକୁ ଯାଇ ପରିବା ଆଣୁଥିଲେ । ‘‘ସେ ମାସ୍କ ଆଉ ଗ୍ଲୋବସ୍‌ ପିନ୍ଧିଲେ ଆମକୁ ଭୟ ଲାଗୁଥିଲା। ଘରକୁ ଫେରିଲେ ପିନ୍ଧିଥିବା ପୋଷାକ ଧୋଉଥିଲେ । ହେଲେ ଏବେ ଘରେ ଆସି ପରିବା ପହଞ୍ଚିବାରୁ ବହୁତ କଷ୍ଟରୁ ମୁକ୍ତି ମିଳିଛି । ବିଏମସିର ଏହା ଏକ ସମୟୋପଯୋଗୀ ପଦକ୍ଷେପ,’’ ସେ କହିଛନ୍ତି ।

ଲକଡ଼ାଉନ୍‌ ବେଳେ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ନେଇ ଦେଖାଦେଉଥିବା ସମସ୍ୟାରୁ ମୁକ୍ତି ପାଇଁ ବିଏମସି ପକ୍ଷରୁ ଏହି ସେବା ଆରମ୍ଭ ହୋଇଛି । ଆଉ ପରିବା ହାଟରେ ସେତେଟା ଭିଡ଼ ଦେଖିବାକୁ ମିଳୁନି । ଲକଡାଉନ୍‌ ସମୟରେ ଲଗାତର ପରିବା ଯୋଗାଇବା ପାଇଁ କିଛି ସ୍ଥାନୀୟ ପରିବା ବ୍ୟବସାୟୀଙ୍କ ସହ ବିଏମସି ପକ୍ଷରୁ ଆଲୋଚନା ହୋଇଛି । ସେମାନେ ଘର ଘର ବୁଲି ପରିବା ଦେବେ । ଆଗକୁ ଗ୍ରୋସୋରୀ ଓ ରନ୍ଧା ଖାଦ୍ୟ ଯୋଗାଇବାକୁ ବି ବିଏମସିର ଯୋଜନା ରହିଛି ।

ଗୋଟିଏ ମାରୁତି ଓମନି ମୋବାଇଲ୍ ପରିବା ଭ୍ୟାନରେ ପରିଣତ ହୋଇଛି ।


‘‘ପୂର୍ବରୁ ଲୋକେ ଆମ ପାଖକୁ ଯାଇ ପରିବା କିଣୁଥିଲେ । ଏବେ ଆମେ ଲୋକଙ୍କ ପାଖକୁ ଯାଉଛୁ। ପରିଶ୍ରମ ହେଉଛି, ଗାଡି ଖର୍ଚ୍ଚ ବି ବଢ଼ିଛି । ହେଲେ ବର୍ତ୍ତମାନର ସ୍ଥିତିରେ ଆମେ ଲାଭ ନୁହେଁ, ସେବା ମନୋଭାବ ନେଇ କାମ କରୁଛୁ,’’ କହିଛନ୍ତି ପରିବା ବ୍ୟବସାୟୀ ସୁଶାନ୍ତ କୁମାର ସାହୁ। ‘‘କମ୍‌ ସମୟରେ ଲୋକଙ୍କ ପାଖରେ କିଭଳି ପହଞ୍ଚି ପାରିବୁ ତାହା ହିଁ ଆମର ଲକ୍ଷ୍ୟ,’’ ସେ କହିଛନ୍ତି ।

ବର୍ତ୍ତମାନ କରୋନା ଭାଇରସ୍‌ ଯୋଗୁଁ ବ୍ୟାପିଥିବା ମହାମାରୀର ପ୍ରତିରୋଧ ପାଇଁ ସମଗ୍ର ଦେଶରେ ଚାଲିଥିବା ଲକଡାଉନ୍‌ ଯୋଗୁଁ ସବୁ ଅଞ୍ଚଳରେ ଜନଗହଳି କମାଇ ସାମାଜିକ ଦୂରତ୍ୱ ନିୟମର କଡ଼ାକଡ଼ି ଅନୁପାଳନ କରିବାକୁ କୁହାଯାଉଥିବା ବେଳେ ଭୁବନେଶ୍ୱରରେ ବିଏମସିର ଏହି ନୂଆ ବ୍ୟବସ୍ଥା ଲୋକଙ୍କ ଜୀବନଶୈଳୀରେ କିଛି ସାବଲୀଳତା ଫେରାଇ ଆଣିଛି । ଏହି ବ୍ୟବସ୍ଥାକୁ ଆହୁରି ଉତ୍ତମ କରାଗଲେ ଲୋକେ ଅଧିକ ଉପକୃତ ହେବେ ବୋଲି କହିଛନ୍ତି ବୁଦ୍ଧିଜୀବୀମାନେ ।
First published: March 31, 2020, 9:33 PM IST
corona virus btn
corona virus btn
Loading