ରାଜ୍ୟର ୫ମ କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରକାଶ କଲା BMC; ତାଙ୍କ ଘର ପାଖ ଅଞ୍ଚଳ ସିଲ୍ ହେଲା

ରାଜ୍ୟ କିମ୍ବା ଦେଶ ବାହାରକୁ ନ ଯାଇ ବି କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବାରୁ ଓ ପ୍ରାରମ୍ଭିକ ଆକଳନରୁ ସେ ୨୧ ଜଣ ଲୋକଙ୍କ ସଂସ୍ପର୍ଶରେ ଆସିଥିବାରୁ କୌଣସି ବ୍ୟକ୍ତି ତାଙ୍କ ସଂସ୍ପର୍ଶରେ ଆସିଥିଲେ କ୍ବାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି ।

ରାଜ୍ୟର ୫ମ କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରକାଶ କଲା BMC; ତାଙ୍କ ଘର ପାଖ ଅଞ୍ଚଳ ସିଲ୍ ହେଲା
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟର ପଞ୍ଚମ କରୋନା ଭାଇରସ୍‌ ସଂକ୍ରମିତ ବ୍ୟକ୍ତିଙ୍କ ପରିଚୟ ପ୍ରକାଶ କଲା ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) । ଆକ୍ରାନ୍ତଙ୍କ ନାଁ ପ୍ରଦୀପ୍ତ ଦଳବେହେରା, ଘର ଭୁବନେଶ୍ବରର ସୂର୍ଯ୍ୟ ନଗରରେ । ଜନହିତ ଦୃଷ୍ଟିରୁ ପରିଚୟ ପ୍ରକାଶ କରାଯାଉଛି ବୋଲି କହିଛି ବିଏମସି ।

ନିଜେ ବିଏମସି କମିଶନର୍‌ ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ ଏବେ ଭୁବନେଶ୍ୱର ଏମ୍‌ସ୍‌ରେ ଚିକିତ୍ସିତ ହେଉଥିବା ପ୍ରଦୀପ୍ତ ଦଳବେହେରା ସୂର୍ଯ୍ୟ ନଗରରେ ୪୬ ନମ୍ବର ୱାର୍ଡ଼ର ପ୍ଲଟ ନମ୍ବର ୩୭ରେ ରୁହନ୍ତି । ପ୍ରଦୀପ୍ତ ରାଜ୍ୟ କିମ୍ବା ଦେଶ ବାହାରକୁ ନ ଯାଇ ବି କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବାରୁ ଓ ପ୍ରାରମ୍ଭିକ ଆକଳନରୁ ସେ ୨୧ ଜଣ ଲୋକଙ୍କ ସଂସ୍ପର୍ଶରେ ଆସିଥିବାରୁ କୌଣସି ବ୍ୟକ୍ତି ତାଙ୍କ ସଂସ୍ପର୍ଶରେ ଆସିଥିଲେ କ୍ବାରେଣ୍ଟାଇନରେ ରହିବାକୁ ପରାମର୍ଶ ଦେଇଛନ୍ତି ଚୌଧୁରୀ ।

‘‘କେହି ତାଙ୍କ ସଂସ୍ପର୍ଶରେ ଆସିଥିଲେ ୧୦୪ ନମ୍ବରକୁ ଫୋନ୍‌ କରି ୧୪ ଦିନ କ୍ବାରେଣ୍ଟାଇନ୍‌ରେ ରହିବା ଉଚିତ । ତା’ ଛଡ଼ା ଆମେ ସଂପୃକ୍ତ ଅଞ୍ଚଳର ସବୁ ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ସିଲ୍‌ କରିବାକୁ ଯାଉଛୁ । ସଂକ୍ରମଣକୁ ବ୍ୟାପିବାରୁ ରୋକିବା ଆମର ଉଦ୍ଦେଶ୍ୟ,’’ କହିଛନ୍ତି ଚୌଧୁରୀ ।

ଭୁବନେଶ୍ୱର ପ୍ରଶାସନ ତରଫରୁ ଗଙ୍ଗନଗର-ଶିରୀପୁର, ଶିରୀପୁର-ଗୋପବନ୍ଧୁ ଛକ ଓ ଗୋପବନ୍ଧୁ ଛକ-LIC ଛକ ରାସ୍ତା ଆଗାମୀ ଆଦେଶ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ସଂପୃକ୍ତ ଅଞ୍ଚଳରେ ଘରଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବେ ଡାକ୍ତର । ସମ୍ପୂର୍ଣ୍ଣ ସୂର୍ଯ୍ୟ ନଗର ଅଞ୍ଚଳକୁ ସାନିଟାଇଜ କରାଯିବା ପାଇଁ ଆୟୋଜନ କରୁଛି ବିଏମସି ।

ରାଜ୍ୟରେ ଏ ପର୍ଯ୍ୟନ୍ତ ପାଞ୍ଚ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବିଭିନ୍ନ ହସ୍ପିଟାଲରେ ଅନ୍ୟ ଚାରି ଜଣଙ୍କ ଚିକିତ୍ସା ଚାଲିଛି । ପ୍ରଥମ ଓ ଦ୍ବିତୀୟ ରୋଗୀଙ୍କ ସଂସ୍ପର୍ଶରେ ୫୫ ଜଣ, ଚତୁର୍ଥ ରୋଗୀଙ୍କ ସଂମ୍ପର୍କରେ ୩୩ ଓ ପଞ୍ଚମ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ମଧ୍ୟରୁ ୨୧ ଜଣଙ୍କୁ ଚିହ୍ନଟ କରାଯାଇଛି ।

ଏ ପର୍ଯ୍ୟନ୍ତ ଓଡ଼ିଶାକୁ ୪,୦୩୬ ଜଣ ଲୋକ ବିଦେଶରୁ ଫେରିଛନ୍ତି । ସମସ୍ତଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆୟାଇଥିବା ରାଜ୍ୟ କରୋନା ପ୍ରତିହକ କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି । କରୋନାକୁ ନେଇ ଭୟରେ ଭୁଲ ନ କରିବାକୁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ଏହାର ଉଦାହରଣ ଦେବାକୁ ଯାଇ ସୁବ୍ରତ ବାଗଚୀ  କହିଥିଲେ ଯେ ଜଣେ ସଂକ୍ରମିତ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା କେମିତି ରହିଛି ତାହା ଜାଣିବାକୁ ତାଙ୍କୁ ଫୋନ କରାଯାଇଥିଲା, ହେଲେ ସେ ବ୍ୟକ୍ତି ଜଣକ କରୋନାକୁ ନେଇ ଏତେ ଡରିଯାଇଥିଲେ ଯେ ୪୯ ଥର ଫୋନ୍‌ କଲା ପରେ ସେ ଫୋନ୍‌ ଉଠାଇଥିଲେ ।

‘‘କରୋନା ଭାଇରସକୁ ନେଇ ଡରିବାର କିଛି ନାହିଁ । ଏହା ଯେ କୌଣସି ଲୋକକୁ ହୋଇ ପାରେ । ଜ୍ବର, କାଶ ବା ଶ୍ବାସପ୍ରଶ୍ୱାସରେ କଷ୍ଟ ହେଲେ ତୁରନ୍ତ ୧୦୪କୁ ଫୋନ କରିବା ଉଚିତ । କରୋନାକୁ ନେଇ ରୋଗୀ କିମ୍ବା ଅନ୍ୟ କେହି ଭୟଭୀତ ବା ଛାନିଆ ହେବାର ଆଦୌ ଆବଶ୍ୟକତା ନାହିଁ,’’ ପରାମର୍ଶ ଦେଇଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ)ର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ।
First published: April 2, 2020, 9:00 PM IST
corona virus btn
corona virus btn
Loading