ଭୁବନେଶ୍ୱରରେ କରୋନା ମୁକାବିଲା: ଚାଟିଂ, ମିଟିଂ ଓ ଫୋନ୍ କଲରେ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝୁଛି BMC

ହସ୍ପିଟାଲ ଅପେକ୍ଷା ହୋମ ଆଇସୋଲେସନରେ ରହି ସୁସ୍ଥ ହେବାକୁ ରୋଗୀ ଅଧିକ ପସନ୍ଦ କରୁଥିବାରୁ ସେହି ବ୍ୟବସ୍ଥାକୁ ସୁଦୃଢ଼ କରିଛି BMC । ପାର୍ବଣ ସିଜିନ୍ ସହ ଶୀତ ଦିନ ଆସୁଥିବାରୁ ସଂକ୍ରମଣ ବ୍ୟାପିବା ଆଶଙ୍କା କରାଯାଉଛି ।

ଭୁବନେଶ୍ୱରରେ କରୋନା ମୁକାବିଲା: ଚାଟିଂ, ମିଟିଂ ଓ ଫୋନ୍ କଲରେ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝୁଛି BMC
ହୋମ ଆଇସୋଲେସନରେ ଥିବା ଜଣେ ଆକ୍ରାନ୍ତଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କିତ ପରାମର୍ଶ ଦେଉଛନ୍ତି ଜଣେ ଡାକ୍ତର ।
  • News18 Odia
  • Last Updated: October 22, 2020, 11:52 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ କମୁଛି କରୋନା ସଂକ୍ରମଣ । ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି ସ୍ଥିତି। କିନ୍ତୁ ଶୀତ ଦିନ ସହ ପାର୍ବଣ ପାଇଁ ପୁଣି ଥରେ ସଂକ୍ରମଣ ବଢ଼ିବା ସମ୍ଭାବନା ରହିଛି। ତେଣୁ ଉଭୟ ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟ ମନ୍ତ୍ରୀ ଲୋକଙ୍କୁ ସତର୍କ ରହିବାକୁ କହିଛନ୍ତି । ଭୁବନେଶ୍ୱର ମହାନଗର ନିଗମ (ବିଏମସି) ହ୍ୱାଟ୍ସଆପ୍‌ ଚାଟିଂ, ଭର୍ଚ୍ଚୁଆଲ୍‌ ମିଟିଂ ଓ ଟେଲିଫୋନ କଲ୍‌ ମାଧ୍ୟମରେ କରୋନା ସଂକ୍ରମିତ ଲୋକ ଓ ଲକ୍ଷଣ ଥିବା ଲୋକଙ୍କ ସ୍ଥିତି ବୁଝିବା କ୍ଷେତ୍ରରେ ଆକ୍ଟିଭ ହୋଇଛି ।

ଭୁବନେଶ୍ୱରରେ ହୋମ ଆଇସୋଲେସନରେ ରହି ସୁସ୍ଥ ହେଉଛନ୍ତି ଅନେକ ରୋଗୀ । ନିୟମିତ ଭାବେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝୁଛି ବିଏମସି । କରୋନା ପଜିଟିଭ ଚିହ୍ନଟ ହେବା ପରେ ୨୧ ଦିନ ହୋମ ଆଇସୋଲେସନରେ ରହିଥିଲେ କଳ୍ପନା ବାସିନ୍ଦା ତଥା ଆଇନଜୀବୀ ସମରେଶ ଜେନା । ଏହି ସମୟରେ ନିୟମିତ ଭାବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ବିଏମସିର କର୍ମକର୍ତ୍ତାମାନେ ପଚାରି ବୁଝୁଥିଲେ ବୋଲି ସେ କହିଛନ୍ତି ।

‘‘କେତେବେଳେ ହ୍ଵାଟ୍ସଆପ ଚାଟ ମାଧ୍ୟମରେ ତ ଆଉ କେତେବେଳେ ଭିଡିଓ କଲ କରି ମୋ’ ସ୍ୱାସ୍ଥ୍ୟବସ୍ଥା ବୁଝୁଥିଲେ ବିଏମସି କର୍ମକର୍ତ୍ତାମାନେ । ଡାକ୍ତର ମଧ୍ୟ ଘରକୁ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରୁଥିଲେ। କରୋନା ପଜିଟିଭ ଚିହ୍ନଟ ହେବା ପରେ ମାନସିକ ସ୍ତରରେ ମୁଁ ପୂରା ଦୁର୍ବଳ ହୋଇପଡ଼ିଥିଲି । କିନ୍ତୁ ବିଏମସି ତରଫରୁ କେବଳ ଚିକିତ୍ସା ନୁହେଁ, ମାନସିକ ସ୍ଥିତି ସୁଦୃଢ଼ କରିବା ପାଇଁ ବି ଟିପସ ଦିଆଯାଉଥିଲା,’’ କହିଛନ୍ତି ସମରେଶ ।

ଏହା ବି ପଢ଼ନ୍ତୁ | କରୋନାରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ଦେହରେ ୯୦ ଦିନ ପର୍ଯ୍ୟନ୍ତ ରହିଥାଏ ଏହି ଭାଇରସ୍

ସମାନ ଅନୁଭୂତି ରହିଛି ଛାତ୍ର ଦେବାଶିଷଙ୍କର । ‘‘ମୋ’ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ କୋଭିଡ ହସ୍ପିଟାଲରେ ଆଡମିଟ ହୋଇଥିଲି। ହସ୍ପିଟାଲ ଚିକିତ୍ସା ସହ ବିଏମସି ପକ୍ଷରୁ ନିୟମିତ କଲ୍‌ ଓ ମେସେଜ ଆସୁଥିଲା। ସ୍ୱାସ୍ଥ୍ୟବସ୍ଥା କିଭଳି ରହିଛି ବୁଝୁଥିଲେ ଓ ମାନସିକ ସ୍ତରରେ ସୁଦୃଢ ରହିବାକୁ ବି ପରାମର୍ଶ ଦେଉଥିଲେ ସେମାନେ,’’ କହିଛନ୍ତି ଦେବାଶିଷ।

ବର୍ତ୍ତମାନ ଭୁବନେଶ୍ୱରରେ ପ୍ରାୟ ୭୫ ପ୍ରତିଶତ କରୋନା ରୋଗୀ ହୋମ ଆଇସୋଲେସନରେ ଅଛନ୍ତି । ହ୍ଵାଟ୍ସଆପ ଚାଟିଂ, ଭର୍ଚୁଆଲ ମିଟିଂ ଓ ଟେଲିଫୋନ କଲ୍‌ ଜରିଆରେ ନିୟମିତ ଭାବେ ରୋଗୀମାନଙ୍କ ସହ ଯୋଗାଯୋଗ କରୁଛନ୍ତି ବିଏମସିର କର୍ମଚାରୀ ଓ ଡାକ୍ତରମାନେ । ଏ ନେଇ ପ୍ରତି ଜୋନରେ ଚାରି ଜଣ ଲେଖାଏଁ ଆୟୁଷ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି ।

ଏହା ବି ପଢ଼ନ୍ତୁ | ଦେଶର ପ୍ରଥମ ମାମଲା: କରୋନାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ତାଙ୍କ ପତ୍ନୀଙ୍କ ବିରୋଧରେ FIR ହେଲା

‘‘ହସ୍ପିଟାଲ ଅପେକ୍ଷା ହୋମ ଆଇସୋଲେସନରେ ରହି ସୁସ୍ଥ ହେବାକୁ ରୋଗୀ ଅଧିକ ପସନ୍ଦ କରୁଛନ୍ତି। ତେଣୁ ହୋମ ଆଇସୋଲେସନ ବ୍ୟବସ୍ଥାକୁ ସୁଦୃଢ କରାଯାଇଛି। ରୋଗୀଙ୍କର ଯେପରି କିଛି ଅସୁବିଧା ନ ହୁଏ ସେ ନେଇ ବିଶେଷ ଧ୍ୟାନ ଦିଆଯାଇଛି,’’ କହିଛନ୍ତି ବିଏମସି କମିଶନର୍‌ ପ୍ରେମଚନ୍ଦ୍ର ଚୌଧୁରୀ ।

ଯଦିଓ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଅଛି, ଆଗକୁ ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି। ପାର୍ବଣ ସିଜିନ୍‌ ସହ ଶୀତ ଦିନ ଆସୁଥିବାରୁ ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି । ତେଣୁ ପୂଜା ମଣ୍ଡପକୁ ଲୋକଙ୍କୁ ଆସିବାକୁ ମନା କରାଯାଇଛି । ମାର୍କେଟରେ ଭିଡ଼ ନ ଜମେଇବାକୁ ବି ପରାମର୍ଶ ଦିଆଯାଇଛି । କୋଭିଡ ଗାଇଡ଼ ଲାଇନ ମାନି ସତର୍କ ରହିବାକୁ ଅନୁରୋଧ କରାଯାଇଛି ବୋଲି ଚୌଧୁରୀ କହିଛନ୍ତି ।



‘‘କେରଳରେ ବି ଏମିତି ପରିସ୍ଥିତି ଦେଖିବାକୁ ମିଳିଥିଲା। ଓଣମ ପର୍ବ ପାଳନ ପରେ କେରଳ ରାଜ୍ୟରେ ସଂକ୍ରମଣ ଅଧିକ ମାତ୍ରାରେ ବଢ଼ିଯାଇଥିଲା। ତେଣୁ ଭୁବନେଶ୍ୱରରେ ଯେପରି ସେହି ସ୍ଥିତି ନ ଉପୁଜିବ ସେ ନେଇ ସମସ୍ତେ ସଚେତନ ରହିବାକୁ ନିବେଦନ କରୁଛୁ,’’ କହିଛନ୍ତି ଚୌଧୁରୀ ।
Published by: Anand Shankar Thankur Das
First published: October 22, 2020, 11:52 PM IST
corona virus btn
corona virus btn
Loading