News18 Odia Digital
ଭୁବନେଶ୍ୱର: ରାଜ୍ୟରେ ଧିରେ ଧୀରେ ନିୟନ୍ତ୍ରଣକୁ ଆସୁଛି କରୋନା। ଗତ ୨ ରାଜ୍ୟରେ ଟୀକାକରଣ ପ୍ରକ୍ରିୟା ମଧ୍ୟ ବୃଦ୍ଧି ପାଇଛି। ଟୀକାକରଣକୁ ବ୍ୟାପକ କରିବା ପାଇଁ ବିଏମସି ଏକ ପନ୍ଥା ଆପଣେଇଛି। ତେଣୁ ଯେଉଁମାନେ ଘରୁ ଯାଇ ଟିକା ନେଇ ପାରୁନାହାନ୍ତି ସେମାନଙ୍କୁ ଘରେ ଯାଇ ଟିକା ଦିଆଯିବାର ବ୍ୟବସ୍ଥା କରାଯାଉଛି।
ରାଜ୍ୟରେ ସ୍ଥିତି ନିୟନ୍ତ୍ରଣକୁ ଆସୁଥିଲେ ବି ଖୋର୍ଦ୍ଧା ଜିଲ୍ଲାରେ ଏବେବି ତିନି ଅଙ୍କ ଉପରେ ରହୁଛି। ଵିଶେଷ କରି ଭୁବନେଶ୍ୱର ଚିନ୍ତା ବଢାଇଛି। ଏପରି ସ୍ଥିତିରେ ଆଗକୁ ଶୀତ ଋତୁ ଆସୁଥିବାରୁ ବିଏମସି ପାଇଁ ଚିନ୍ତା ବଢ଼ିଛି। ସାମ୍ଭାବ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି ଆଗୁଆ ସଜବାଜ ହୋଇଛି ବିଏମସି। ସାମାଜିକ କାର୍ଯ୍ୟକ୍ରମରେ ଅତି ବେଶୀରେ ୫୦ ଜଣଙ୍କୁ ସାମିଲ କରିବା ନେଇ ଏସଓପି ଜାରି କରିଛି। କାର୍ଯ୍ୟକ୍ରମ ଆୟୋଜନ ହେଉଥିବା ସ୍ଥାନର ୫୦ ପ୍ରତିଶତ ଚଳ ପ୍ରଚଳ ପାଇଁ ଖାଲି ରଖିବାକୁ ଏସଓପି ରେ କୁହାଯାଇଛି। ବିଏମସିର ଏଭଳି ଆଗୁଆ ପଦକ୍ଷେପକୁ ପ୍ରସଂଶା କରିଛି ସ୍ୱାସ୍ଥ୍ୟ ବିଭାଗ।
ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, "ଅନ୍ୟ ସଚେତନତା ପଦକ୍ଷେପ ବାଦ କୋଭିଡ ସଂକ୍ରମଣ କମାଇବା ଲାଗି ଏହା ହିଁ ଏକମାତ୍ର ଦକ୍ଷ ପଦକ୍ଷେପ । ଏ ଦିଗରେ ବିଏମସିର ଗାଇଡ଼ଲାଇନ ଏକ ଆଗୁଆ ବ୍ୟବସ୍ଥା । ଲୋକମାନେ ନିଜେ ଭିଡ଼ କମ କରନ୍ତୁ । ପ୍ରଶାସନ ବି ସଜାଗ ରହିଛି । ଭୁବନେଶ୍ୱରରେ ପଜିଟିଭ ହାର ଅଧିକ ରହୁଥିବାରୁ ବିଏମସି ଗାଇଡ଼ଲାଇନ ଜାରି କରିଛି । ନୀତି ଆୟୋଗ, ଆଇସିଏମଆର ପ୍ରଭୃତି ଭିଡ଼ କମାଇବାକୁ ପରାମର୍ଶ ଦେଇଛନ୍ତି । ସମସ୍ତେ ମିଶିକି ନଭେମ୍ବର ପର୍ଯ୍ୟନ୍ତ ସତର୍କ ରହିଲେ, କୋଭିଡକୁ ହରାଇ ପାରିବା।"
ଜିଲ୍ଲାୱାରି ସ୍ଥିତି ଦେଖି ପଦକ୍ଷେପ ନେବାକୁ ଜିଲ୍ଲା ଗୁଡ଼ିକୁ କୁହାଯାଇଛି । ଶୀତଦିନେ ଅଧିକ କାଶ, ସର୍ଦ୍ଦି ରହିବାର ଆଶଙ୍କା ରହିଛି । ତାହା କରୋନାକୁ ବଢ଼ାଇପାରେ । ତେଣୁ ଭିଡ଼ କମାଇ ଆମେ ଏହାକୁ ନିୟନ୍ତ୍ରଣ କରିପାରିବା ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି," ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ କୁହାଯାଇଛି ଯେଉଁଠି ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି, ସେଠାରେ ସତର୍କତା ମୂଳକ ପଦକ୍ଷେପ ନେବେ। ଯେଉଁଠି ଯାହା ପର୍ବ ହେଉଛି, ଯେଉଁଠି ଗହଳି ହେବାର ସମ୍ଭାବନା ଅଛି। ତାକୁ କେମିତି ନିୟନ୍ତ୍ରଣ କରାଯିବ । ସେଥିପାଇଁ ଅଧିକାରୀମାନଙ୍କୁ କ୍ଷମତା ଦିଆଯାଇଛି। ରାଜ୍ୟରେ ସ୍ଥିତି ସ୍ଥିର ଅଛି। ତଥାପି ଆସନ୍ତା ୩ ମାସ ଆମ ପାଇଁ ନିର୍ଣ୍ଣାୟକ ହେବ। ଯେଉଁ ସେରୋ ସର୍ଭେ ହୋଇଥିଲା ସେଥିରେ ୭୦ ପ୍ରତିଶତ ଲୋକଙ୍କ ଇମ୍ୟୁନିଟି ଥିବା ଜଣାପଡ଼ିଛି । ତେଣୁ ଯଦି ଟିକାକରଣ ଓ ଇମ୍ୟୁନିଟି ବଢିବ ତାହେଲେ ସଂକ୍ରମଣ ସମ୍ଭାବନା କମିଯିବ। ତେଣୁ ୩ ମାସ ଭିତରେ ଯେଉଁ ପାର୍ବଣ ଅଛି ସେଥିରେ ସତର୍କ ରହିବାକୁ ପଡ଼ିବ"।
ଗୋଟେ ପଟେ ସ୍ୱାସ୍ଥ୍ୟ ବିଭାଗ ସତର୍କତା ମୂଳକ ପଦକ୍ଷେପ ନେଉଥିବା ବେଳେ ଟୀକାକରଣ ଉପରେ ବି ଗୁରୁତ୍ୱ ଦେଇଛି। କେବଳ ଗତ ମାସରେ ୮୫ ଲକ୍ଷ ଟୀକାକରଣ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ କୋଟି ୧୬ ଲକ୍ଷ ଟିକାକରଣ ସରିଛି । ଡିସେମ୍ବର ସୁଦ୍ଧା ପ୍ରଥମ ଡୋଜ ଟୀକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି।
ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି," ଯେଉଁମାନେ ଟିକା ନେବା ପାଇଁ ଟିକାକରଣ କେନ୍ଦ୍ରକୁ ଯାଇପାରୁନାହାନ୍ତି ତାଙ୍କ ପାଇଁ ସ୍ୱାସ୍ଥ୍ୟ ବିଭାଗ ଏକ ସ୍ଵତନ୍ତ୍ର ଯୋଜନା ପ୍ରସ୍ତୁତ କରୁଛି । ଏଥିପାଇଁ ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ଚିଠି ଦିଆଯାଇଛି। ଏହାସହ ଆଜି ସନ୍ଧ୍ୟା ସୁଦ୍ଧା ଏକ ହେଲପଲାଇନ ନମ୍ବର ଜାରି କରାଯିବ। ସେମାନେ ଏହି ନମ୍ବରରେ କଣ୍ଟାକ୍ଟ କଲା ପରେ ତାଙ୍କ ଘରକୁ ମୋବାଇଲ ଭ୍ୟାନରେ ଯାଇ ତାଙ୍କୁ ଟିକା ଦେବ"।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଥିରେ ଭିନ୍ନକ୍ଷମ ଓ ଯେଉଁମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଆସିବା କରିପାରୁନଥିବେ ତାଙ୍କୁ ଅନ୍ତର୍ଭୁକ୍ତ କରାଯିବ। ସାଧାରଣତଃ ଶିଶୁମାନେ ଶୀତ ଦିନରେ ଅଧିକ ଥଣ୍ଡାର ଶିକାର ହୋଇଥାନ୍ତି। ତେଣୁ ଘରେ ରହିଲେ ମଧ୍ୟ କେମିତି ସୁରକ୍ଷିତ ରହିବେ ତା ଉପରେ ଗୁରୁତ୍ୱ ଦେବା ଉଚିତ। ଏହା ସହ ଘରର ଅନ୍ୟ ସଦସ୍ୟ ମାନେ ଟିକା ନେବା ସହ କୋଭିଡ ଗାଉଡ଼ଲାଇନ ପାଳନ କଲେ ଶିଶୁମାନେ ନିରାପଦ ରହିବେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।