ଦୀପ ଜଳେଇ ସାରି ବନ୍ଧୁକରୁ ଗୁଳି ଫୁଟେଇ କରୋନାକୁ ବାହାର କରୁଥିଲେ ଏହି ବିଜେପି ନେତ୍ରୀ

ମଞ୍ଜୁ ତିୱାରୀ ରିଭଲଭର ଧରି ଲକ୍ଷ୍ୟହୀନ ଭାବେ ଆକାଶରେ ଗୁଳି ଚଳାଉଥିବା ଦେଖିବାକୁ ମିଳିଛି । ତାଙ୍କ ସ୍ୱାମୀ ଏହି ଭିଡିଓଟିକୁ ସୁଟ୍ କରିଥିଲେ ବୋଲି କୁହାଯାଉଛି ।

ଦୀପ ଜଳେଇ ସାରି ବନ୍ଧୁକରୁ ଗୁଳି ଫୁଟେଇ କରୋନାକୁ ବାହାର କରୁଥିଲେ ଏହି ବିଜେପି ନେତ୍ରୀ
ମଞ୍ଜୁ ତିୱାରୀ ରିଭଲଭରରୁ ଗୁଳି ଫୁଟାଉଥିବାର ଏକ ଦୃଶ୍ୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଲକ୍ଷ୍ନୌ: ରବିବାର ଦିନ ସାରା ଦେଶ ଯେତେବେଳେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସ୍‌ ବିରୁଦ୍ଧରେ ନଅ ମିନିଟ୍ ପାଇଁ ଦୀପ, ମହମବତୀ ଓ ଟର୍ଚ୍ଚ ଲାଇଟ୍‌ ଜାଳିବାକୁ ଦେଇଥିବା ଆହ୍ୱାନ ମାନି ଏକଜୁଟ ହୋଇଥିଲା, ସେତେବେଳେ ଉତ୍ତର ପ୍ରଦେଶ ବିଜେପିର ଏକ ମହିଳା ଶାଖାର ଜଣେ ସ୍ଥାନୀୟ ନେତ୍ରୀ ରିଭଲଭରରୁ ବାୟୁରେ ଗୁଳି ଚଳାଇଥିଲେ ।

ବଳରାମପୁରର ବିଜେପି ନେତ୍ରୀ ମଞ୍ଜୁ ତିୱାରୀ ନିଜର ଏହି କୃତ୍ୟକୁ କ୍ୟାମେରାରେ ସୁଟିଂ କରି ନିଜ ଫେସବୁକ୍ ଆକାଉଣ୍ଟରେ ଅପଲୋଡ୍ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ଏହି ଭିଡିଓ ବଡ଼ ଜଲଦି ଭାଇରାଲ ହୋଇ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ତୀବ୍ର ସମାଲୋଚନାର ଶରବ୍ୟ ହୋଇଥିଲା । ସୋସିଆଲ ମିଡିଆ ବ୍ୟବହାରକାରୀମାନେ ମଞ୍ଜୁ ତିୱାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।

ଦେଶର ଅନ୍ୟ ରାଜ୍ୟମାନଙ୍କ ପରି ଉତ୍ତର ପ୍ରଦେଶରେ ବି ଉତ୍ସବ ପାଳନ ପାଇଁ ଗୁଳି ଚାଳନା କରିବା ବେଆଇନ ଓ ନିଷେଧ । ଏହା ଜାଣିବା ସତ୍ତ୍ୱେ ତିୱାରୀ ଏମିତି କରିଥିବାରୁ ତାଙ୍କୁ ଭୀଷଣ ସମାଲୋଚନା କରାଯାଇଛି ।

ଭିଡିଓରେ ତିୱାରୀ ଏକ ରିଭଲଭର ଧରିଥିବାର ଦେଖିବାକୁ ମିଳିଛି । ରିଭଲବରଟି ତାଙ୍କ ସ୍ୱାମୀ ଓମ ପ୍ରକାଶଙ୍କ । ସେ ବିନା କୌଣସି ଲକ୍ଷ୍ୟରେ ଆକାଶରେ ଗୁଳି ଚଳାଇଥିବାର ନଜର ଆସିଛନ୍ତି । ତିୱାରୀ ପ୍ରଥମେ ତାଙ୍କ ଘରର ଟେରାସରେ ଦୀପ ଜାଳିଥିଲେ ଓ ତା’ପରେ ରିଭଲବରରୁ ଗୁଳି ଚଳେଇଥିଲେ । ତାଙ୍କ ସ୍ୱାମୀ ଭିଡିଓଟିକୁ ସୁଟ୍ କରିଥିଲେ ବୋଲି କୁହାଯାଉଛି ।

ବିଜେପି ନେତ୍ରୀ ଜଣକ ଏହି ଭିଡିଓକୁ ଫେସବୁକରେ ସେୟାର କରି ସେଥିରେ କ୍ୟାପସନ ଦେଇ ଲେଖିଛନ୍ତି, “ଦୀପ ଜଲାନେ କେ ବାଦ୍ କରୋନା ଭାଇରସ୍ ଭଗାତେ ହୁଏ (ଦୀପ ଜଳେଇବା ପରେ କରୋନା ଭାଇରସକୁ ଗୋଡ଼େଇ ବାହାର କରୁଛି)।”

ଏହି ଭିଡିଓଟି ସବୁ ମହଲରୁ ତୀବ୍ର ଭାବେ ସମାଲୋଚିତ ହୋଇଥିବା ବେଳେ ତିୱାରୀଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।
First published: April 6, 2020, 3:33 PM IST
corona virus btn
corona virus btn
Loading