ପିପିଲି Bypoll: ରାଜ୍ୟରେ କରୋନା ସଙ୍କଟ ବଢ଼ିଚାଲିଥିବାରୁ କୌଣସି ସଭା ଓ ପ୍ରଚାର କରିବ ନାହିଁ BJD
ଏକ ଦାୟିତ୍ୱବାନ ଦଳ ଭାବେ ବିଜେଡି କୋଭିଡର ଏହି ଭୟଙ୍କର ସ୍ଥିତିରେ କୌଣସି ଲୋକକୁ ବିପଦରେ ପକାଇବାକୁ ଚାହେଁ ନାହିଁ ବୋଲି କହିଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।
ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ
- News18 Odia
- Last Updated: April 19, 2021, 11:48 PM IST
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣର ସ୍ଥିତି ଦିନକୁ ଦିନ ସଙ୍ଗୀନ ହେଉଥିବାରୁ ପିପିଲି ଉପନିର୍ବାଚନ ପରିପେକ୍ଷୀରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ଉପନିର୍ବାଚନ ସମୟରେ ବିଜେଡି ଆଉ କୌଣସି ପ୍ରଚାର ସଭା କିମ୍ବା ରାଲି କରିବ ନାହିଁ ବୋଲି ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
ପ୍ରଚାର ଅବଧି ଓ ପ୍ରଚାର ସମ୍ପର୍କରେ ଅନ୍ୟ ରାଜନୈତିକ ଦଳ ଓ ଭାରତର ନିର୍ବାଚନ କମିଶନ ବିଚାର କରିବାକୁ ନବୀନ ଅନୁରୋଧ କରିଛନ୍ତି । ସେ କହିଛନ୍ତି, ‘‘ଆମେ ଲୋକଙ୍କ ସେବା ପାଇଁ ନିର୍ବାଚନ ଲଢ଼ୁଛୁ । ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ । ଓଡ଼ିଶାବାସୀଙ୍କୁ ମୁଁ ମୋ’ର ପରିବାର ସଦସ୍ୟ ବୋଲି ମନେ କରେ । କାହାକୁ ବିପଦରେ ପକାଇବା ଆମ ଉଦ୍ଦେଶ୍ୟ ନୁହେଁ । ଏକ ଦାୟିତ୍ୱବାନ ଦଳ ଭାବେ ବିଜେଡ଼ି କୋଭିଡର ଏହି ଭୟଙ୍କର ସ୍ଥିତିରେ କୌଣସି ଲୋକକୁ ବିପଦରେ ପକାଇବାକୁ ଚାହେଁ ନାହିଁ ।’’
ଏହା ବି ପଢ଼ନ୍ତୁ | ସାବଧାନ! Corona ଭୂତାଣୁ ମୁଖ୍ୟତଃ ବାୟୁ ମାଧ୍ୟମରେ ହିଁ ବ୍ୟାପୁଛି ବୋଲି ଦୃଢ଼ ପ୍ରମାଣ ମିଳିଲା
ଏହା ବି ପଢ଼ନ୍ତୁ | ମେ ୧ ତାରିଖରୁ ଦେଶରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତେ ନେଇପାରିବେ କରୋନା ଭ୍ୟାକ୍ସିନ୍
ଗତ ତିନି ଦିନରେ ରାଜ୍ୟରେ ସଂକ୍ରମଣ ସଂଖ୍ୟାକୁ ଦେଖିଲେ ସ୍ପଷ୍ଟ ଭାବେ ବାରି ହୋଇପଡୁଛି ଯେ ସ୍ଥିତି ବିଗିଡି଼ବାରେ ଲାଗିଛି। ଏପ୍ରିଲ ୧୭ ତାରିଖରେ ୩,୧୪୪ ଜଣ ସଂକ୍ରମିତ ହୋଇଥିବା ବେଳେ ଚାରି ଜଣ ଆକ୍ରାନ୍ତଙ୍କ ଜୀବନ ଯାଇଥିଲା । ଏପ୍ରିଲ ୧୮ ତାରିଖରେ ୩,୬୬୪ ଜଣ ସଂକ୍ରମିତ ହୋଇଥିଲେ ଓ ଦୁଇ ଜଣ ଆକ୍ରାନ୍ତଙ୍କ ଜୀବନ ଯାଇଥିଲା । ସୋମବାର ଦିନ (ଏପ୍ରିଲ୍ ୧୯) ୪,୪୪୫ ଜଣ ସଂକ୍ରମିତ ହୋଇଥିବା ବେଳେ ଚାରି ଜଣ ଆକ୍ରାନ୍ତଙ୍କ ଜୀବନ ଯାଇଛି । ଗତ ତିନି ଦିନର ଏହି ଚିତ୍ର ଦର୍ଶାଉଛି ଯେ ଦୈନିକ ସଂକ୍ରମଣ ତୀବ୍ର ଗତିରେ ବଢ଼ୁଛି ଓ ପ୍ରତି ଦିନ କିଛି ନା କିଛି ମୁଣ୍ଡ ନେଉଛି ।
ଏହା ବି ପଢ଼ନ୍ତୁ | ଏ ଥର CBI ଉପରେ ଭାରି ପଡ଼ିଲେ କପିଳ ସିବଲ୍, HCରୁ ଲାଲୁ ଯାଦବଙ୍କ ଜାମିନ୍ କରାଇଲେ
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରଥମ ଲହରରେ ପିକ୍ ହେବାକୁ ଛଅ ମାସ ଲାଗିଥିବା ବେଳେ ବର୍ତ୍ତମାନର ଦ୍ୱିତୀୟ ଲହରକୁ ନିଜ ଶୀର୍ଷ ଛୁଇଁବାକୁ ଛଅ ସପ୍ତାହ ବି ଲାଗିନି । ତେବେ ଆଶ୍ୱସ୍ତିକର କଥା ହେଉଛି ଯେ ଦ୍ୱିତୀୟ ଲହରରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିଲେ ବି ମୃତ୍ୟୁ ହାର କମ୍ ରହିଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | କୁକୁର ଛୁଆମାନେ ମାଲିକାଣିଙ୍କ ସହ ମିଶି ଯୋଗ କଲେ; VIDEO ଭାଇରାଲ୍ ହେଉଛି; ଦେଖନ୍ତୁ
‘‘ରାଜ୍ୟରେ ଦୈନିକ ସଂକ୍ରମଣ ନିୟମିତ ଭାବେ ବଢ଼ୁଥିଲେ ବି ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ଭଲ ସ୍ଥିତିରେ ଅଛି । କିନ୍ତୁ ଏବେ ଢିଲା ହେଲେ ସ୍ଥିତି ବିଗିଡିବାର ଆଶଙ୍କା ଅଛି । ସେଇଥି ପାଇଁ ସତର୍କତା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ସବୁ ଜିଲ୍ଲାର ଟୋଲ୍-ଫ୍ରି ନମ୍ବରକୁ ଆକ୍ଟିଭ କରାଯିବ । ସ୍ଥାନୀୟ ସ୍ତରରେ ସଂକ୍ରମିତ ହେଉଥିବା ବ୍ୟକ୍ତି ଆଶା କର୍ମୀ ଓ ଅଙ୍ଗନବାଡି଼ କର୍ମୀମାନଙ୍କ ସହ ଯୋଗାଯୋଗ କରିବା ଉଚିତ । ଦ୍ୱିତୀୟ ଲହର ଅଧିକ ବେଗରେ ବଢ଼ୁଥିବାରୁ ଟେଷ୍ଟି, ଟ୍ରେସିଂ ଓ ଟ୍ରିଟିଂ ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର । ଆଗକୁ ଟେଷ୍ଟ ସଂଖ୍ୟା ୫୦,୦୦୦ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି,’’ କହିଛନ୍ତି ଡି.ଏମ୍.ଇ.ଟି. ଡଃ ସି.ବି.କେ. ମହାନ୍ତି ।
ଏହା ବି ପଢ଼ନ୍ତୁ | ଅଭିନେତା ଶାହିଦ କପୁର୍ଙ୍କ ମା’ ନୀଳିମା ଅଜିମ୍ କାହିଁକି ନିଜ ପତି ପଙ୍କଜ କପୁର୍ଙ୍କ ଠାରୁ ଅଲଗା ହୋଇଥିଲେ?
ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ‘‘ସ୍ଥିତି ଦେଖି ହସପିଟାଲରେ ବେଡ଼ ସଂଖ୍ୟା ବୃଦ୍ଧି କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏବେ ରାଜ୍ୟର ହସପିଟାଲଗୁଡ଼ିକରେ ପର୍ଯ୍ୟାପ୍ତ ବେଡ଼ ରହିଛି ।’’
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ୧୮ ତାରିଖ ସୁଦ୍ଧା ରାଜ୍ୟରେ ୯,୦୦୮ଟି ବେଡ୍ ରହିଥିଲା । ଘରୋଇ ହସ୍ପିଟାଲରେ ୪,୬୪୦ଟି ବେଡ୍ ଓ ସରକାରୀ ହସ୍ପିଟାଲରେ ୪,୩୬୮ବେଡ଼ ରହିଥିଲା, କିନ୍ତୁ ରୋଗୀ ଥିଲେ ୧,୫୭୬, ଯାହା ବେଡ୍ ସଂଖ୍ୟାର ୧୭.୫୦ ପ୍ରତିଶତ । ରାଜ୍ୟରେ ସମୁଦାୟ ଆଇସିୟୁ ବେଡ଼ ସଂଖ୍ୟା ୨,୦୧୮ ଥିବା ବେଳେ ଏବେ ସେଥିରେ ରୋଗୀ ଅଛନ୍ତି ୪୨୪ ଜଣ । ଭେଣ୍ଟିଲେଟର ସଂଖ୍ୟା ୭୮୨ ରହିଥିବା ବେଳେ ସେଥିରେ ରୋଗୀ ଅଛନ୍ତି ୫୯ ଜଣ । ରାଜ୍ୟର ଭେଣ୍ଟିଲେଟର ସଂଖ୍ୟା ତୁଳନାରେ ରୋଗୀଙ୍କ ସଂଖ୍ୟା ମାତ୍ର ୭.୫୪ ପ୍ରତିଶତ ।
‘‘ଯେଉଁ ଜିଲ୍ଲାରେ ଆକ୍ରନ୍ତଙ୍କ ସଂଖ୍ୟା ବଢି଼ବ ସେଠାରୁ ନିକଟସ୍ଥ ଜିଲ୍ଲାକୁ ରେଫର୍ କରାଯିବା ନେଇ ବ୍ୟବସ୍ଥା ରହିଛି । ପଶ୍ଚିମ ଓଡ଼ିଶାରେ ସଂକ୍ରମଣ ବଢ଼ୁଥିବାରୁ ସଚେତନତା ସହ ଡୋର୍ ଟୁ ଡୋର୍ ସର୍ଭେଇଲାନ୍ସ ଉପରେ ଆମେ ଗୁରୁତ୍ୱ ଦେଉଛୁ,’’ କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । କେବଳ ଏପ୍ରିଲ୍ ମାସର ପ୍ରଥମ ୧୯ ଦିନରେ ରାଜ୍ୟରେ ୩୧,୬୮୭ ଜଣ ଲୋକ କରୋନା ସଂକ୍ରମିତ ହେଲାଣି ।






