News18 Odia Digital
ଭୁବନେଶ୍ୱର: ସାଧାରଣ ବଣ୍ଟନ ବ୍ୟବସ୍ଥାରୁ ବାୟୋମେଟ୍ରିକ ବ୍ୟବସ୍ଥାକୁ ହଟେଇ ନିଆଯାଇଛି । ଏଣିକି ରାସନ ନେବା ସମୟରେ ହିତାଧିକାରୀଙ୍କ ପାଇଁ ରାଜ୍ୟରେ ବାଧ୍ୟତାମୂଳକ ଭାବେ ଆଧାର ସଂଯୋଗ ଥିବା ବାୟୋମେଟ୍ରିକ ଡାଟା ଆଉ ଦରକାର ନାହିଁ । କୋଭିଡ ମହାମାରୀ କାରଣରୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ରାଜ୍ୟ ଯୋଗାଣ ବିଭାଗ ଏହି ନୂଆ ବ୍ୟବସ୍ଥା ଜାରି ରଖିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । ଏହାକୁ ପ୍ରଚୁର ଜନ ସମର୍ଥନ ମିଳିଛି
‘‘କରୋନା ମହାମାରୀ କାରଣରୁ ପୂର୍ବରୁ ସୁଲଭ ରାସନ ସାମଗ୍ରୀ ପାଇଁ ବାଧ୍ୟତାମୂଳକ କରାଯାଇଥିବା ଆଧାର ସଂଯୋଗରେ ଟିପ ଚିହ୍ନ ଓ ଆଖିର ଆଇରିସ ମେଳକୁ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ଏହାକୁ ଲାଗୁ କରାଯାଇଛି,’’ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ କରି କହିଛନ୍ତି ।
ଆଧାର ବାୟୋମେଟ୍ରିକ ଫେଲ ହେଉଥିବା କାରଣରୁ ଅନେକ ଯୋଗ୍ୟ ହିତାଧିକାରୀ ବଞ୍ଚିତ ହୋଇଥିବାର ଉଦାହରଣ ଅଛି। ରାସନ କାର୍ଡରେ ଥିବା ଫିଙ୍ଗର ପ୍ରିଣ୍ଟ ମେଳ ଖାଉ ନ ଥିବା ଅଭିଯୋଗରେ ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳର ୭୦ ବର୍ଷୀୟ ଏକାକୀ ମଣିଷ ଉପେନ୍ଦ୍ରଙ୍କ ରାସନ କାର୍ଡକୁ ଦେଢ଼ ବର୍ଷ ତଳେ କାଟି ଦେଇଥିଲା ପ୍ରଶାସନ । ସରକାରୀ ଭତ୍ତା ଓ ରାସନ କାର୍ଡ଼ରେ ମିଳୁଥିବା ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀରେ କଷ୍ଟେ ମଷ୍ଟେ ଚଳିଯାଉଥିବା ଉପେନ୍ଦ୍ରଙ୍କ ପାଇଁ ଦୁର୍ବିସହ ହୋଇପଡ଼ିଥିଲା ଜୀବନ । ସେହି ଦିନରୁ ନିଜ ଗ୍ରାମରେ ଭିକ୍ଷାବୃତ୍ତି କରି ପେଟ ପୋଷୁଛନ୍ତି ସେ। ବାୟୋମେଟ୍ରିକ ଅମେଳ କାରଣରୁ ସାଧାରଣ ବଣ୍ଟନ ବ୍ୟବସ୍ଥାରୁ ଉପେନ୍ଦ୍ରଙ୍କ ଭଳି ବଞ୍ଚିତ ଲୋକଙ୍କ ପାଇଁ ଏହି ନୂଆ ବ୍ୟବସ୍ଥା ଖୁସି ଖବର ଆଣିଛି ।

ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଟ୍ୱିଟ୍
ସରକାରଙ୍କ ଏହି ଉଦ୍ୟମ ସମୟୋପଯୋଗୀ ବୋଲି ମତ ରଖିଛନ୍ତି ପୂର୍ବତନ ରାଜ୍ୟ ଖାଦ୍ୟ କମିଶନ ଡଃ ସିପ୍ରା ମଲ୍ଲିକ। ‘‘କେନ୍ଦ୍ର ସରକାରଙ୍କ ଜାତୀୟ ଖାଦ୍ୟ ସୁରକ୍ଷା ତାଲିକା ଅନୁସାରେ ରାଜ୍ୟରେ ଏବେ ରାସନ କାର୍ଡ଼ ହିତାଧିକାରୀଙ୍କ ସଂଖ୍ୟା ୩ କୋଟି ୨୬ ଲକ୍ଷ । ତେବେ ରାଜ୍ୟ ସରକାରଙ୍କ ତାଲିକା ଏହା ଠାରୁ ଅଧିକ । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ସାନି ତାଲିକାରେ କେନ୍ଦ୍ର ତାଲିକା ପରେ ଥିବା ବଳକା ପ୍ରାୟ ୨୫ ଲକ୍ଷ ହିତାଧିକାରୀଙ୍କୁ ଯୋଡ଼ା ଯାଇଛି । କରୋନା ସମୟରେ ଖାଦ୍ୟ ସୁରକ୍ଷା ଯୋଜନା ଭିତରୁ ଅନେକ ଲୋକ ବଞ୍ଚିତ ହେଉଥିବାରୁ ଏଭଳି ଯୋଜନାକୁ ନୀତିଗତ ଭାବେ ଲାଗୁ କରିଛନ୍ତି ରାଜ୍ୟ ସରକାର, ଯାହା ସ୍ୱାଗତଯୋଗ୍ୟ,’’ କହିଛନ୍ତି ଡଃ ମଲ୍ଲିକ।
ଖାଦ୍ୟ ସୁରକ୍ଷା ଅଧିକାର କର୍ମୀ ରାଜକିଶୋର ମିଶ୍ର କହିଛନ୍ତି, ‘‘ସରକାରଙ୍କ ଏହି ଉଦ୍ୟମ ସ୍ୱାଗତଯୋଗ୍ୟ । ଏହା ଦ୍ବାରା ଖାଦ୍ୟ ଅଭାବରୁ ଆଉ କେହି ବଞ୍ଚିତ ହେବେ ନାହିଁ। ତେବେ ଏଥିରେ ଥିବା ଅନ୍ୟ କିଛି ତ୍ରୁଟିକୁ ସୁଧାରିବା ଦରକାର । କାରଣ ଅନେକ ସମୟରେ ବିଭିନ୍ନ ପ୍ରକାର ଲୋକ କଲ୍ୟାଣ ଯୋଜନାରୁ ପ୍ରକୃତ ହିତାଧିକାରୀ ବଞ୍ଚିତ ହେଉଥିବାର ଉଦାହରଣ ଅଛି ।’’
ଏହା ବି ପଢ଼ନ୍ତୁ:
ରିୟା ଚକ୍ରବର୍ତ୍ତୀଙ୍କୁ ଅଶ୍ଳୀଳ ଓ ଧମକଭରା ମେସେଜ ପଠାଇଥିବା ୨ ଜଣଙ୍କ ବିରୋଧରେ FIR ହେଲାଏହା ବି ପଢ଼ନ୍ତୁ:
ଡ୍ରୋନ୍ ବୈଜ୍ଞାନିକ ଭାବେ ଅଜସ୍ର ଖ୍ୟାତି ପାଇଥିବା କର୍ଣ୍ଣାଟକ ଯୁବକ ପ୍ରତାପଙ୍କ ମିଛ ଧରାପଡ଼ିଲାପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ୱାନ ନେସନ ୱାନ ରାସନ କାର୍ଡ଼’ ଯୋଜନାରେ ସାମିଲ ହୋଇଥିଲା ଓଡ଼ିଶା । ଏବେ ଆରମ୍ଭ ହୋଇଥିବା ବାୟୋମେଟ୍ରିକ-ମୁକ୍ତ ବ୍ୟବସ୍ଥାର ବାସ୍ତବ ଉପଲବ୍ଧି ଲୋକଙ୍କ ଭିତରେ ଅନୁଭୂତ ହେବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।
Published by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।