ଚାକିରି ପୋଲିସରେ, ନିଶା ସମାଜସେବା: ନିଜେ ତିଆରି କରି ମାସ୍କ ଓ ଗ୍ଲୋଭସ୍ ବାଣ୍ଟୁଛନ୍ତି ସବିତା

ଆର୍.ପି.ଏଫ୍.ରେ କାର୍ଯ୍ୟରତ ସବିତା ରଥ ମାର୍ଚ୍ଚ ମାସରୁ ସବୁ ଦିନ ଅଫିସରୁ ଫେରି ଘରେ ବସି ତିଆରି କରୁଛନ୍ତି ମାସ୍କ ଓ ଗ୍ଲୋଭସ୍ । ବୁଲି ବୁଲି ଗରିବ ଓ ନିରାଶ୍ରୟ ଲୋକଙ୍କୁ ତାହା ବାଣ୍ଟୁଛନ୍ତି ।

ଚାକିରି ପୋଲିସରେ, ନିଶା ସମାଜସେବା: ନିଜେ ତିଆରି କରି ମାସ୍କ ଓ ଗ୍ଲୋଭସ୍ ବାଣ୍ଟୁଛନ୍ତି ସବିତା
ରେଳ ଷ୍ଟେସନ ପାଖରେ ଗରିବ ଲୋକଙ୍କୁ ମାସ୍କ ଓ ଗ୍ଲୋଭସ୍ ବାଣ୍ଟୁଛନ୍ତି ସବିତା ଓ ତାଙ୍କର ଜଣେ ସହକର୍ମୀ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସେ ବୃତ୍ତିରେ ପୋଲିସ କର୍ମୀ, ହେଲେ ନିଶାରେ ସମାଜସେବୀ । ସେହି ନିଶାରେ ଅନୁପ୍ରାଣିତ ହୋଇ ଏବେ ଚାଲିଥିବା ଲକଡାଉନ ସମୟରେ ସାରା ଭୁବନେଶ୍ୱରରେ ଗରିବ ଓ ଦିନ ମଜୁରିଆଙ୍କୁ ସେ ବୁଲି ବୁଲି ବାଣ୍ଟୁଛନ୍ତି ନିଜ ଖର୍ଚ୍ଚରେ ମାସ୍କ, ଗ୍ଲୋଭସ୍‌ ଓ ସାନିଟାଇଜର ଆଦି ସାମଗ୍ରୀ । ଏହା ସହ ସମସ୍ତଙ୍କୁ ସାମାଜିକ ଦୁରତ୍ୱର ମହତ୍ତ୍ୱ ବି ବୁଝାଉଥିଛନ୍ତି ସବିତା ରଥ ।

ରେଲୱେ ପ୍ରୋଟେକ୍ସନ ଫୋର୍ସ (RPF)ରେ ୨୨ ବର୍ଷ ହେଲା କାମ କରି ଆସୁଥିବା ସବିତା ସପରିବାର ରହନ୍ତି ଭୁବନେଶ୍ୱରର ନୂଆ ସରକାରୀ କଲୋନୀରେ । ତାଙ୍କ ସ୍ୱାମୀ ଶିକ୍ଷକତା କରନ୍ତି । ଲକଡାଉନ୍‌ ଆରମ୍ଭ ହେବା ଦିନ ଠାରୁ ଦୈନିକ ଅଫିସ୍‌ ଡିଉଟି ସରିବା ପରେ ସବିତା ଘରେ ବସି ମାସ୍କ ଓ ଗ୍ଲୋଭସ୍‌ ତିଆରି କରୁଛନ୍ତି । ତା’ପରେ ବୁଲି ବୁଲି ଗରିବ ଓ ନିରାଶ୍ରୟ ଲୋକଙ୍କୁ ଏସବୁ ବାଣ୍ଟୁଛନ୍ତି । ମାର୍ଚ୍ଚ ମାସରୁ ସେ ନିଜେ ବ୍ୟକ୍ତିଗତ ସ୍ତରରେ ଆରମ୍ଭ କରିଥିବା ଏହି ଉଦ୍ୟମରେ ଏ ଯାଏଁ ପ୍ରାୟ ଦେଢ଼ ହଜାର ଗ୍ଲୋଭ, ମାସ୍କ ଓ ସାନିଟାଇଜର ସେ ବାଣ୍ଟି ସାରିଲେଣି ।

‘‘ପିଲା ଦିନରୁ ସମାଜସେବା କରିବାକୁ ମୋ’ ଭିତରେ ଥିଲା ପ୍ରଚୁର ଆଗ୍ରହ । ଛାତ୍ର ଜୀବନରୁ ମୁଁ ଏଥିରେ ନିଜକୁ ସାମିଲ କରି ଆସିଛି । ଚାକିରୀ ଜୀବନରେ ମଧ୍ୟ ଏଭଳି ସମାଜ ସେବାରୁ ମତେ ମିଳିଛି ପ୍ରକୃତ ଆନନ୍ଦ । ମହାବାତ୍ୟା ସମୟରେ ଓ ଗଲା ବର୍ଷ ଫନି ବାତ୍ୟା ସମୟରେ ମୁଁ ନିଜ ସାଧ୍ୟମତେ ଗରିବ ଲୋକଙ୍କୁ ସହାୟତା କରିବାକୁ ଚେଷ୍ଟା କରିଥିଲି । ଏବେ ଲକଡାଉନ ମତେ ଲୋକଙ୍କ ସେବା ପାଇଁ ଆଉ ଏକ ସୁଯୋଗ ଦେଇଛି,’’ କହିଛନ୍ତି ସବିତା ।

ମାର୍ଚ୍ଚ ୨୨ ତାରିଖରେ ପାଳନ ହୋଇଥିବା ଜନତା କର୍ଫ୍ୟୁରେ ସେ ଆଗ୍ରହର ସହ ସାମିଲ ହୋଇଥିଲେ । ସେବେ ଠାରୁ ସମାଜର ଅବହେଳିତ ଲୋକଙ୍କ ପାଇଁ ସାନିଟାଇଜର, ମାସ୍କ ଓ ଗ୍ଲୋଭ ବାଣ୍ଟିବାକୁ ଆଗ୍ରହ ବଢ଼ିଥିଲା ତାଙ୍କର । ‘‘ସେବେ ଠାରୁ ଦୈନିକ ଏହି କାମ ମୁଁ କରି ଚାଲିଛି । ମୁଁ ଭାବେ ମୋ ପାଇଁ ମାନବ ସେବା ହେଲା ମାଧବ ସେବା । ମେତେ ଏହି କାମରେ ସାହାଯ୍ୟ କରୁଛନ୍ତି ମୋ’ର କିଛି ଅଫିସ୍‌ ସହକର୍ମୀ,’’ ସେ କହିଛନ୍ତି ।

ସବିତାଙ୍କ ସହକର୍ମୀ ବିଜୟିତା ପାତ୍ର କହନ୍ତି: ‘‘ଅଫିସର ଡ୍ୟୁଟି ସାରି ଏହି ସମାଜ ସେବାରେ ମାତିବାକୁ ପ୍ରଥମେ ପ୍ରଥମେ ମୋତେ କଷ୍ଟ ଲାଗୁଥିଲା । ଏବେ ଅଭ୍ୟାସରେ ପଡ଼ିଗଲାଣି । ଏବେ ଦିନେ ନ ଗଲେ ଭଲ ଲାଗୁନି । ଲୋକଙ୍କ ମୁହଁରେ ଟିକେ ଖୁସି ଦେଖିଲେ ଭଲ ଲାଗୁଛି ।’’ ସବିତାଙ୍କ ଅନ୍ୟ ସହକର୍ମୀମାନେ ବି ଅନୁରୂପ ମତ ଦେଇଛନ୍ତି ।

ସବିତାଙ୍କ ଏହି ଉଦ୍ୟମକୁ ତାଙ୍କ ପରିବାର ଲୋକେ ଭରପୁର ସମର୍ଥନ କରୁଥିବା ସେ କହିଛନ୍ତି । ତାଙ୍କ ସ୍ୱାମୀ କହନ୍ତି ଯେ ସବିତା ଆରମ୍ଭରୁ ସମାଜ ସେବା ପ୍ରତି ଆଗ୍ରହୀ ଥିଲେ । ‘‘ମୁଁ ତାଙ୍କୁ ପ୍ରଥମରୁ ଆଜି ପର୍ଯ୍ୟନ୍ତ ନୈତିକ ସମର୍ଥନ ଦେଇ ଆସିଛି,’’ ସେ କହିଛନ୍ତି ।
First published: May 5, 2020, 11:06 PM IST
corona virus btn
corona virus btn
Loading