କରୋନା ସୁରକ୍ଷା: ଭୁବନେଶ୍ୱରର ରସୁଲଗଡ଼ରେ ଲୋକେ ସିଲ୍ କଲେ ମୁଖ୍ୟ ରାସ୍ତା

ଗାଁ ଲୋକଙ୍କ ଯୁକ୍ତି ଯେ ଯଦିଓ ରାଜଧାନୀରେ ଦୁଇ ସପ୍ତାହ ହେଲା ନୂଆ କୋଭିଡ ପଜିଟିଭ ବାହାରିନାହିଁ, ଆଗକୁ ନ ବାହାରିବ ବୋଲି କହିହେବନି । ତେଣୁ ନିଜ ସୁରକ୍ଷା ସେମାନେ ନିଜ ହାତକୁ ନେଇଛନ୍ତି ।

କରୋନା ସୁରକ୍ଷା: ଭୁବନେଶ୍ୱରର ରସୁଲଗଡ଼ରେ ଲୋକେ ସିଲ୍ କଲେ ମୁଖ୍ୟ ରାସ୍ତା
ରସୁଲଗଡ଼କୁ ପ୍ରବେଶ ପାଇଁ ଥିବା ମୁଖ୍ୟ ରାସ୍ତାକୁ ସିଲ୍ କରୁଛନ୍ତି ଗ୍ରାମବାସୀମାନେ ।
  • News18 Odia
  • Last Updated: April 28, 2020, 10:41 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଦୁଇ ସପ୍ତାହ ଧରି ଭୁବନେଶ୍ୱରରେ କୌଣସି  ନୂଆ ପଜିଟିଭ ଘଟଣା ସାମ୍ନାକୁ ଆସିନାହିଁ ସତ, ହେଲେ ରାଜଧାନୀ ବାସିନ୍ଦାଙ୍କୁ କୋଭିଡ  ସଂକ୍ରମଣ ଭୟ ଛାଡୁନାହିଁ। ଏହି ସଂକ୍ରମଣ ଭୟରେ ରାଜଧାନୀ ଭୁବନେଶ୍ୱରର ରସୁଲଗଡ଼ ଗାଁ ବାସିନ୍ଦା ନିଜ ଆଡୁ ଗାଁ ଭିତରକୁ ମୁଖ୍ୟ ପ୍ରବେଶ ରାସ୍ତାକୁ ସିଲ କରିଛନ୍ତି । ଲକଡାଉନ ସମୟରେ ଓ ବମିଖାଲରେ ପଜିଟିଭ ସଂଖ୍ୟା ବଢ଼ିବା ବେଳେ ଏହି ପ୍ରବେଶ ପଥକୁ ପ୍ରାୟ ଗୋଟିଏ ମାସ ଧରି ବନ୍ଦ ରଖିଥିଲା ପ୍ରଶାସନ । ଲକଡାଉନ ସାମାନ୍ୟ କୋହଳ ହେବାରୁ ସୋମବାର ଏହାକୁ ଉଠାଇ ଦିଆଯାଇଥିଲା ।

ଗାଁ ଲୋକଙ୍କ ଯୁକ୍ତି ଯେ ଯଦିଓ ରାଜଧାନୀରେ ଦୁଇ ସପ୍ତାହ ହେଲା ନୂଆ କୋଭିଡ ପଜିଟିଭ ବାହାରିନାହିଁ, ଆଗକୁ ନ ବାହାରିବ ବୋଲି କହିହେବନି । ତେଣୁ ନିଜ ସୁରକ୍ଷା ସେମାନେ ନିଜ ହାତକୁ ନେଇଛନ୍ତି । ଲକ୍ଷ୍ୟ ହେଲା ଗାଁକୁ ବାହାର ଲୋକଙ୍କ ପ୍ରବେଶ ରୋକିବା ।

‘‘ଏବେ ବି କୋଭିଡ ପଜିଟିଭର ହଟ ସ୍ପଟ ତାଲିକାରେ ଅଛି ରାଜଧାନୀ ଭୁବନେଶ୍ୱର । ସ୍ୱାଭାବିକ ହୋଇ ପାରୁନି ରାଜଧାନୀର ଜୀବନଧାରା । ରାଜଧାନୀ ବାସିନ୍ଦାଙ୍କ ଭିତରେ କୋଭିଡ ସଚେତନତା ସହିତ ପ୍ରଶାସନିକ ତତ୍ପରତା କାରଣରୁ ଏହା ସମ୍ଭବ ହେଲା ବୋଲି କୁହାଯାଉଥିଲେ ବି ଏହି ରୋଗ ନ ଫେରିବ ବୋଲି କିଛି କହି ହେବନି । କାରଣ ଭୁବନେଶ୍ୱରକୁ ରାଜ୍ୟର ସବୁ ପ୍ରାନ୍ତରୁ ଲୋକେ ଆସୁଛନ୍ତି । କିଏ କେତେବେଳେ ରୋଗର ବାହକ ସାଜିବ କହି ହେବନି,’’ କହିଛନ୍ତି ରସୁଲଗଡ଼ ଗ୍ରାମବାସୀ ଶ୍ରୀଧର ବଳୀୟ।ରସିଂ ।

ଆଉ ଜଣେ ଗ୍ରାମବାସୀ ଭ୍ରୁଗୁ ରାଉତ କହିଛନ୍ତି: ‘‘ଏ ରୋଗକୁ ଡାକ୍ତରମାନେ ଠିକ ଭାବେ ଜାଣି ପାରୁନାହାନ୍ତି । ଲକ୍ଷଣ ଦେଖା ଯାଉନି, ହେଲେ ରୋଗ ବ୍ୟାପୁଛି । କିଏ ଜାଣେ କାହାକୁ ଏହା କେତେବେଳେ ସଂକ୍ରମଣ କରିବ । ତେଣୁ ଆମେ ନିଜ ସୁରକ୍ଷା ନିଜେ କରିବାକୁ ସଂକଳ୍ପ ନେଇଛୁ । ପ୍ରଶାସନ ଓହରିଗଲା ପରେ ଆମେ ଗ୍ରାମବାସୀ ନିଜ ଆଡୁ ଗାଁ ଭିତରକୁ ସର୍ବସାଧାରଣଙ୍କ ପ୍ରବେଶକୁ ବାରଣ କରିଛୁ ।’’

ଆଉ ଜଣେ ଗ୍ରାମବାସୀ ସଂଗ୍ରାମ ବଳୀୟାରସିଂ କହିଛନ୍ତି, ‘‘ଏବେ ସ୍ଥିତି ଅସମ୍ଭାଳ। କୋଲକାତା ଫେରନ୍ତା ରୋଗକୁ ଆମନ୍ତ୍ରଣ କରିଛନ୍ତି । ଏବେ ରାଜ୍ୟ ବାହାରୁ ଆସୁଥିବା ଲକ୍ଷ ଲକ୍ଷ ଶ୍ରମିକମାନେ ଓଡ଼ିଶା ଆସିବା ପରେ ସ୍ଥିତି କଣ ହେବ ଭାବନ୍ତୁ। ସେଥି ପାଇଁ ଆମେ ଗାଁ ଲୋକ ଗାଁ ଭିତରକୁ ପଶିବା ଉପରେ ରୋକ ଲଗାଉଛୁ ।’’

ସ୍ୱାସ୍ଥ୍ୟ ପରିଚାଳନା ବିଶେଷଜ୍ଞ ଭରତ କୁମାର ବେହେରା କହିଛନ୍ତି ଯେ ଲୋକଙ୍କ ସହଯୋଗ ଓ ପ୍ରାଶାସନିକ ଉଦ୍ୟମ କାରଣରୁ ଭୁବନେଶ୍ୱର ରେ କୋଭିଡ-୧୯ ଭାଇରସ ସଂକ୍ରମଣ କମିଛି । ‘‘ହେଲେ ଗାଁ ଲୋକଙ୍କ ଆଶଙ୍କା ଅମୂଳକ ନୁହେଁ । କେବଳ ଏହି ଗୋଟିଏ ଗ୍ରାମj ବାସିନ୍ଦା ନୁହନ୍ତି, ସବୁ ଗ୍ରାମବାସୀ ଏଭଳି ପ୍ରୟାସ କରିବା ଦରକାର । ତାହେଲେ ଆମେ କରୋନା ଉପରେ କାବୁ ପାଇ ପାରିବା,’’ ସେ କହିଛନ୍ତି ।

ଭୁବନେଶ୍ୱର ସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକ ଡକ୍ଟର ସନ୍ଦୀପ ମିଶ୍ର କହିଛନ୍ତି: ‘‘ଦୁଇ ସପ୍ତାହ ଧରି ରାଜଧାନୀ ଭୁବନେଶ୍ବରରେ ନୂଆ ପଜିଟିଭ ଘଟଣା ସାମ୍ନାକୁ ଆସି ନ ଥିଲେ ମଧ୍ୟ ଏବେ ବି କୋଭିଡ ପଜିଟିଭର ହଟ ସ୍ପଟ ଅଛି ଭୁବନେଶ୍ବର । ଏହି କାରଣରୁ ଏଠି ସ୍ୱାଭାବିକ ହୋଇ ପାରୁନି ଜୀବନଧାରା ।  ଭୁବନେଶ୍ୱରରେ ସ୍ଥିତି ସୁଧୁରୁଛି । ହେଲେ ଆହୁରି ସମୟ ଲାଗିବ। ଏ ସଂକ୍ରମଣ ଶୀଘ୍ର ସରିବ ନାହିଁ । ତେଣୁ ଲକଡାଉନ କଟକଣା କୋହଳ କରିବା ସମୟରେ ପ୍ରଶାସନ ସ୍ବତନ୍ତ୍ର ଏକଜିଟ ପଲିସି ଆପଣେଇବା ଦରକାର ।’’
First published: April 28, 2020, 10:41 PM IST
corona virus btn
corona virus btn
Loading