ଲକ୍‌ଡାଉନ୍‌ରେ ଭୁବନେଶ୍ୱର ଓ କଟକରେ ‘ଡୋର ଷ୍ଟେପ୍ ଯୋଜନା’ରେ ଅଭିଯୋଗ ଗ୍ରହଣ କରୁଛି ପୋଲିସ

ବିଶେଷ କରି ଚୋରି, ଡକାୟତି ଓ ଛିନତାଇ ଭଳି ମାମଲାଗୁଡି଼କର ଅଭିଯୋଗ ଡୋର୍ ଷ୍ଟେପ୍ ଯୋଜନା ମାଧ୍ୟମରେ ଗ୍ରହଣ କରୁଛି ପୋଲିସ । ଫୋନ୍ ମାଧ୍ୟମରେ ଅଭିଯୋଗ ପାଇବା ପରେ ଅଭିଯୋଗକାରୀଙ୍କ ଘରେ ପହଞ୍ଚୁଛି ପୋଲିସ ।

ଲକ୍‌ଡାଉନ୍‌ରେ ଭୁବନେଶ୍ୱର ଓ କଟକରେ ‘ଡୋର ଷ୍ଟେପ୍ ଯୋଜନା’ରେ ଅଭିଯୋଗ ଗ୍ରହଣ କରୁଛି ପୋଲିସ
ମେ ୪ ସନ୍ଧ୍ୟାରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ପୋଲିସ କମିଶନର୍ ଓ ଡିସିପି କଥା ହେଉଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଲକଡାଉନ ସମୟରେ କୌଣସି କାରଣରୁ ପୋଲିସ ପାଖରେ ଅଭିଯୋଗ ଦାଖଲ କରିବାର ଆବଶ୍ୟକତା ପଡ଼ିଲେ ଭୁବନେଶ୍ୱର ଓ କଟକର ଲୋକେ କମିସନରେଟ୍‌ ପୋଲିସ୍ର ‘ଡୋରଷ୍ଟେପ୍‌’ ଯୋଜନାର ବ୍ୟବହାର କରିପାରିବେ । ଏହି ଯୋଜନାରେ ଅଭିଯୋଗକାରୀ ନିଜ ଘରୁ ବାହାରକୁ ନ ବାହାରି ପୋଲିସ ପାଖରେ ଅଭିଯୋଗ କରି ପାରୁଛନ୍ତି ।

କୌଣସି ଅଭିଯୋଗ କରିବାର ଥିଲେ ପୋଲିସକୁ ଫୋନ୍‌ କଲେ ଘରେ ପହଞ୍ଚୁଛି ପୋଲିସ । ଏଭଳି ଯୋଜନା କରିବାର କାରଣ ଲୋକଙ୍କୁ ଲକଡାଉନ ସମୟରେ ପଦାକୁ ବାହାରିବାରୁ ରୋକିବା । ଲୋକେ କେମିତି ଘରୁ ବାହାରକୁ ନ ଯାଇ କରୋନା ସଂକ୍ରମଣରୁ ନିଜକୁ ବଞ୍ଚାଇପାରିବେ ତା’ ଉପରେ ଗୁରୁତ୍ୱ ଦେଇ ଏହି ଯୋଜନା ଆରମ୍ଭ କରିଛି କମିଶନରେଟ୍‌ ପୋଲିସ ।

‘‘ଲକଡାଉନ ସମୟରେ ଏହି ଡୋର୍‌ ଷ୍ଟେପ୍‌ ଯୋଜନା ଲୋକଙ୍କୁ ସହାୟତା କରିବ । ଏହି ଯୋଜନା ଅନୁସାରେ ଅଭିଯୋଗକାରୀଙ୍କ ଘରେ ପହଞ୍ଚିବ ପୋଲିସ । ଇଲେକ୍ଟ୍ରୋନିକ୍‌ ମାଧ୍ୟମରେ ଅଭିଯୋଗକାରୀଙ୍କ ପାଖକୁ ଅଭିଯୋଗ ପତ୍ର ପଠାଇଦିଆଯିବ । ବିଶେଷ କରି ଚୋରି, ଡକାୟତି ଓ ଛିନତାଇ ଭଳି ମାମଲାଗୁଡି଼କର ଅଭିଯୋଗ ଡୋର୍‌ ଷ୍ଟେପ୍‌ ଯୋଜନା ମାଧ୍ୟମରେ ଗ୍ରହଣ କରାଯିବ,’’ କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ।

ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ


ଡୋରଷ୍ଟେପ୍‌ ଯୋଜନା ବ୍ୟବହାର କରିବା ପାଇଁ ଅଭିଯୋଗକାରୀଙ୍କୁ ପୋଲିସର ଡାଏଲ୍‌ ୧୦୦ ଅଥବା ସ୍ଥାନୀୟ ଥାନାର ଲ୍ୟାଣ୍ଡଲାଇନ ନମ୍ବର କିମ୍ବା ଥାନା ଅଧିକାରୀଙ୍କ ସିୟୁଜି ନମ୍ବରକୁ ଫୋନ କରିବାକୁ ପଡ଼ିବ । କମିଶନରେଟ ପୋଲିସର ୱେବସାଇଟରେ ଏହି ନମ୍ବରଗୁଡ଼ିକ ଉପଲବ୍ଧ କରାଯାଇଛି ବୋଲି କହିଛନ୍ତି ଡିସିପି ।

‘‘ଅଭିଯୋଗକାରୀ ପୋଲିସକୁ ଫୋନ୍‌ କଲେ ପୋଲିସ ତାଙ୍କୁ ବିଭିନ୍ନ ଜରୁରୀ ପ୍ରଶ୍ନ ପଚାରିବ, ଯେମିତିକି କିଏ କହୁଛ, କେଉଁ ଅଞ୍ଚଳରୁ କହୁଛ ଓ କ’ଣ ଘଟଣା ଘଟିଛି । ଏହା ପରେ ଅଭିଯୋଗକାରୀ ଦେଇଥିବା ଠିକଣାରେ ପୋଲିସର ଏକ ଟିମ୍‌ ପହଞ୍ଚିବ । ଅଭିଯୋଗ ଯେମିତି ରଖାଯାଏ ସମାନ ଢଙ୍ଗରେ ପୋଲିସ ଅଭିଯୋଗ ରଖିବ। ତଦନ୍ତ ମଧ୍ୟ ଯେମିତି ହୁଏ ସେମିତି ହେବ । ଅତି ଆବଶ୍ୟକ ପଡିଲେ ଅଭିଯୋଗକାରୀ ଥାନାକୁ ଆସିବାକୁ ପଡି଼ବ । ନଚେତ ପୋଲିସ ତାଙ୍କ ଘରକୁ ଯାଇ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବ,’’ କହିଛନ୍ତି ମିଶ୍ର ।

ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ମେ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି । ଏହି ସମୟ ମଧ୍ୟରେ ଅଭିଯୋଗକୁ ଡୋରଷ୍ଟେପ୍‌ ମାଧ୍ୟମରେ ସମାଧାନ କରିବାକୁ ଲକ୍ଷ ରଖିଛି କମିଶନରେଟ ପୋଲିସ।

‘‘ଏହା ଏକ ଭଲ ଯୋଜନା । ହେଲେ ପୋଲିସ ଏହାକୁ କେମିତି କାର୍ଯ୍ୟକାରୀ କରୁଛି ତାହା ଉପରେ ଏହାର ସଫଳତା ନିର୍ଭର କରେ । ଲୋକେ ଏହି ଯୋଜନାରୁ ସାହାଯ୍ୟ ନ ପାଇଲେ ଥାନାକୁ ଯିବେ । ସବୁଠୁ ବଡ଼ କଥା ହେଉଛି ଅଭିଯୋଗ ପାଇବାର କେତେ ସମୟ ମଧ୍ୟରେ ପୋଲିସ ଅଭିଯୋଗକାରୀଙ୍କ ପାଖରେ ପହଞ୍ଚୁଛି । ଥାନାରେ ଷ୍ଟାଫ୍‌ ଅଭାବ ଅଛି । ପୋଲିସ କର୍ମୀମାନେ ଲକଡାଉନ ଡ୍ୟୁଟି କରୁଥିବା ବେଳେ ଏହି ଯୋଜନାରେ ଅଭିଯୋଗକାରୀଙ୍କୁ କେତେ ସୁବିଧା ଯୋଗାଇ ଦେଇପାରିବେ ତାହା ଉପରେ ନଜର ରହିବ,’’ କହିଛନ୍ତି ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଦାସ ।
Published by: Anand ST Das
First published: May 5, 2021, 7:33 PM IST