ଭୁବନେଶ୍ୱରରେ ପୋଲିସକୁ କରୋନା ଭୟ ଏତେ ଯେ ଅପରାଧୀକୁ ଧରିବାକୁ କୌଣସି ଚେଷ୍ଟା ହେଉନାହିଁ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୋଲିସ କାହାରିକୁ ଗିରଫ କରୁ ନ ଥିବା ଅଭିଯୋଗ ହେଉଛି l କାହାକୁ ଗିରଫ କଲେ ତାକୁ ଥାନା ହାଜତରେ ରଖିବା, ହସପିଟାଲକୁ ନେବା ଓ କୋର୍ଟ ଚାଲାଣ କରିବା କ୍ରମରେ ଥାନା କର୍ମଚାରୀ କରୋନା ସଂକ୍ରମିତ ହେବାର ସମ୍ଭାବନା ରହିଛି l

ଭୁବନେଶ୍ୱରରେ ପୋଲିସକୁ କରୋନା ଭୟ ଏତେ ଯେ ଅପରାଧୀକୁ ଧରିବାକୁ କୌଣସି ଚେଷ୍ଟା ହେଉନାହିଁ
ହସପିଟାଲ୍ ବେଡ଼ରେ ଜୁନ ୨୩ରୁ ମୃତ୍ୟୁ ବିରୋଧରେ ସଂଗ୍ରାମ କରୁଛନ୍ତି ସୂର୍ଯ୍ୟ ନାୟକ l
  • News18 Odia
  • Last Updated: June 29, 2020, 12:23 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କେତେକ କୋଭିଡ଼ ଯୋଦ୍ଧାଙ୍କୁ ଏବେ ଘାରିଛି କରୋନା ଭାଇରସ୍‌ ସଂକ୍ରମଣ ଭୟ l କାଳେ ଥାନା କର୍ମଚାରୀ କରୋନା ସଂକ୍ରମିତ ହୋଇଯିବେ ସେଥି ପାଇଁ ଅପରାଧୀଙ୍କ ବିରୋଧରେ ଆକ୍ସନ ନେବାକୁ ଚାହୁଁନି ପୋଲିସ l କେବଳ ଏଫଆଇଆର ରୁଜୁ କରି କାମ ସାରି ଦେଉଛି l ମରଣାନ୍ତକ ଆକ୍ରମଣ ଭଳି ସଙ୍ଗୀନ ଆପରାଧିକ ମାମଲାରେ ବି କାର୍ଯ୍ୟାନୁଷ୍ଠାନ ନ ହେବା ଯୋଗୁଁ ପୋଲିସର କାର୍ଯ୍ୟଶୈଳୀ ଉପରେ ଆଙ୍ଗୁଳି ଉଠିଛି l

କରୋନା ମହାମାରୀ ଆଳରେ ଚୋରି, ଡକାୟତି, ଲୁଟ, ରାହାଜାନି ଓ ହତ୍ୟା ଉଦ୍ୟମ ଭଳି ମାମଲାରେ ଅଭିଯୁକ୍ତକୁ ଧରିବାକୁ ଚେଷ୍ଟା ନ କରିବା ଅଭିଯୋଗ ଆସିଛି କମିଶନରେଟ ପୋଲିସ ବିରୋଧରେ l ପୋଲିସ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ବଢୁଛି ଅପରାଧୀଙ୍କ ସାହସ l ଜୁନ ୨୩ ତାରିଖରେ କେଦାରପଲ୍ଲୀ ବସ୍ତିରେ ସୂର୍ଯ୍ୟ ନାୟକ ନାମକ ଯୁବକ ଉପରେ ହୋଇ ଥିବା ମରଣାନ୍ତକ ଆକ୍ରମଣ ଘଟଣା ଖୋଲିଛି ପୋଲିସର କରୋନା-କାଳୀନ କାର୍ଯ୍ୟଶୈଳୀ । ଘଟଣାକୁ ସପ୍ତାହେ ବିତିଗଲାଣି, କିନ୍ତୁ ଆଜି ପର୍ଯ୍ୟନ୍ତ ଅଭିଯୁକ୍ତକୁ ଧରିବାକୁ ପ୍ରୟାସ ହୋଇ ନ ଥିବା ଜଣାପଡ଼ିଛି l ଅଭିଯୁକ୍ତ ଓ ତା’ ସହଯୋଗୀମାନେ ଓଲଟା ଘରେ ପଶି ନାୟକକୁ ଜୀବନରେ ମାରିଦେବାକୁ ଧମକ ଚମକ ଦେଉଛନ୍ତି l

ହସପିଟାଲ୍‌ ବେଡ଼ରେ ଜୁନ ୨୩ରୁ ମୃତ୍ୟୁ ବିରୋଧରେ ସଂଗ୍ରାମ କରୁଛନ୍ତି ବାପୁଜୀ ନଗର କେଦାରପଲ୍ଲୀ ବସ୍ତିର ସୂର୍ଯ୍ୟ ନାୟକ l ଏକ ସାଧାରଣ କଥାକୁ ନେଇ ଜୁନ ୨୨ରେ ସୂର୍ଯ୍ୟଙ୍କ ସହ ସେହି ବସ୍ତିର ଅନ୍ୟ କିଛି ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା l ତା’ ପରଦିନ, ଅର୍ଥାତ ଜୁନ୍‌ ୨୩ରେ, ସୂର୍ଯ୍ୟଙ୍କ ଉପରେ ହୋଇଥିଲା ଅତର୍କିତ ଆକ୍ରମଣ l ଭୁଜାଲି ମାଡ଼ରେ ଗୁରୁତର ଆହତ ହୋଇ ସେହି ଦିନ ଠାରୁ ସେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି l କ୍ୟାପିଟାଲ ଥାନାରେ ସନା ନାୟକ, ପ୍ରଫୁଲ୍ଲ ନାୟକ ଓ କାଳିଆ ନାୟକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି l

ଥାନାରେ କେବଳ ଏଫଆଇଆର ରୁଜୁ ହେଉଛି, ହେଲେ ଅପରାଧୀଙ୍କ ବିରୋଧରେ କୌଣସି ଆକ୍ସନ ହେଉନି l


‘‘ଆଜି ପର୍ଯ୍ୟନ୍ତ ଜଣେ ବି ଅଭିଯୁକ୍ତକୁ ଧରିନି ପୋଲିସ l ଓଲଟା ଅଭିଯୁକ୍ତମାନେ ଘରେ ପଶି ଆମକୁ ଧମକ ଚମକ ଦେଉଛନ୍ତି l ଅଭିଯୁକ୍ତମାନେ ବସ୍ତିରେ ଖୋଲାଖୋଲି ବୁଲୁଛନ୍ତି,’’ କହିଛନ୍ତି ସୂର୍ଯ୍ୟଙ୍କ ଭାଉଜ ମାଧବୀ ନାୟକ ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୋଲିସ କାହାରିକୁ ଗିରଫ କରୁ ନ ଥିବା ଜଣାପଡ଼ିଛି l କୌଣସି ଅଭିଯୁକ୍ତକୁ ଗିରଫ କଲେ ତାକୁ ଥାନା ହାଜତରେ ରଖିବା, ହସପିଟାଲକୁ ନେବା ଓ କୋର୍ଟ ଚାଲାଣ କରିବା ଭଳି ଅନେକ ଦାୟିତ୍ଵ ରହିଛି l ଏହା ଦ୍ଵାରା ଥାନା କର୍ମଚାରୀ କରୋନା ସଂକ୍ରମିତ ହେବାର ଅଧିକ ସମ୍ଭାବନା ରହିଛି l ତେଣୁ କାହିଁକି କାହାକୁ ଗିରଫ କରିବା ଓ କାହିଁକି ରିସ୍କ ନେବା ନୀତି ପୋଲିସ ପାଳନ କରୁଥିବା ଅଭିଯୋଗ ହୋଇଛି l

‘‘କୌଣସି ପରିସ୍ଥିତିରେ ମରଣାନ୍ତକ ଆକ୍ରମଣ ଭଳି ମାମଲାରେ ପୋଲିସ ଚୁପ ବସିବା ଠିକ ନୁହଁ l ଏହା ଦ୍ଵାରା ଅଭିଯୁକ୍ତଙ୍କ ସାହସ ବଢିବ l କରୋନା ସଂକ୍ରମଣ ସତ୍ତ୍ୱେ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରି ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ଅଛି,’’ କହିଛନ୍ତି ବରିଷ୍ଠ ଆଇନଜୀବୀ ବନ ମହାନ୍ତି ।

ଅଭିଯୁକ୍ତକୁ ଧରିବା, ପଚରା ଉଚରା କରିବା ଓ କୋର୍ଟ ଚାଲାଣ କରିବା କ୍ରମରେ ପୁରୀ ଜିଲ୍ଲାର କୁମ୍ଭାରପଡ଼ା, ସାତପଡ଼ା, କୃଷ୍ଣପ୍ରସାଦ, କଣାସ ଓ ବ୍ରହ୍ମଗିରି ଥାନାରେ କାର୍ଯ୍ୟରତ କେତେକ ପୋଲିସ କର୍ମୀ କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଥିଲେ ଓ ସେହି ଥାନାଗୁଡି଼କୁ ସିଲ୍‌ କରାଯାଇଥିଲା l ୨୫ରୁ ଅଧିକ ପୋଲିସ୍‌ କର୍ମଚାରୀଙ୍କୁ ହୋମ କ୍ଵାରେଣ୍ଟାଇନକୁ ପଠାଯାଇଥିଲା l ଏହି ଭୟ ଏବେ ଭୁବନେଶ୍ଵରର କମିଶନରେଟ ପୋଲିସକୁ ଘାରିଥିବା ପରିଲକ୍ଷିତ ହେଉଛି l ତେଣୁ ଥାନାରେ କେବଳ ଏଫଆଇଆର ରୁଜୁ ହେଉଛି, ହେଲେ ଅପରାଧୀଙ୍କ ବିରୋଧରେ କୌଣସି ଆକ୍ସନ ହେଉନି l
First published: June 29, 2020, 12:23 AM IST
corona virus btn
corona virus btn
Loading