ଆମିଷ ପାଇଁ ଡହଳ ବିକଳ; ଚାହିଦାର ଚାରି ଭାଗରୁ ଭାଗେ ମାଛ ଆସୁଛି ଭୁବନେଶ୍ୱରକୁ

ଲକଡାଉନ ଯୋଗୁ ନା ରାଜ୍ୟ ଭିତରେ ମାଛ ଧରା ଠିକ୍ ଭାବରେ ହୋଇପାରୁଛି ନା ବାହାର ରାଜ୍ୟରୁ ପର୍ଯ୍ୟାପ୍ତ ପରିମାଣର ମାଛ ଆସିପାରୁଛି । ଏହାକୁ ନେଇ ଚିନ୍ତାରେ ଉଭୟ ବ୍ୟବସାୟୀ ଓ ଗ୍ରାହକ ।

ଆମିଷ ପାଇଁ ଡହଳ ବିକଳ; ଚାହିଦାର ଚାରି ଭାଗରୁ ଭାଗେ ମାଛ ଆସୁଛି ଭୁବନେଶ୍ୱରକୁ
ଭୁବନେଶ୍ୱରରେ ଏକ ମାଛ ମାର୍କେଟର ଦୃଶ୍ୟ: ଆଉ ଆଗ ପରି ଗହଳି ନାହିଁ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସ୍‌ ସଙ୍କଟ ଆରମ୍ଭ ହେବା ପୂର୍ବରୁ ପ୍ରତି ଆମିଷ ପାଳିରେ ରାଜଧାନୀ ଭୁବନେଶ୍ୱରକୁ ସାଧାରଣତଃ ୧୨ ଟନ୍‌ ମାଛ ଆସୁଥିଲା । ଲକଡାଉନ ଯୋଗୁଁ ଆମିଷ ବଜାରରେ ଚଡକ ପଡ଼ିଥିବାରୁ ଏବେ ତାହା ଚାରି ଭାଗରୁ ଭାଗେକୁ ଖସି ଆସିଛି । ଲୋକଙ୍କ ଆବଶ୍ୟକତା ସମାନ ଥିବା ସତ୍ତ୍ୱେ ବ୍ୟବସାୟୀମାନେ ସେ ଚାହିଦା ପୂରଣ କରିପାରୁ ନାହାନ୍ତି ଓ ହାତ ବାନ୍ଧି ବସିଛନ୍ତି।

ଚାରି ନମ୍ବର ମାର୍କେଟ ହେଉଛି ଭୁବନେଶ୍ୱରର ସବୁ ଠାରୁ ବଡ ମାଛ ମାର୍କେଟ । ରାଜଧାନୀର ୩୫ ପ୍ରତିଶତ ଲୋକ ଏଠାରୁ ମାଛ କିଣୁଥିବା ବେଳେ ବାକି ୬୫ ପ୍ରତିଶତ ଲୋକ ଅନ୍ୟ ହାଟରୁ ମାଛ କିଣନ୍ତି । ରାଜ୍ୟ ଭିତରୁ ଅର୍ଥାତ ପାରାଦୀପ, ବାଲୁଗାଁ, ଅସ୍ତରଙ୍ଗ, ପୁରୀ ଓ ଚିଲିକାରୁ ପ୍ରାୟ ୪ ଟନ ମାଛ ଆସୁଥିବା ବେଳେ ବାକି ୮ ଟନ ମାଛ ଆନ୍ଧ୍ରପ୍ରଦେଶରୁ ଆସେ । କିନ୍ତୁ ଏବେ କରୋନା ଲକଡାଉନ ଯୋଗୁ ନା ରାଜ୍ୟ ଭିତରେ ମାଛ ଧରା ଠିକ୍‌ ଭାବରେ ହୋଇପାରୁଛି ନା ବାହାର ରାଜ୍ୟରୁ ପର୍ଯ୍ୟାପ୍ତ ପରିମାଣର ମାଛ ଆସିପାରୁଛି । ଏହାକୁ ନେଇ ଚିନ୍ତାରେ ଉଭୟ ବ୍ୟବସାୟୀ ଓ ଗ୍ରାହକ ।

ରାଜଧାନୀର ଚାରି ନମ୍ବର, ଆଠ ନମ୍ବର, ଶିରିପୁର, ନୀଳାଦ୍ରି ବିହାର ଓ ସାମନ୍ତରାପୁର ଆଦି ଆମିଷ ବଜାରରେ ସାମାଜିକ ଦୂରତାକୁ ନେଇ ପୋଲିସ ସ୍ଥିତି ପରଖି ଥିଲା । ସମଗ୍ର ଭୁବନେଶ୍ୱରରେ ମୋଟ ୧୦୦ରୁ ଅଧିକ ଛୋଟବଡ ମାର୍କେଟ ଥିବାରୁ ସବୁ ଥାନାର ଆଧିକାରୀଙ୍କ ନଜରରେ ଥିଲା ଆମିଷ ବଜାର । ଲୋକ ଗହଳି ଓ ସାମାଜିକ ଦୂରତା ସହ ଗୋଷ୍ଠୀ ସଂକ୍ରମଣ ନ ହେବା ପାଇଁ ଅଣ୍ଟା ଭିଡିଥିଲା ପୋଲିସ । ବାଇକ ଯୋଗେ ଆସିଥିବା ଚାଳକଙ୍କୁ ଟାର୍ଗେଟ କରିଥିଲା ପୋଲିସ । ପାଖାପାଖି ୪୦୦ ବାଇକକୁ ମଧ୍ୟ ପୋଲିସ କ୍ରେନ ଯୋଗେ ଉଠାଇ ନେଇଥିଲା । ଶେଷରେ କିଛି ବାଇକ ଚାଳକ ଟ୍ରାଫିକ ଥାନାକୁ ଯାଇ ୫୦୦ ଟଙ୍କାରେ ରସିଦ କାଟି ଗାଡ଼ି ଫେରିପାଇଥିଲେ ।

ନିୟମ ମାନୁ ନ ଥିବା ଲୋକଙ୍କ ବାଇକ୍ ପୋଲିସ୍ କ୍ରେନରେ ଉଠାଇ ନେଉଛି ।


ସବୁଠାରୁ ରୋଚକ କଥା ହେଉଛି ଯେ ଶହେ ଟଙ୍କାରେ ମାଛ କିଣି ପାଞ୍ଚ ଶହ ଟଙ୍କା ତଣ୍ଡ ଗଣିଥିଲେ ଅନେକ ଗ୍ରାହକ । ଏହାକୁ ନେଇ ସିକୁରୀଟି ଡିସିପି ନିର୍ମଳ ଶତପଥୀ କହିଛନ୍ତି: ‘‘ଆମିଷ ମାର୍କେଟକୁ ଆସୁଥିବା ଲୋକେ ସାମାଜିକ ଦୂରତା ମାନୁ ନ ଥିବା ଦେଖାଯାଇଥିଲା । ବ୍ୟବସାୟୀ ଯେତେ କହିଲେ ବି ଲୋକେ ଶୁଣୁ ନ ଥିଲେ । ପୋଲିସ ବି ସଚେତନ କରାଇବା ପରେ ଲୋକ ଶୁଣିଲେ ନାହିଁ । ଫଳରେ ଫାଇନ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଗଲା ।’’

ପୂର୍ବ ହାଟ ପାଳି ଅପେକ୍ଷା ଏଥର ଆମିଷ ବଜାର ମାନ୍ଦା ରହିଥିଲା । ବ୍ୟବସାୟୀ ରୀନା ବେହେରା କହିଛନ୍ତି: ‘‘ପୋଲିସ ଫାଇନ୍‌ ଭୟରେ ଗ୍ରାହକ ଆସୁନାହାନ୍ତି । ପୋଲିସ ମଧ୍ୟ ଲୋକଙ୍କୁ ଗୋଡେଇ ଗୋଡେଇ ପିଟୁଛି । ଫଳରେ ମାର୍କେଟ ଖାଁ ଖାଁ ହୋଇଯାଉଛି।’’
First published: May 7, 2020, 6:31 PM IST
corona virus btn
corona virus btn
Loading