କରୋନା ନାକାବନ୍ଦୀରେ ଭୁବନେଶ୍ୱର: ୫ ଜଣ IPS ଅଧିକାରୀଙ୍କ ତୀକ୍ଷ୍ଣ ନଜରରେ ଚେକିଂ କଡ଼ାକଡ଼ି

ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି ଯେ ଲୋକଙ୍କୁ ଘରୁ ନ ବାହାରିବା ପାଇଁ ବାରମ୍ବାର ତାଗିଦ କରାଯାଇଥିବା ସତ୍ତ୍ୱେ କିଛି ଲୋକ ସହରରେ ବୁଲୁଛନ୍ତି l ‘‘ସେଇଥି ପାଇଁ ସବୁ ଛକକୁ ସିଲ୍ କରାଯାଇଛି । ଆବଶ୍ୟକ ସ୍ଥଳେ କାର୍ଯ୍ୟାନୁଷ୍ଠାନ ହେଉଛି,’’ ସେ କହିଛନ୍ତି ।

କରୋନା ନାକାବନ୍ଦୀରେ ଭୁବନେଶ୍ୱର: ୫ ଜଣ IPS ଅଧିକାରୀଙ୍କ ତୀକ୍ଷ୍ଣ ନଜରରେ ଚେକିଂ କଡ଼ାକଡ଼ି
ଭୁବନେଶ୍ୱରର ଏକ ରାସ୍ତାରେ ଲକଡାଉନ ଉଲ୍ଲଙ୍ଘନକାରୀଙ୍କୁ ଦଣ୍ଡ ଦିଆଯାଉଛି; (ବାମ) ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ
  • News18 Odia
  • Last Updated: March 27, 2020, 9:33 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସର ପ୍ରସାର ରୋକିବା ପାଇଁ ଲକଡାଉନ୍‌ ଜାରି ହେବା ପରେ ସାରା ସହରକୁ ପୋଲିସ ଏମିତି ସିଲ୍‌ କରିଛି ଯେ ବୁଲାବୁଲି କରିବାକୁ କୁଆଡ଼େ ବି ଆପଣ ଯାଇ ପାରିବେନି l ପ୍ରତି ଛକରେ ପୋଲିସ ଲଗାଇଛି ନାକା l ଛକଗୁଡ଼ିକୁ ସଂଯୋଗ କରୁଥିବା ସବୁ ରାସ୍ତା ଖୋଳି ବାଉଁଶ ପୋତି ସିଲ କରି ଦେଇଛି । ଏମିତିକି ଅନେକ ଛକରେ ଲୁହା ବାରିକେଡ଼ ରଖି ପ୍ରତ୍ୟେକ ଲୋକକୁ ଚେକିଂ କରି ସହର ଭିତରକୁ ଛାଡ଼ୁଛି ପୋଲିସ l

କରୋନା ଭାଇରସ ଜନିତ ମହାମାରୀକୁ ଦୃଷ୍ଟିରେ ରଖି କମିଶନରେଟ୍‌ ପୋଲିସର ଏଭଳି ସୁରକ୍ଷା ପୂର୍ବରୁ କେବେ ବି ଦେଖି ନଥିଲା ସହର l ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି l ବିଭିନ୍ନ ସମୟରେ ଚାଷୀ ଆନ୍ଦୋଳନ ଯୋଗୁଁ ପୋଲିସକୁ ନାକେଦମ ହେବାକୁ ପଡିଛି l ଟାୟାର ଜାଳି ରାସ୍ତାରୋକ କରାଯାଇଛି l ହେଲେ ସହର ଭିତରେ ଏଭଳି ନାକାବନ୍ଦୀ କେବେ ଦେଖି ନଥିଲେ ରାଜଧାନିବାସୀ l

ରସୁଲଗଡ ଛକକୁ ସଂଯୋଗ କରୁଥିବା ସବୁ ରାସ୍ତାକୁ ଏବେ ସିଲ କରିଛି ପୋଲିସ l ଚାରିପଟେ ନାକା ଲଗାଇ ଛକ ଦେଇ ଯାଉଥିବା ପ୍ରତ୍ୟେକ ଲୋକକୁ ଯାଞ୍ଚ କରାଯାଉଛି l ‘‘କୁଆଡେ ଯାଉଛ? କାହିଁକି ଘରୁ ବାହାରିଲ? ପାସ୍‌ ଅଛି? କାମ କ’ଣ କରୁଛ? ମେଡିକାଲ ଇମରଜେନ୍ସି ଅଛି କି?’’ ଏମିତି ଅନେକ ପ୍ରଶ୍ନ ପଚାରୁଛି ପୋଲିସ l

ରୂପାଲି ଛକର ମଧ୍ୟ ସେହି ସମାନ ଦୃଶ୍ୟ l ଚାରିଆଡ଼େ ନାକାବନ୍ଦୀ l ରାସ୍ତା ଖୋଳି ବାଉଁଶ ପୋତି ରାସ୍ତା ସିଲ କରିଛି ପୋଲିସ l ଛକରେ ବୁଲା କୁକୁରଟିଏ ବି ଦେଖିବାକୁ ମିଳୁନି l ଲକଡାଉନ ଯୋଗୁଁ ଛକ ପୁରା ଜନଶୂନ୍ୟ ଲାଗୁଛି l ଏଜି ଛକ, କଳ୍ପନା ଛକ, ଗ୍ୟାରେଜ ଛକ, ପଟିଆ ଓ ଖଣ୍ଡଗିରି ସବୁ ଛକରେ ଠିକ ସେହି ପରି ରାସ୍ତା ସିଲ୍‌ l

‘‘ପୋଲିସର ଲକଡାଉନ୍‌ କରିବାରେ ନିଷ୍ଠା ପ୍ରଶଂସନୀୟ । ଏହି ନାକାବନ୍ଦୀ ଅଭୂତପୂର୍ବ । ଏମିତି ହେବା ଜରୁରୀ,’’ କହିଛନ୍ତି ପୂର୍ବତନ ଡିଜିପି ସଞ୍ଜିବ ମାରିକ l

ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି: ‘‘ଲକଡାଉନରେ ଅଛି ସହର l ଲୋକଙ୍କୁ ଘରୁ ନ ବାହାରିବା ପାଇଁ ବାରମ୍ବାର ତାଗିଦ କରାଯାଇଛି l ହେଲେ କିଛି ଲୋକ ଆମ କଥା ନ ଶୁଣି ସହରରେ ବୁଲୁଛନ୍ତି l ସେଇଥି ପାଇଁ ସବୁ ଛକକୁ ସିଲ୍‌ କରାଯାଇ ନାକାବନ୍ଦୀ ଲଗାଯାଇଛି । ଆବଶ୍ୟକ ସ୍ଥଳେ କାର୍ଯ୍ୟାନୁଷ୍ଠାନ ହେଉଛି ।’’

ରାଜଧାନୀର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପାଇଁ ନିଯୁକ୍ତ ହୋଇଛନ୍ତି ପାଞ୍ଚ ଜଣ ଆଇପିଏସ୍ ଅଧିକାରୀ – ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଅତିରିକ୍ତ ପୋଲିସ କମିଶନର ସଞ୍ଜୟ ସିଂ, ଭୁବନେଶ୍ଵର ଡିସିପି ଅନୁପ ସାହୁ, ଆଇପିଏସ ରାହୁଲ ପିଆର ଓ ଟ୍ରାଫିକ ଡିସିପି ସାଗରିକା ନାଥ l

ଚାରିପଟେ ନାକାବନ୍ଦୀ ଥିବା ବେଳେ ପୋଲିସ ଆରମ୍ଭ କରିଛି ଦିନିକିଆ ପାସ୍‌ ବ୍ୟବସ୍ଥା l ଏହି ପାସ୍‌ କେବଳ ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀ ଓ ବ୍ୟାଙ୍କ କର୍ମଚାରୀଙ୍କ ଭଳି ଜରୁରୀକାଳୀନ ସେବାରେ ନିୟୋଜିତ ଥିବା ବ୍ୟକ୍ତିଙ୍କ ପାଇଁ  ଉଦ୍ଦିଷ୍ଟ l କମିଶନରେଟ ପୋଲିସର ଲୋଗୋ ଥିବା  ଏହି ପାସର ଅବିଧି ମାତ୍ର ୨୪ ଘଣ୍ଟା ପାଇଁ l ଏହି ପାସ୍‌ ପାଇବା ପରେ ୨୪ ଘଣ୍ଟା ଭିତରେ ସହର ଭିତରେ ଯୁଆଡେ ଗଲେ ପୋଲିସ ଆଉ ଅଟକାଇବ ନାହିଁ l
First published: March 27, 2020, 9:33 PM IST
corona virus btn
corona virus btn
Loading