News18 Odia Digital
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରକୁ ରେଡ୍ ଜୋନ୍ରେ ସାମିଲ୍ କରି ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ଭୁବନେଶ୍ବର ମହାନଗର ନିଗମ (ବି.ଏମ୍.ସି.) ଅଞ୍ଚଳକୁ ଛାଡ଼ି ବାକି ଖୋର୍ଦ୍ଧା ଜିଲ୍ଲାକୁ ଅରେଞ୍ଜ ଜୋନ୍ରେ ରଖାଯାଇଛି ।
ଭଦ୍ରକ, ବାଲେଶ୍ବର ଓ ଯାଜପୁର ଜିଲ୍ଲା ବି ରେଡ୍ ଜୋନରେ ଅଛି । ଅରେଞ୍ଜ ଜୋନ୍ରେ ଅଛନ୍ତି ରାଜ୍ୟର ୧୧ ଜିଲ୍ଲା । ସେଗୁଡ଼ିକ ହେଲା ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ, ଦେବଗଡ଼, ଝାରସୁଗୁଡ଼ା, ବଲାଙ୍ଗିର, କେନ୍ଦୁଝର, ଢେଙ୍କାନାଳ, କଳାହାଣ୍ଡି ଓ ଗଞ୍ଜାମ ଜିଲ୍ଲା । ଅବଶିଷ୍ଟ ୧୬ଟି ଜିଲ୍ଲା ଗ୍ରୀନ୍ ଜୋନ୍ରେ ଅଛି ।
ତୃତୀୟ ପର୍ଯ୍ୟାୟ ଲକଡାଉନ୍ ପାଇଁ ରାଜ୍ୟ ସରକାର ଜାରି କରିଛନ୍ତି ଏହି ନୂଆ ଗାଇଡ୍ଲାଇନ୍ । ଏହି ଗାଇଡଲାଇନ୍ ଅନୁସାରେ କେନ୍ଦ୍ର ସରକାରଙ୍କ ଅନୁମତି ସତ୍ତ୍ବେ ରାଜ୍ୟରେ ଗ୍ରୀନ୍ ଜୋନରେ ଚାଲିବ ନାହିଁ ବସ୍ । ଗ୍ରାମାଞ୍ଚଳରେ ସମସ୍ତ ଶିଳ୍ପ ଓ ନିର୍ମାଣ କାର୍ଯ୍ୟ ଚାଲିପାରିବ । ଜରୁରୀକାଳୀନ ସାମଗ୍ରୀ ପାଇଁ ଇ-କମର୍ସ କାର୍ଯ୍ୟକରିବ ।

ଓଡ଼ିଶାର କେଉଁ ଜିଲ୍ଲା କେଉଁ ଜୋନରେ ଅଛି ଦେଖନ୍ତୁ ।
ସେହିପରି ୩୩ ପ୍ରତିଶତ କର୍ମଚାରୀଙ୍କ ସହ ପ୍ରାଇଭେଟ୍ ଅଫିସଗୁଡ଼ିକ କାର୍ଯ୍ୟ କରିବ । ଅନ୍ୟ କର୍ମଚାରୀମାନେ ଘରେ ରହି କାମ କରିବେ । ରେଡ୍ ଜୋନରେ ଚାରିଚକିଆ ଯାନରେ ଡ୍ରାଇଭର ସହ କେବଳ ଦୁଇ ଜଣ ଯାତ୍ରୀ ଯାଇପାରିବେ । ତେବେ ବାଇକ୍ ପଛରେ କେହି ବସି ପାରିବେ ନାହିଁ । କ୍ୟାବ୍ରେ କେବଳ ମେଡିକାଲକୁ ରୋଗୀ ଯିବା ଆସିବା କରିପାରିବେ ।
ରେଡ୍ ଜୋନରେ ସାଇକେଲ ରିକ୍ସା ଓ ଅଟୋ ରିକ୍ସା ଚଳାଚଳ ମନା । ଅରେଞ୍ଜ ଓ ଗ୍ରୀନ୍ ଜୋନରେ ସାଇକେଲ ରିକ୍ସା ଚାଲି ପାରିବ । ଅରେଞ୍ଜ ଜୋନରେ ଟ୍ୟାକ୍ସିରେ ଜଣେ ଡ୍ରାଇଭର ସହ ଦୁଇ ଜଣ ଯାତ୍ରୀ ଯାଇପାରିବେ । ଅରେଞ୍ଜ ଓ ଗ୍ରୀନ୍ ଜୋନରେ ସ୍ପା ଓ ସେଲୁନ ଖୋଲିପାରିବ । ଅରେଞ୍ଜ ଓ ଗ୍ରୀନ୍ ଜୋନର ଗ୍ରାମାଞ୍ଚଳରେ ମଲ୍ ଖୋଲା ରହିପାରିବ ।
ସମସ୍ତ ଜୋନରେ ରାଜନୈତିକ, ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମ ଉପରେ ପୂର୍ବ ପରି କଟକଣା ବଳବତ୍ତର ରହିବ । ସବୁ ଜୋନରେ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ । ସମସ୍ତ ଜୋନରେ ସିନେମା ହଲ୍, ମଲ୍, ଜିମ୍ ଓ ସୁଇମିଂ ପୁଲ୍ ବି ବନ୍ଦ ରହିବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।