ଅନଲାଇନରେ କବିତା ଲେଖି ଛାତ୍ରୀ ପାଇଲେ ₹୧୫,୫୮୧, କରୋନା ଯୋଦ୍ଧାଙ୍କ ପାଇଁ ଦାନ କଲେ

ଭୁବନେଶ୍ୱରର ଛାତ୍ରୀ ସୌମ୍ୟା ସ୍ୱାଗତିକା ସ୍ୱାଇଁ ନିଜ ଅଭିନବ ଉଦ୍ୟମ ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି । ବିଜେଇଏମ ସ୍କୁଲରେ ପଢ଼ିବା ସମୟରୁ ସେ ଇଂରାଜୀରେ କବିତା ଲେଖିଆସୁଛନ୍ତି ।

ଅନଲାଇନରେ କବିତା ଲେଖି ଛାତ୍ରୀ ପାଇଲେ ₹୧୫,୫୮୧, କରୋନା ଯୋଦ୍ଧାଙ୍କ ପାଇଁ ଦାନ କଲେ
ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଚେକରେ ଦାନ ଦେଉଛନ୍ତି ସୌମ୍ୟା ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କୋଭିଡ ୧୯ର ଯୋଦ୍ଧାଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ ଲାଗି ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ନିଜ ନିଜ ସ୍ତରରେ ଅନେକ ଲୋକ ଅନେକ କାର୍ଯ୍ୟକ୍ରମ ହାତକୁ ନେଉଥିବା ନଜିର ଅଛି । ତେବେ ଭୁବନେଶ୍ବରର ଜଣେ କଲେଜ ଛାତ୍ରୀ ଏ କ୍ଷେତ୍ରରେ କରିଛନ୍ତି କିଚ୍ଛି ବ୍ୟତିକ୍ରମ ଉଦ୍ୟମ। ଲୋକଙ୍କ ବରାଦ ମୁତାବକ ଅନଲାଇନରେ ଇଂରାଜୀ କବିତା ଲେଖି ସେ କିଛି ପାଣ୍ଠି ଯୋଗାଡ଼ କରିବା ସହିତ ତାକୁ ମୁଖ୍ୟ ମନ୍ତ୍ରୀଙ୍କ ଋଲିଫ ପାଣ୍ଠିକୁ ଦାନ କରିଛନ୍ତି । ଛାତ୍ରୀ ଜଣକ ହେଲେ ଓୟୁଏଟି ଅଧୀନସ୍ଥ  କୃଷି ମହାବିଦ୍ୟାଳୟର ଦ୍ୱିତୀୟ ବର୍ଷର ଛାତ୍ରୀ  ସୌମ୍ୟା ସ୍ୱାଗତିକା ସ୍ୱାଇଁ ।

ଇଂରାଜୀରେ କବିତା ଲେଖିବା ହେଉଛି ଭୁବନେଶ୍ୱର ଉପକଣ୍ଠ ନୂଆଗାଁ ଦିବ୍ୟ ନଗର ବାସିନ୍ଦା ସୌମ୍ୟା ସ୍ୱାଗତିକାଙ୍କ ହବି ।  ଆଉ ସେହି ହବି ଲାଗି ସେ ଏବେ ଚର୍ଚ୍ଚାରେ ଅଛନ୍ତି। ସାରା ବିଶ୍ୱ ଏବେ କୋଭିଡ ୧୯ ମହାମାରୀକୁ ସାମ୍ନା କରୁଥିବା ବେଳେ  ଅନ ଲାଇନରେ ବରାଦ ମୁତାବକ ଇଂରାଜୀ କବିତା ଲେଖି ସେ ୧୫,୫୮୧ ଟଙ୍କା ସଂଗ୍ରହ କରିଥିଲେ । ଏବେ ସେହି ଅର୍ଥକୁ ସେ କୋଭିଡ ୧୯ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ।

‘‘ସାମାଜିକ କାର୍ଯ୍ୟ ପାଇଁ ପିଲାଦିନରୁ ମୁଁ ସବୁବେଳେ ଆଗ୍ରହୀ। ସେହି ଆଗ୍ରହରେ ଲୋକଙ୍କ ବରାଦ ମୁତାବକ କବିତା ଲେଖିବାକୁ ସୋସିଆଲ ମିଡିଆରେ ପ୍ରଚାର କରିବା ଆରମ୍ଭ କଲି । ମୋ’ର ପ୍ରଚାର ପରେ କିଛି ବରାଦ ମଧ୍ୟ ମିଳିଲା । ମୁଁ ସର୍ତ୍ତ ରଖିଥିଲି ପ୍ରତି କବିତା ବାବଦରେ କିଛି ଅର୍ଥ । ସେଥିରୁ ମୁଁ ସଂଗ୍ରହ କରିପାରିଲି ମୋଟ ୧୫ ହଜାର ୫୮୧ ଟଙ୍କା । ସେହି ଟଙ୍କା ମୁଁ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନକରିଛି,’’ କହିଛନ୍ତି ସୌମ୍ୟା ସ୍ୱାଗତିକା ।

ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମିଳିଥିବା ରସିଦ


ସୌମ୍ୟା ଏବେ ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ଅଧୀନରେ ପରିଚାଳିତ କୃଷି ମହାବିଦ୍ୟାଳୟର ଦ୍ୱିତୀୟ ବର୍ଷର ଛାତ୍ରୀ । ଇଣ୍ଟରନେଟରେ ଚିତ୍ର ବିକ୍ରୀ କରି କୋଭିଡ-୧୯ ଲାଗି ପାଣ୍ଠି ସଂଗ୍ରହ ଖବର ତାଙ୍କ ନଜରକୁ ଆସିଥିଲା। ଏଥିରେ ସେ ଅନୁପ୍ରାଣିତ ହୋଇ ଅନଲାଇନରେ ବରାଦି କବିତା ଲେଖି ପାଣ୍ଠି ସଂଗ୍ରହ କରିବାରେ ଲାଗିପଡ଼ିଥିଲେ।

ସୌମ୍ୟାଙ୍କ ବାପା ମନୋରଞ୍ଜନ ସ୍ବାଇଁ ଏକ ଘରୋଇ କମ୍ପାନୀରେ ଅଧିକାରୀ ଭାବେ କାମ କରନ୍ତି । ଝିଅର ଏଭଳି ଆଗ୍ରହକୁ ନେଇ ସେ ଖୁସି ଥିବା କହିଛନ୍ତି। ‘‘ବିଜେଇଏମ ସ୍କୁଲରେ ପଢିବା ସମୟରୁ ସୌମ୍ୟା ଭଲ ଇଂରାଜୀ କବିତା ଲେଖେ । ଇଂରାଜୀ ଉପରେ ତା’ର ଭଲ ଦଖଲ । ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ସେ ଆଗ୍ରହୀ । ଓୟୁଏଟିରେ ପଢ଼ିବା ସମୟରୁ ମଧ୍ୟ ନିଜ ଆଗ୍ରହରେ ସେ ଚାଲିଛି । ଏଭଳି ଉଦ୍ୟମ କଥା ମତେ ଯେତେବେଳେ ସେ କହିଲା ମୁଁ ଖୁବ ଖୁସି ହେଲି। ଟଙ୍କା କିଭଳି ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଯିବ ସେ ବ୍ୟବସ୍ଥା କଲି,’’ କହିଛନ୍ତି ମନେରଞ୍ଜନ ।

ସୌମ୍ୟାଙ୍କ ସାନ ଭାଇ ସ୍ଵୟମ ଓ ମାଆ ସଂଘମିତ୍ରା ତଥା ପୂରା ପରିବାର ସୌମ୍ୟାଙ୍କ ଆଗ୍ରହ ଓ ଉଦ୍ୟମକୁ ନେଇ ଖୁବ ଖୁସି । ଭବିଷ୍ୟତରେ ନିଜର ଏହି ଉଦ୍ୟମ ଜାରି ରଖିବେ ବୋଲି କହିଛନ୍ତି ସୌମ୍ୟା।

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 19, 2020, 6:01 PM IST
corona virus btn
corona virus btn
Loading