କୁନି ହାତର ବଡ଼ କାରିଗରୀ: ନିଜ ହାତରେ ଗଢ଼ା କୁନି ରଥରେ ବସାଇ ବୁଲାଇଲେ ମହାପ୍ରଭୁଙ୍କୁ
ଜଗନ୍ନାଥଙ୍କ ଭକ୍ତି ଭାବରେ ବନ୍ଧା ଲକ୍ଷ ଲକ୍ଷ ଭକ୍ତମାନଙ୍କ ପରି ୧୩ ବର୍ଷର ଦେବାଶିଷ ବି କୋଭିଡ-୧୯ ସଙ୍କଟ ପାଇଁ ଏଥର ପୁରୀ ଯାଇ ପାରିଲେନି । ହେଲେ ନିଜ ହାତରେ ବନେଇଥିବା ରଥରେ ଜଗାକୁ ବସାଇ ନିଜ ଘରକୁ ଡାକିଲେ ସେ ।

ନିଜ ହାତରେ ବନେଇଥିବା ରଥରେ ମହାପ୍ରଭୁଙ୍କୁ ବସାଇଛନ୍ତି ଦେବାଶିଷ ।
- News18 Odia
- Last Updated: July 2, 2020, 1:07 AM IST
ଭୁବନେଶ୍ୱର: ବୟସ ମାତ୍ର ୧୩ ବର୍ଷ । ପିଲାଟି ବେଳୁ ରଥ ଯାତ୍ରାରେ ପୁରୀରେ ମାମୁଁ ଘରକୁ ଯାଇ ଜଗାର ଦର୍ଶନ କରନ୍ତି ଦେବାଶିଷ । ଜଗନ୍ନାଥଙ୍କ ଭକ୍ତି ଭାବରେ ବନ୍ଧା ଲକ୍ଷ ଲକ୍ଷ ଭକ୍ତମାନଙ୍କ ପରି ଦେବାଶିଷ ବି ଏଥର କୋଭିଡ-୧୯ ସଙ୍କଟ ପାଇଁ ପୁରୀ ଯାଇ ପାରିଲେନି । ହେଲେ ଜଗାକୁ ରଥରେ ବସାଇ ନିଜ ଘରକୁ ଡାକିଲେ ସେ । ଅବିକଳ ନନ୍ଦିଘୋଷ ଭଳି ରଥ ନିର୍ମାଣ କରି ଅନେକଙ୍କୁ ଭରିଦେଲେ ନିଆରା ଭକ୍ତିଭାବରେ ।
ନିଜେ ବନେଇଥିବା ରଥରେ ତିନି ଠାକୁରଙ୍କୁ ବସାଇ ବୁଲାଇଲେ ଦେବାଶିଷ । କାଠ, ପଟା, ସୋଲ ଓ କପଡ଼ାରେ ତିଆରି ହୋଇଛି ତାଙ୍କର ଏହି ଛୋଟିଆ ରଥ । ଏହା ତିଆରି କରିବାକୁ ତାଙ୍କୁ ପ୍ରାୟ ୨୨ ଦିନ ଲାଗିଥିଲା । ରାଜଧାନୀର ନୟାପଲ୍ଲୀ ଅଞ୍ଚଳରେ ଥିବା ନିଜ ଘରେ ବାହୁଡ଼ା ଯାତ୍ରା ଦିନ ସେହି ରଥରେ ପ୍ରଭୁଙ୍କୁ ରଥରେ ବସାଇ ପୂଜାର୍ଚ୍ଚନା କରିଥିଲେ ସେ ।
ପିଲାଟି ବେଳୁ ଛୋଟ ଛୋଟ ରଥ ତିଆରି କରନ୍ତି ଦେବାଶିଷ । ରଥ ଗଢ଼ାର କଳା ଓ କାରିଗରୀକୁ ବାଦ ଦେଲେ ଜଗନ୍ନାଥ ଭଜନ ଗାଇବା ସହ ଭଜନ ବି ଲେଖନ୍ତି ସେ ।
ଏହି ରଥ ବନେଇବାକୁ ଦେବାଶିଷଙ୍କୁ ପ୍ରାୟ ୨୨ ଦିନ ଲାଗିଥିଲା ।
ବାହୁଡ଼ା ଯାତ୍ରାରେ ଖାଁ ଖାଁ ରହିଥିଲା ରାଜଧାନୀ ଭୁବନେଶ୍ୱର । ଦେବାଳୟ ବାହାରେ ପଡିଛି ତାଲା, ହେଲେ ଭିତରେ ଚାଲିଛି ଦେବନୀତି। ଭକ୍ତମାନେ ମନ୍ଦିର ବାହାରୁ ଦର୍ଶନ କରି ମନ ଉଣା କରି ଫେରୁଛନ୍ତି । ଇସ୍କନ ମନ୍ଦିର ପରିସରରେ ବିଧି ରକ୍ଷା ପାଇଁ ରଥରେ ବସି ଦେଉଳକୁ ଫେରିଛନ୍ତି ଭଗବାନ । ସେଠି ଅସ୍ଥାୟୀ ମଣ୍ଡପରେ ଗୁରୁବାର ଦିନ ହେବ ସୁନା ବେଶ ଓ ଅଧରପଣା । ଏହା ପରେ ନୀଳାଦ୍ରି ବିଜେ କରିବାର ଯୋଜନା ରହିଛି ।
ବାଣୀବିହାର କ୍ୟାମ୍ପସ ଭିତରେ ବାଲି ରଥରେ ବସି ଦେଉଳ ଫେରିବେ ଚତୁର୍ଦ୍ଧାମୂର୍ତ୍ତି । ବାଲି ରଥ ଉପରେ ସ୍ୱତନ୍ତ୍ର ନୀତିକାନ୍ତି ସହ ପୋଡ଼ ପିଠା ଭୋଗ ଲାଗି ହେବ। ବିଧି ରକ୍ଷା ପାଇଁ ସମସ୍ତ ନୀତିକାନ୍ତି କୋଭିଡ କଟକଣା ଭିତରେ ରହି କରାଯାଉଛି । ମହାପ୍ରଭୁଙ୍କ ଆଶୀର୍ବାଦ ରହିଲେ ଆର ବର୍ଷକୁ ପୁଣି ଧୁମଧାମରେ ରଥ ଗଡ଼ିବ ବୋଲି କହିଛନ୍ତି ଉଭୟ ଭକ୍ତ ଓ ମନ୍ଦିରର ପୂଜକମାନେ ।
ପଟିଆ, ଜାଗମରା ଓ ଭି.ଏସ.ଏସ. ନଗର ଭଳି ଭୁବନେଶ୍ୱର ଓ ଆଖପାଖର ପ୍ରାୟ ୫୦ଟି ଜାଗାରେ ବିଧି ରକ୍ଷା ପାଇଁ ଆୟୋଜନ ହୋଇଛି ବାହୁଡ଼ା ଯାତ୍ରା । ବିନା ଭକ୍ତର ଚାଲିଛି ବାହୁଡା ନୀତି ।