ସିଲ୍ ହେଲା ଭୁବନେଶ୍ୱରର ବାପୁଜୀ ନଗର ମାର୍କେଟ; ଲକଡାଉନ୍ ନିୟମ ଉଲ୍ଲଙ୍ଘନ ହେଉଥିଲା

ଗୋଟିଏ ସପିଂ କମ୍ପ୍ଲେକ୍ସରେ ପାଞ୍ଚରୁ ଅଧିକ ଦୋକାନ ଥିଲେ ତାହା ଖୋଲିବା ମନା ଥିଲା । କିନ୍ତୁ ବିଏମସିର ଅନୁମତି ନ ନେଇ ସମସ୍ତ ଦୋକାନ ଏଠି ଖୋଲିଥିଲା ଓ ଜନଗହଳି ହେଉଥିଲା ।

ସିଲ୍ ହେଲା ଭୁବନେଶ୍ୱରର ବାପୁଜୀ ନଗର ମାର୍କେଟ; ଲକଡାଉନ୍ ନିୟମ ଉଲ୍ଲଙ୍ଘନ ହେଉଥିଲା
ବିଏମସି ଦୋକାନ ବନ୍ଦ କରାଉଥିବା ଚକିତ ହୋଇ ଦେଖୁଛନ୍ତି ବ୍ୟବସାୟୀମାନେ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସାମାଜିକ ଦୂରତ୍ୱ ନିୟମ ଉଲ୍ଲଙ୍ଘନ ଅଭିଯୋଗ ଯୋଗୁଁ ସିଲ ହୋଇଛି ଭୁବନେଶ୍ୱରର ବାପୁଜୀ ନଗର ମାର୍କେଟ । ସେଠାକାର ବ୍ୟବସାୟୀମାନେ କୋଭିଡ-୧୯ ନିୟମ ମାନୁ ନ ଥିବାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମାର୍କେଟକୁ ସିଲ କରିଛି ବିଏମସି । ଜରୁରୀକାଳୀନ ସାମଗ୍ରୀର ଦୋକାନଗୁଡ଼ିକକୁ ବାଦ ଦେଇ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ। ବିଏମସି ସ୍କ୍ୱାର୍ଡ ବୁଲି ବୁଲି ଦୋକାନ ବନ୍ଦ କରିବାକୁ ନିର୍ଦେଶ ଦେଇଛି ।

ଲକଡାଉନରେ ମାର୍କେଟ ଖୋଲିବା ନେଇ ବିଏମସି ପକ୍ଷରୁ ସର୍ତ୍ତମୂଳକ ଅନୁମତି ମିଳିଥିଲା । ସାମାଜିକ ଦୂରତ୍ୱ ବଜାୟ ରଖିବା, ମାସ୍କ ବ୍ୟବହାର କରିବା, ମାର୍କେଟ କମ୍ପ୍ଲେକ୍ସରେ ପାଞ୍ଚରୁ ଅଧିକ ଦୋକାନ ଥିଲେ ତାହା ବନ୍ଦ ରହିବା କଥା । କିନ୍ତୁ ବାପୁଜୀ ନଗରରେ ଏ ସବୁ ନିୟମ ଉଲ୍ଲଙ୍ଘନ କରାଯାଉଥିବା ଦେଖିବାକୁ ମିଳିଥିଲା ।

‘‘ଗୋଟିଏ କମ୍ପ୍ଲେକ୍ସରେ ପାଞ୍ଚରୁ ଅଧିକ ଦୋକାନ ଥିଲେ ତାହା ଖୋଲିବା ମନା, କିନ୍ତୁ ବିଏମସିର ଅନୁମତି ନ ନେଇ ସମସ୍ତ ଦୋକାନ ଏଠି ଖୋଲିଥିଲା । ଜନଗହଳି ହେଉଥିଲା । ସାମାଜିକ ଦୂରତ୍ୱ କେହି ମାନୁ ନ ଥିଲେ । ତେଣୁ ଏ ସବୁକୁ ବ୍ୟବସ୍ଥିତ ନ କରିବା ଯାଏ ଦୋକାନ ବନ୍ଦ ରହିବ,’’ କହିଛନ୍ତି ବିଏମସି ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ।

ବାପୁଜୀ ନଗରରେ ଭୀଷଣ ଜନ ଗହଳି ହେବା ଆରମ୍ଭ କରିଥିଲା ।


ଏହା ବି ପଢ଼ନ୍ତୁ: ଲକଡାଉନ୍ ରଣନୀତି: ଆଜି ରାତି ୮ଟାରେ ଦେଶକୁ ସମ୍ବୋଧନ କରିବେ ପ୍ରଧାନ ମନ୍ତ୍ରୀ ମୋଦି

ଏ ନେଇ ବ୍ୟବସାୟୀମାନଙ୍କ ସହ ଆଲୋଚନା ହୋଇଛି । ଏବେ ବ୍ୟବସାୟୀ ପ୍ରଥମେ ଦୋକାନ ଖୋଲିବା ନେଇ ବିଏମସିରେ ଆବେଦନ କରିବେ । ଦୋକାନ ବାବଦରେ ସମସ୍ତ ତଥ୍ୟ ପ୍ରଦାନ କରିବେ । ତା’ ପରେ ବିଏମସି ସ୍କ୍ୱାର୍ଡ ସେଇ ତଥ୍ୟକୁ ଅନୁଧ୍ୟାନ କରିବା ସହ ଗ୍ରାଉଣ୍ଡରେ ପହଞ୍ଚି ଅନୁଧ୍ୟାନ କରିବେ । ଏହା ପରେ ଦୋକାନ ଖୋଲିବା ନେଇ ଅନୁମତି ମିଳିବ ବୋଲି ଶ୍ରୀ ରଥ କହିଛନ୍ତି। କିନ୍ତୁ ବର୍ତ୍ତମାନ ଅନିର୍ଦ୍ଧିଷ୍ଟ କାଳ ପାଇଁ ମାର୍କେଟ ବନ୍ଦ ରହିବ।

ହଠାତ ଦୋକାନ ବନ୍ଦ ହେବା ନେଇ ବ୍ୟବସୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ‘‘ଦୀର୍ଘ ଦୁଇ ମାସ ଧରି ଦୋକାନ ବନ୍ଦ ରହିଲା । ବ୍ୟବସାୟରେ ବହୁତ କ୍ଷତି ହୋଇଛି । ଏତେ ଦିନ ପରେ ଦୋକାନ ଖୋଲିଲା ହେଲେ ପୁଣି ତାକୁ ବିଏମସି ବନ୍ଦ କରିଦେଲା । ଆମ ବ୍ୟବସାୟୀଙ୍କ ଭୁଲ କଣ?’’ ପ୍ରଶ୍ନ କରିଛନ୍ତି ବ୍ୟବସାୟୀ ଦିଲୀପ ପାତ୍ର ।

ଏହା ବି ପଢ଼ନ୍ତୁ: ରାଜ୍ୟରେ ଆଉ ୨୩ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହେଲେ; ଏବେ ମୋଟ ସଂଖ୍ୟା ୪୩୭

ଅନ୍ୟ ଜଣେ ବ୍ୟବସାୟୀ ପ୍ରିୟମ୍‌ କହିଛନ୍ତି, ‘‘ସରକାରଙ୍କ ନିୟମ ପୂରା ମାନିଛୁ । ସାମାଜିକ ଦୂରତ୍ୱ ବଜାୟ ରଖି ବ୍ୟବସାୟ କରିଛୁ । ତା’  ବାଦ ବି ବିଏମସି ଆସି ଦୋକାନ ବନ୍ଦ କରିଦେଲା । ଆମେ ଚଳିବୁ କେମିତି? ପରିବାର ଚଳେଇବୁ କେମିତି? ପୁଣି ଯାଇ ବିଏମସି ରେ ଆବେଦନ କରିବୁ । ଅନୁମତି ମିଳିଲେ ଦୋକାନ ଖୋଲିବୁ ।’’

କଟକଣା କୋହଳ ହେବା ପରେ ଧୀରେ ଧୀରେ ସ୍ୱଭାବିକ ହେଉଛି ସହର । ଚଳଚଞ୍ଚଳ ହୋଇଛି ରାଜଧାନୀ। ଧୀରେ ଧୀରେ ଲୋକାରଣ୍ୟ ହୋଇଛି ରାଜଧାନୀର ରସ୍ତାଘାଟ । ଖୋଲୁଛି ଦୋକାନବଜାର। ଆରମ୍ଭ ହୋଇଛି କିଣାବିକା । ଲକଡ଼ାଉନ ପାଇଁ ବନ୍ଦ ଥିବା ବ୍ୟବସାୟକୁ ନେଇ ପୁଣି ଥରେ ଆଶା ବାନ୍ଧିଛନ୍ତି ବ୍ୟବସାୟୀମାନେ । କିଛି ଜାଗାରେ ବେପାର ଆରମ୍ଭ ହୋଇଛି ।

ଏହା ବି ପଢ଼ନ୍ତୁ: ଏଥର ହେବନି ସ୍ପେଶାଲ OJEE; BTech ପାଇଁ ହେବ ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା

ସହରରେ ଏବେ ଜରୁରୀକାଳୀନ ସାମଗ୍ରୀର ଦୋକାନଗୁଡ଼ିକ ଖୋଲା ରହିବ । ତଥାପି ସହରର ଅଧିକାଂଶ ସ୍ଥାନରେ ଏବେ ବି ମାର୍କେଟ ସବୁ ବନ୍ଦ ରହିଛି । ପାଞ୍ଚରୁ ଅଧିକ ଦୋକାନ ଥିବା ମାର୍କେଟ କମ୍ପ୍ଲେକ୍ସ ବି ବନ୍ଦ ରହିଛି ।

ଆସନ୍ତା ୧୭ ତାରିଖରେ ଲକଡ଼ାଉନ ଶେଷ ହୋଇପାରେ ବା ଅନେକାଂଶରେ କୋହଳ ହୋଇପାରେ । ହେଲେ ଏବେ ବି ଶେଷ ହୋଇନି କରୋନା ସଂକ୍ରମଣ । ତେଣୁ ସମସ୍ତଙ୍କୁ ସଚେତନ ରହିବାକୁ ପଡିବ ଓ ସତର୍କତା ଦ୍ୱାରା ହିଁ ଏହି ମହାମରୀର ମୁକାବିଲା କରିବାକୁ ହେବ ବୋଲି କହିଛନ୍ତି ବିଏମସି ଅଧିକାରୀମାନେ ।
First published: May 12, 2020, 7:42 PM IST
corona virus btn
corona virus btn
Loading