କରୋନା ଇାଇରସ୍: IPL ଏପ୍ରିଲ ୧୫କୁ ଘୁଞ୍ଚିଲା; ଦିଲ୍ଲୀରେ ଏ ବର୍ଷ କୌଣସି ମ୍ୟାଚ୍ ଖେଳାଯିବ ନାହିଁ

IPLର ଲିଗ୍ ପର୍ଯ୍ୟାୟ ମ୍ୟାଚଗୁଡ଼ିକ ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବାକୁ ଥିଲା । IPLରେ ବିଦେଶୀ ଖେଳାଳି ରହୁଥିବାରୁ ପୂର୍ବରୁ ମହାରାଷ୍ଟ୍ର ଓ କର୍ଣ୍ଣାଟକ ସରକାର ଏ ନେଇ ଚିନ୍ତା ବ୍ୟକ୍ତ କରିଥିଲେ । ମହାରାଷ୍ଟ୍ରରେ ଅନଲାଇନ ଟିକେଟ ବିକ୍ରି ଉପରେ ରୋକ ଲଗାଯାଇଛି ।

କରୋନା ଇାଇରସ୍: IPL ଏପ୍ରିଲ ୧୫କୁ ଘୁଞ୍ଚିଲା; ଦିଲ୍ଲୀରେ ଏ ବର୍ଷ କୌଣସି ମ୍ୟାଚ୍ ଖେଳାଯିବ ନାହିଁ
ଆଇପିଏଲ୍ (IPL) ହେଉଛି ବିଶ୍ବର ସବୁ ଠୁ ଧନୀ କ୍ରିକେଟ ଲିଗ୍ ।
  • News18 Odia
  • Last Updated: March 13, 2020, 5:11 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ବିଶ୍ୱରେ ଆତଙ୍କ ଖେଳାଇଥିବା କୋଭିଡ-୧୯ ବା କରୋନା ଭାଇରସର ବଢ଼ୁଥିବା ପ୍ରକୋପକୁ ଦୃଷ୍ଟିରେ ରଖି ବିଶ୍ବର ସବୁଠୁ ଧନୀ କ୍ରିକେଟ ଲିଗ୍ ଆଇପିଏଲ୍ (IPL)କୁ ଘୁଞ୍ଚାଇ ଦିଆଯାଇଛି । ଏହି ଘୋଷଣା ବୋର୍ଡ଼ ଅଫ୍‌ କ୍ରିକେଟ କଣ୍ଟ୍ରୋଲ୍ ଇନ୍‌ ଇଣ୍ଡିଆ (BCCI) କରିଛି । ଏହି ଟୁର୍ଣ୍ଣାମେଣ୍ଟ ବିଭିନ୍ନ ରାଜ୍ୟରେ ହେବାର ଥିବାରୁ ସେଠାକାର ସରକାରମାନେ ‌ଏହାକୁ ବାତିଲ୍‌ କରିବାର ନିଷ୍ପତ୍ତି କରିବା ପରେ BCCI ଏହି ଘୋଷଣା କରିଛି ।

ଦିଲ୍ଲୀରେ ଚଳିତ ବର୍ଷ ଆଇପିଏଲର କୌଣସି ମ୍ୟାଚ୍ ଖେଳାଯିବ ନାହିଁ ବୋଲି ଦିଲ୍ଲୀ ସରକାର ଘୋଷଣା କରିବାର କିଛି ସମୟ ମଧ୍ୟରେ ବିସିସିଆଇ ଏପ୍ରିଲ ୧୫ ଯାଏଁ ଆଇପିଏଲକୁ ଘୁଞ୍ଚାଇବା ନିଷ୍ପତ୍ତି ନେଇଥିଲା । ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ତ୍ରୟୋଦଶ ସଂସ୍କରଣର ଲିଗ୍ ପର୍ଯ୍ୟାୟ ଖେଳ ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବାକୁ ଥିଲା । ପୂର୍ବରୁ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ସରକାର ଏନେଇ ଚିନ୍ତା ବ୍ୟକ୍ତ କରିଥିବା ବେଳେ ମହାରାଷ୍ଟ୍ରରେ ଅନଲାଇନ ଟିକେଟ ବିକ୍ରି ଉପରେ ରୋକ ଲଗାଯାଇଛି ।

ବିସିସିଆଇ ଅଧିକାରୀ ସ୍ପଷ୍ଟ କରିସାରିଛନ୍ତି ଯେ ଆଇପିଏଲ ମ୍ୟାଚ୍ ସମୟରେ ଦର୍ଶକଙ୍କୁ ଷ୍ଟାଡିୟମ ଭିତରକୁ ଛଡ଼ା ଯିବନାହିଁ । ତେବେ ଶନିବାର ଆଇପିଏଲ ପରିଚାଳନା ପରିଷଦର ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ବିଭିନ୍ନ ଫ୍ରାଞ୍ଚାଇଜର ମାଲିକମାନେ ଏଥିରେ ଅଂଶଗ୍ରହଣ କରିବେ। ଏହା ପରେ ହିଁ ଚଳିତ ଆଇପିଏଲ୍ ସଂସ୍କରଣର ଭବିଷ୍ୟତ କାର୍ଯ୍ୟସୂଚୀ ସ୍ଥିର ହୋଇପାରିବ ।

କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ସହିତ ମୃତ୍ୟୁ ସଂଖ୍ୟା ବଢ଼ି ଚ଼ାଲିଥିବାରୁ ବର୍ତ୍ତମାନ ସାରା ବିଶ୍ବରେ ବିଭିନ୍ନ ପୂର୍ବନିରଦ୍ଧାରିତ କାର୍ଯ୍ୟକ୍ରମ ବାତିଲ ହେବାରେ ଲାଗିଛି । ପୂର୍ବରୁ ୟୁଇଏଫଏ ଚାମ୍ପିୟନ୍ସ ଲିଗ୍, ଲା ଗିଗା, ସିରୀ ଏ, ଏନବିଏ ଏବଂ ଏଟିପି ଟୁର୍ ଭଳି ହାଇପ୍ରୋଫାଇଲ ଖେଳ କାର୍ଯ୍ୟକ୍ରମ କରୋନା ଭାଇରସ ଯୋଗୁଁ ପ୍ରଭାବିତ ହୋଇଛି । ଏହି ଲିଷ୍ଟରେ ଏବେ ଇଣ୍ଡିଆନ ପ୍ରିମିୟର ଲିଗ୍ ସାମିଲ ହେଲା । ଏହି ଭାଇରସ ସମ୍ବଦ୍ଧରେ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଓ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସହ ବିସିସିଆଇ ଲଗାତାର ଯୋଗାଯୋଗରେ ରହିଥିବା କହିଛି ।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚ଼ାଲିଥିବା ଦିନିକିଆ ସିରିଜର ମ୍ୟାଚ ଷ୍ଟାଡିଅମରେ ବିନା ଦର୍ଶକରେ କରାଯିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି । ଖେଳାଳି ଓ ଦର୍ଶକଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି ।

ପିଏସଏଲ୍ ପାଇଁ ସତର୍କ ଘଣ୍ଟି!

ବର୍ତ୍ତମାନ ପାକିସ୍ତାନରେ ଚାଲିଥିବା ପିଏସଏଲ ଟୁର୍ଣ୍ଣାମେଣ୍ଟର ବଳକା ମ୍ୟାଚ୍ ଗୁଡ଼ିକ ଖେଳାଯିବା ନେଇ ମଧ୍ୟ ଦ୍ବନ୍ଦ୍ବ ଉପୁଜିଛି । ଶୁଣାଯାଉଛି ଯେ ବିନା ଦର୍ଶକରେ ଷ୍ଟାଡିୟମ ଗେଟ୍ ବନ୍ଦ କରି ବଳକା ମ୍ୟାଚ୍ ସାରିବାକୁ ପାକିସ୍ତାନ କ୍ରିକେଟ ବୋର୍ଡ ଚିନ୍ତା କରୁଛି । ଏହା ସତ୍ତ୍ବେ କରୋନା ଭୟରେ ପିଏସଏଲରେ ଭାଗ ନେଉଥିବା ଇଂଲଣ୍ଡର ଖେଳାଳି ମାନେ ଶନିବାର ନିଜ ଦେଶକୁ ଫେରିଯିବା ନେଇ ଖବର ମିଳିଛି । ଏବେ ପାଖାପାଖି ୧୫ ଜଣ ଇଂଲଣ୍ଡ ଖେଳାଳି ପିଏସଏଲରେ ଖେଳୁଛନ୍ତି ।

ଏବେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଦିନିକିଆ ମ୍ୟାଚ୍ ଦର୍ଶକଙ୍କ ବିନା ଚାଲିଛି । ସମାନ ପଦ୍ଧତିକୁ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚରେ ଲାଗୁ କରିବା ନେଇ ବିସିସିଆଇ ଗୁରୁବାର ଜଣାଇସାରିଛି । ବାଂଲାଦେଶ କ୍ରିକେଟ ବୋର୍ଡ ମଧ୍ୟ ନିଜ ଟିମକୁ ପାକିସ୍ତାନ ପଠାଇବ ନାହିଁ ବୋଲି ସ୍ପଷ୍ଟ କରିସାରିଛି । ଇଂଲଣ୍ଡ ଦଳର ଶ୍ରୀଲଙ୍କା ଯାତ୍ରା ମଧ୍ୟ ରଦ୍ଦ ହେବା ଅପେକ୍ଷାରେ ରହିଛି ।
First published: March 13, 2020, 5:11 PM IST
corona virus btn
corona virus btn
Loading