ବାଲେଶ୍ୱର: ଟ୍ରାଇସାଇକେଲରେ ମାଇକ୍… ଲୋକଙ୍କୁ କରୋନା ସଚେତନତା ବାର୍ତ୍ତା ଦେଉଛନ୍ତି ଦିବ୍ୟାଙ୍ଗ

ନିଜେ ସଳଖ ହୋଇ ଛିଡ଼ା ହୋଇପାରୁ ନ ଥିଲେ ବି ନିଜ ଟ୍ରାଇସାଇକେଲରେ ୱାର୍ଡ଼ରୁ ୱାର୍ଡ଼ ଓ ଗାଁରୁ ଗାଁ ବୁଲିବୁଲି ଲୋକଙ୍କ ମଧ୍ୟରେ କରୋନା ଭୂତାଣୁର ଭୟାବହତା ସମ୍ପର୍କରେ ସଚେତନତାର ବାର୍ତ୍ତା ବାଣ୍ଟି ଚାଲିଛନ୍ତି ଗଜେନ୍ଦ୍ର ପ୍ରଧାନ ।

ବାଲେଶ୍ୱର: ଟ୍ରାଇସାଇକେଲରେ ମାଇକ୍… ଲୋକଙ୍କୁ କରୋନା ସଚେତନତା ବାର୍ତ୍ତା ଦେଉଛନ୍ତି ଦିବ୍ୟାଙ୍ଗ
୫୦ ବର୍ଷୀୟ ଗଜେନ୍ଦ୍ର ପ୍ରଧାନ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ସେ ନିଜେ ଦିବ୍ୟାଙ୍ଗ ହୋଇ ବି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଅନନ୍ୟ ଉଦାହରଣ । ସଳଖ ହୋଇ ଛିଡ଼ା ହୋଇପାରୁ ନାହାନ୍ତି, ହେଲେ କୋଭିଡ୍‌ ବିଷୟରେ ଲୋକଙ୍କୁ ସଚେତନ କରିବାରେ ଲାଗିଛନ୍ତି ପୂରା ଦମରେ । ଟ୍ରାଇସାଇକେଲରେ ବୁଲି ବୁଲି ସହରରୁ ଗାଁ ସବୁଠି ଲୋକଙ୍କୁ ସଚେତନ କରୁଛନ୍ତି ସଦର ବ୍ଲକ ପାତ୍ରପଡ଼ା ଅଞ୍ଚଳର ୫୦ ବର୍ଷୀୟ ଗଜେନ୍ଦ୍ର ପ୍ରଧାନ ।

ପ୍ରଧାନଙ୍କ ଦୈନନ୍ଦିନ କାର୍ଯ୍ୟ ପାଇଁ ତିନିଚକିଆ ଟ୍ରାଇସାଇକେଲ ହିଁ ଭରଷା । କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ଭୟାନକ ସ୍ଥିତି ସୃଷ୍ଟି ହୋଇଥିବାରୁ ସତର୍କତା ଅବଲମ୍ବନ ଉପରେ ସବୁ ମହଲରୁ ଗୁରୁତ୍ୱ ଦିଆଯାଉଛି । ଏନେଇ ସରକାରଙ୍କ ପକ୍ଷରୁ ଲକଡାଉନ ବି ଜାରି କରାଯାଇଛି । ହେଲେ ବାଲେଶ୍ୱରରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଲୋକଙ୍କୁ ସତେତନ କରିବାର ମହତ୍ୱ ବଢ଼ିଛି । ଏହି ପରିପ୍ରେକ୍ଷୀରେ ଭିନ୍ନକ୍ଷମ ବ୍ୟକ୍ତି ଗଜେନ୍ଦ୍ର ପ୍ରଧାନଙ୍କ ସଚେତନତା ପ୍ରସାର କରିବା ପାଇଁ ଉତ୍ସାହ ସମସ୍ତଙ୍କୁ ପ୍ରଭାବିତ କରୁଥିବା ଲକ୍ଷ୍ୟ କରାଯାଉଛି ।

ଏହା ବି ପଢ଼ନ୍ତୁ | ଜୁ୍ନ୍ ୩୦ ପୂର୍ବରୁ ଆଧାର PAN କାର୍ଡ଼ ଲିଙ୍କ୍ କଲେ ଜୋରିମାନା ହେବ; କେମିତି କରିବେ ଜାଣନ୍ତୁ

ନିଜ ଟ୍ରାଇସାଇକେଲରେ ଏକ ମାଇକ୍‌ ବାନ୍ଧି ସେ ୱାର୍ଡ଼ରୁ ୱାର୍ଡ଼ ଓ ଗାଁରୁ ଗାଁ ବୁଲିବୁଲି ସଚେତନତାର ବାର୍ତ୍ତା ବାଣ୍ଟି ଚାଲିଛନ୍ତି । ଦ୍ୱିତୀୟ ଲହରରେ ଅଧିକ କ୍ଷମତାଯୁକ୍ତ କରୋନା ଭୂତାଣୁର ଭୟାବହତା ସମ୍ପର୍କରେ ସେ ସାଧାରଣ ଲୋକଙ୍କୁ ସଚେତନ କରାଉଛନ୍ତି । ବିଶେଷ କରି ଅତି ଆବଶ୍ୟକ ନ ଥିଲେ ଘରୁ ନ ବାହାରିବା, ସର୍ବଦା ମାସ୍କ୍‌ ଓ ସାନିଟାଇଜର୍‌ ବ୍ୟବହାର କରିବା, ସାମାଜିକ ଦୂରତା ରକ୍ଷା କରିବା ଉପରେ ସେ ଗୁରୁତ୍ୱ ଦେଉଛନ୍ତି । ବାଲେଶ୍ୱର ସହରର ବିଭିନ୍ନ ୱାର୍ଡ଼ ସମେତ ସଦର ବ୍ଲକର ବିଭିନ୍ନ ପଞ୍ଚାୟତକୁ ନିଜ ଟ୍ରାଇସାଇକେଲରେ ଯାଇ ଲୋକଙ୍କୁ ବୁଝାଇ ସଚେତନ କରାଉଛନ୍ତି ସେ ।

ଦୁଃଖ କଷ୍ଟରେ ରହି ମଧ୍ୟ କାହାରି ପାଖରେ ହାତ ନ ପାତି ଆତ୍ମନିଭରଶୀଳ ହୋଇପାରିଛନ୍ତି ଗଜେନ୍ଦ୍ର ପ୍ରଧାନ ।


‘‘ଗତ ବର୍ଷ ମୋ’ ମଝିଆଁ ଝିଅକୁ କରୋନା ହୋଇଥିଲା । ସେତେବେଳେ ଆମେ ବହୁତ କଷ୍ଟ ପାଇଛୁ । ସମସ୍ତଙ୍କଠାରୁ ଦୂରେଇ ରହିବାକୁ ପଡୁଥିଲା । ଦୈନିକ କାର୍ଯ୍ୟ ମଧ୍ୟ ଠିକ୍‌ ଭାବରେ କରିପାରୁ ନ ଥିଲୁ । ଲାଗୁଥିଲା ସମାଜରୁ ଯେପରି ବାସନ୍ଦ ହୋଇଯାଇଛୁ । ତେଣୁ ମୋ’ର ସଙ୍କଳ୍ପ ଯେ ଆଉ କେହି ଯେମିତି ଏହି କଷ୍ଟ ନ ପାଆନ୍ତୁ ତା’ ପାଇଁ ମୁଁ ନିଜ ଯୋଗଦାନ ଦେବି । ଏହି କାର୍ଯ୍ୟ କରି ମୁଁ ଅଶେଷ ଆତ୍ମସନ୍ତୋଷ ପାଉଛି,’’ କହିଛନ୍ତି ପ୍ରଧାନ ।

ଏହା ବି ପଢ଼ନ୍ତୁ | ମର୍ମନ୍ତୁଦ ଦୁର୍ଘଟଣା! ଗୋଟିଏ ଚିତାରେ ଜଳିଲା ପତି ପତ୍ନୀଙ୍କ ଶବ; ପାଖରେ ପୁଅକୁ ପୋତାଗଲା

ସେ ପାତ୍ରପଡ଼ା ଅଞ୍ଚଳରେ ଜଣେ କଣ୍ଟ୍ରୋଲ୍‌ ରିଟେଲର୍‌ ଭାବେ ଲୋକଙ୍କୁ ପି.ଡି.ଏସ୍‌. ସାମଗ୍ରୀ ବିତରଣ କରିନ୍ତି । ନିଜ ତିନି ଝିଅଙ୍କୁ ସେ ପାଠ ପଢ଼ାଇ ଶିକ୍ଷିତା କରିଛନ୍ତି । ନିଜେ ମଧ୍ୟ ଯୁକ୍ତ ୩ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି । ତେବେ ପାଠପଢ଼ା ସମୟରେ ରୋଗଗ୍ରସ୍ତ ହେବା ପରେ ଅପରେସନ୍‌ ବିଫଳ ହେବାରୁ ସେହି ଦିନରୁ ସେ ଆଉ ସିଧା ହୋଇ ଛିଡ଼ା ହୋଇପାରିଲେ ନାହିଁ । ସେହି ଦିନଠାରୁ ଭିନ୍ନକ୍ଷମ ଭାବେ କଷ୍ଟେମଷ୍ଟେ ଜୀବନ ନୌକା ବାହି ଚାଲିଛନ୍ତି । ଦୁଃଖ କଷ୍ଟରେ ରହି ମଧ୍ୟ କାହାରି ପାଖରେ ହାତ ନ ପାତି ସେ ଆତ୍ମନିଭରଶୀଳ ହୋଇପାରିଛନ୍ତି ।

ଏହା ବି ପଢ଼ନ୍ତୁ | OPINION: ଯେବେ ଲୋକଙ୍କ ସଙ୍କଟ ବେଳେ PM ମୋଦି ସଙ୍କଟମୋଚକ ହୋଇଛନ୍ତି, ସାହାଯ୍ୟ କରିଛନ୍ତି

ପ୍ରଧାନଙ୍କ ସଚେତନତା ବିତରଣରେ ଉତ୍ସାହ ଓ ତାଙ୍କ ଶୈଳୀକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ।  ତାଙ୍କର ଏହି ଉଦ୍ୟମ ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପକାଉଛି ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି ।



‘‘ମୁଁ ତାଙ୍କର ଏହି ଉଦ୍ୟମ ଦେଖି କିଛି ଆର୍ଥିକ ସହାୟତା କରିବାକୁ ଚାହିଁଲି, ହେଲେ ସେ ନେବାକୁ ମନା କରିଦେଲେ । ସେ ଜଣେ ଭିନ୍ନକ୍ଷମ, କିନ୍ତୁ ତାଙ୍କର ଏଭଳି ପ୍ରୟାସ ଆମ ସମସ୍ତଙ୍କ ପାଇଁ ନିଶ୍ଚୟ ଏକ ପ୍ରେରଣା । ତାଙ୍କ ପତ୍ନୀଙ୍କୁ ଧନ୍ୟବାଦ ଦେବାକୁ ହେବ କାରଣ ସେ ମଧ୍ୟ ତାଙ୍କର ଏହି ସଚେତନତା ପ୍ରସାରଣ କାର୍ଯ୍ୟରେ ହାତ ମିଳାଇ ସହଯୋଗ କରୁଛନ୍ତି । ଆଶା କରୁଛି ଗଜେନ୍ଦ୍ରଙ୍କ ସଚେତନତା ଉଦ୍ୟମ ଯୋଗୁଁ ଅନେକ ଲୋକ ନିଶ୍ଚୟ ସଚେତନ ହେଉଥିବେ,’’ କହିଛନ୍ତି ବାଲେଶ୍ୱର ଅଭିବାବକ ସଙ୍ଘ ସଭାପତି ଗିରିଜା ଶଙ୍କର ଦାସ ।
Published by: Anand ST Das
First published: June 17, 2021, 11:34 PM IST