ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ବାଲେଶ୍ୱର: ଘରେ ଚାହିଁ ବସିଛି ୭ ମାସର ଶିଶୁ କନ୍ୟା; ମାଆ ଓ ବାପା କରୋନା ମୁକାବିଲାରେ ବ୍ୟସ୍ତ

ବାଲେଶ୍ୱର: ଘରେ ଚାହିଁ ବସିଛି ୭ ମାସର ଶିଶୁ କନ୍ୟା; ମାଆ ଓ ବାପା କରୋନା ମୁକାବିଲାରେ ବ୍ୟସ୍ତ

ବାଲେଶ୍ୱରର ଏହି ଦମ୍ପତି ସାଜିଛନ୍ତି କରୋନା ଯୋଦ୍ଧା । କରୋନା ମୁକାବିଲା ପରି ମହାନ କର୍ତ୍ତବ୍ୟ ଆଗରେ ନିଜ ପରିବାର ଚିନ୍ତା ଗୌଣ ହୋଇପଡ଼ିଛି ।

ବାଲେଶ୍ୱର: ଘରେ ଚାହିଁ ବସିଛି ୭ ମାସର ଶିଶୁ କନ୍ୟା; ମାଆ ଓ ବାପା କରୋନା ମୁକାବିଲାରେ ବ୍ୟସ୍ତ
ନିଜ ଶିଶୁ କନ୍ୟା ସହ ସୁମିତ୍ରା କର ଓ ସ୍ୱାମୀ ଗୌରଗୋପାଳ ଦାସ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: କର୍ତ୍ତବ୍ୟ ଆଗରେ ପଛରେ ପଡ଼ିଛି ଏହି ଦମ୍ପତିଙ୍କ ପରିବାର ଚିନ୍ତା । ସାତ ମାସର ଶିଶୁକୁ ଘରେ ଛାଡ଼ି ସମାଜ ପାଇଁ କଣ୍ଟେନମେଣ୍ଟ ଜୋନରେ ମହିଳା ଜଣକ କାମ କରୁଥିବା ବେଳେ ତାଙ୍କ ସ୍ୱାମୀ ବିଦ୍ୟୁତ ବିଭାଗର ଜରୁରୀକାଳୀନ ସେବାରେ ନିଜକୁ ନିୟୋଜିତ କରିଛନ୍ତି ।

ସାତ ମାସର ଶିଶୁ କନ୍ୟା, ଯିଏ ମା’ର ମମତା ଓ ସ୍ନେହ ଭିତରେ ବଢ଼ିବାକୁ ଚେଷ୍ଟା କରୁଛି, ସେ ଏବେ ମା’ କେବେ ଘରକୁ ଫେରିବ ତାକୁ ଚାହିଁ ବସିଛି । ଏହି ମା’ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ସଦାନ୍ଦପୁର ବାରମାଢ଼ିଆ ଗାଁର ସୁମିତ୍ରା କର । ସେ କର୍ତ୍ତବ୍ୟ ଆଗରେ ନିଜ ପିଲା ଓ ପରିବାର ସମସ୍ତଙ୍କୁ ପଛରେ ପକାଇଦେଇଛନ୍ତି । ଘରକୁ ଫେରିଲେ ସେ ଶାଶୁ ଶ୍ୱଶୁର ଓ ସ୍ୱାମୀ ସମେତ ସମସ୍ତଙ୍କ କଥା ବୁଝୁଥିବା ବହୁ, ସ୍ତ୍ରୀ ଓ ମାଆ, ହେଲେ କର୍ତ୍ତବ୍ୟ ସମୟରେ ସେ ପରିବାର ବିଷୟରେ ଆଦୌ ଚିନ୍ତା କରନ୍ତି ନାହିଁ ।

ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଫାର୍ମାସିଷ୍ଟ ଭାବରେ କାର୍ଯ୍ୟ କରୁଥିବା ସୁମିତ୍ରା କରଙ୍କୁ କରୋନା ମୁକାବିଲା କ୍ଷେତ୍ରରେ କଣ୍ଟେନମେଣ୍ଟ ଅଞ୍ଚଳରେ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଯାଞ୍ଚ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି ଦାୟିତ୍ୱକୁ ସୁଚାରୁରୂପେ ପାଳନ କରୁଛନ୍ତି ସେ । ଏସବୁ ଭିତରେ ନିଜର ସାତ ମାସର କନ୍ୟା ଓ ଛଅ ବର୍ଷର ପୁଅର ଠିକ୍‌ ଭାବରେ ଯତ୍ନ ନେଇପାରୁନାହାନ୍ତି ସୁମିତ୍ରା । ହେଲେ ଏଥିରେ ତିଳେ ମାତ୍ର ଦୁଃଖ ନ କରି ଲୋକଙ୍କ ସେବାରେ ଲାଗିପଡ଼ିଛନ୍ତି ସେ ।

ଦୁଇ ପିଲାଙ୍କ ସହ ତାଙ୍କ ଜେଜିମା’


ଏହା ବି ପଢ଼ନ୍ତୁ: ରାଜ୍ୟରେ ମେ ୨୦ ତାରିଖରୁ ଆରମ୍ଭ ହେବ ମ୍ୟାଟ୍ରିକ୍ ଖାତା ଦେଖା; ୨୦ ଦିନରେ ସରିବ

‘‘ଛୋଟ ଶିଶୁକୁ ଘରେ ଛାଡ଼ି ଯିବାକୁ ଇଚ୍ଛା ନାହିଁ, ହେଲେ ମୋ’ର କର୍ତ୍ତବ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଏବେ ବାଲେଶ୍ୱର ଜିଲ୍ଲାରେ ଯେଉଁ ଭଳି କରୋନା ପଜିଟିଭଙ୍କ ସଂଖ୍ୟା ପ୍ରତ୍ୟେକ ଦିନ ବୃଦ୍ଧି ପାଇବାରେ ଲାଗିଛି ତାହା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ଏହି ସମୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଦାୟିତ୍ୱ ବଢିଯାଇଛି । ପରିବାରକୁ ଯେତିକି ଗୁରୁତ୍ୱ ଦେଉଛି ସେତିକି କାମରେ ମଧ୍ୟ ଦେଉଛି,’’ କହିଛନ୍ତି ସୁମିତ୍ରା ।

ସୁମିତ୍ରଙ୍କ ସ୍ୱାମୀ ଗୌର ଗୋପାଳ ଦାସ ବିଦ୍ୟୁତ ବିଭାଗର ଜଣେ କର୍ମଚାରୀ । କରୋନା ସଂକ୍ରମଣ ସମୟରେ ଲୋକଙ୍କ ଘରେ ବିଦ୍ୟୁତ ଯୋଗାଇବାକୁ ଅନବରତ ନିଜର କର୍ତ୍ତବ୍ୟ କରିବାରେ ଲାଗିପଡିଛନ୍ତି ସେ । ସ୍ତ୍ରୀ କଣ୍ଟେନମେଣ୍ଟ ଅଞ୍ଚଳରେ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଡିଉଟି କରି ଘରକୁ ଫେରୁଥିବାବେଳେ ସ୍ୱାମୀ ମଧ୍ୟ ଦିନ ତମାମ ବାହାରେ କାର୍ଯ୍ୟ କରୁଛନ୍ତି । ଏହି ସମୟରେ ଦୁଇ ଶିଶୁଙ୍କର ଯତ୍ନ ନେଉଛନ୍ତି ଗୌର ଗୋପାଳଙ୍କର ମାଆ ।

ଏହା ବି ପଢ଼ନ୍ତୁ: କାଲି ଠାରୁ ଦେଶରେ ଟ୍ରେନ୍ ଚାଲିବା ଆରମ୍ଭ ହେବ; ଆପଣ ଟିକେଟ୍ ବୁକିଂ କରିପାରନ୍ତି

କାର୍ଯ୍ୟ କ୍ଷେତ୍ରକୁ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି ସୁମିତ୍ରା କର


ସାତ ମାସର ଶିଶୁ କନ୍ୟାଟି ମାଆର ମମତା ଖୋଜୁଥିବା ବେଳେ ତା’ ମାଆର କରୋନା ମୁକାବିଲା ପରି ମହାନ କର୍ତ୍ତବ୍ୟ ଆଗରେ ନିଜ ପରିବାର ଚିନ୍ତା ଗୌଣ ହୋଇପଡ଼ିଛି । ଦିନ ସାରା ବାହାରେ କାର୍ଯ୍ୟ ସାରି ଘରକୁ ଫେରିବା ପରେ ନିଜର ସୁରକ୍ଷା ଓ ଘର ଲୋକଙ୍କର ସୁରକ୍ଷା ପ୍ରତି ଭୟ ଥିଲେ ମଧ୍ୟ କର୍ତ୍ତବ୍ୟକୁ ପାଥେୟ କରି ଜନସେବାରେ ଲାଗିପଡିଛନ୍ତି ସୁମିତ୍ରା ଓ ଗୌର ଗୋପାଳ ।

ଏହା ବି ପଢ଼ନ୍ତୁ: ଲକଡାଉନ୍‌ର ସବୁ ନିୟମ ମାନି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି

‘‘କରୋନା ଯୁଦ୍ଧରେ ଆମେ ଦମ୍ପତି ସାମିଲ ହୋଇ ଗର୍ବ ଅନୁଭବ କରୁଛୁ । ପୂରା ସମାଜ ଆମ ପରିବାର,’’ କହିଛନ୍ତି ଗୌର ଗୋପାଳ ଦାସ ।
First published: May 11, 2020, 7:40 PM IST