କଟକରେ COVID ଅବ୍ୟବସ୍ଥା: ରୋଗୀଙ୍କ ମୃତ୍ୟୁର ୧୭ ଦିନ ପରେ ପରିବାର ଲୋକେ ଖବର ପାଇଲେ

ଢେଙ୍କାନାଳରୁ ଅଣାଯାଇଥିବା ଏହି କୋଭିଡ ରୋଗୀ ଛାତିରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଥିବାରୁ SCBର ଆଇସୋଲେସନ ସେଣ୍ଟର ଭିତରକୁ ଯାଇ ନ ପାରି ବାହାରେ ଦୁଇ ଦିନ ଧରି ପଡ଼ିରହି ମୃତ୍ୟୁ ବରଣ କରିଥିଲେ ବୋଲି ଜଣାପଡ଼ିଛି ।

କଟକରେ COVID ଅବ୍ୟବସ୍ଥା: ରୋଗୀଙ୍କ ମୃତ୍ୟୁର ୧୭ ଦିନ ପରେ ପରିବାର ଲୋକେ ଖବର ପାଇଲେ
ମୃତକ ଦୁର୍ଯ୍ୟୋଧନ ବେହେରା ଓ (ଡାହାଣ) କଟକର ଏସସବି ହସପିଟାଲ
  • News18 Odia
  • Last Updated: October 18, 2020, 11:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ରାଜ୍ୟରେ କୋଭିଡ ପରିଚାଳନାରେ ଅନେକ ତ୍ରୁଟି ବିଚ୍ୟୁତିର ଅଭିଯୋଗ ଆସୁଥିବା ବେଳେ ଏବେ ଏକ ସାଙ୍ଘାତିକ ଅବହେଳା ସାମନାକୁ ଆସିଛି । ଢେଙ୍କାନାଳରୁ ଆସିଥିବା ଜଣେ କୋଭିଡ ପଜିଟିଭ ରୋଗୀ କଟକ ବଡ଼ ଡାକ୍ତରଖାନାରେ ମୃତ୍ୟ ବରଣ କରିଥିବା ନେଇ ମୃତ୍ୟୁ ହେବାର ୧୭ ଦିନ ପରେ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା ବୋଲି ଜଣା ପଡ଼ିଛି । ପରିବାର ଲୋକେ ଢେଙ୍କାନାଳ ଜିଲ୍ଳାପାଳଙ୍କ ପାଖରେ ଓ ଟାଉନ ଥାନାରେ ଅଭିଯୋଗ କରିବା ସହ ବାରମ୍ବାର ଗୁହାରି କରିବା ପରେ ଯାଇ ତାଙ୍କୁ ରବିବାର ଦିନ ଏହି ଦୁଃଖଦ ସୂଚନା ଦିଆଯାଇଥିଲା ।

ପୋଲିସରେ ହୋଇଥିବା ଅଭିଯୋଗ ମୁତାବକ ଗତ ମାସ ୨୮ ତାରିଖ ଦିନ ଢେଙ୍କାନାଳ ସଦର ବାରଦା ଗାଁ ବାସିନ୍ଦା ୬୫ ବର୍ଷୀୟ ଦୁର୍ଯ୍ୟୋଧନ ବେହେରା ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାର ଗୋଟିଏ ଦିନ ପରେ ତାଙ୍କ ପରିବାର ଲୋକେ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ସେଠାରେ ପରୀକ୍ଷା ପରେ ସେ କୋଭିଡ ଆକ୍ରାନ୍ତ ଥିବା ଜଣା ପଡ଼ିଥିଲା । ଏହା ପରେ ତାଙ୍କ ପରିବାର ଲୋକଙ୍କୁ ଘରକୁ ଯିବାକୁ କହି ଡାକ୍ତରଖାନା କର୍ତ୍ତୃପକ୍ଷ ଦୁର୍ଯ୍ୟୋଧନଙ୍କୁ ସ୍ଥାନୀୟ କୋଭିଡ କେୟାର କେନ୍ଦ୍ରରେ ଭର୍ତ୍ତି କରାଇଥିଲେ ।

ସେପ୍ଟେମ୍ବର ୨୯ ତାରିଖ ଦିନ ପରିବାର ଲୋକେ କୋଭିଡ କେୟାର ସେଣ୍ଟକୁ ଯାଇ ବୁଝିବା ବେଳକୁ ଦୁର୍ଯ୍ୟୋଧନଙ୍କୁ ଅନ୍ୟ ଜଣେ କୋଭିଡ ରୋଗୀଙ୍କ ସହିତ ଏସସବି ହସପିଟାଲକୁ ସ୍ଥାନାନ୍ତର କରାଯାଇଥିବା ନେଇ ସେମାନଙ୍କୁ କୁହାଯାଇଥିଲା । ଏହା ପରେ ତାଙ୍କ ପରିବାର ଲୋକେ ଏସସିବି କୋଭିଡ ଆଇସୋଲେସନ ସେଣ୍ଟରକୁ ଆସି ଅନେକ ଖୋଜା ଖୋଜି କରି ଦୁର୍ଯ୍ୟୋଧନଙ୍କ ବିଷୟରେ କୌଣସି ସୂଚନା ନ ପାଇ ସହରରେ ଥିବା ଅନ୍ୟ ଦୁଇଟି କୋଭିଡ ହସ୍ପିଟାଲକୁ ଯାଇଥିଲେ । କିନ୍ତୁ କେଉଁଠି ବି ଦୁର୍ଯ୍ୟୋଧନଙ୍କ କିଛି ପତ୍ତା ମିଳି ନ ଥିଲା ।

ଢେଙ୍କାନାଳ ସିଡିଏମଓ ସୁଜାତା ମିଶ୍ର


ବିଭିନ୍ନ କୋଭିଡ ହସପିଟାଲରେ ଅନେକ ଥର ଖୋଜାଖୋଜି କରିବା ପରେ ଦୁର୍ଯ୍ୟୋଧନଙ୍କ ନ ପାଇ ଶେଷରେ ଅକ୍ଟୋବର ୧୨ ତାରିଖ ଦିନ ଢେଙ୍କାନାଳ ସିଡିଏମଓ ଓ ଜିଲ୍ଳାପାଳଙ୍କ ସହ ଟାଉନ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ । ଏହାର ସାତ ଦିନ ପରେ ଦୁର୍ଯ୍ୟୋଧନଙ୍କ ମୃତ୍ୟୁ ହୋଇଯାଇଛି ଏବଂ ତାଙ୍କ ଅନ୍ତିମସଂସ୍କାର କରାସରିଛି ବୋଲି ପରିବାର ଲୋକଙ୍କୁ ଅବଗତ କରିଥିଲା ପୋଲିସ ।

ଏହି ପ୍ରସଙ୍ଗରେ ଅଧିକ ଅନୁସନ୍ଧାନ କରିବାରୁ ନ୍ୟୁଜ ୧୮ ଓଡ଼ିଆ ଡିଜିଟାଲ (News18 Odia Digital) ହାତରେ ଲାଗିଛି ସାଙ୍ଘାତିକ ତଥ୍ୟ । ଗତ ୨୯ ତାରିଖ ଦିନ ଢେଙ୍କାନାଳ କୋଭିଡ କେୟାର ସେଣ୍ଟରରୁ ଏକ ଗାଡ଼ିରେ ଦୁଇ ଜଣ ରୋଗୀ ଓ ଜଣେ ଆଟେଣ୍ଡାଣ୍ଟଙ୍କୁ ନେଇ ଏକ ଆମ୍ବୁଲାନ୍ସ ଏସସିବି ହସପିଟାଲକୁ ଆସିଥିଲା ସତ । କିନ୍ତୁ ସମ୍ପୃକ୍ତ ଗାଡ଼ି ଚାଳକ ଉଭୟ ରୋଗୀଙ୍କୁ ଏସସିବି କୋଭିଡ ଆଇସୋଲେସନ୍‌ ସେଣ୍ଟର ବାହାରେ ଛାଡ଼ି ଦେଇ ଚାଲି ଯାଇଥିଲେ । ଫଳରେ ନିଜ ଅଟେଣ୍ଡାଣ୍ଟ ଥିବାରୁ ଅନ୍ୟ ଜଣେ ରୋଗୀ ଆଇସୋଲେସନ ସେଣ୍ଟରରେ ଭର୍ତ୍ତି ହୋଇଯାଇଥିଲେ । କିନ୍ତୁ ଛାତିରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଥିବା ଦୁର୍ଯ୍ୟୋଧନ ସେହି ଠାରୁ ଆଉ ଆଇସୋଲୋସନ ସେଣ୍ଟର ଭିତରକୁ ଯାଇପାରି ନ ଥିଲେ ।

ଏହାର ଦୁଇ ଦିନ ପରେ ଅର୍ଥାତ ଅକ୍ଟୋବର ୧ ତାରିଖ ଦିନ ମେଡିକାଲ ପରିସରରେ କେହି ଜଣେ ଅଜଣା ବ୍ୟକ୍ତି ପଡ଼ିଥିବା ଖବର ପାଇ ମେଡିକାଲ କର୍ମଚାରୀ ଦୁର୍ଯ୍ୟୋଧନଙ୍କୁ ଆଶୁ ଚିକିତ୍ସା ବିଭାଗରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ନିୟମ ମୁତାବକ ଅପରିଚିତ ବ୍ୟକ୍ତି ହୋଇଥିବାରୁ ମଙ୍ଗଳାବାଗ ଥାନାକୁ ଏକ ମେମୋ ପଠାଇ ଦେଇଥିଲେ । ମେମୋ ପାଇବା ପରେ ପୋଲିସ ଦୁର୍ଯ୍ୟୋଧନଙ୍କ ମୃତ ଦେହକୁ ତିନି ଦିନ କାଳ ଶବ ସଂରକ୍ଷଣ ଗୃହରେ ରଖି ଅକ୍ଟୋବର ୪ ତାରିଖ ଦିନ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ କରିଥିଲା ।

ଏସସିବିର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା


ଦୁର୍ଯ୍ୟୋଧନଙ୍କ ପରିବାର ପକ୍ଷରୁ ଏ ସମ୍ପର୍କରେ ଢେଙ୍କାନାଳ ସିଡିଏମଓଙ୍କ ନାଁରେ ଟାଉନ ଥାନାରେ ଏକ ଅଭିଯୋଗ ଦାଖଲ ହେବା ପରେ ସେଠାକାର ପୋଲିସ ମଙ୍ଗଳାବାଗ ଥାନା ସହ ଯୋଗାଯୋଗ କରିଥିଲା । ଅନ୍ତିମ ସଂସ୍କାର ପୂର୍ବରୁ ମଙ୍ଗଳାବାଗ ଥାନା ପୋଲିସ ଉଠାଇଥିବା ଦୁର୍ଯ୍ୟୋଧନଙ୍କ ଫଟୋରୁ ସେ ଯେ ୧୭ ଦିନ ତଳେ ମୃତବରଣ କରିଛନ୍ତି ତାହା ରବିବାର ଦିନ (ଅକ୍ଟୋବର ୧୮ରେ) ତାଙ୍କ ପରିବାର ଲୋକଙ୍କୁ ଅବଗତ କରାଯାଇଥିଲା।

ଏହି ପ୍ରସଙ୍ଗରେ ନ୍ୟୁଜ ୧୮ ଓଡ଼ିଆ ଡିଜିଟାଲ (News18 Odia Digital) ପକ୍ଷରୁ ଢେଙ୍କାନାଳ ସିଡିଏମଓ ଓ ଏସସବି ହସପିଟାଲ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବାରୁ ସେମାନେ ପରସ୍ପର ଉପରେ ଦୋଷ ଠେଲିବା ଆରମ୍ଭ କରିଥିଲେ ।

ଏହା ବି ପଢ଼ନ୍ତୁ | ମହିଳାଙ୍କୁ ଦେଢ଼ ବର୍ଷ ପାଇଖାନାରେ ବନ୍ଦ୍ କରି ରଖିଥିଲେ ତାଙ୍କ ସ୍ାମୀ, ଉଦ୍ଧାର କରାଗଲା

“ଆମେ ତ ତାଙ୍କୁ ଏସସବି ହସପିଟାଲକୁ ପଠାଇଥିଲୁ । ଦୁର୍ଯ୍ୟୋଧନଙ୍କୁ ନେଇ ଯାଇଥିବା ଗାଡ଼ି ୨୯ ତାରିଖ ଦିନ ତାଙ୍କୁ ଏସସିବି ନେଇଥିଲା । ସେଠାରୁ ସେ କୁଆଡେ ଗଲେ ସେ କଥା ଏସସବି କର୍ତ୍ତୃପକ୍ଷ କହିବେ,” କହିଛନ୍ତି ଢେଙ୍କାନାଳ ସିଡିଏମଓ ସୁଜାତା ମିଶ୍ର ।

ଏସସିବି ହସପିଟାଲରେ ଦୁର୍ଯ୍ୟୋଧନଙ୍କୁ ଭର୍ତ୍ତି କରାଯିବା ନେଇ ସମ୍ପୃକ୍ତ ଗାଡ଼ିର ଡ୍ରାଇଭର ଆଇସୋଲୋନ ୱାର୍ଡ଼ର ଅଧିକାରୀଙ୍କ ପାଖରୁ କିଛି ଲିଖିତ ରସିଦ ପାଇଥିଲେ କି ନାହିଁ ବୋଲି ପଚରା ଯବାରୁ ସୁଜାତା ମିଶ୍ର କହିଛନ୍ତି, “କୋଭିଡ ରୋଗୀଙ୍କୁ କୌଣସି ହସପିଟାଲକୁ ସ୍ଥାନାନ୍ତର କଲେ ସେଠାରୁ ସେମିତି କିଛି ରସିଦ ମିଳିବାର ବ୍ୟବସ୍ଥା ନାହିଁ ।’’

ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ନିଜ ପିଠିକୁ JCB ମାଟି ଖୋଳା ମେସିନରେ କୁଣ୍ଡାଇଲେ ଏହି ବ୍ୟକ୍ତି; VIDEO ଆପଣଙ୍କୁ ଚକିତ କରିବ!

“ଦୁଇ ଦିନ ତଳେ ଆମେ ଗଣ ମାଧ୍ୟମରୁ ଏହି ବିଷୟରେ ଜାଣିବାକୁ ପାଇ ଦୁର୍ଯ୍ୟୋଧନ ବେହେରାଙ୍କୁ ଆଇସୋଲୋସନ ୱାର୍ଡ଼ରେ ଖୋଜିବା ଆରମ୍ଭ କରିଥିଲୁ । କିନ୍ତୁ ସେହି ନାମଧାରୀ କେହି ବ୍ୟକ୍ତି ସେଠାରେ ନ ଥିବା ବିଷୟରେ ଆମେ ଜାଣିବାକୁ ପାଇଥିଲୁ । ଦୁର୍ଯ୍ୟୋଧନଙ୍କୁ ଯଦି ତାଙ୍କର କୋଭିଡ ପଜିଟିଭ ରିପୋର୍ଟ ସହିତ ଆଇସୋଲେନ ୱାର୍ଡ଼ରେ ଭର୍ତ୍ତି କରାଯାଇଥାନ୍ତା, ତାହେଲେ ସେ ସେଠାରୁ ବାହାରକୁ ଯାଇ ପାରି ନ ଥାନ୍ତେ । ଯଦି ଗାଡ଼ିର ଡ୍ରାଇଭର ତାଙ୍କୁ ଆଇସୋଲେନ ୱାର୍ଡ଼ ବାହାରେ ଛାଡ଼ି ଦେଇ ଚାଲିଯାଇଥିବ, ତେବେ ଆମେ କଣ କରିପାରିବୁ?’’ ଓଲଟା ପ୍ରଶ୍ନ କରିଛନ୍ତି ଏସସିବିର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ।

ଦୁର୍ଯ୍ୟୋଧନଙ୍କର ଯେ ମୃତ୍ୟୁ ଘଟିଛି ଓ ତାଙ୍କର ଶେଷକୃତ୍ୟ ମଧ୍ୟ ସମ୍ପନ୍ନ ହୋଇସାରିଛି ଏହା ଜାଣିବା ପରେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ତାଙ୍କ ପରବାର ଲୋକେ । ଏହି ଚରମ ଅବହେଳା ପାଇଁ ସେମାନେ ଢେଙ୍କାନାଳ ଜିଲ୍ଳା ପ୍ରଶାସନ ଉପରେ ସିଧାସଳଖ ଦୋଷାରୋପ କରିଛନ୍ତି ଓ ଏଥି ପାଇଁ ଦାୟୀ ଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ।



“ଆମକୁ ନ ଜଣାଇ ସେ ମୋ’ ଭିଣୋଇଙ୍କୁ ଢେଙ୍କାନାଳରୁ ଏସସିବି ହସପିଟାଲକୁ ନେଇଗଲେ । ଯଦି ନେଲେ ତାଙ୍କୁ ମେଡିକାଲରେ ଭର୍ତ୍ତି ନ କରି ଚାଲି ଆସିଲେ କାହିଁକି? ଆମେ ତାଙ୍କ ମୃତ୍ୟୁର ୧୭ ଦିନ ପରେ ଆଜି ଖବର ପାଉଛୁ । ସରକାର କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଏତେ କଥା କରୁଛନ୍ତି ବୋଲି କହୁଛନ୍ତି, ହେଲେ ଅଧିକାରୀମାନଙ୍କ ଏହି ଅବହେଳା ପାଇଁ ଆମେ ଶେଷ ଥର ପାଇଁ ତାଙ୍କ ମୁହଁ ଦେଖି ପାରିଲୁନାହିଁ । ଏଥି ପାଇଁ ଦାୟୀ ଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଦରକାର,” କହିଛନ୍ତି ଦୁର୍ଯ୍ୟୋଧନଙ୍କ ଶାଳକ ସୁରେଶ ବେହେରା ।
Published by: Anand Shankar Thankur Das
First published: October 18, 2020, 11:58 PM IST
corona virus btn
corona virus btn
Loading