କରୋନା ଯୁଦ୍ଧରେ ହାରିଗଲେ ଆଶା କର୍ମୀ; ₹୫୦ ଲକ୍ଷ କ୍ଷତିପୂରଣ ପାଇଁ CMଙ୍କୁ ଲେଖିଲେ ଜୁଏଲ

ସରକାର କରିଥିବା ଘୋଷଣା ଅନୁସାରେ ପରିବାରକୁ ଆର୍ଥିକ ସହାୟତା ଦେବା ସହ ମା’ଙ୍କ ଚାକିରୀରେ ପରିବାରରୁ ଜଣକୁ ନିଯୁକ୍ତି ଦେବାକୁ ସରକାରଙ୍କୁ ବିନତୀ କରିଛନ୍ତି ମୃତ ନିର୍ମଳାଙ୍କ ୨୧-ବର୍ଷୀୟା ବଡ଼ ଝିଅ କମଳା ।

କରୋନା ଯୁଦ୍ଧରେ ହାରିଗଲେ ଆଶା କର୍ମୀ; ₹୫୦ ଲକ୍ଷ କ୍ଷତିପୂରଣ ପାଇଁ CMଙ୍କୁ ଲେଖିଲେ ଜୁଏଲ
ମୃତ ଆଶା କର୍ମୀ ନିର୍ମଳାଙ୍କ ଦୁଇ ଝିଅ ଓ ପୁଅ
  • Share this:
  • Byline Facebook
  • Byline Twitter
  • Byline Linkedin
ସୁଜିତ କୁମାର ସା | News18 Odia Digital

ସୁନ୍ଦରଗଡ଼: କରୋନା ଭାଇରସ୍‌ ସଂକ୍ରମଣର ମୁକାବିଲା କରିବା ପାଇଁ କାର୍ଯ୍ୟ କରୁଥିବା ସ୍ଵାସ୍ଥ୍ୟ କର୍ମୀମାନଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ସବୁ ପ୍ରକାରର ସାହାଯ୍ୟ ସହଯୋଗ ଦେବାକୁ ଘୋଷଣା କରିଥିଲେ । କାର୍ଯ୍ୟରତ ଅବସ୍ଥାରେ ସ୍ଵାସ୍ଥ୍ୟ କର୍ମୀ ମୃତ୍ୟୁ ବରଣ କଲେ ୫୦ ଲକ୍ଷ ଟଙ୍କାର କ୍ଷତି ପୂରଣ ଦେବାକୁ ବି ଘୋଷଣା କରିଥିଲେ । ହେଲେ ଜଣେ ଆଶା କର୍ମୀଙ୍କ ମୃତ୍ୟୁର ଚାରି ଦିନ ପରେ ବି ତାଙ୍କୁ ଏହି ସହାୟତା ଦିଆଯାଇ ନ ଥିବାରୁ ଏହି ଅଞ୍ଚଳରେ ଜନ ଅସନ୍ତୋଷ ସୃଷ୍ଟି ହୋଇଛି ।

ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକ କିଞ୍ଜିରକେଲା ସ୍ଵାସ୍ଥ୍ୟ କେନ୍ଦ୍ର ଅଧୀନରେ ଆଶା କର୍ମୀ ଭାବେ ଗତ ୧୫ ବର୍ଷ ହେଲା କାର୍ଯ୍ୟ କରୁଥିବା ନିର୍ମଳା ସୋରେଙ୍ଗ କାର୍ଯ୍ୟରତ ଥିବା ଆବସ୍ଥାରେ ଅସୁସ୍ଥ ହୋଇପଡ଼ିଥିଲେ ଓ ତିନି ଦିନ ଚିକିତ୍ସାଧୀନ ରହିବା ପରେ ମୃତ୍ୟୁ ବରଣ କରିଥିଲେ ।

ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ଅନ୍ୟ ସ୍ଵାସ୍ଥ୍ୟ କର୍ମୀମାନଙ୍କ ସହ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରାଉଥିଲେ ୫୦-ବର୍ଷୀୟା ନିର୍ମଳା । ବାହାର ରାଜ୍ୟରୁ ଆସିଥିବା ଶ୍ରମିକମାନଙ୍କ ପଞ୍ଜୀକରଣ କାର୍ଯ୍ୟ ସହ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ କରୁଥିବା ବେଳେ ଗତ ଏପ୍ରିଲ୍‌ ୨୪ ତାରିଖରେ ସେ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା । ସେ ଏପ୍ରିଲ୍‌ ୨୮ରେ ମୃତ୍ୟୁ ବରଣ କରିଥିଲେ ।

ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ


ଜଣେ ନିଷ୍ଠାବାନ ଆଶା କର୍ମୀ ଭାବେ ନିର୍ମଳା ସମଗ୍ର ଅଞ୍ଚଳରେ ବେଶ୍‌ ଜନପ୍ରିୟ ଥିଲେ । ସେ ସ୍ଵାମୀ ପରିତ୍ୟକ୍ତା ଥିଲେ ଓ ନିଜର ଦୁଇ ଝିଅ ଓ ଗୋଟିଏ ପୁଅ ସହ ରହୁଥିଲେ । ତାଙ୍କ ପରିବାରରେ ବର୍ତ୍ତମାନ ଏହି ତିନି ପିଲାଙ୍କ ବ୍ୟତୀତ ତାଙ୍କର ବୃଦ୍ଧ ବାପା ମା’ ବି ଅଛନ୍ତି । ପରିବାରର ଏକ ମାତ୍ର ରୋଜଗାରିଆ ସଦସ୍ୟଙ୍କ ହଠାତ୍‌ ଚାଲିଯିବା ଯୋଗୁଁ ଏହି ପାଞ୍ଚ ପ୍ରାଣୀଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି । ସେମାନେ ଚାହିଁ ବସିଛନ୍ତି ସରକାରୀ ସହାୟତାକୁ ।

‘‘ଦିନ ରାତି କାମ କରି ମୋ ମା’ ଅସୁସ୍ଥ ହୋଇପଡ଼ିଥିଲେ । ଶେଷରେ ସେ ହଠାତ୍‌ ଚାଲିଗଲେ । ସରକାର କରିଥିବା ଘୋଷଣାର ଅନୁପାଳନ କରି ଆମକୁ ଆର୍ଥିକ ସହାୟତା ଦେବା ସହ ମା’ଙ୍କ ଚାକିରୀରେ ଆମକୁ ନିଯୁକ୍ତି ଦେଲେ ଆମେ ଭଲ ଭାବରେ ରହି ପାରନ୍ତୁ । ସରକାରଙ୍କୁ ମୋ’ର ଏତିକି ବିନତୀ,’’ କହିଛନ୍ତି ନିର୍ମଳାଙ୍କ ୨୧-ବର୍ଷୀୟା ବଡ଼ ଝିଅ କମଳା ସୋରେଙ୍ଗ ।

କରୋନା ଯୁଦ୍ଧରେ ମାସାଧିକ କାଳ କାମ କରିବା ପରେ କଠିନ ପରିଶ୍ରମରେ ଭାରାକ୍ରାନ୍ତ ହୋଇ ଅସୁସ୍ଥ ହୋଇ ମୃତ୍ୟୁ ବରଣ କରିଥିବା ଏହି ଆଶା କର୍ମୀଙ୍କୁ ସରକାରୀ ସ୍ତରରେ ଘୋଷଣା ହୋଇଥିବା ୫୦ ଲକ୍ଷ ଟଙ୍କାର କ୍ଷତି ପୁରଣ ଦେବାକୁ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ।  ସ୍ଥାନୀୟ ସ୍ଵେଚ୍ଛାସେବୀମାନେ ମଧ୍ୟ ଏହି ଦାବୀ ଉଠାଇଛନ୍ତି ।

‘‘ମୃତ୍ୟୁ ବରଣ କରିଥିବା ଆଶା କର୍ମୀ ନିର୍ମଳା ୧୫ ବର୍ଷ ଧରି କାମ କରି ଆସୁଥିଲେ । ଏହି ବିଷୟରେ ଜିଲ୍ଲା ପ୍ରଶାସନ ତରଫରୁ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଛି । ସରକାର ଯାହା ନିଷ୍ପତ୍ତି ନେବେ ସେହି ଅନୁସାରେ ଆମେ କାର୍ଯ୍ୟ କରିବୁ,’’ କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ସରୋଜ ମିଶ୍ର ।
First published: May 2, 2020, 7:02 PM IST
corona virus btn
corona virus btn
Loading