ରାସ୍ତା ଉପରେ ‘କରୋନା ରାକ୍ଷସ’କୁ ଦେଖି, ତା’ ଗର୍ଜନ ଶୁଣି ଲୋକେ ହସିଲେ, ସଚେତନ ହେଲେ

କରୋନା ଭାଇରସର ମୁକାବିଲା ପାଇଁ କୌଣସି ଔଷଧ ନ ଥିବାରୁ ତାକୁ କଳିଯୁଗର ରାକ୍ଷସ ବୋଲି ଦର୍ଶାଇ ବୌଦ୍ଧରେ ଅଭିନେତାମାନେ ଲୋକଙ୍କୁ ସଚେତନ କରିବାର ସୁନ୍ଦର ପ୍ରୟାସ କରିଛନ୍ତି ।

ରାସ୍ତା ଉପରେ ‘କରୋନା ରାକ୍ଷସ’କୁ ଦେଖି, ତା’ ଗର୍ଜନ ଶୁଣି ଲୋକେ ହସିଲେ, ସଚେତନ ହେଲେ
କରୋନା ଭାଇରସର ମୁକାବିଲା ପାଇଁ କୌଣସି ଔଷଧ ନ ଥିବାରୁ ତାକୁ କଳିଯୁଗର ରାକ୍ଷସ ବୋଲି ଦର୍ଶାଇ ବୌଦ୍ଧରେ ଅଭିନେତାମାନେ ଲୋକଙ୍କୁ ସଚେତନ କରିବାର ସୁନ୍ଦର ପ୍ରୟାସ କରିଛନ୍ତି ।
  • News18 Odia
  • Last Updated: April 16, 2020, 8:06 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଗଣେଶ ପଲ୍‌ | News18 Odia Digital

ବୌଦ୍ଧ: "ମୁଁ କରୋନା । ସହର, ଗାଁ, ଗଳିକନ୍ଦି ଚାରି ଆଡ଼େ ବୁଲୁଛି ମୁଁ । କାହାକୁ ଛାଡ଼ିବିନି। ଯାହାକୁ ପାଇବି ତାକୁ ମାରିବି । ଏଠି ଲୋକମାନେ ଅଯଥାରେ ଘରୁ ବାହାରୁଛନ୍ତି । ଯେତେ ବୁଝାଇଲେ ବି ମାସ୍କ ପିନ୍ଧୁନାହାନ୍ତି । ଏକାଠି ହୋଇ ବୁଲୁଛନ୍ତି । କାହାରିକି ଛାଡ଼ିବିନି ମୁଁ ।’’

ରାସ୍ତାରେ କରୋନା ରାକ୍ଷସ ବେଶରେ ଠିଆ ହୋଇ ବଡ଼ ପାଟିରେ ଏହା କହୁଥିବା ଲୋକଟିକୁ ଦେଖି ଓ ଶୁଣି ସେଠି ଥିବା ଲୋକେ ଯେତିକି ଆମୋଦିତ ହେଉଥିଲେ, କରୋନା ଭାଇରସ୍‌ ସଂକ୍ରମଣର ଭୟାବହତା ବିଷୟରେ ସେତିକି ଅଧିକ ସଚେତନ ହେଉଥିଲେ । ଏହି ରାକ୍ଷସ ବେଶଧାରୀ ଥିଲେ ଏକ ସ୍ବେଚ୍ଛାସେବୀ ସଙ୍ଗଠନର ସଦସ୍ୟ ରାମଚନ୍ଦ୍ର ମେହେର । ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସମିତି ବୁଟୁପାଲିର ଏହି ସଙ୍ଗଠନ କରୋନା ଭାଇରସ୍‌ ବିଷୟରେ ସଚେତନତା ସୃଷ୍ଟି କରିବାର ଏକ ଭିନ୍ନ ପ୍ରୟାସ କରୁଛି ।

ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି ଅମାନିଆଙ୍କୁ ସତର୍କ କରାଇବାର ଏହି ନିଆରା ପ୍ରୟାସ । ସ୍ବେଚ୍ଛାସେବୀ ସଙ୍ଗଠନ ତରଫରୁ ସହରର ବିଭିନ୍ନ ସ୍ଥାନରେ ନାଟକ ମାଧ୍ୟମରେ କରୋନାକୁ ନେଇ ସଚେତନ କରାଯାଇଥିଲା । ବିଭିନ୍ନ ଭୂମିକାରେ ସଙ୍ଗଠନର ସଦସ୍ୟମାନେ ନଜରକୁ ଆସିଥିଲେ । ଯମରାଜ ବେଶରେ ଇନ୍ଦ୍ରମଣି ମେହେର, ଚିତ୍ରଗୁପ୍ତ ବେଶରେ ସୁଦର୍ଶନ ହୋତା ଓ ଦୂତ ସାଜିଥିଲେ ଗୋପାଳ ମେହେର । କରୋନା ରାକ୍ଷସ ରୂପରେ ରାମଚନ୍ଦ୍ର ମେହେର ଅଭିନୟ କରିଥିଲେ ।

ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସମିତି ବୁଟୁପାଲିର ସଦସ୍ୟମାନେ ଅଭିନୟ କରି ଲୋକଙ୍କୁ ସଚେତନ କରୁଛନ୍ତି ।


ଏମାନେ ପ୍ରଥମେ ସହରର ଭୈରବୀ ପରିବା ମାର୍କେଟ ଓ ତା’ପରେ ବସ୍‌ ଷ୍ଟାଣ୍ଡରେ ଲୋକମାନଙ୍କୁ ସଚେତନ କରିଥିଲେ । କରୋନା ରାକ୍ଷସ ବୁଲି ବୁଲି ଲୋକମାନଙ୍କୁ ଆକ୍ରାନ୍ତ କରିବା ସାଙ୍ଗକୁ ଲୋକମାନଙ୍କୁ ଭୟଭୀତ କରିଥିଲେ । ଏହାରି ଭିତରେ ଚିତ୍ରଗୁପ୍ତ ଯମରାଜଙ୍କ ନିକଟରେ ପହଞ୍ଚି ଆତଙ୍କ ଖେଳାଇଥିବା ମହାମାରୀ କରୋନା ବାବଦରେ ସୂଚନା ଦେଇଥିଲେ । ଯମରାଜ ସଙ୍ଗେ ସଙ୍ଗେ ଦୂତଙ୍କୁ ଆଦେଶ ଦେଇଥିଲେ କରୋନକୁ ମାରିବା ପାଇଁ । କିନ୍ତୁ ସେ ବିଫଳ ହୋଇ ଫେରିବା ପରେ ଯମରାଜ ଚିତ୍ରଗୁପ୍ତଙ୍କୁ ଏହାକୁ ପ୍ରତିକାର କରିବାର ଉପାୟ ପଚାରିଥିଲେ । ଚିତ୍ରଗୁପ୍ତ ଏହାକୁ ପରାଜୟ କରିବାର ଉପାୟ କେବଳ ଦୂରତା ବଜାୟ ରଖିବା, ଅଯଥାରେ ଘରୁ ନ ବାହାରିବା ଓ ଘରୁ ବାହାରିଲେ ମାସ୍କ ପିନ୍ଧିବା ବୋଲି କହିଥିଲେ । ସେଇଠୁ ଯମରାଜ ବିଳମ୍ବ ନ କରି ବାହାରି ପଡ଼ିଥିଲେ ଲୋକମାନଙ୍କୁ ସଚେତନ କରିବାକୁ ।

ସଙ୍ଗଠନର ସଦସ୍ୟମାନେ ସହର ସାରା ବୁଲି ମାସ୍କ ବି ବଣ୍ଟନ କରିଥିଲେ । କରୋନକୁ ହରେଇବା ପାଇଁ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ନାଟକ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲଳାଟେନ୍ଦୁ ମିଶ୍ର ଓ ଏସ୍‌.ପି. ଭି. ରରଘୁନାଥ ରାଓଙ୍କ ସମେତ କେତେକ ବିଭାଗୀୟ ଅଧିକାରୀମାନେ ମଧ୍ୟ ସାମିଲ୍ ହୋଇଥିଲେ ।

‘‘ପ୍ରଶାସନର ଅନୁମତି ସାଙ୍ଗକୁ କଳାକାରମାନଙ୍କ ଆଗ୍ରହ ଯୋଗୁଁ ଏହି ସଚେତନତା କାର୍ଯ୍ୟକ୍ରମ ସମ୍ଭବ ହୋଇ ପାରିଛି । କରୋନା ଭାଇରସ୍‌ ସଂକ୍ରମଣର ପ୍ରତିକାର ପାଇ କୌଣସି ନିର୍ଦ୍ଦିଷ୍ଟ ଔଷଧ ନାହିଁ । କେବଳ ଲୋକଙ୍କୁ ସଚେତନ ହେବାକୁ ପଡ଼ିବ । ଆମେ ଚାହିଁଲେ କଳିଯୁଗର ରାକ୍ଷସ ଭଳି ଏହି କରୋନାକୁ ବି ହରେଇ ପାରିବା,’’ କହିଛନ୍ତି କହିଛନ୍ତି ସଙ୍ଗଠନର ସମ୍ପାଦକ ତଥା ଯମରାଜଙ୍କ ବେଶରେ ଅଭିନୟ କରିଥିବା ଇନ୍ଦ୍ରମଣି ମେହେର ।
First published: April 16, 2020, 8:06 PM IST
corona virus btn
corona virus btn
Loading