ଏଣିକି ଆପଣ ଚାହିଁଲେ ଘରୋଇ ହସ୍ପିଟାଲରେ କରାଇପାରିବେ କୋଭିଡ୍ ଟେଷ୍ଟ; ୪ଟି ଲ୍ୟାବ୍ ଅନୁମୋଦିତ

ଏଣିକି ଯେକୌଣସି ବ୍ୟକ୍ତି RT-PCR ଟେଷ୍ଟ୍ କରିବାକୁ ଚାହିଁଲେ ଏହି ଘରୋଇ ଲ୍ୟାବରେ କରାଇପାରିବେ । ଏଥି ପାଇଁ GST ଓ ଆନୁଷଙ୍ଗିକ ଖର୍ଚ୍ଚ ସହିତ ସର୍ବାଧିକ ୨,୨୦୦ ଟଙ୍କା ଦର ଧାର୍ଯ୍ୟ କରାଯାଇଛି ।

ଏଣିକି ଆପଣ ଚାହିଁଲେ ଘରୋଇ ହସ୍ପିଟାଲରେ କରାଇପାରିବେ କୋଭିଡ୍ ଟେଷ୍ଟ; ୪ଟି ଲ୍ୟାବ୍ ଅନୁମୋଦିତ
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Oda Digital

ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣ କାୟା ବିସ୍ତାର କରିଚାଲିଥିବା ବେଳେ କୋଭିଡ ପରୀକ୍ଷା ବଢ଼ାଇବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି । ଏଣିକି ଯେକୌଣସି ବ୍ୟକ୍ତି କୋଭିଡ ଟେଷ୍ଟ (ଆରଟିପିସିଆର ଟେଷ୍ଟ, RT-PCR test) କରିବାକୁ ଚାହିଁଲେ ସେ ଆଇସିଏମଆର (ICMR) ଦ୍ୱାରା ଅନୁମୋଦିତ ଚାରିଟି ଘରୋଇ ହସ୍ପିଟାଲରେ ପରୀକ୍ଷା କରାଇପାରିବେ । ଏଥି ପାଇଁ ସର୍ବାଧିକ ୨,୨୦୦ ଟଙ୍କା (ଜିଏସଟି ଓ ଆନୁଷଙ୍ଗିକ ଖର୍ଚ୍ଚ ସହିତ) ଦର ଧାର୍ଯ୍ୟ କରାଯାଇଛି ।

ଆଇସିଏମଆର ଦ୍ୱାରା ଅନୁମୋଦିତ ଭୁବନେଶ୍ୱରର ଚାରିଟି ଘରୋଇ ପରୀକ୍ଷାଗାର ହେଲେ ଆପୋଲୋ ହସ୍ପିଟାଲ, ସମ୍‌ ହସ୍ପିଟାଲ, ଇନ୍‌ ଡିଏନଏ ଲାଇଫ ସାଇନ୍ସ (InDNA Life Science) ଓ ଜେଏନଏକ୍ସ ଡାଇଗ୍ନୋଷ୍ଟିକ (GenX Diagnostics) । ଏ ନେଇ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

କୋଭିଡ ପରୀକ୍ଷା ବଢ଼ାଇବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି । ଆଜି ସ୍ୱାସ୍ଥ୍ୟ ସଚିବ କୋଭିଡ ଟେଷ୍ଟର ସମୀକ୍ଷା କରିବା ସହ ଦୈନିକ ଟେଷ୍ଟ ପାଇଁ ଟାର୍ଗେଟ ଫିକ୍ସ କରିଛନ୍ତି । ରାଜ୍ୟରେ ଦୈନିକ ୬,୦୦୦ ନମୁନା ପରୀକ୍ଷା କରାଯିବ। ଏଥି ପାଇଁ ପରୀକ୍ଷାଗାରଗୁଡ଼ିକ ଉପରେ ଟାର୍ଗେଟ ଦିଆଯିବ ସହ କେଉଁ ପରୀକ୍ଷାଗାର କେଉଁ ଜିଲ୍ଲାର ଟେଷ୍ଟ କରିବ ସେ ଦାୟିତ୍ୱ ବି ସ୍ପଷ୍ଟ କରାଯାଇଛି । ଏହା ଦ୍ୱାରା ପରୀକ୍ଷା ବିଳମ୍ବ ନ ହୋଇ ନମୁନା ସଂଗ୍ରହର ୪୮ ଘଣ୍ଟା ଭିତରେ ରିପୋର୍ଟ ଆସିପାରିବ ବୋଲି କୁହାଯାଇଛି । ଏ ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ ପାଇଁ ଡିଏମଇଟି ଓ ଜନସ୍ୱାସ୍ଥ୍ୟ ନିର୍ଦେଶକଙ୍କୁ ଜିଲ୍ଲାବାରି ଦାୟିତ୍ୱ ଦିଆଯାଇଛି । ସମ୍ପୂର୍ଣ୍ଣ ସ୍ଥିତିକୁ ଅନୁଧ୍ୟାନ କରିବେ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ।

ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି ଯେ ସରକାର ଆଜି ସ୍ଥିତି ସମୀକ୍ଷା କରିବା ସହ ବିଭିନ୍ନ ଲାବକୁ ନିର୍ଦ୍ଦିଷ୍ଟ ଜିଲ୍ଲାର ଦାୟିତ୍ୱ ଦେଇଛନ୍ତି । ‘‘ପରୀକ୍ଷା ବ୍ୟବସ୍ଥାକୁ ସଙ୍ଗଠିତ ଭାବେ କରିବା ସହ ଶୀଘ୍ର କରାଇବା ପାଇଁ ବ୍ୟବସ୍ଥା କରାଯାଇଛି । ଏଭଳି ହେବା ଦ୍ୱାରା ପରୀକ୍ଷା ପାଇଁ ବହୁ ଦିନ ଧରି ନମୁନା ପଡ଼ିରହିବ ନାହିଁ । ପରୀକ୍ଷା ଶୀଘ୍ର ହେବ ଓ ୪୮ ଘଣ୍ଟା ଭିତରେ ରିପୋର୍ଟ ଆସିବ,’’ କହିଛନ୍ତି ଡଃ ପରିଡ଼ା ।

ସେ ଆହୁରି କହିଛନ୍ତି ଯେ ରାପିଡ ଟେଷ୍ଟ ପାଇଁ ୫,୦୦୦  ଆଣ୍ଟିଜେନ୍‌ ଅର୍ଡ଼ର କରାଯାଇଛି । ଏହା ଆସିବା ପରେ ଟେଷ୍ଟ ଆରମ୍ଭ ହେବ । ଆରଏମଆରସି ଓ ଏସସିବି ତତ୍ତ୍ୱାବାଧାନରେ ଏହି ପରୀକ୍ଷା କରାଯିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବି ଏହି ପରୀକ୍ଷା କରାଯାଇପାରିବ ବୋଲି ସେ କହିଛନ୍ତି ।

ବର୍ତ୍ତମାନ ରାଜ୍ୟରେ ୧୭ଟି ଲାବରେ କୋଭିଡ ପରୀକ୍ଷା ହେଉଛି । ଏ ପର୍ଯ୍ୟନ୍ତ ମୋ’ଟ ୨,୮୧,୫୨୩ଟି ନମୁନା ପରୀକ୍ଷା କରାଯାଇଛି । ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ଆଜି ଗୋଟିଏ ଦିନରେ ସର୍ବାଧିକ ୫୬୧ ଜଣ ପଜିଟିଭ ବ୍ୟକ୍ତି ଚିହ୍ନଟ ହେବା ସହ ରାଜ୍ୟରେ ମୋ’ଟ ଆକ୍ରାନ୍ତଙ୍କ ସଂଖ୍ୟା ୮,୦୦୦ ଅତିକ୍ରମ କରିଛି ।
First published: July 3, 2020, 11:09 PM IST
corona virus btn
corona virus btn
Loading