ଅମିତାଭ ବଚ୍ଚନ ଓ ପୁଅ ଅଭିଷେକ କରୋନା ପଜିଟିଭ୍ ହେଲେ, ମୁମ୍ବାଇରେ ହସ୍ପିଟାଲରେ ଭର୍ତ୍ତି ହେଲେ
୭୭ ବର୍ଷୀୟ ବଲିଉଡ ଅଭିନେତା ଅମିତାଭ ବଚ୍ଚନ ଗତ ୧୦ ଦିନ ମଧ୍ୟରେ ତାଙ୍କ ସହିତ ଘନିଷ୍ଠ ହୋଇଥିବା ସବୁ ଲୋକଙ୍କୁ ନିଜର କରୋନା ଭାଇରସ୍ ପରୀକ୍ଷା କରାଇବାକୁ ଅନୁରୋଧ କରିଛନ୍ତି ।
ବଲିଉଡ ଅଭିନେତା ଅମିତାଭ ବଚ୍ଚନ
- News18 Odia
- Last Updated: July 12, 2020, 12:26 AM IST
ମୁମ୍ବାଇ: ବଲିଉଡ ଅଭିନେତା ଅମିତାଭ ବଚ୍ଚନ (Amitabh Bachchan) କୋଭିଡ-19 (COVID-19) ପଜିଟିଭ ବୋଲି ଜଣାପଡିବା ପରେ ତାଙ୍କୁ ମୁମ୍ବାଇର (Mumbai) ର ନାନାବତୀ ଡାକ୍ତରଖାନାରେ (Nanavati Hospital) ଭର୍ତ୍ତି କରାଯାଇଛି । ଏହି ୭୭ ବର୍ଷୀୟ ଅଭିନେତା ନିଜେ ଟ୍ୱିଟ୍ କରି ସେ କରୋନା ଭାଇରସ୍ ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି । ତାଙ୍କ ପୁଅ ତଥା ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ (Abhishek Bacchan) ବି କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି ।
ଅମିତାଭ ବଚ୍ଚନ କରୋନା ପଜିଟିଭ୍ (Coronavirus Positive) ବୋଲି ଜଣା ପଡ଼ିବା ପରେ ତାଙ୍କ କର୍ମଚାରୀମାନଙ୍କର ବି କରୋନା ପରୀକ୍ଷା କରାଯାଇଛି ।
ଅମିତାଭ ବଚ୍ଚନ ଏକ ଟ୍ୱିଟରେ କହିଛନ୍ତି, ‘‘ମୁଁ କରୋନା ଭାଇରସ ପଜିଟିଭ ହୋଇଛି । ମୋତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡାକ୍ତରଖାନା ପ୍ରଶାସନକୁ ସୂଚନା ଦେଉଛି । ପରିବାର ଓ କର୍ମଚାରୀମାନଙ୍କର ବି ପରୀକ୍ଷା କରାଯାଉଛି । ଫଳକୁ ଅପେକ୍ଷା କରାଯାଉଛି । ଗତ ୧୦ ଦିନ ମଧ୍ୟରେ ଯେଉଁମାନେ ମୋ’ ସହ ଘନିଷ୍ଠ ସମ୍ପର୍କରେ ଥିଲେ ସେମାନଙ୍କୁ ମୁଁ ଅନୁରୋଧ କରୁଛି ଯେ ସେମାନେ ଯାଇ ନିଜକୁ ପରୀକ୍ଷା କରାନ୍ତୁ।’’

ପୁଅ ଅଭିଷେକ ବଚ୍ଚନଙ୍କ ସହ ଅମିତାଭ ବଚ୍ଚନ
ନିକଟରେ ଆମାଜନ ପ୍ରାଇମ ଭିଡିଓରେ (Amazon Prime Video) ଅମିତାଭଙ୍କ ଫିଲ୍ମ ‘ଗୁଲାବୋ ସିତାବୋ’ (Gulabo Sitabo) ମୁକ୍ତିଲାଭ କରିଛି । ଅନଲାଇନ୍ ପ୍ଲାଟଫର୍ମରେ ଏହା ତାଙ୍କର ପ୍ରଥମ ଫିଲ୍ମ । ଏଥିରେ ଅମିତାଭ ବଚ୍ଚନଙ୍କ ସହ ମୁଖ୍ୟ ଭୂମିକାରେ ଅଛନ୍ତି ଅଭିନେତା ଆୟୁଷ୍ମାନ ଖୁରାନା (Ayushman Khurana) ।
T 3590 -I have tested CoviD positive .. shifted to Hospital .. hospital informing authorities .. family and staff undergone tests , results awaited ..
All that have been in close proximity to me in the last 10 days are requested to please get themselves tested !
— Amitabh Bachchan (@SrBachchan) July 11, 2020
ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ, ବିଶେଷତଃ ଟ୍ୱିଟରରେ ବହୁତ ସକ୍ରିୟ ରହନ୍ତି ଓ ନିଜ କାର୍ଯ୍ୟକଳାପ ସହିତ ପ୍ରଶଂସକମାନଙ୍କୁ ପରିଚିତ କରାଉଥା’ନ୍ତି | ନିକଟରେ ସେ ଟ୍ୱିଟରରେ ଏକ କବିତା ସେୟାର କରି କରୋନା ଭୂତାଣୁ ଦ୍ୱାରା ସୃଷ୍ଟି ହୋଇଥିବା ନକାରାତ୍ମକ ଅବସ୍ଥାରେ ମଧ୍ୟ ସ୍ଥିର ରହିବା ପାଇଁ ଲୋକଙ୍କୁ ବାର୍ତ୍ତା ଦେଇଥିଲେ । ଏହି କବିତାର ଆରମ୍ଭ ଧାଡ଼ିଗୁଡ଼ିକ ହେଲା – ‘‘ଗୁଜର୍ ଜାଏଗା, ଗୁଜର୍ ଜାଏଗା, ମୁସ୍କିଲ୍ ବହୁତ ହୈ, ମଗର୍ ୱକ୍ତ ହୀ ତୋ ହୈ, ଗୁଜର୍ ଜାଏଗା’’ (ବିତିଯିବ, ବିତିଯିବ / ବହୁତ ଅସୁବିଧା ଅଛି / କିନ୍ତୁ ଇଏ ତ ସମୟ! / ଇଏ ବିତି ଯିବ ।)
T 3586 - This too shall pass .. pic.twitter.com/sjx3UV13c6
— Amitabh Bachchan (@SrBachchan) July 8, 2020
ଅମିତାଭ ବଚ୍ଚନଙ୍କୁ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ମିଳିଛି । ତାଙ୍କୁ ୨୦୧୯ ପାଇଁ ଦାଦା ସାହେବ ଫାଲକେ ପୁରସ୍କାର (Dada Sahe Phalke Award) ମଧ୍ୟ ପ୍ରଦାନ କରାଯାଇଥିଲା । ପାଞ୍ଚ ଦଶନ୍ଧି ଧରି ଭାରତୀୟ ସିନେମାକୁ ନିଜ ଉତ୍କୃଷ୍ଠ ଅଭିନୟ ଦେଇଥିବାରୁ ତାଙ୍କୁ ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣ ଭଳି ସମ୍ମାନଜନକ ଜାତୀୟ ପୁରସ୍କାରରେ ବି ସମ୍ମାନିତ କରାଯାଇଛି ।
ଏହା ବି ପଢ଼ନ୍ତୁ: କେରଳ ଡାକ୍ତରାଣୀ ଶୁଣାଇଲେ ଅନୁଭୂତି: ‘‘ଭିଡ଼ରେ ଜଣେ ଲୋକ ଆମ କାରରେ ମୁଣ୍ଡ ପୂରାଇ କାଶି ଦେଲା!’’






