News18 Odia Digital
ନୂଆ ଦିଲ୍ଲୀ / ଅହମଦାବାଦ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ନାମରେ ଏକ ନକଲି ଟ୍ୱିଟର ଏକାଉଣ୍ଟ ଖୋଲି ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଭୁଲ ତଥ୍ୟ ପ୍ରଚାର କରିଥିବା ଅଭିଯୋଗରେ ଅହମଦାବାଦ ପୋଲିସ ଚାରି ଜଣ ବ୍ୟକ୍ତିଙ୍କୁ ଅଟକ ରଖିଛି ।
ଏହି ଘଟଣାର କିଛି ଘଣ୍ଟା ପୂର୍ବରୁ ଶାହା ଟ୍ୱିଟରରେ ଏକ ବିବୃତ୍ତି ଜାରି କରି କହିଥିଲେ ଯେ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ସୋସିଆଲ ମିଡିଆ ମାଧ୍ୟମରେ ଗୁଜବ ବ୍ୟାପୁଛି, ହେଲେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି ଓ ସେ କୌଣସି ରୋଗରେ ପୀଡିତ ନାହାଁନ୍ତି ।
ଗୁଜରାଟର କ୍ରାଇମ ବ୍ରାଞ୍ଚ ଶାହାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଭୁଲ ତଥ୍ୟ ପ୍ରଚାର କରିଥିବା ଅଭିଯୋଗରେ ଚାରି ଜଣଙ୍କୁ ଅଟକ ରଖିଛି ବୋଲି ପୋଲିସର ସ୍ୱତନ୍ତ୍ର କମିଶନର ଅଜୟ ତୋମାର କହିଛନ୍ତି । ସେ କହିଛନ୍ତି ଯେ ଶାହଙ୍କ ନାମରେ ଏକ ନକଲି ଟ୍ୱିଟର ଆକାଉଣ୍ଟର ସ୍କ୍ରିନସଟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେଉଥିଲା ।
ଅଭିଯୁକ୍ତମାନଙ୍କୁ ଅହମଦାବାଦ ଓ ଭାବନଗରରୁ ଅଟକ ରଖାଯାଇଥିଲା ଏବଂ ସେମାନଙ୍କୁ ପଚରାଉଚରା କରାଯାଉଛି ବୋଲି ସେ କହିଛନ୍ତି । ସେମାନଙ୍କ ବ୍ରୋଧରେ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମର ଧାରା ୬୬(ଗ) (ପରିଚୟ ଚୋରି ପାଇଁ ଦଣ୍ଡ) ଏବଂ ଧାରା ୬୬ (ଘ) (କମ୍ପ୍ୟୁଟର ଉତ୍ସ ବ୍ୟବହାର କରି ବ୍ୟକ୍ତିଙ୍କ ଦ୍ୱାରା ପ୍ରତାରଣା) ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ବୋଲି ଅଧିକାରୀ ଜଣକ କହିଛନ୍ତି ।
ଏହା ବି ପଢ଼ନ୍ତୁ: ଦେଶ ବିଦେଶର ଏହି ସେଲିବ୍ରିଟି ଓ ରାଜନେତାମାନେ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତିଅମିତ ଶାହା ଆଜି ଟୁଇଟ୍ କରି ସୋସିଆଲ ମିଡିଆରେ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ବ୍ୟାପୁଥିବା ଗୁଜବକୁ ଖଣ୍ଡନ କରିଛନ୍ତି । ଗୃହ ମନ୍ତ୍ରୀ ଲେଖିଛନ୍ତି: ‘‘ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି ଓ କୌଣସି ରୋଗରେ ପୀଡିତ ନାହିଁ ।’’
୫୫ ବର୍ଷୀୟ ଗୃହ ମନ୍ତ୍ରୀ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ କିଛି ଲୋକ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଗୁଜବ ପ୍ରଚାର କରୁଥିବା କହିଥିଲେ । ‘‘ବାସ୍ତବରେ ଅନେକକ ତ ମୋ’ର ମୃତ୍ୟୁ ପାଇଁ ଇଚ୍ଛା କରି ଟୁଇଟ୍ କରିଛନ୍ତି,’’ ସେ ଲେଖିଛନ୍ତି ।
ଶାହା କହିଛନ୍ତି ଯେ ଦେଶ କରୋନା ଭାଇରସ୍ ମହାମାରୀ ସହିତ ଲଢ଼ୁଥିବା ବେଳେ ଓ ପାଖାପାଖି ୬୦,୦୦୦ ଲୋକ ପ୍ରଭାବିତ ହୋଇଥିବା ଓ ୧,୯୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ଗୃହ ମନ୍ତ୍ରୀ ଭାବରେ କାର୍ଯ୍ୟ କରିବାରେ ବ୍ୟସ୍ତ ଥିଲେ ଓ ସେଥି ପାଇଁ ଏହି ଗୁଜବ ପ୍ରତି ଧ୍ୟାନ ଦେଇ ନ ଥିଲେ । ସେ କହିଛନ୍ତି ଯେ ଗତ ଦୁଇ ଦିନ ମଧ୍ୟରେ ଲକ୍ଷ ଲକ୍ଷ ବିଜେପି କର୍ମୀ ଏହି ଗୁଜବଗୁଡ଼ିକ ବିଷୟରେ ଉଦ୍ବେଗ ପ୍ରକାଶ କରିଥିବାରୁ ସେ ସ୍ପଷ୍ଟୀକରଣ ଦେଇଛନ୍ତି ।
ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କ ଉପରେ ଗୃହ ମନ୍ତ୍ରୀ କହିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଏପରି କଳ୍ପନାଜଳ୍ପନା ତାଙ୍କୁ ଅଧିକ ଶକ୍ତିଶାଳୀ କରିବ । ‘‘ମୁଁ ଲୋକଙ୍କୁ ଅନୁରୋଧ କରୁଛି ଯେ ଏଭଳି ଆଲୋଚନାରେ ଯୋଗଦେବା ବନ୍ଦ କରନ୍ତୁ ଓ ମୋତେ ମୋ’ କାମ କରିବାକୁ ଦିଅନ୍ତୁ । ସେମାନେ ମଧ୍ୟ ନିଜ କାମରେ ଧ୍ୟାନ ଦେବା ଉଚିତ୍,’’ ଶାହା କହିଛନ୍ତି ।
ଅମିତ ଶାହା ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରିଥିବାରୁ ବିଜେପିର ଶୁଭେଚ୍ଛୁ ତଥା କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଯେଉଁମାନେ ଗୁଜବ ପ୍ରଚାର କରୁଛନ୍ତି ସେମାନଙ୍କ ପ୍ରତି ତାଙ୍କ ମନରେ ଘୃଣା ନାହିଁ ବୋଲି ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ: ଲକଡାଉନ୍ ଯୋଗୁଁ ହଜାର ହଜାର ଶ୍ରମିକ ଶହ ଶହ କିଲୋମିଟର୍ ଚାଲି ଘରକୁ ଫେରୁଛନ୍ତିଏହା ବି ପଢ଼ନ୍ତୁ: କରୋନା ସମୟରେ ରାଜନୀତି: ପଶ୍ଚିମ ବଙ୍ଗ ରାଜ୍ୟପାଳଙ୍କ ଉପରେ ବର୍ଷିଲେ ମମତା ବାନାର୍ଜୀନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।