କରୋନା ମୁକାବିଲା: ରାଜ୍ୟରେ ପୂଜା ଛୁଟି ପର୍ଯ୍ୟନ୍ତ ବନ୍ଦ ରହିବ ସବୁ ସ୍କୁଲ ଓ କଲେଜ

ହଟସ୍ପଟ ଜିଲ୍ଲାମାନଙ୍କରେ ଅଞ୍ଚଳଭିତ୍ତିକ ରଣନୀତିକୁ କଡ଼ାକଡ଼ି ପାଳନ କରିବା ସହ ଆଗାମୀ ସପ୍ତାହ ବେଳକୁ ସ୍ଥିତିରେ ଆଖିଦୃଶିଆ ଉନ୍ନତି ଆଣିବା ଦିଗରେ କାମ କରିବାକୁ ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କୁ ଆଦେଶ ଦେଇଛନ୍ତି ମୁଖ୍ୟ ମନ୍ତ୍ରୀ ।

କରୋନା ମୁକାବିଲା: ରାଜ୍ୟରେ ପୂଜା ଛୁଟି ପର୍ଯ୍ୟନ୍ତ ବନ୍ଦ ରହିବ ସବୁ ସ୍କୁଲ ଓ କଲେଜ
ଏକ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ 5T ସଚିବ ଭି.କେ. ପାଣ୍ଡିଆନ୍ (ଫାଇଲ୍ ଫଟୋ)
  • News18 Odia
  • Last Updated: August 27, 2020, 4:33 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ପୂଜା ଛୁଟି ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ ଓ କଲେଜ ସବୁ । ବର୍ତ୍ତମାନର ପରିସ୍ଥିତିରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ଉଦବେଗକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ସରକାର। ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କରି ଏହି ଘୋଷଣା କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।

ପୂର୍ବରୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସ୍କୁଲ ଓ କଲେଜ ସବୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲେ ସରକାର । ହେଲେ ଏବେ ଆଗାମୀ ପୂଜା ଛୁଟି ପର୍ଯ୍ୟନ୍ତ ସମସ୍ତ ସ୍କୁଲ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ଏହା ସହ କୋଭିଡ ସ୍ଥିତି ସମୀକ୍ଷା କରିବା ସହ ଗ୍ରାମୀଣ ଅର୍ଥନୀତିର ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟ ମନ୍ତ୍ରୀ ।

‘‘ମହାମାରୀ ସମୟରେ ଆତ୍ମସନ୍ତୋଷ ହିଁ ସବୁ ଠାରୁ ବଡ଼ ଶତ୍ରୁ । ତେଣୁ ସାଧାରଣ ଲୋକ ହୁଅନ୍ତୁ ବା ସରକାରୀ କର୍ମଚାରୀ, ସମସ୍ତଙ୍କୁ ଏଥି ପ୍ରତି ସତର୍କ ରହି କାମ କରିବାକୁ ହେବ । ବର୍ତ୍ତମାନ ରାଜ୍ୟରେ ଅଧିକ ଟେଷ୍ଟିଂ କରାଯାଉଛି । ପଜିଟିଭିଟି ହାର ଓ ମୃତ୍ୟୁ ହାର ବି କମିଛି । ହଟସ୍ପଟ ଜିଲ୍ଲାମାନଙ୍କରେ ଯେଉଁ ଅଞ୍ଚଳଭିତ୍ତିକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି, ତାକୁ କଡ଼ାକଡ଼ି ଭାବରେ ପାଳନ କରିବା ସହିତ ଆଗାମୀ ସପ୍ତାହ ବେଳକୁ ଯେଭଳି ପରିସ୍ଥିତିରେ ଆଖିଦୃଶିଆ ଉନ୍ନତି ଆସିପାରିବ, ସେ ଦିଗରେ କାମ କରିବାକୁ ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କୁ ନିର୍ଦେଶ ଦିଆଯାଇଛି,’’ କହିଛନ୍ତି ମୁଖ୍ୟ ମନ୍ତ୍ରୀ ।

ବିଭିନ୍ନ ଆଞ୍ଚଳିକ କୋଭିଡ ଚିକିତ୍ସାଳୟମାନଙ୍କରେ ଆବଶ୍ୟକତା ମୁତାବକ ଆଇସିୟୁ ଶଯ୍ୟା ଉପଲବ୍ଧ କରାଇବା ସହ କୋଭିଡ ନିୟମାବଳୀକୁ କଡ଼ାକଡ଼ି ଭାବରେ ପାଳନ କରି ସରକାରୀ ଅଫିସଗୁଡିକୁ ସଂକ୍ରମଣମୁକ୍ତ ରଖିବାକୁ ସବୁ ପ୍ରକାର ପଦକ୍ଷେପ ନେବା ପାଇଁ ମୁଖ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସମୀକ୍ଷା ବୈଠକରେ ବିଭିନ୍ନ ବିଭାଗର ସଚିବ ଉପସ୍ଥିତ ଥିଲେ ।


କୋଭିଡ ଯୋଦ୍ଧା ମାନଙ୍କ ଭିତରେ ସଂକ୍ରମଣ ହାର କମୁଥିବାରୁ ମୁଖ୍ୟ ମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି । ମାସ୍କର ବ୍ୟବହାର ଓ ସାମାଜିକ ଦୂରତା ବିଷୟରେ ଆହୁରି ଜନସଚେତନତା କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ସହିଦ୍‌ କୋଭିଡ ଯୋଦ୍ଧାମାନଙ୍କର ବ୍ୟକ୍ତିଗତ ପାଉଣା ଆସନ୍ତା ଶୁକ୍ରବାର ସୁଦ୍ଧା ତାଙ୍କ ଆତ୍ମୀୟ ମାନଙ୍କୁ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

ଗ୍ରାମ୍ୟ ଅର୍ଥନୀତିର ପୁନଃରୁଦ୍ଧାର ପାଇଁ ଅଧିକ ଋଣ ସହାୟତା ଏମଏସଏମଇ, କୃଷି,  ମତ୍ସ୍ୟ ଓ ପଶୁପାଳନ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ  ଉପରେ ଅଧିକ ଫୋକସ୍‌  ଦେବା ପାଇଁ ମୁଖ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ ପରିସ୍ଥିତି ଯୋଗୁଁ ଅନ୍ୟ ରାଜ୍ୟରୁ ଆସିଥିବା ଭାଇଭଉଣୀମାନେ ଯେପରି ଓଡିଶାରେ ରୋଜଗାର ପାଇପାରିବେ ସେଥି ପାଇଁ ସେମାନଙ୍କୁ ଛୋଟ ଛୋଟ ବ୍ୟବସାୟ ପାଇଁ ରିହାତିରେ ଋଣ ଯୋଗାଇ ଦିଆଯିବା ଉପରେ ବି ମୁଖ୍ୟ ମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ ।

ନିର୍ମାଣ ଶ୍ରମିକ ଯୋଜନାରେ ସେମାନଙ୍କର ଦକ୍ଷତା ନିରୂପଣ ଓ ପଞ୍ଜିକରଣ ସୁବିଧାରେ କରିବା ପାଇଁ ମୁଖ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଛେଳି, କୁକୁଡା ପାଳନ, ମତ୍ସ୍ୟ ଚାଷ ଆଦି ବିଭିନ୍ନ ଜୀବିକା କାର୍ଯ୍ୟକ୍ରମ ଲୋକଙ୍କୁ ରୋଜଗାର ଦେବାରେ ବିଶେଷ ସଫଳ ହେଉଥିବାରୁ ଏହାକୁ ଅଧିକ ବ୍ୟାପକ କରିବା ଓ ଅଧିକ ଲୋକଙ୍କୁ ଏଥିରେ ସାମିଲ କରିବା ପାଇଁ ମୁଖ୍ୟ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ଗ୍ରାମାଞ୍ଚଳରେ ନିର୍ମାଣ କାର୍ଯ୍ୟ ବିଶେଷ କରି ଗୃହ ନିର୍ମାଣ କାମ ଉପରେ ଅଧିକ ଗୁରୁତ୍ବ ଦେବା ପାଇଁ ବି ମୁଖ୍ୟ ମନ୍ତ୍ରୀ ପରାମର୍ଶ ଦେଇଥିଲେ।

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ରାଜ୍ୟର ଆର୍ଥନୈତିକ ସ୍ଥିତି ସମ୍ପର୍କରେ ମୁଖ୍ୟ ମନ୍ତ୍ରୀଙ୍କୁ  ଅବଗତ କରାଇବା ସହ ଏହି ଜୁଲାଇ ମାସରୁ ପରିସ୍ଥିତିରେ ସୁଧାର ପରିଲକ୍ଷିତ ହେଉଛି ବୋଲି ଜଣାଇଥିଲେ।

ଏହା ବି ପଢ଼ନ୍ତୁ | ଅନଲାଇନ୍ ଠକେଇ ପାଇଁ ଅନ୍ତର୍ଜାତୀୟ ଗ୍ୟାଙ୍ଗ୍ ଏହି ମହିଳାଙ୍କ ଠାରୁ ଭଡ଼ାରେ ନେଉଥିଲେ ଆକାଉଣ୍ଟ୍

ଏହା ବି ପଢ଼ନ୍ତୁ ଆସନ୍ତା ବର୍ଷ ଭାରତରେ ମିଳିବ ଏହି କମାଲ୍ ଇଲେକ୍ଟ୍ରିକ୍ କାର୍, ପୂରା ଚାର୍ଜରେ ୪୦୦ କିମି ଚାଲିବ

‘‘ରାଜ୍ୟରେ ସୁସ୍ଥ ହାର ଗତ ସପ୍ତାହରୁ ବଢି ୭୧.୩ ପ୍ରତିଶତରେ ପହଞ୍ଚିଥିବା ବେଳେ ମୃତ୍ୟୁ ହାର ହ୍ରାସ ପାଇ ୦.୫ ପ୍ରତିଶତ ହୋଇଛି । ୫୪ ପ୍ରତିଶତ ସକ୍ରିୟ ସଂକ୍ରମିତ ରୋଗୀ ଗୃହ ସଙ୍ଗରୋଧରେ ରହୁଛନ୍ତି । ପୋଲିସ, ଅଗ୍ନିଶମ ଓ ଏନଡିଆରଏଫର କର୍ମଚାରୀ ପ୍ଲାଜମା ଦାତା ମାନଙ୍କ ମଧ୍ୟରେ ଆଗୁଆ ରହିଛନ୍ତି । କଟକ, ବାଲେଶ୍ବର ଓ କେନ୍ଦ୍ରାପଡା ଜିଲ୍ଲା ପ୍ଲାଜମା ସଂଗ୍ରହ କ୍ଷେତ୍ରରେ ବହୁତ ଭଲ କାମ କରିଥିବା ବେଳେ ମାଲକାନଗିରି, ବୌଦ୍ଧ ଓ ରାୟଗଡ ଜିଲ୍ଲା ଗୃହ ସଙ୍ଗରୋଧ କ୍ଷେତ୍ରରେ ବହୁତ ଭଲ କାମ କରିଛନ୍ତି । ଆସନ୍ତା ୨୮ ତାରିଖରୁ ଭୁବନେଶ୍ବରରେ ଦ୍ବିତୀୟ ପର୍ଯ୍ୟାୟ ଏବଂ ରାଉରକେଲାରେ ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେ କାର୍ଯ୍ୟ ଆରମ୍ଭ କରାଯିବ। କୋରାପୁଟରେ ୨୮ ତାରିଖରେ ଆଉ ଏକ ପ୍ଲାଜମା ବ୍ୟାଙ୍କ ଖୋଲାଯିବ,’’ କହିଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ।



ରାଜ୍ୟରେ ବର୍ଷା ଓ ସମ୍ଭାବିତ ବନ୍ୟା ସ୍ଥିତି ନେଇ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି, ‘‘ଗତ ଦୁଇ ଦିନ ଭିତରେ ରାଜ୍ୟର ନଅଟି ଜିଲ୍ଲାରେ ହାରାହାରି ୧୦୦ ମିଲିମିଟର ବର୍ଷା ହୋଇଛି । ବୈତରଣୀ, ବୁଢାବଳଙ୍ଗ ଓ ସାଳନ୍ଦୀ ନଦୀରେ ଅଧିକ ପାଣି ଆସିଛି। ଅଧିକ ବର୍ଷା ହେବାର ସମ୍ଭାବନା ଥିବାରୁ ବୈତରଣୀ, ବୁଢାବଳଙ୍ଗ ଓ ତେଲ ଆଦି ନଦୀରେ ମଧ୍ୟମ ଧରଣର ବନ୍ୟା ଆସିବାର ସମ୍ଭାବନା ରହିଛି। ଲୋକଙ୍କୁ ବନ୍ୟା ସମୟରେ ଉଦ୍ଧାର କରିବା ପାଇଁ ୧୦ଟି ଓଡ୍ରାଫ ଓ ଅଗ୍ନିଶମ ସେବା ୟୁନିଟ୍‌ ନିୟୋଜିତ ହୋଇଛନ୍ତି। ନଦୀ ବନ୍ଧଗୁଡ଼ିକରେ ପ୍ୟାଟ୍ରୋଲିଂ କରାଯାଉଛି । ଜଳପ୍ଲାବିତ ଅଞ୍ଚଳଗୁଡିକରେ ଜଳ ନିଷ୍କାସନର ବ୍ୟବସ୍ଥା କରାଯାଉଛି ।’’
Published by: Anand Shankar Thankur Das
First published: August 27, 2020, 4:33 PM IST
corona virus btn
corona virus btn
Loading