ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»କରୋନା ମୁକାବିଲା ପାଇଁ ମୋଦିଙ୍କ ‘ଜନତା କର୍ଫ୍ୟୁ’ ଆହ୍ବାନକୁ ରାଜ୍ୟର ସବୁ ଦଳଙ୍କ ଭରପୁର ସମର୍ଥନ

କରୋନା ମୁକାବିଲା ପାଇଁ ମୋଦିଙ୍କ ‘ଜନତା କର୍ଫ୍ୟୁ’ ଆହ୍ବାନକୁ ରାଜ୍ୟର ସବୁ ଦଳଙ୍କ ଭରପୁର ସମର୍ଥନ

ପ୍ରଧାନ ମନ୍ତ୍ରୀଙ୍କ କଥା ରଖି ରାଜ୍ୟବାସୀ ଆସନ୍ତା କାଲି ‘ଜନତା କର୍ଫ୍ୟୁ’ ପାଳନ କରିବାକୁ ଅନୁରୋଧ କରିଛି ରାଜ୍ୟ ବିଜେପି । ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ସମର୍ଥନ କରିଛନ୍ତି । କଂଗ୍ରେସ ବି ଲୋକଙ୍କୁ ଏଥିରେ ଭାଗନେବାକୁ କହିଛି ।

କରୋନା ମୁକାବିଲା ପାଇଁ ମୋଦିଙ୍କ ‘ଜନତା କର୍ଫ୍ୟୁ’ ଆହ୍ବାନକୁ ରାଜ୍ୟର ସବୁ ଦଳଙ୍କ ଭରପୁର ସମର୍ଥନ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: March 21, 2020, 8:45 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: କରୋନା ଭାଇରସର ମୁକାବିଲା ଲାଗି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ‘ଜନତା କର୍ଫ୍ୟୁ’ ଆହ୍ବାନକୁ ରାଜ୍ୟରେ ମିଳୁଛି ଭରପୂର ସମର୍ଥନ ।  ଆସନ୍ତା କାଲି ସକାଳ ୭ରୁ ରାତି ୯ ପର୍ଯ୍ୟନ୍ତ ୧୪ ଘଣ୍ଟା ପାଇଁ ଘର ଭିତରେ ରହିବାକୁ ସର୍ବସାଧାରଣଙ୍କୁ ମୋଦି ଆହ୍ବାନ ଦେଇଛନ୍ତି । ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ସମର୍ଥନ କରିଛନ୍ତି ବୋଲି କୋଭିଡ-୧୯ ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ଆଉ ‘ଜନତା କର୍ଫ୍ୟୁ’ ପାଳନ କରିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।

‘‘କରୋନା ଭଳି ମହାମାରୀ ରୋକିବା ଦିଗରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟ ସରକାରଙ୍କୁ କରିଥିବା ଆବେଦନକୁ ଗ୍ରହଣ କରିଛନ୍ତି ଓଡ଼ିଶା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ରାଜ୍ୟବାସୀ ଗ୍ରହଣ କରିବା ସହ ଅନୁପାଳନ କରିବାକୁ ନିଜେ ମୁଖ୍ୟ ମନ୍ତ୍ରୀ ଅନୁରୋଧ କରିଛନ୍ତି,’’ କହିଛନ୍ତି ସୁବ୍ରତ ବାଗଚୀ ।

‘ଜନତା କର୍ଫ୍ୟୁ’ର ଅନୁରୋଧକୁ ରାଜ୍ୟବାସୀ ପାଳନ କରିବାକୁ ଅନୁରୋଧ କରିଛି ରାଜ୍ୟ ବିଜେପି । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ‘‘କରୋନାକୁ ନେଇ ଜନସାଧାରଣଙ୍କୁ ପ୍ରଧାନ ମନ୍ତ୍ରୀ ଦେଇଛନ୍ତି ସଚେତନତାର ବାର୍ତ୍ତା । କରୋନା ସଂକ୍ରମଣ ରୋକିବା ଆମ ପ୍ରାଥମିକତା ହେବା ଉଚିତ । ତେଣୁ ରାଜ୍ୟବାସୀ ସଂଯମପୂର୍ବକ ଏହି ଅନୁରୋଧ ରକ୍ଷା କରି ପ୍ରଧାନ ମନ୍ତ୍ରୀଙ୍କ ଆହ୍ବାନକୁ ପାଳନ କରିବାକୁ ଅନୁରୋଧ ।  ଏହା ଦ୍ବାରା ଏକ ବଡ଼ ବିପତ୍ତିକୁ ଆମେ ଦୃଢ଼ତାର ସହ ସାମ୍ନା କରିପାରିବା  ।’’

କଂଗ୍ରେସ ମଧ୍ୟ ଏହି ଅନୁରୋଧକୁ ସମର୍ଥନ କରିବା ସହ ଏହା ଏକ ସମୟୋପଯୋଗୀ ପଦକ୍ଷେପ ବୋଲି କହିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି: ‘‘ଏହା ଏକ ଉଚିତ ପଦକ୍ଷେପ । ସାରା ବିଶ୍ବରେ ଯେଭଳି କରୋନା ଏକ ମହାମାରୀରର ରୂପ ନେଇଛି ତାହା ଚିନ୍ତାଜନକ । ଏହାର ମୁକାବିଲା ପାଇଁ ସମସ୍ତେ ମିଳିତଭାବେ ପ୍ରୟାସ କରିବା ଦରକାର  । ମୁଁ ମଧ୍ୟ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ସତର୍କ ହୁଅନ୍ତୁ, ସୁରକ୍ଷିତ ରୁହନ୍ତୁ । ଅନ୍ତତଃ ନିଜ ଘରୁ ଏହି ଉଦ୍ୟମ ସମସ୍ତେ  ଆରମ୍ଭ କରନ୍ତୁ ।  ନିହାତି ଆବଶ୍ୟକ ନ ଥିଲେ ପଦାକୁ ବାହାରନ୍ତୁ ନାହିଁ ।’’

ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି: ‘‘ସମୟ ଆସିଛି ସମସ୍ତେ ଏକଜୁଟ୍‌ ହେବା ପାଇଁ । ସମସ୍ତେ ଏକାଠି ହେଲେ ହିଁ କରୋନାର ମୁକାବିଲା କରିହେବ । ଆବଶ୍ୟକ ନ ଥିଲେ ରବିବାର ବାହାରକୁ ବାହାରନ୍ତୁ ନାହିଁ । ନିଜର ଯତ୍ନ ସହ ଘର ଲୋକଙ୍କ ଯତ୍ନ ନିଅନ୍ତୁ ।’’

କେବଳ ରାଜନୈତିକ ଦଳଗୁଡିକ ନୁହନ୍ତି, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଆହ୍ବାନକୁ ଜନସାଧାରଣ ଓ ବିଭିନ୍ନ ମହଲରୁ ମିଳିଛି ଭରପୁର ସମର୍ଥନ ।
First published: March 21, 2020, 8:45 PM IST