ଲକଡାଉନ: ଘୁଞ୍ଚିଲା ହକିର ବିଭିନ୍ନ ଜାତୀୟ ପ୍ରତିଯୋଗିତା; ନ୍ୟୁଜିଲାଣ୍ଡ ଦଳ ଭାରତ ଗସ୍ତ ବାତିଲ୍ କଲା

କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ ପାଇଁ ଅନଲାଇନ ଓ ଅଫଲାଇନରେ ବିକ୍ରି ହୋଇଥିବା ସବୁ ଟିକେଟ ବାବଦ ପଇସା ଫେରାଇ ଦିଆଯିବ ।

ଲକଡାଉନ: ଘୁଞ୍ଚିଲା ହକିର ବିଭିନ୍ନ ଜାତୀୟ ପ୍ରତିଯୋଗିତା; ନ୍ୟୁଜିଲାଣ୍ଡ ଦଳ ଭାରତ ଗସ୍ତ ବାତିଲ୍ କଲା
କଳିଙ୍ଗ ଷ୍ଟାଡିୟମରେ ପୂର୍ବରୁ ଆୟୋଜିତ ଏକ ହକି ପ୍ରୋ ଲିଗ୍ ମ୍ୟାଚର ଦୃଶ୍ୟ ।
  • News18 Odia
  • Last Updated: April 15, 2020, 3:20 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଦେଶରେ କୋଭିଡ-୧୯ର ବଢ଼ୁଥିବା ପ୍ରକୋପ ଯୋଗୁଁ ଲକଡାଉନ ଅବଧିକୁ ମେ ୩ ପର୍ଯ୍ୟନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ବୃଦ୍ଧି କରିବା ପରେ ଖେଳାଳିଙ୍କ ସୁରକ୍ଷା ଦୃଷ୍ଟିରୁ ଏପ୍ରିଲ ୨୯ରୁ ପର୍ଯ୍ୟାୟ କ୍ରମେ ଆରମ୍ଭ ହେବାକୁ ଥିବା ହକିର ଜାତୀୟ ପ୍ରତିଯୋଗିତା ସ୍ଥଗିତ ରଖାଯାଇଛି । କରୋନା ଭାଇରସ୍‌ ସଂକ୍ରମଣର ସ୍ଥିତିକୁ ଅନୁଧ୍ୟାନ କରି ପରବର୍ତ୍ତୀ ତାରିଖ ଘୋଷଣା ହେବ ବୋଲି ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି ।

ଆସନ୍ତା ମାସରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଏଫଆଇଏଚ ହକି ପ୍ରୋ ଲିଗ୍‌ ବି ବାତିଲ୍‌ ହୋଇଛି । ଏହି ପ୍ରତିଯୋଗିତାରେ ମେ ୨୩ ଓ ୨୪ ଦୁଇ ଦିନ ଧରି କଳିଙ୍ଗ ଷ୍ଟାଡିୟମରେ ମୁଁହାମୁହିଁ ହୋଇଥାନ୍ତେ ଭାରତ ଓ ନ୍ୟୁଜିଲାଣ୍ଡ । କିନ୍ତୁ ବିଶ୍ଵବ୍ୟାପୀ କରୋନା ମହାମାରୀକୁ ନେଇ ନ୍ୟୁଜିଲାଣ୍ଡ ଦଳ ନିଜ ଭାରତ ଗସ୍ତ ବାତିଲ କରିଛି । ହକି ଇଣ୍ଡିଆ ସିଇଓ ଏଲିନା ନର୍ମାନ କହିଛନ୍ତି ଯେ ବର୍ତ୍ତମାନର କଷ୍ଟକର ପରିସ୍ଥିତିରେ ସେ ହକି ନ୍ୟୁଜିଲାଣ୍ଡର ନିଷ୍ପତ୍ତିକୁ ସ୍ୱାଗତ କରୁଛନ୍ତି ।

‘‘ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ବାତିଲ ପାଇଁ ଆମେ ଦୁଃଖିତ । କିନ୍ତୁ ବର୍ତ୍ତମାନ ପରିସ୍ଥିତିକୁ ଅଣଦେଖା କରିହେବନି। ତେଣୁ ନ୍ୟୁଜିଲାଣ୍ଡ ନିଷ୍ପତ୍ତିକୁ ଆମେ ସ୍ୱୀକାର କରୁଛୁ । ନିଜ ଖେଳାଳି ଓ ସପୋର୍ଟିଂ ଷ୍ଟାଫଙ୍କ ସୁରକ୍ଷା ପ୍ରତି ଜାତୀୟ କ୍ରୀଡା ସଙ୍ଗଠନ ସବୁ ବେଳେ ପ୍ରାଥମିକତା ଦେଇଥାଏ। ନ୍ୟୁଜିଲାଣ୍ଡ ଦଳକୁ ଶୁଭେଚ୍ଛା ଜଣାଉଛି ଓ ଆଶା କରୁଛି ଖୁବ ଶୀଘ୍ର ସ୍ଥିତି ସୁଧୁରିବ ଆଉ ନ୍ୟୁଜିଲାଣ୍ଡ ଦଳ ଭାରତ ଗସ୍ତ କରି ମ୍ୟାଚ ଖେଳିବ,’’ ବୋଲି କହିଛନ୍ତି ନର୍ମାନ ।

ଭୁବନେଶ୍ୱରରେ ଦର୍ଶକମାନେ ଏକ ହକି ମ୍ୟାଚ ଉପଭୋଗ କରୁଛନ୍ତି ।


ଏଥି ସହ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ ପାଇଁ ଅନଲାଇନ ଓ ଅଫଲାଇନରେ ବିକ୍ରି ହୋଇଥିବା ସମସ୍ତ ଟିକେଟ ବାବଦ ପଇସା ଫେରସ୍ତ କରାଯିବ ବୋଲି ନର୍ମାନ କହିଛନ୍ତି । ଏ ନେଇ ଟିକେଟ କିଣିଥିବା ଦର୍ଶକ fpl2020@ticketgenie.in କୁ ଇମେଲ ପଠେଇ ପାରିବେ କିମ୍ବା 8217395364 ନମ୍ବରକୁ କଲ କରିପାରିବେ ।

‘‘କରୋନା ସଂକ୍ରମଣକୁ ନେଇ ଦେଶବ୍ୟାପୀ ଲକଡ଼ାଉନ ଅବଧିକୁ ମେ 3 ଯାଏ ବୃଦ୍ଧି କରାଯାଇଥିବାରୁ ଖେଳାଳି, କୋଚ, ଆୟୋଜକ, ଦର୍ଶକ ଓ ଅଫିସିଆଲ ସମସ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ହକି ଜାତୀୟ ପ୍ରତିଯୋଗୀତାକୁ ଘୁଞ୍ଚାଇ ଦିଆଯାଇଛି । କୋଭିଡ-୧୯ର ସ୍ଥିତିକୁ ଦେଖି ଆଗାମୀ ତାରିଖ ଘୋଷଣା କରାଯିବ,’’ ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ ଅହମ୍ମଦ କହିଛନ୍ତି ।

ଏପ୍ରିଲ ୨୯ରୁ ହକିର ବିଭିନ୍ନ ଜାତୀୟ ପ୍ରତିଯୋଗିତା ଆରମ୍ଭ ହେବାକୁ ଥିଲା । ଏପ୍ରିଲ ୨୯ରୁ ମେ ୯ ଏବଂ ମେ ୭ରୁ ମେ ୧୭ ଯାଏ ରାଞ୍ଚିରେ ଦଶମ ଜାତୀୟ ଜୁନିୟର ମହିଳା ଚାମ୍ପିଅନସିପ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । ସେହି ପରି ମେ ୧୪ରୁ ୨୧ ଏବଂ ମେ ୧୯ରୁ ୩୦ ଯାଏଁ ଜାତୀୟ ଜୁନିୟର ପୁରୁଷ ଚାମ୍ପିଅନସିପ, ମେ ୩ରୁ ୧୪ଏବଂ ମେ ୧୨ରୁ ୨୩ ଯାଏଁ ଜାତୀୟ ସବଜୁନିୟର ମହିଳା ଚାମ୍ପିଅନସିପ, ମେ ୨୮ରୁ ଜୁନ ୪ ଏବଂ ଜୁନ ୩ରୁ ଜୁନ ୧୩ ଯାଏଁ ହେବାକୁ ଥିବା ଜାତୀୟ ସବଜୁନିୟର ପୁରୁଷ ଚାମ୍ପିଅନସିପ ବି ସ୍ଥଗିତ ରହିଛି । କୋଭିଡ-୧୯ର  ସ୍ଥିତି ଅନୁଧ୍ୟାନ କରି ପରବର୍ତ୍ତୀ ତାରିଖ ଧ୍ୟାର୍ଯ୍ୟ କରାଯିବ ବୋଲି ହକି ଇଣ୍ଡିଆ ତରଫରୁ କୁହାଯାଇଛି ।
First published: April 15, 2020, 3:20 PM IST
corona virus btn
corona virus btn
Loading