କରୋନା: ଦଶମ, ଦ୍ବାଦଶ ପରୀକ୍ଷାକୁ ଛାଡି ଅନ୍ୟ ପରୀକ୍ଷା ବାତିଲ; ବାଣୀ ବିହାର ହଷ୍ଟେଲ ଖାଲି ହେବ

ଉତ୍କଳ ବିଶ୍ବବିଦ୍ୟାଳୟର ସବୁ ଇଣ୍ଟରନାଲ୍ ପରୀକ୍ଷା ବାତିଲ କରାଯାଇଛି ଓ ଛାତ୍ରଛାତ୍ରୀମାନଙ୍କୁ ମଙ୍ଗଳବାର ସନ୍ଧ୍ୟା ୫ଟା ସୁଦ୍ଧା ହଷ୍ଟେଲ ଖାଲି କରିବାକୁ କୁହାଯାଇଛି । ପରୀକ୍ଷା କେବେ ହେବ ତାହା ଉପରେ ପରେ ସୂଚନା ଦିଆଯିବ । କୋଚିଂ ସେଣ୍ଟରଗୁଡ଼ିକୁ ବନ୍ଦ ରଖିବାକୁ ବି କୁହାଯାଇଛି ।

କରୋନା: ଦଶମ, ଦ୍ବାଦଶ ପରୀକ୍ଷାକୁ ଛାଡି ଅନ୍ୟ ପରୀକ୍ଷା ବାତିଲ; ବାଣୀ ବିହାର ହଷ୍ଟେଲ ଖାଲି ହେବ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: March 16, 2020, 6:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଓଡ଼ିଶାରେ ପ୍ରଥମ କରୋନା ପଜିଟିଭ୍ ବ୍ୟକ୍ତି ଚିହ୍ନଟ ହେବା ପରେ ସରକାର ଦଶମ ଶ୍ରେଣୀ ପରୀକ୍ଷାକୁ ଛାଡ଼ି ପ୍ରଥମ ଶେଣୀରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷାକୁ ବାତିଲ କରି ଦେଇଛନ୍ତି । ଦଶମ ସହିତ ଦ୍ବାଦଶ ଅର୍ଥାତ୍ ଯୁକ୍ତ ୨ ଦ୍ବିତୀୟ ବର୍ଷର ପରୀକ୍ଷା ଚାଲୁଥିବାରୁ ଏହାକୁ ବାତିଲ କରାଯାଇନାହିଁ । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୋମବାର ବିଜ୍ଞପ୍ତି ଜାରୀ କରାଯାଇଛି ।

ବିଜ୍ଞପ୍ତି ଅନୁଯାୟୀ ସମସ୍ତ ସରକାରୀ, ବେସରକାରୀ ଓ ସେମି-ସରକାରୀ ସ୍କୁଲ ଗୁଡିକରେ ଏହି ପରୀକ୍ଷା ବାତିଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲଗୁଡିକ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଥିବା ବେଳେ ଶିକ୍ଷକମାନଙ୍କୁ ସ୍କୁଲ ନ ଆସିବାକୁ କୁହାଯାଇଛି, ହେଲେ ସେମାନଙ୍କୁ ଫୋନ ଯୋଗେ କିଛି ସ୍ବତନ୍ତ୍ର ନିର୍ଦ୍ଦେଶ ପାଇଲେ ଆସିବାକୁ କୁହାଯାଇଛି ।

ଏଥି ସହିତ ରାଜ୍ୟର ବଭିନ୍ନ ସ୍ଥାନରେ କୋଚିଂ ସେଣ୍ଟରଗୁଡ଼ିକ ଖୋଲା ରହିଥିବାରୁ ସେଗୁଡିକ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ସରକାରୀ ଏବଂ ବେସରକାରୀ କୋଚିଂ ସେଣ୍ଟରକୁ ଆଜି ଠାରୁ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି । ଯେଉଁମାନେ ଏହି ନିୟମକୁ ପାଳନ ନ କରିବେ ସେମାନଙ୍କ ବିରୋଧରେ ଓଡ଼ିଶା କୋଭିଡ୍-୧୯ ରେଗୁଲେସନ ୨୦୨୦ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

ଓଡ଼ିଶାର ସର୍ବ ପୁରାତନ ଉତ୍କଳ ବିଶ୍ବବିଦ୍ୟାଳୟର ସମସ୍ତ ଇଣ୍ଟରନାଲ ପରୀକ୍ଷାକୁ ବାତିଲ କରାଯାଇଥିବା ବେଳେ ହଷ୍ଟେଲଗୁଡ଼ିକୁ ବନ୍ଦ କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଛାତ୍ରଛାତ୍ରୀମାନଙ୍କୁ ମଙ୍ଗଳବାର ସନ୍ଧ୍ୟା ୫ଟା ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା କେବେ ହେବ ତାହା ଉପରେ ପରେ ସୂଚନା ଦିଆଯିବ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି ।

କରୋନା ଭାଇରସକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମହାମାରୀ ବୋଲି ଘୋଷଣା କରିଥିବା ବେଳେ ଗତ ଶୁକ୍ରବାର ଓଡ଼ିଶା ସରକାର ଏହାକୁ ରାଜ୍ୟ ବିପର୍ଯ୍ୟୟ ବୋଲି ଘୋଷଣା କରିଥିଲେ । ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଭାଇରସର ମୁକାବିଲା ପାଇଁ ୨୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ମଞ୍ଜୁର କରିବା ସହ ସମସ୍ତ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ ଆଦି ଶିକ୍ଷାନୁଷ୍ଠାନ, ସୁଇମିଙ୍ଗ ପୁଲ ଓ ସିନେମା ହଲକୁ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏଥି ସହିତ ଧାର୍ମିକ ସମାବେଶ, ବିବାହ ଭୋଜି, ପାର୍ଟି ଭଳି ସାମାଜିକ ସମାବେଶ ତଥା ସଭାଗୁଡିକୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ବାରା ନିୟନ୍ତ୍ରିତ କରାଯିବ ବୋଲି ମୁଖ୍ୟ ମନ୍ତ୍ରୀ କହିଥିଲେ ।

କରୋନା ଭାଇରସର ପ୍ରତିକାର ପାଇଁ କମିଶନରେଟ ପୋଲିସ ପକ୍ଷରୁ କଟକ ଏବଂ ଭୁବନେଶ୍ବରରେ ଥିବା ସମସ୍ତ ମଲଗୁଡିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ବାର୍‌ ଓ ଡାନ୍ସ ବାରରେ ଲାଉଡ ସ୍ପିକର ନ ବଜାଇବାକୁ ବି ନିର୍ଦ୍ଦେଶ ଦିଆଯାଇଛି ।
First published: March 16, 2020, 6:50 PM IST
corona virus btn
corona virus btn
Loading