ରାଜ୍ୟରେ ଲକଡାଉନ ସମୟରେ ସବୁ ଚାଷ କାମ ହୋଇପାରିବ; କୌଣସି ପ୍ରତିବନ୍ଧକ ନାହିଁ

ରାଜ୍ୟରେ କେବଳ ହୋମ୍‌ ଡେଲିଭରି ପାଇଁ ରେଷ୍ଟୁରାଣ୍ଟ ଓ ଢାବା ଖୋଲା ରହିବ, ହେଲେ ସେଠାରେ ବସି ଖାଇହେବ ନାହିଁ । ଭୁବନେଶ୍ବର ପାଇଁ ଏକ ସ୍ବତନ୍ତ୍ର ନିର୍ଦେଶନାମା ଜାରି କରିବା ପାଇଁ ଚିନ୍ତା କରାଯାଉଛି ।

ରାଜ୍ୟରେ ଲକଡାଉନ ସମୟରେ ସବୁ ଚାଷ କାମ ହୋଇପାରିବ; କୌଣସି ପ୍ରତିବନ୍ଧକ ନାହିଁ
ସ୍ପେଶାଲ୍ ରିଲିଫ୍ କମିଶନର୍ ପ୍ରଦୀପ୍ତ ଜେନା କୃଷି କାର୍ଯ୍ୟ ବିଷୟରେ କହୁଛନ୍ତି ।
  • News18 Odia
  • Last Updated: April 13, 2020, 4:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଏପ୍ରିଲ ୧୫ରୁ ଆରମ୍ଭ ହେଉଥିବା ବେଳେ ଏହି ସମୟରେ କୃଷି ପରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ପୂର୍ବ ପ୍ରଚଳିତ ଲକଡାଉନ୍‌ ନିୟମରେ କିଛି କୋହଳତା ଦିଆଯାଇଛି । ଲକଡାଉନ୍‌ ସମୟରେ ସବୁ ପ୍ରକାର ଚାଷ କାର୍ଯ୍ୟ ହୋଇପାରିବ ବୋଲି କହିଛନ୍ତି ଏସ୍‌.ଆର୍‌.ସି. (ସ୍ପେଶାଲ୍‌ ରିଲିଫ୍‌ କମିଶନର୍‌) ପ୍ରଦୀପ୍ତ ଜେନା ।

କରୋନା ଭାଇରସ୍‌ ପାଇଁ ଲାଗୁ ହୋଇଥିବା ଲକଡାଉନ୍‌ ଜାରି ଥିବା ବେଳେ କେଉଁ କେଉଁ ନିୟମ ପରିବର୍ତ୍ତନ ହୋଇଛି ସେ ନେଇ ବିସ୍ତୃତ ସୂଚନା ଦେଇଛନ୍ତି ଏସ୍‌.ଆର୍‌.ସି.। ମତ୍ସ୍ୟ ଚାଷ ସମେତ ବାକି ସବୁ ପ୍ରକାର ଚାଷ କାର୍ଯ୍ୟ କୃଷକମାନେ ସାମାଜିକ ଦୂରତ୍ୱ ପାଳନ କରି କରିପାରିବେ ବୋଲି ସେ କହିଛନ୍ତି ।

ଏହି ସମୟରେ ଚାଷ କାର୍ଯ୍ୟରେ ବ୍ୟବହୃତ ସମସ୍ତ ଯନ୍ତ୍ରପାତି ନେବା ଆଣିବା କରିପାରିବେ କୃଷକମାନେ । ସାର ଓ କୃଷି ଯନ୍ତ୍ରପାତି ବିକ୍ରୟ କେନ୍ଦ୍ର ଓ ମରାମତି କେନ୍ଦ୍ର ବି ଖୋଲା ରହିବ । ରାଜ୍ୟର ଶୀତଳଭଣ୍ଡାର ଓ ଗୋଦାମ ମଧ୍ୟ ଖୋଲା ରହିବ ।

ଖରିଫ ଲୋନ୍‌ ପାଇଁ ସବୁ ବ୍ୟାଙ୍କ ଖୋଲା ରହିବ ଓ ରବି ଫସଲ ପରେ ସମସ୍ତ ମଣ୍ଡି ଖୋଲା ରହିବ । ମଣ୍ଡିରୁ ମିଲ୍‌ ଯାଏ ଧାନ ନେବା ପାଇଁ କୌଣସି କଟକଣା ନାହିଁ ।

ମତ୍ସ୍ୟଚାଷ ପାଇଁ ଲକଡାଉନରେ କୌଣସି କଟକଣା ନାହିଁ । ମାଛଧରା ବନ୍ଦର ଓ ମାଛ ଜାଲ ତିଆରି କାରଖାନା ବନ୍ଦ ହେବ ନାହିଁ । ସେହିଭଳି ରାଜ୍ୟର ଗୋଶାଳଗୁଡ଼ିକ ମଧ୍ୟ କାର୍ଯ୍ୟକ୍ଷମ ହେବ । ରାଜ୍ୟରେ ପାଇପ୍‌ ଜଳ ଯୋଗାଣ କାମ ଜାରି ରହିବା ସହିତ ନରେଗା ଓ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଭଳି ନିର୍ମାଣକାର୍ଯ୍ୟ ଜାରି ରହିବ । ବିଜୁ ପକ୍କା ଘର ଓ ପାଇଖାନା ନିର୍ମାଣ କାମ ମଧ୍ୟ ଜାରି ରହିବ । ଜଙ୍ଗଲ ବିଭାଗ ତରଫରୁ ବନୀକରଣ ଓ ବୃକ୍ଷ ରୋପଣ କାର୍ଯ୍ୟ ଚାଲିବ।ବନ୍ୟପ୍ରାଣୀଙ୍କ ପାଇଁ ନୂଆ ଜଳଉତ୍ସ ସୃଷ୍ଟି କରାଯାଇ ପାରିବ । ପୁରୁଣା ଜଳଉତ୍ସଗୁଡ଼ିକର ମରାମତି ହୋଇପାରିବ।

ଲକଡାଉନ ସମୟରେ କେନ୍ଦୁପତ୍ର ଫଡ଼ିର ସମସ୍ତ କାର୍ଯ୍ୟ ଚାଲିବ । ଲଘୁବନଜାତ ଦ୍ରବ୍ୟ ସଂଗ୍ରହ ଓ ମାର୍କେଟିଂ କାର୍ଯ୍ୟ ଚାଲିବ। ଇ-କର୍ମସ ଓ ଅନ୍‌ଲାଇନ୍‌ରେ ସବୁ ପ୍ରକାରର ଜିନିଷର କାରବାର ହୋଇ ପାରିବ ।

କେବଳ ହୋମ୍‌ ଡେଲିଭରି ପାଇଁ ରେଷ୍ଟୁରାଣ୍ଟଗୁଡ଼ିକ ଖୋଲା ରହିବ । ରାଜ୍ୟରେ ଢାବା ମଧ୍ୟ ଖୋଲା ରହିବ, ମାତ୍ର ଢାବାରେ ଖାଇହେବ ନାହିଁ ।

ତେବେ ଏ ସବୁ କାର୍ଯ୍ୟ କରିବା ବେଳେ ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ ହୋଇଛି । କଣ୍ଟେନ୍‌ମେଣ୍ଟ ଜୋନରେ ଏ ସବୁ କାର୍ଯ୍ୟ କରାଯାଇପାରିବ ନାହିଁ । ଭୁବନେଶ୍ବର ପାଇଁ ଏକ ସ୍ବତନ୍ତ୍ର ନିର୍ଦେଶନାମା ଜାରି କରିବା ପାଇଁ ଚିନ୍ତା କରାଯାଉଥିବା କହିଛନ୍ତି ଜେନା ।

ପୂର୍ବରୁ ମଧ୍ୟ ମୁଖ୍ୟ ମନ୍ତ୍ରୀ କହିସାରିଛନ୍ତି ଯେ ଲକଡାଉନ ସମୟରେ ଚାଷ କାମ ହୋଇ ପାରିବ। କୃଷି ମନ୍ତ୍ରୀ ଅରୁଣ ସାହୁ ଟ୍ୱିଟ୍‌ ଯୋଗେ କହିଛନ୍ତି: ‘‘କୃଷକ ସମାଜର ମେରୁଦଣ୍ଡ । କୃଷି କାର୍ଯ୍ୟ କାହାକୁ ଅପେକ୍ଷା କରେ ନାହିଁ। ସାମାଜିକ ଦୂରତ୍ୱ ପାଳନ କରି କୃଷି କାର୍ଯ୍ୟ କରିହେବ।’’
First published: April 13, 2020, 4:54 PM IST
corona virus btn
corona virus btn
Loading