News18 Odia Digital
ନୂଆ ଦିଲ୍ଲୀ / ଭୁବନେଶ୍ୱର: ମୁଖ୍ୟତଃ ଚ଼ୀନ୍ରେ କରୋନା ଭାଇରସର ବଢ଼ୁଥିବା ପ୍ରକୋପକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ତା’ର ମୁମ୍ବାଇ-ଦିଲ୍ଲୀ-ଶାଙ୍ଘାଇ ବିମାନ ଉଡ଼ାଣକୁ ଜାନୁଆରୀ ୩୧ରୁ ଫେବୃଆରୀ ୧୪ ପର୍ଯ୍ୟନ୍ତ ସ୍ଥଗିତ ରଖିବ ବୋଲି ଘୋଷଣା କରିଛି ।
ଏଆର୍ ଇଣ୍ଡିଆର ମୁମ୍ବାଇ-ଦିଲ୍ଲୀ-ଶାଙ୍ଘାଇ ସେକ୍ଟରରେ ଉଡ଼ାଣ କରୁଥିବା ଏଆଇ ୩୪୮/୩୪୯କୁ ବନ୍ଦ କରିଦିଆଯାଇଛି ।
ଏୟାର ଇଣ୍ଡିଆ ଚୀନର ବିଭିନ୍ନ ସ୍ଥାନକୁ ବିମାନଗୁଡ଼ିକୁ ବନ୍ଦ କରିଥିବା ଦ୍ବିତୀୟ ଭାରତୀୟ ବିମାନ ଉଡ଼ାଣ କମ୍ପାନୀ । ଏହା ପୂର୍ବରୁ ଇଣ୍ଡିଗୋ ନିଜର ଦିଲ୍ଲୀ-ଚେଙ୍ଗଡୁ ଓ ମୁମ୍ବାଇ-ହଙ୍ଗ କଙ୍ଗ ବିମାନକୁ ଅସ୍ଥାୟୀ ରୂପେ ବନ୍ଦ କରିଥିବା ଘୋଷଣା କରିଥିଲା ।
ଏୟାର ଇଣ୍ଡିଆର ସାଙ୍ଘାଇ ଓ ହଙ୍ଗ କଙ୍ଗ ମଧ୍ୟରେ ବିମାନ ଯାତ୍ରା ବନ୍ଦ ହେବା ପରେ ଟିକଟ କ୍ୟାନସଲେସନ୍ ଶୁଳ୍କକୁ ଆାଗାମୀ ସୂଚନା ପର୍ଯ୍ୟନ୍ତ ଛାଡ଼ କରିଦିଆଯାଇଛି ।
ବିଶ୍ୱ ସାରା ବ୍ୟାପୁଥିବା କରୋନା ଭାଇରସ୍ର ପ୍ରକୋପ ଓ ବିଶେଷତଃ ଚ଼ୀନ୍ରେ ବଢ଼ୁଥିବା ସଂକ୍ରମିତ ଲୋକଙ୍କ ସଂଖ୍ୟା ଓ ସେମାନଙ୍କ ମୃତ୍ୟୁ ଯୋଗୁଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ପ୍ରଧାନ ସଚ଼ିବ ପି.କେ. ମିଶ୍ର ରବିବାର ଦିନ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ଘାତକ ସମସ୍ୟା ସହ ନିପଟିବା ପାଇଁ ଭାରତର ପ୍ରସ୍ତୁତିର ସମୀକ୍ଷା କରିଥିଲେ । କରୋନା ଭାଇରସର ପରୀକ୍ଷା ପାଇଁ ନ୍ୟାସନାଲ୍ ଇନଷ୍ଟିଚ଼୍ୟୁଟ୍ ଅଫ୍ ଭାଇରୋଲୋଜି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ଓ ଦେଶର ସବୁ ରାଜ୍ୟ ଓ ଜିଲ୍ଲା ପ୍ରଶାସନକୁ ଆଲର୍ଟ କରିଦିଆଯଆଇଛି ବୋଲି ସେହି ବୈଠକ ପରେ କୁହାଯାଇଥିଲା ।
ଓଡ଼ିଶା ସରକାର ଏ ମହା ବିପଦର ମୁକାବିଲା ଓ ସଚେତନତା ପାଇଁ ମଧ୍ୟ ଅଣ୍ଟା ଭିଡ଼ିଛନ୍ତି । କଟକ ବଡ଼ ମେଡ଼ିକାଲରେ କରୋନା ଭାଇରସ୍ ପାଇଁ ଏକ ବିଶେଷ ୱାର୍ଡ଼ ଖୋଲିବା ସହ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନୁଷ୍ଠିତ ଉଚ୍ଚସ୍ତରୀୟ କର୍ମଶାଳାରେ ସବୁ ଜିଲ୍ଲାର ଏଡିଏମ୍ଓଙ୍କୁ ସନ୍ଦିଗ୍ଧ ରୋଗୀଙ୍କୁ ଗୁରୁତ୍ୱର ସହ ନେଇ ପରୀକ୍ଷାନିରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛି ।
ଭାରତରେ ଏବେ ଯାଏ କୌଣସି ପଜିଟିଭ ନମୂନା ଚିହ୍ନଟ ହୋଇନାହିଁ । ରକ୍ତ ନମୂନା ପରୀକ୍ଷଣ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦେଶରେ ୨୦ଟି ଲ୍ୟାବ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାର ଆର୍ଏମ୍ଆର୍ସି ସାମିଲ ହୋଇଛି । କ୍ୟାପିଟାଲ ହସ୍ପିଟାଲ, ଏସ୍ସିବି, ଭିମ୍ସାର୍ ଓ ଏମ୍ସ୍ ସମେତ ଜିଲ୍ଲା ହସ୍ପିଟାଲରେ ବି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଡାକ୍ତରମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।