News18 Odia Digital
ଭୁବନେଶ୍ୱର: ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍ ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେଉଥିବାରୁ ଏହାକୁ ରୋକିବାକୁ ବସର ଗତିପଥରେ ପରିବର୍ତ୍ତନ କରାଯିବ । ଏ ନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ବୌଦ୍ଧ ମାଧପୁର ଦେଇ ନୟାଗଡ଼ ଓଡ଼ଙ୍ଗା ଜଗନ୍ନାଥପ୍ରସାଦ ଦେଇ ଗଞ୍ଜାମରେ ପହଞ୍ଚିବ ବସ୍ । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏନେଇ ସୂଚନା ଦେଇଛନ୍ତି ।
ଗତ କାଲି ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ଏକ ବସ୍ ଦୁର୍ଘଟଣା ହୋଇଥିଲା । ଏଥିରେ ଦୁଇ ଜଣ ପ୍ରବାସୀ ଓଡ଼ିଆଙ୍କ ଜୀବନ ଯାଇଥିଲା । ସେହିପରି ଆଜି ବି ସେହି ସ୍ଥାନରେ ଦୁର୍ଘଟଣା ଘଟିଛି ।
କଳିଙ୍ଗା ଘାଟିରେ ଆଜିର ଦୁର୍ଘଟଣାରେ ଏକ ଟ୍ରକ୍ ସହ ଧକ୍କା ହୋଇଥିଲା ବସର । ଅଳ୍ପକେ ବର୍ତ୍ତିଥିଲେ ବସରେ ଥିବା ପ୍ରବାସୀ ଓଡ଼ିଆ । ଏହା ପରେ ସରକାରଙ୍କ ତତ୍ପରତା ପ୍ରକାଶ ପାଇଛି । ଏହି ଘାଟି ଦେଇ କୌଣସି ପ୍ରବାସୀ ଓଡିଆଙ୍କ ବସ୍ ଯାଇପାରିବ ନାହିଁ ବୋଲି ସରକାର ନିର୍ଦେଶ ଦେଇଛନ୍ତି । ଦୁର୍ଘଟଣାକୁ ରୋକିବା ପାଇଁ ସରକାର ଏହା ନିଷ୍ପତ୍ତି ନେଇଛନ୍ତି ।
ଏଣିକି ସମସ୍ତ ବସ୍ ବୌଦ୍ଧ ଦେଇ ନୟାଗଡ଼ ହୋଇ ଗଞ୍ଜାମରେ ପହଞ୍ଚିବ । ଆଜି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦ୍ବିତୀୟ ବସରେ ସମସ୍ତ ପ୍ରବାସୀ ସୁରତରୁ ଗଞ୍ଜାମ ଜିଲ୍ଲା ସୋରଡ଼ାକୁ ଆସୁଥିଲେ । ଗଞ୍ଜାମ ଓ କନ୍ଧମାଳ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ ଆରମ୍ଭ କରିଛି ।

ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ଏକ ବସ୍ ଦୁର୍ଘଟଣା ସ୍ଥଳର ଏକ ଦୃଶ୍ୟ
ଗତ କାଲି ରାତିରେ କଳିଙ୍ଗା ଘାଟିରେ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କୁ କ୍ବାରେଣ୍ଟାଇନ ସେଣ୍ଟରକୁ ପଠାଯାଇଛି ।
ମୃତକ ଦୁଇ ଜଣ ହେଲେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅଞ୍ଚଳର ଚିତ୍ତରଞ୍ଜନ ସେଠୀ ଓ ସନ୍ତୋଷ ସେଠୀ । ଗୁଜରାଟ ସୁରତରୁ GJ 18X 2693 ନମ୍ବରର ଶ୍ରୀ ପଟେଲ ନାମକ ବସରେ ଗଞ୍ଜାମ ଫେରୁଥିଲେ ୬୦ରୁ ଅଧିକ ପ୍ରବାସୀ ଓଡ଼ିଆ । ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍ର ଡ୍ରାଇଭର ଅନ୍ୟ ରାଜ୍ୟର ହୋଇଥିବାରୁ କଳିଙ୍ଗା ଘାଟି ସର୍ମ୍ପକରେ କୌଣସୀ ସୂଚନା ନ ଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।
ନାଗପୁର-ଅମରାବତୀ ରାଜପଥରେ ଓଲଟିଲା ବସ୍ସୁରତରୁ ଓଡ଼ିଆଙ୍କୁ ନେଇ ଆସୁଥିବା ଆଉ ଏକ ବସ୍ ନାଗପୁର-ଅମରାବତୀ ରାଜପଥରେ ଓଲଟିଛି । ଏହି ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ କରଞ୍ଜା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ୫୦ ଜଣ ପ୍ରବାସୀଙ୍କୁ ନେଇ ସୁରତରୁ ଆସୁଥିଲା ଏହି ବସ୍ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।