News18 Odia Digital
ବ୍ରିଟେନର ପ୍ରିନ୍ସ ଚାର୍ଲ୍ସଙ୍କ ପରେ ଏବେ ପ୍ରଧାନ ମନ୍ତ୍ରୀ ବୋରିସ୍ ଜନସନ୍ ମଧ୍ୟ କରୋନା ଭାଇରସ୍ ପଜିଟିଭ୍ ପରୀକ୍ଷିତ ହୋଇଛନ୍ତି ଓ ଲଣ୍ଡନରେ ତାଙ୍କ ୧୦ ଡାଉନିଙ୍ଗ୍ ଷ୍ଟ୍ରିଟ ବାସ ଭବନରେ ନିଜକୁ ପୃଥକ ରଖିଛନ୍ତି ।
ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରି ଜନସନ ନିଶ୍ଚିତ କରିଛନ୍ତି ଯେ ତାଙ୍କ ଦେହର ତାପମାତ୍ରା ବଢ଼ିବା ଓ କ୍ରମାଗତ କାଶ ହେବା ପରେ ସେ ନିଜକୁ ପରୀକ୍ଷା କରାଇଥିଲେ ଓ COVID-19 ପାଇଁ ପଜିଟିଭ୍ ବୋଲି ଜଣା ପଡ଼ିଥିଲେ । ସେ କହିଛନ୍ତି ଯେ ସେ ନିଜକୁ ଅଲଗା କରି ରଖି ଘରୁ କାମ କରୁଛନ୍ତି ।
ଟ୍ୱିଟରରେ ସେ ଲେଖିଛନ୍ତି: “ଗତ ୨୪ ଘଣ୍ଟା ମଧ୍ୟରେ ମୋ’ ଭିତରେ ସାମାନ୍ୟ ଲକ୍ଷଣ ଦେଖାଦେଇଛି ଓ ମୁଁ କରୋନା ଭାଇରସ୍ ପାଇଁ ପଜିଟିଭ୍ ବୋଲି ପରୀକ୍ଷିତ ହୋଇଛି । ମୁଁ ନିଜକୁ ସଙ୍ଗରୋଧ କରି ରଖିଛି, ହେଲେ କିନ୍ତୁ ମୁଁ କରୋନା ଭାଇରସ ବିରୋଧରେ ସରକାରଙ୍କ ପଦକ୍ଷେପଗୁଡ଼ିକୁ ଭିଡିଓ କନଫରେନ୍ସ ମାଧ୍ୟମରେ ଆଗେଇ ନେବା ଜାରି ରଖିବି । ଆମେ ଏକତ୍ର ହୋଇ ‘ଷ୍ଟେ ହୋମ୍ ସେଭ୍ ଲାଇଭସ୍’ ହ୍ୟାସଟ୍ୟାଗ୍ ବ୍ୟବହାର କରି ଏହାକୁ ପରାସ୍ତ କରିବୁ ।’’
ଡାଉନିଙ୍ଗ୍ ଷ୍ଟ୍ରିଟର ମୁଖପାତ୍ର ପିଟିଆଇକୁ କହିଛନ୍ତି ଯେ ଗୁରୁବାର ସାମାନ୍ୟ ଲକ୍ଷଣ ଦେଖାଯିବା ପରେ ପ୍ରଧାନ ମନ୍ତ୍ରୀ ଇଂଲଣ୍ଡର ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଫେସର କ୍ରିସ୍ ୱିଟିଙ୍କ ବ୍ୟକ୍ତିଗତ ପରାମର୍ଶରେ କରୋନା ଭାଇରସ୍ ପାଇଁ ପରୀକ୍ଷିତ ହୋଇଥିଲେ । ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା (NHS) କର୍ମଚାରୀଙ୍କ ଦ୍ୱାରା ୧୦ ଡାଉନିଂ ଷ୍ଟ୍ରିଟରେ ଏହି ପରୀକ୍ଷା କରାଯାଇଥିଲା ଓ ପରୀକ୍ଷଣର ଫଳ ପଜିଟିଭ୍ ଆସିଥିଲା ।
ବ୍ରିଟେନରେ ଅତି କମରେ ୧୧,୮୧୬ ଲୋକ କରୋନା ଭାଇରସ୍ ପଜିଟିଭ୍ ହୋଇଛନ୍ତି ଓ ପ୍ରାୟ ୫୭୮ ଜଣଙ୍କର ମୃତ୍ୟୁ ହୋଇଛି ।
ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଜନସନ ଶୀଘ୍ର ଆରୋଗ୍ୟ ହୁଅନ୍ତୁ ବୋଲି କାମନା କରିଛନ୍ତି ।
‘‘ଆପଣ ଜଣେ ଲଢ଼ୁଆ ବ୍ୟକ୍ତି, ଆଉ ଆପଣ ଜଲଦି ଏହି ଚ୍ୟାଲେଞ୍ଜ୍ ଜିତିବେ,’’ ଟ୍ୱିଟରରେ ଜନସନଙ୍କୁ ଲେଖିଛନ୍ତି ମୋଦି । ସେ ଆହୁରି ଲେଖିଛନ୍ତି: ‘‘ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମୋ’ର ପ୍ରାର୍ଥନା ଓ ଏକ ସ୍ୱାସ୍ଥ୍ୟବାନ ବ୍ରିଟେନ୍ ପାଇଁ ମୋ’ର ଶୁଭେଚ୍ଛା’’ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।