ଭୁବନେଶ୍ୱରରେ କରୋନା ଭାଇରସ୍: ଅଟାକଳ ପରେ ଏବେ ଆଳୁଗଦି ଚିନ୍ତା ସହରବାସୀଙ୍କୁ ଘାରିଛି

ମଞ୍ଚେଶ୍ୱର ଅଟାକଳରୁ କରୋନା ବିସ୍ଫୋରଣ ହେବା ପରେ ଏବେ ଆଇଗିଣିଆ ଆଳୁଗଦିକୁ ନେଇ ଚିନ୍ତା ବଢିଛି । ଆକ୍ରାନ୍ତମାନେ କାହା କାହା ସଂସ୍ପର୍ଶରେ ଆସିଛନ୍ତି ଓ କୁଆଡ଼େ ଯାଇଛନ୍ତି ସେ ନେଇ କଣ୍ଟାକଟ ଟ୍ରେସିଂ ଚାଲିଛି ।

ଦୈନିକ ଆଳୁଗଦିକୁ ବାହାର ରାଜ୍ୟରୁ ୬୦ରୁ ୭୦ ଟ୍ରକ ମାଲ ଆସୁଛି।

ଦୈନିକ ଆଳୁଗଦିକୁ ବାହାର ରାଜ୍ୟରୁ ୬୦ରୁ ୭୦ ଟ୍ରକ ମାଲ ଆସୁଛି।

  • Share this:
News18 Odia Digital

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅଟାକଳ ପରେ ଏବେ ଚିନ୍ତା ବଢ଼ାଇଛି ଆଇଗିଣିଆର  ଆଳୁଗଦି। ଶନିବାର ଆଳୁଗଦିରୁ ନଅ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ରବିବାର ପୁଣି ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ଏବେ ଚିନ୍ତାରେ ବ୍ୟବସାୟୀମାନେ । ସଂକ୍ରମଣ ଯେପରି ନ ବ୍ୟାପିବ ବିଏମସି ତରଫରୁ ପୂରା ଅଞ୍ଚଳକୁ ସାନିଟାଇଜ କରାଯାଇଛି।

ମଞ୍ଚେଶ୍ୱର ଅଟାକଳରୁ କରୋନା ବିସ୍ଫୋରଣ ହେବା ପରେ ଏବେ ଆଇଗିଣିଆ ଆଳୁଗଦିକୁ ନେଇ ଚିନ୍ତା ବଢିଛି । ଶନିବାର ଆଳୁଗଦିରୁ ନଅ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆରମ୍ଭ ହୋଇଥିଲା କଣ୍ଟାକଟ ଟ୍ରେସିଂ। ସେଥିରୁ ରବିବାର ପୁଣି ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତମାନେ କେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି, କେଉଁ କେଉଁ ଅଞ୍ଚଳକୁ ଯାଇଛନ୍ତି ସେ ନେଇ କଣ୍ଟାକଟ ଟ୍ରେସିଂ ଚାଲିଥିବା ବେଳେ ସଂକ୍ରମଣ ଆଶଙ୍କା ବଢୁଛି।

‘‘ଦୈନିକ ଆଳୁଗଦିକୁ ବାହାର ରାଜ୍ୟରୁ ୬୦ରୁ ୭୦ ଟ୍ରକ ମାଲ ଆସୁଛି। ୧୦ଟି ଜିଲ୍ଲା ଆଳୁ, ପିଆଜ, ଅଦା ଓ ରସୁଣ ପାଇଁ ଆଇଗିଣିଆ ଆଳୁଗଦି ଉପରେ ନିର୍ଭରଶୀଳ। ପ୍ରତି ଦିନ ୧୫୦ରୁ ୨୦୦ ଛୋଟ ଗାଡ଼ି ଏଠାରୁ ବାହାରକୁ ଯାଉଛି। ପ୍ରଥମେ ତ ବାହାର ରାଜ୍ୟରୁ ଗାଡ଼ି ଆସୁଛି । ବାହାର ରାଜ୍ୟରେ ବି ପଜିଟିଭ ସଂଖ୍ୟା ଅଧିକ ରହିଛି । ଅନ୍ୟ ପଟେ ଏହି ଠାରୁ ଗାଡ଼ି ବିଭିନ୍ନ ସ୍ଥାନକୁ ଯାଉଛି। ତେଣୁ ସଂକ୍ରମଣ ଭୟ ଅଧିକ ରହିଛି । ସେଥି ପାଇଁ ସମସ୍ତ ବ୍ୟବସାୟୀଙ୍କୁ ମାସ୍କ ବ୍ୟବହାର ସହ ସମଦୂରତା ବଜାୟ ରଖିବାକୁ କୁହାଯାଇଛି,’’ କହିଛନ୍ତି ରାଜ୍ୟ ବ୍ୟବସାୟୀ ମହାସଙ୍ଘର ସମ୍ପାଦକ ସୁଧାକର ପଣ୍ଡା ।

ୟୁନିଟ-୪ର ମାଛ ମାର୍କେଟ ନିକଟରେ ଏକ ଅଞ୍ଚଳକୁ ବ୍ୟାରିକେଡ୍ କରାଯାଇଛି ।


କିଛି ଲୋକ ଅଜାଣତରେ ଭୁଲ କରୁଛନ୍ତି ଓ ଆଉ କିଛି ଜାଣିଶୁଣି ଭୁଲ କରୁଛନ୍ତି। ତେଣୁ ନିୟମ ଉଲ୍ଲଙ୍ଘନ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ କିନ୍ତୁ ପୂରା ମାର୍କେଟ ସିଲ କରାନଯାଉ ବୋଲି ସରକାରଙ୍କୁ ନିବେଦନ କରିଛି ବ୍ୟବସାୟୀ ସଙ୍ଘ। ଗୋଦାମ ବନ୍ଦ ହେଲେ କେବଳ ବ୍ୟବସାୟୀଙ୍କ ଉପରେ ପ୍ରଭାବ ପଡ଼ିବନି, ଦରଦାମ ବଢ଼ିବା ଆଶଙ୍କା ରହିଛି । ଏହାର ପ୍ରଭାବ ଗ୍ରାହକଙ୍କ ଉପରେ ବି ପଡିବ ବୋଲି ସଙ୍ଘ କହିଛି।

କେବଳ ବ୍ୟବସାୟୀ ନୁହନ୍ତି, ଆଳୁଗଦିରେ କାର୍ଯ୍ୟରତ କର୍ମଚାରୀ ବି ଚିନ୍ତାରେ। ‘‘ପଶ୍ଚିମ ବଙ୍ଗରୁ ନିୟମିତ ଆଳୁ ଟ୍ରକ ଆସୁଛି। ସଂକ୍ରମଣ ଭୟ ରହୁଛି । କିନ୍ତୁ ପେଟପାଟଣା ପାଇଁ କାମ କରିବାକୁ ହେବ। ଖଟିଲେ ଖାଇବୁ ନ ଖଟିଲେ କେମିତି ଖାଇବୁ?’’ ପଚାରିଛନ୍ତି ଆଲୁଗଦିରେ କାର୍ଯ୍ୟରତ ଶ୍ରମିକ ଜନକ ପ୍ରଧାନ।

ଗୋଟିଏ ବସ୍ତିରୁ ଅନ୍ୟ ବସ୍ତିକୁ ମାଡ଼ି ଚାଲିଛି କରୋନା । ବସ୍ତି ଅଞ୍ଚଳରେ ସଂକ୍ରମଣ ରୋକିବା ନେଇ ବିଭିନ୍ନ ସ୍ଥାନରେ କଣ୍ଟେନମେଣ୍ଟ ଜୋନ କରାଯାଇଛି । ସୀତାପୁର ବସ୍ତି, ଗଣପତିନଗର ବସ୍ତି, ହରିନଗର ଓ ତ୍ରିନାଥ ବସ୍ତିକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ସାନିଟାଇଜ କରିବା ସହ ଆକ୍ଟିଭ ସର୍ଭେଇଲାନ୍ସ ଜାରି ରହିଛି।

ଏହା ବି ପଢ଼ନ୍ତୁ: ଅଗଷ୍ଟ ୧ରୁ ଅନଲକ୍-୩ ଆରମ୍ଭ ହେବ; ଖୋଲିପାରେ ସିନେମା ହଲ୍; ଜିମ୍ ପାଇଁ ବି ଅନୁମତି ମିଳିପାରେ

ଏହା ବି ପଢ଼ନ୍ତୁ: କଳହର କରୁଣ ପରିଣତି: ପତ୍ନୀ ଓ ଶାଶୁ ମିଶି ଝାଡ଼ୁରେ ପିଟିଲେ, ତେଣୁ ସେ ଆତ୍ମହତ୍ୟା କଲେ

ଗତ ୨୪ ଘଣ୍ଟାରେ ତ୍ରିନାଥ ବସ୍ତିରୁ କ୍ଵରେଣ୍ଟାଇନରେ ଥିବା ୧୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜଣେ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୟୁନିଟ-୧ ଆଖଣ୍ଡଳମଣି ବସ୍ତିରୁ ଚାରି ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କ୍ଵରେଣ୍ଟାଇନରୁ ପାଞ୍ଚ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୦୦୦ ପାଖାପାଖି ଥିବା ବେଳେ ହଜାରେ ଉପରେ ଆକ୍ଟିଭ କେସ୍‌ ଅଛି । ଗୋଟିଏ ଦିନରେ ୧୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।



ଦୟାକରି ଦୁଇ ମିନିଟ ସମୟ ଦେଇ ଉପରେ ଥିବା ଏହି ସର୍ଭେରେ ଭାଗ ନିଅନ୍ତୁ
Published by:Anand Shankar Thankur Das
First published: