କରୋନା ଭାଇରସ୍ ପରେ ଚୀନରେ ହାଣ୍ଟା ଭାଇରସରେ ଜଣେ ଲୋକର ମୃତ୍ୟୁ; ଆଉ ୩୨ ଜଣ ପଜିଟିଭ୍

ହାଣ୍ଟା ଭାଇରସରେ ଆକ୍ରାନ୍ତ ଚୀନର ଜଣେ ବ୍ୟକ୍ତି ଏକ ବସରେ କାର୍ଯ୍ୟ ସ୍ଥଳକୁ ଯାଉଥିବା ବେଳେ ମୃତ୍ୟୁ ବରଣ କରିବା ପରେ ସେଠି ଚିନ୍ତା ବଢ଼ିଛି । ସେହି ବସରେ ଥିବା ୩୨ ଜଣ ଲୋକ ହାଣ୍ଟା ଭାଇରସ ପଜିଟିଭ୍ ବୋଲି ପରୀକ୍ଷାରୁ ଜଣାପଡ଼ିଛି ।

କରୋନା ଭାଇରସ୍ ପରେ ଚୀନରେ ହାଣ୍ଟା ଭାଇରସରେ ଜଣେ ଲୋକର ମୃତ୍ୟୁ; ଆଉ ୩୨ ଜଣ ପଜିଟିଭ୍
ମାଇକ୍ରୋସ୍କୋପରେ ହାଣ୍ଟା ଭାଇରସର ଏକ ଦୃଶ୍ୟ (ରୟଟର୍ସ୍ ଫଟୋ)
  • News18 Odia
  • Last Updated: March 24, 2020, 10:15 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କରୋନା ଭାଇରସର ବିସ୍ତାର ଚୀନରୁ ଆରମ୍ଭ ହୋଇ ଭାରତ ସମେତ ସାରା ବିଶ୍ୱକୁ ମୃତ୍ୟୁର ଆତଙ୍କରେ ରଖିଥିବା ସମୟରେ ଅନ୍ୟ କେତେକ ରୋଗ ମୁଣ୍ଡ ଟେକୁଥିବା ଦେଖାଯାଉଛି । ସ୍ୱାଇନ୍ ଫ୍ଲୁ ଓ ବାର୍ଡ଼ ଫ୍ଲୁ ଭାରତ ଓ ଅନ୍ୟାନ୍ୟ ଦେଶରେ ପୂର୍ବରୁ ହୋଇସାରିଛି । ବର୍ତ୍ତମାନ ଚୀନରେ ଜଣେ ବ୍ୟକ୍ତି ହାଣ୍ଟା ଭାଇରସ୍ ପାଇଁ ପଜିଟିଭ୍ ଭାବେ ଚିହ୍ନଟ ହେବା ପରେ ମୃତ୍ୟୁ ବରଣ କରିଥିବାରୁ ସେଠାରେ ଚିନ୍ତା ବଢ଼ିଛି ।

ଚୀନ୍‌ର ‘ଗ୍ଲୋବାଲ ଟାଇମ୍ସ’ ଖବରକାଗଜ ଏକ ଟ୍ୱିଟ୍ କରି କହିଛି ଯେ ସୋମବାର ୟୁନାନ୍‌ ପ୍ରଦେଶର ଜଣେ ବ୍ୟକ୍ତି ଏକ ବସରେ କାର୍ଯ୍ୟ ସ୍ଥଳକୁ ଯିବା ପାଇଁ ଶାନ୍ଦୋଙ୍ଗ ପ୍ରଦେଶରୁ ଫେରୁଥିବା ବେଳେ ମୃତ୍ୟୁ ବରଣ କରିଛି । ବସ୍‌ରେ ଥିବା ଅନ୍ୟ ୩୨ ଜଣ ମଧ୍ୟ ଏହି ଭୂତାଣୁ ପାଇଁ ପରୀକ୍ଷାରେ ପଜିଟିଭ୍‌ ଭାବେ ଚିହ୍ନଟ ହୋଇଛନ୍ତି ।

ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି) ଅନୁଯାୟୀ ହାଣ୍ଟାଭାଇରସ୍ ହେଉଛି ଏକ ପ୍ରକାର ଭୂତାଣୁ ଯାହା ମୁଖ୍ୟତଃ ମୂଷା ଜାତୀୟ ପ୍ରାଣୀଙ୍କ ଦ୍ୱାରା ବ୍ୟାପେ ଓ ଲୋକଙ୍କ ଦେହରେ ବିଭିନ୍ନ ରୋଗ ସୃଷ୍ଟି କରେ । ଏହି ଭୂତାଣୁ ହାଣ୍ଟାଭାଇରସ୍ ଫୁସଫୁସ ସିଣ୍ଡ୍ରୋମ (HPS) ଓ ବୃକକ୍ ସିଣ୍ଡ୍ରୋମ (HFRS) ସହିତ ହେମୋରାଜିକ୍ ଜ୍ୱର ବି ସୃଷ୍ଟି କରିପାରେ ।

ଏହି ରୋଗ ବାୟୁ ଦ୍ୱାରା ବ୍ୟାପେ ନାହିଁ । ଏହା କେବଳ ମୂଷା ଜାତୀୟ ପ୍ରାଣୀଙ୍କ ମୂତ୍ର, ମଳ ଓ ଲାଳର ସଂସ୍ପର୍ଶରେ ଆସିଲେ ବା କୌଣସି ସଂକ୍ରମିତ ପ୍ରାଣୀର କାମୁଡ଼ିବା ଦ୍ୱାରା ବ୍ୟାପେ ବୋଲି ଜଣା ପଡ଼ିଛି ।

ହାଣ୍ଟାଭାଇରସର ଲକ୍ଷଣ ପ୍ରତି ମଧ୍ୟ ବିଶେଷଜ୍ଞମାନେ ଧ୍ୟାନ ଦେଇଛନ୍ତି । HPS ର ପ୍ରାରମ୍ଭିକ ଲକ୍ଷଣ ମଧ୍ୟରେ ଥକ୍କା ଲାଗିବା, ଜ୍ୱର ହେବା, ମାଂସପେଶୀରେ ଯନ୍ତ୍ରଣା ହେବା, ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ଥଣ୍ଡା ଓ ପେଟ ସମସ୍ୟା ହେବା ଅନ୍ତର୍ଭୁକ୍ତ । ଯଦି ଏହାର ଚିକିତ୍ସା କରା ନ ଯାଏ, ତେବେ ଏହା କାଶ ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧାର କାରଣ ହୋଇପାରେ ଓ ରୋଗୀର ବଞ୍ଚି ରହିବା କଷ୍ଟକର ହୋଇପାରେ । ଏହି ରୋଗରେ ମୃତ୍ୟୁ ହାର ୩୮ ପ୍ରତିଶତ ବୋଲି ସିଡିସି କହିଛି ।

ଠିକ୍‌ ସେମିତି HFRS ର ପ୍ରାରମ୍ଭିକ ଲକ୍ଷଣ ସମାନ ରହିଲେ ମଧ୍ୟ ଏହା ନିମ୍ନ ରକ୍ତଚାପ, ତୀବ୍ର ଶକ୍, ଭାସ୍କୁଲାର୍ ଲିକେଜ୍ ଓ ତୀବ୍ର କିଡନୀ ଫେଲ କରାଇପାରେ ବୋଲି ଗବାଷକମାନେ କହିଛନ୍ତି । HPS ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟକୁ ଯାଇପାରିବ ନାହିଁ, ଆଉ ମଣିଷ ଠାରୁ ମଣିଷକୁ HFRS ବ୍ୟାପିବା ଅତ୍ୟନ୍ତ ବିରଳ ।

ସିଡିସି ଅନୁଯାୟୀ ହାଣ୍ଟାଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ମୂଷା ଜାତୀୟ ପ୍ରାଣୀଙ୍କ ଜନସଂଖ୍ୟା ନିୟନ୍ତ୍ରଣ ହେଉଛି ପ୍ରାଥମିକ ରଣନୀତି ।
First published: March 24, 2020, 10:15 PM IST
corona virus btn
corona virus btn
Loading