ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ତଦନ୍ତରେ ଲାଗିଲା ବ୍ରେକ୍; ତଦନ୍ତକାରୀ ପୋଲିସ୍ SI କରୋନା ପଜିଟିଭ୍ ହେଲେ

ହ୍ୟାଣ୍ଡରାଇଟିଂ ବ୍ୟୁରୋର ରିପୋର୍ଟରୁ ଆଦିତ୍ୟ ସୁଇସାଇଡ୍ ନୋଟ୍ ନିଜେ ଲେଖିଥିବା ସ୍ପଷ୍ଟ ହେବା ପରେ ସେ କାହିଁକି ଆତ୍ମହତ୍ୟା କଲେ ଓ ଏଥି ପାଇଁ ତାଙ୍କୁ କିଏ ବାଧ୍ୟ କରିଥିଲା ସେ ନେଇ ଅନୁସନ୍ଧାନ ଚଳାଇଥିଲା ରେଳବାଇ ପୋଲିସ l

ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ତଦନ୍ତରେ ଲାଗିଲା ବ୍ରେକ୍; ତଦନ୍ତକାରୀ ପୋଲିସ୍ SI କରୋନା ପଜିଟିଭ୍ ହେଲେ
ଆଦିତ୍ୟ ଦାଶ ଓ (ଡାହାଣ) ଭୁବନେଶ୍ୱର ଜି.ଆର୍.ପି. ଥାନା
  • News18 Odia
  • Last Updated: July 26, 2020, 10:21 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ଆତ୍ମହତ୍ୟା ମାମଲାରେ କରୋନା ଲଗାଇଛି ବ୍ରେକ୍‌ l ଭୁବନେଶ୍ଵର ରେଳବାଇ ଥାନାରୁ ଜଣେ ସବ୍‌-ଇନ୍ସପେକ୍ଟର କରୋନା ପଜିଟିଭ ବାହାରିବା ପରେ ଥାନାର ସବୁ କର୍ମଚାରୀଙ୍କୁ ହୋମ୍‌ କ୍ଵାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଜାରି ହୋଇଛି l ଥାନା କର୍ମଚାରୀଙ୍କ ସହ ତଦନ୍ତକାରୀ ଅଧିକାରୀ (ଆଇଓ) ଏବଂ ଅନ୍ୟ ତିନି ଜଣ ପୋଲିସ୍‌ କର୍ମୀ ଏବେ ହୋମ କ୍ଵାରେଣ୍ଟାଇନରେ ଥିବାରୁ ଏହାର ସିଧାସଳଖ ପ୍ରଭାବ ପଡ଼ିଛି ତଦନ୍ତ ଉପରେ l

ହ୍ୟାଣ୍ଡରାଇଟିଂ ବ୍ୟୁରୋର ରିପୋର୍ଟରୁ ଆଦିତ୍ୟ ସୁଇସାଇଡ୍‌ ନୋଟ୍‌ ନିଜେ ଲେଖିଥିବା ସ୍ପଷ୍ଟ ହୋଇଥିଲା l କିନ୍ତୁ ସେ କାହିଁକି ଆତ୍ମହତ୍ୟା କଲେ ଓ ଆତ୍ମହତ୍ୟା ପାଇଁ ତାଙ୍କୁ କିଏ ବାଧ୍ୟ କରିଥିଲା, ଅର୍ଥାତ ଆତ୍ମହତ୍ୟା ପାଇଁ କେଉଁମାନେ ଦାୟୀ, ସେ ନେଇ ଅନୁସନ୍ଧାନ ଚଳାଇଥିଲା ରେଳବାଇ ପୋଲିସ l

ଏହି ମାମଲାରେ ଆହୁରି ୧୨ରୁ ୧୫ ଜଣଙ୍କର ବୟାନ ରେକର୍ଡ଼ କରିବାକୁ ଜିଆରପି ତାଲିକା ପ୍ରସ୍ତୁତ କରିଥିଲା l କିଛି ଲୋକଙ୍କୁ ନୋଟିସ ବି କରାଯାଇଥିଲା l ସେମାନଙ୍କ ମଧ୍ୟରେ ଅଛନ୍ତି ପାର୍ସଲ ଟ୍ରେନ୍‌ ଓ ମାଲବାହୀ ଟ୍ରେନର ଦୁଇ ଲୋକୋ ପାଇଲଟ, ଆଦିତ୍ୟଙ୍କ ‘ପିପୁଲ ଫର ସେବା’ ସଙ୍ଗଠନର ପାଞ୍ଚ ଜଣ ସଦସ୍ୟ ଓ ଆଦିତ୍ୟଙ୍କର କିଛି ବନ୍ଧୁ l ତାଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ସହଯୋଗୀ ପପୁ, ବିକାଶ ଓ ପ୍ରିତମଙ୍କୁ ପୁଣି ଥରେ ଥାନାକୁ ଡାକି ଥରେ ଜେରା କରାଯାଇଥାନ୍ତା l

ଲିଙ୍ଗରାଜ ରେଳ ଷ୍ଟେସନ ନିକଟରେ ରେଳ ଲାଇନ୍‌ କଡ଼ରୁ ଆଦିତ୍ୟଙ୍କ ଶବ ମିଳିଥିଲା ।


ଆଦିତ୍ୟଙ୍କ ଆତ୍ମହତ୍ୟା ପଛର ତଥ୍ୟ ଓ ପ୍ରମାଣ ଏମାନଙ୍କ ସହ ପଚରାଉଚରାରୁ ପୋଲିସକୁ ମିଳିଥାନ୍ତା ବୋଲି ଆଶା କରାଯାଉଥିଲା I ହେଲେ କରୋନା ସଂକ୍ରମଣ ପରେ ଏବେ ସାକ୍ଷୀଙ୍କୁ ଡାକି ଜେରା କରିବା ଅସମ୍ଭବ l ସାକ୍ଷୀମାନେ ବି ଆସିବାକୁ ଅମଙ୍ଗ ପ୍ରକାଶ କରିବେ l

‘‘ଏହି ସମସ୍ୟା ଉପରେ ବିଚାର ବିମର୍ଷ ଚାଲିଛି l ହାଇ-ପ୍ରୋଫାଇଲ କେସ୍‌ ହୋଇଥିବାରୁ ଅନୁସନ୍ଧାନ କିଭଳି ଠିକ ସମୟରେ ହେବ ସେ ନେଇ ଖୁବ୍‌ ଶୀଘ୍ର ନିଷ୍ପତ୍ତି ନିଆଯିବ,’’ କହିଛନ୍ତି ରେଳବାଇ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ ।

ବରିଷ୍ଠ ଆଇନଜୀବୀ ବନ ମହାନ୍ତି କହିଛନ୍ତି ଯେ ଥାନା କର୍ମଚାରୀମାନେ କରୋନା ସଂକ୍ରମିତ ହେବା ପରେ ତଦନ୍ତ ପକ୍ରିୟା ଧିମେଇ ଯିବ l ‘‘ତଦନ୍ତ ଯେତିକି ବିଳମ୍ବ ହେବ ତଥ୍ୟ, ପ୍ରମାଣ ଓ ସାକ୍ଷ ସେତିକି ଦୁର୍ବଳ ହେବ l ତେଣୁ ଏହି ହାଇ-ପ୍ରୋଫାଇଲ କେସର ତଦନ୍ତ ଏକ ପ୍ରିମିୟମ ତଦନ୍ତକାରୀ ସଂସ୍ଥାକୁ ହସ୍ତାନ୍ତର କରାଯିବା ଉଚିତ,’’ କହିଛନ୍ତି ମହାନ୍ତି ।

ଏହା ବି ପଢ଼ନ୍ତୁ: ଅଗଷ୍ଟ ୧ରୁ ଅନଲକ୍-୩ ଆରମ୍ଭ ହେବ; ଖୋଲିପାରେ ସିନେମା ହଲ୍; ଜିମ୍ ପାଇଁ ବି ଅନୁମତି ମିଳିପାରେ

ଏହା ବି ପଢ଼ନ୍ତୁ: କଳହର କରୁଣ ପରିଣତି: ପତ୍ନୀ ଓ ଶାଶୁ ମିଶି ଝାଡ଼ୁରେ ପିଟିଲେ, ତେଣୁ ସେ ଆତ୍ମହତ୍ୟା କଲେ

କରୋନାରେ ଆକ୍ରାନ୍ତ ଜଣେ ସବ୍‌-ଇନ୍ସପେକ୍ଟର କିଛି ଦିନ ତଳେ କଟକରୁ ବଦଳି ହୋଇ ଭୁବନେଶ୍ଵର ଆସିଥିଲେ l ଚାରି-ପାଞ୍ଚ ଦିନ ପୂର୍ବରୁ ତାଙ୍କୁ ଜ୍ଵର ହୋଇଥିଲା l କାହାକୁ କିଛି ନ କହି ମେଡିସିନ ଖାଇ ସେ ଥାନାକୁ ଡ୍ୟୁଟିରେ ଆସୁଥିଲେ l ଶୁକ୍ରବାର ସକାଳେ ବି ଡ୍ୟୁଟି କରିଥିଲେ l ମଧ୍ୟାହ୍ନରେ ସେ କରୋନା ପଜିଟିଭ ବୋଲି ଜଣାପଡ଼ିବା ପରେ ତାଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା l ଏହା ପରେ ରେଳବାଇ ଥାନାରେ ଆତଙ୍କ ଖେଳିଯାଇଛି  l ଶନିବାର ଦିନ ଥାନାକୁ ସାନିଟାଇଜ କରାଯାଇଥିଲା l କେବଳ ଧର୍ତ୍ତବ୍ୟ ଅପରାଧ ହେଲେ ହିଁ ଅଭିଯୋଗ ନେଇ ଥାନାକୁ ଆସିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି l



ଦୟାକରି ଦୁଇ ମିନିଟ ସମୟ ଦେଇ ଉପରେ ଥିବା ଏହି ସର୍ଭେରେ ଭାଗ ନିଅନ୍ତୁ
Published by: Anand Shankar Thankur Das
First published: July 26, 2020, 10:21 PM IST
corona virus btn
corona virus btn
Loading