କରୋନା: ଗତ ୧୫ ଦିନ ହେଲା ପାଇଖାନାରେ ରହୁଛନ୍ତି ଅନ୍ତର୍ଜାତୀୟ ଖ୍ୟାତିପ୍ରାପ୍ତ ଓଡ଼ିଆ ଅଭିନେତା ଦେବେଶ ରଞ୍ଜନ

ନିଜ ବାପାଙ୍କ ଶ୍ରାଦ୍ଧ ବାର୍ଷିକୀ ପାଇଁ ୧୫ ଦିନ ତଳେ ମୁମ୍ବାଇରୁ ଘରକୁ ଫେରିଥିଲେ ଦେବେଶ ରଞ୍ଜନ । ସେହି ଦିନରୁ ସେ ନିଜ ଘର ପାଖରେ ଥିବା ଏକ ପାଇଖାନା ଘରେ ଏକାନ୍ତବାସରେ ରହୁଛନ୍ତି ।

କରୋନା: ଗତ ୧୫ ଦିନ ହେଲା ପାଇଖାନାରେ ରହୁଛନ୍ତି ଅନ୍ତର୍ଜାତୀୟ ଖ୍ୟାତିପ୍ରାପ୍ତ ଓଡ଼ିଆ ଅଭିନେତା ଦେବେଶ ରଞ୍ଜନ
ପାଇଖାନା ଘରେ ଖଟ ପକାଇ ଶୋଉଛନ୍ତି ଦେବେଶ ରଞ୍ଜନ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କେନ୍ଦୁଝର: କରୋନା ଭାଇରସ୍‌ ପାଇଁ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଓଡ଼ିଆ ଅଭିନେତା ଦେବେଶ ରଞ୍ଜନ ଏବେ ନିଜ ଘରେ ପାଇଖାନାରେ ଏକାନ୍ତବାସ କଟାଉଛନ୍ତି । ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ କଥାଟି ସତ । କରୋନା ନିରାକରଣ ନିୟମ ମାନି ସେ ଏହି ନିଷ୍ପତ୍ତି ନେଇଛନ୍ତି ।

ଦେବେଶ ରଞ୍ଜନ ନିଜ ବାପାଙ୍କ ଶ୍ରାଦ୍ଧ ବାର୍ଷିକୀ ପାଇଁ ୧୫ ଦିନ ତଳେ ମୁମ୍ବାଇରୁ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଜରଦା ଗାଁରେ ଥିବା ନିଜ ଘରକୁ ଫେରିଥିଲେ । ହେଲେ ସେହି ଦିନରୁ ସେ ଘର ଭିତରକୁ ପ୍ରବେଶ କରି ନାହାନ୍ତି । ସେବେ ଠାରୁ ସେ ନିଜ ଘର ପାଖରେ ଥିବା ଏକ ପାଇଖାନା ଘରେ ଏକାନ୍ତବାସରେ ରହୁଛନ୍ତି । ନିଜେ ସଚେତନ ହେବା ସହ ଅନ୍ୟକୁ ମଧ୍ୟ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ଦେବେଶ ।

‘‘ମୁଁ ଘରେ ପହଞ୍ଚିବା ପରେ ତୁରନ୍ତ ମୋ’ର ସବୁ ପିନ୍ଧା କପଡ଼ା ବାହାର କରି ସାବୁନ ଓ ଲିମ୍ବ ପତ୍ରରେ ଫୁଟା ହୋଇଥିବା ପାଣରେ ସଫା କଲି । ତା’ ପରେ ପାଇଖାନା ଘରେ ଗୋଟିଏ ଖଟ ପକେଇ ସେହି ଦିନ ଠାରୁ ସେଇଠି ଖାଉଛି ଓ ଶୋଉଛି,’’ କହିଛନ୍ତି ଦେବେଶ ।

ଦେବେଶ ଇଂରାଜୀ ଚଳଚ୍ଚିତ୍ର ‘ଭାରା - ଏ ବ୍ଲେସିଙ୍ଗ’ ନାମକ ଚଳଚ୍ଚିତ୍ରରେ ଅଭିନୟ କରି ଆମେରିକା, ନେଦରଲ୍ୟାଣ୍ଡ, ହଂକଂ, ତାଇୱାନ ଓ ଭୁଟାନ୍ ଆଦି ଦେଶରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ବଲିଉଡର ‘ଭୋର୍‌’ ଚଳଚ୍ଚିତ୍ରରେ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରି ରେଡ୍ କାର୍ପେଟରେ ଚାଲିବାର ସୁଯୋଗ ପାଇଛନ୍ତି ।

ପାଇଖାନା ଘର ବାହାରେ ଠିଆ ହୋଇଛନ୍ତି ଦେବେଶ ।


ସେ ସର୍ବଦା ନିଜ ମୁହଁରେ ମାସ୍କ ବି ପିନ୍ଧୁଛନ୍ତି । ‘‘ଆମେ ନିଜେ ସଚେତନ ନ ହେଲେ ଅନ୍ୟକୁ କେମିତି ସଟେତନ କରି ପାରିବା? ମୁଁ ପ୍ରଥମତଃ ମୋ’ ପରିବାରର କୌଣସି ସଦସ୍ୟକୁ ଇନଫେକ୍ଟ କରିବାକୁ ଚାହୁଁ ନ ଥିଲି । ମୁଁ ୟେ କରୋନା ଭାଇରସ୍‌ ସମ୍ପୂର୍ଣ୍ଣ ଚାଲିଯିବା ପର୍ଯ୍ୟନ୍ତ ଏହି ପାଇଖାନା ଘରେ ରହିବି । ଏଥିରେ କିଛି ଅସୁବିଧା ନାହିଁ,’’ କହିଛନ୍ତି ଦେବେଶ ।

ପାଇଖାନା ଘରେ ଏକାନ୍ତବାସ ସମୟରେ ସେ ପ୍ରତି ଦିନ ଧ୍ୟାନ, ପ୍ରାଣାୟାମ, ଯୋଗ ଓ ବ୍ୟାୟାମ କରି ସମୟ ବିତାଉଛନ୍ତି । ଖାଇବା ସମୟରେ ମା’ଙ୍କ ଦ୍ବାରା କଦଳୀ ପତ୍ରରେ ଦିଆଯାଉଥିବା ଖାଦ୍ୟ ସେ ଅତି ଆନନ୍ଦରେ ଖାଉଛନ୍ତି । ସେ ନିଜ ବାପା ମାଆଙ୍କର ଏକ ମାତ୍ର ପୁଅ ।

‘‘ପୁଅର ଏମିତି ଅଲଗା ରହିବା ନିଷ୍ପତ୍ତି ପ୍ରଥମେ ବଡ଼ ଅଡ଼ୁଆ ଲାଗିଥିଲା । ହେଲେ କରୋନା ଭାଇରସ୍‌ ବିଷୟରେ ତା’ ଠାରୁ ଓ ଗଣ ମାଧ୍ୟମରୁ ଜାଣିବା ପରେ ଆମେ ଜାଣିଲୁ କେତେ ଭୟଙ୍କର ଏହି ରୋଗ । ତା’ର ଅଲଗା ହୋଇ ରହିବା ନିଷ୍ପତ୍ତି ଜରୁରୀ ବୋଲି ଆମର ଆଉ ସନ୍ଦେହ ନାହିଁ,’’ କହିଛନ୍ତି ଦେବେଶଙ୍କ ମାଆ ସତ୍ୟଭାମା ଓଝା ।

ଦେବେଶଙ୍କର ଏହି ନିଷ୍ପତ୍ତି ତାଙ୍କ ଗାଁ ଓ ଆଖପାଖର ଅନେକ ଗାଆଁର ଲୋକଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ପାଲଟିଛି । ’’ତାଙ୍କ ଠାରୁ ଦେଖି ଓ ଶିଖି ଆମେ ବି ସଚେତନ ହୋଇଛୁ,’’ କହିଛନ୍ତି ତାଙ୍କର ଜଣେ ପଡୋଶୀ ପ୍ରେମ୍ ପ୍ରତାପ ଭୂୟାଁ ।
First published: April 5, 2020, 6:26 PM IST
corona virus btn
corona virus btn
Loading